Unknown

 

 

 

 

 

 

 

 

 

 

 

ତପ୍ତ ବୈତରଣୀ

ଶ୍ରୀ ଭାସ୍କର ଚନ୍ଦ୍ର ଜେନା

 

 

 

 

 

 

 

 

ଯାହାଙ୍କର ସ୍ନେହ, ଶ୍ରଦ୍ଧା, ସହାନୁଭୂତି ନେଇ ଜୀବନର ଚଲା ପଥରେ ଆଗେଇ ଚାଲିଛି, ସେଇ ବଡ଼ ଭାଇ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମହାନ୍ତି ଏବଂ ବଡ଼ ଭଉଣୀ ଶ୍ରୀମତୀ ନିରୁପମା ମହାନ୍ତି (ଟୁନି ଅପା)ଙ୍କ କର କମଳରେ..… ।

 

ଲେଖକ

 

ଶିଖା !

 

ସବୁ ତରୁଣୀଙ୍କ ପରି ରକ୍ତ ମାଂସର ମଣିଷ ସେ ।

 

ପ୍ରଦୀପ !!

 

ସବୁ ତରୁଣଙ୍କ ପରି ସବୁଜ ଯୁବକଟିଏ ସେ ।

 

ବାଲ୍ୟ, କୈଶୋର, ଯୌବନର ପାହାଚରେ ପାଦ ଥୋଇ ସେମାନେ ଅନେକ ରଙ୍ଗୀନ ସ୍ଵପ୍ନ ଦେଖୁଥିଲେ । କେତେ ଆଶା ଆକାଂକ୍ଷାର ଶ୍ୟାମଳ ଉପତ୍ୟକା ଦେହରେ ପାଦ ଥୋଇ ସାତ ରଙ୍ଗର ଇନ୍ଦ୍ରଧନୁ ତୋଳି ବସିଥିଲେ ଦେହ ମନରେ । ଶିଖା-ଶୁଭ୍ର ଅଲୋକ ଶିଖାଟିଏ ପରି ତିଳ ତିଳ ହୋଇ ଜଳି ଯିବାକୁ ବସିଲା ପ୍ରଦୀପ ଦେହରେ । ପ୍ରଦୀପ ଶିଖାକୁ ଧାରଣ କରି ତା’ ଜୀବନକୁ ସାର୍ଥକ କରି ବସିଲା । ଅଲୋଡ଼ା, ଅଖୋଜା ମାଟି ଗୋଡ଼ି ପରି, ଅବା ପରିତ୍ୟକ୍ତା ସାଉଣ୍ଟା ଫୁଲ ପରି ସେମାନେ ଏ ସମାଜ ବକ୍ଷରୁ ହଜିଗଲେ ବିସ୍ମୃତିର ସଭ୍ୟତା ହୋଇ ରହିବାକୁ ଚାହିଁଲେ ଶତାବ୍ଦୀରୁ.. ଶତାବ୍ଦୀକୁ... ।

 

କିନ୍ତୁ ନିଷ୍ଠୁର ସମୟ କ’ଣ ତାଙ୍କ ସମ୍ପର୍କ, ତାଙ୍କ ଅବ୍ୟନ୍ତ ଅନ୍ତରର ତିଳୋତ୍ତମ ଚନ୍ଦ୍ରାକୁ ସ୍ପର୍ଶ କରି ପାରିଲା ?

 

ନା ।

 

ସମୟ ତାହା କରି ପାରେନା ।

 

ସମୟ ଈର୍ଷା କରେ । ତା’ ପରାକ୍ରମରେ ସେ ଆତ୍ମଗର୍ବୀ ହୋଇ ଚାହେଁ ମହାକାଳର ବ୍ୟବଚ୍ଛେଦ ମଧ୍ୟରେ ଜୀବନକୁ ନିଃଶେଷ କରି ଦେବାକୁ ।

 

ସେଥିଯୋଗୁ ବହୁ ଆକାଂକ୍ଷା, ବହୁ ଆଶା ଭରସାର ସୁଅ ନଦୀ ଗର୍ଭରେ ଯେଉଁ ଉନ୍ମାଦନା ନେଇ ଗତି କରିଥାନ୍ତି ପରେ ସାଗର ସାଙ୍ଗରେ ମିଶିଗଲେ ତାଙ୍କୁ ଆତ୍ମପରିଚୟ ଦେବାକୁ ପଡ଼ିଥାଏ ।

 

ସେମାନେ ନଦୀ ନୁହନ୍ତି ।

 

ସେମାନେ ନଦୀ ନାମ ଧାରୀ ଆଉ କିଛି ରଙ୍ଗ ।

 

ସେମାନେ ତପ୍ତ ବୈତରଣୀ..... ।

Image

 

ଏଇ ଲେଖକଙ୍କର....

 

୧.

ତମେ

୨.

ଅପଚୟ

୩.

ସ୍ମୃତିର ସହର

୪.

ପ୍ରୀତି ପୁରର ଗୋଲାପ

୫.

ରଙ୍ଗୀନ ସମୁଦ୍ର

୬.

ଅନୁତପ୍ତ ଅନ୍ଧକାର

୭.

ବର୍ଷା ବୈଶାଖ ଛୁଏଁ

୮.

ଦୂରାନ୍ତ ନଦୀର ଝଡ଼

୯.

ନୀରବ ସୂର୍ଯ୍ୟାସ୍ତ

୧୦.

ସମୟ ଅସମୟ

 

 

Image

 

ଶିଖା ।

 

କୌଣସି ଏକ ସନ୍ଧ୍ୟାଦୀପର ଶିଖା ନୁହେଁ ।

 

ଅବା ନବବଧୂର ଓଢ଼ଣା ସନ୍ଧିରେ ଝରି ଯାଉଥିବା ଟୋପା ଟୋପା ଲୁହର ବନ୍ୟାରେ, ଆଶା ଆକାଂକ୍ଷାର ଅଲୋକ ପାଇଁ ପ୍ରତୀକ ସେହି ଦୀପ ଶିଖା ନୁହେଁ କିମ୍ବା ଶତାବ୍ଦୀ ଶତାବ୍ଦୀର ଇତିହାସକୁ ଦେହ ମନରେ ଚାପି ଧରି, କୁଳ ଦୀପର ଗୌରବ ମଣ୍ଡନ କରି ପରମ୍ପରାର ଆଲୋକକୁ ଉଜ୍ଜ୍ୱଳ କରୁଥିବା ସେଇ ଦୀପର ଶିଖା ନୁହେଁ ।

 

ମୁଁ ଶିଖା ।

 

ମୁ ଶିଖା; ଅନ୍ୟ ଏକ ସ୍ଥିତିର, ଅନ୍ୟ ଏକ ଫାଲ୍‌ଗୁର ।

 

ମୁଁ ଶିଖା ମହାପାତ୍ର ।

 

ଅନେକ ଇତିହାସର ଆବେଗମୟ କାହାଣୀ ମୋର ଦେହ, ମନ, ରକ୍ତ, ମାଂସର ପ୍ରତି–ଅଣୁ ପରମାଣୁ ମଧ୍ୟରେ ସଂଶ୍ଲିଷ୍ଣ । ବର୍ତ୍ତମାନ କ’ଣ ମୁଁ ବୁଝେନା, ଅତୀତ କ’ଣ ମୁଁ ଜାଣେନା । କେବଳ ଭବିଷ୍ୟତ ଆଡ଼କୁ ମୁହଁ କରି ମୁଁ ବସିଛି ।

 

ଭବିଷ୍ୟତ ଆସିବ ?

 

କେବେ ଆସିବ ସିଏ ?

 

ଜାଣେନା ମୁଁ ଆଉ କେତେ ଦିନ ଏମିତି ବସି ରହିଥିବ । ତଥାପି ଜୀବନ ଉପରେ ଅଭିମାନ କରି ମୁଁ ତାଙ୍କୁ ହିଁ ଅପେକ୍ଷା କରି ବସିଛି ।

 

ସେ ଫେରିବ ।

 

ନିଶ୍ଚୟ ।

 

ଦିନେ ନା ଦିନେ ।

 

ସେଦିନ, ଯେଉଁଦିନ ଚାଲିଗଲା, ତା’ସାଙ୍ଗରେ ନେଇଗଲା ମୋର ସମ୍ପୃକ୍ତ ଅତୀତକୁ, ସ୍ମୃତିକୁ, ଚେତନାକୁ ।

 

ମୁଁ ଆଜି ସେଇ ବିତି ଯାଇଥିବା ଅଲୋଡ଼ା, ଅଲିଭା ଅତୀତ ପାଇଁ ମୋଠାରେ ଥିବା ସମସ୍ତ ସ୍ମୃତି ତାରି ଚୋରାବୋଲି ଭିତରେ କୁଆଡ଼େ ଯେ ଖୋଜି ଖୋଜି ପାଉନି ।

 

ଅନ୍ୟକୁ ଆଲୋକ ଦେଇ ନିଜେ ଶିଖା ହୋଇ ଜଳିବାର ଗୌରବରୁ ବା କ’ଣ ମିଳିବ ? ଅତୀତ ଆଉ ମୋ ମଧ୍ୟରେ ଶତାବ୍ଦୀ ଶତାବ୍ଦୀର ବ୍ୟବଧାନ, ଯୋଜନ ଯୋଜନାର ଦୂରତ୍ଵ । ବର୍ତ୍ତମାନ–ଅତୀତ–ଆଉ ଉବିଷ୍ୟତର ବ୍ୟାପ୍ତି ମଧ୍ୟରେ ମୁ ଖାଲି ଯନ୍ତ୍ରଣାର ଯୋଗସୂତ୍ର ରକ୍ଷାକରି ଚାଲିଛି । ଆନନ୍ଦ ଆଉ ସାବଲୀଳତାର ଆରମ୍ଭ କେଉଁଠି ମୁଁ ଜାଣେନା । ଦୁଃଖ କଷ୍ଠର ଶେଷ କେଉଁଠି ତାହା ବି–ମୁଁ ଅନୁଭବ କରିପାରୁନି ।

 

ଟିକି ଟିକି ସ୍ରୋତ ସବୁମିଳି ନଦୀ ହେବା ଭଳି, ଛୋଟ ଛୋଟ ସ୍ମୃତି ଏକାଠି ହୋଇ ଯେତେବେଳେ ବିରାଟ ସବୁ ପାଲଟି ଯାଆନ୍ତି, ସେତେବେଳେ ମୁଁ ଭାବେ ଏହାର ଶେଷ କେଉଁଠି । ନଦୀ ସିନା ସମୁଦ୍ରରେ ମିଳି ସମୁଦ୍ର ହେଇଯିବ, ହେଲେ ମୁଁ ? ମୋର ଶୋଷ ମେଣ୍ଟିବ କେଉଁଠି । କେମିତି । ଖାଲି ତୃଷ୍ଣା । ସେଇ ମୃଗତୃଷ୍ଣାର ଇନ୍ଦ୍ରଧନୁ । ଯାହା ପଛରେ ଧାଇଁବାକୁ ଇଚ୍ଛା ହୁଏ, ଅଥଚ ଶୋଷ ମେଣ୍ଟେନି ।

 

ପୁଣି ଛୋଟ ଛୋଟ ଇଚ୍ଛା ସବୁ ସ୍ଵପ୍ନ ହୁଏ । ସ୍ଵପ୍ନ, ସବୁ କାଞ୍ଚନଜଙ୍ଘାର ଶୀତଳ ଫଲ୍‌ଗୁରେ ମିଶି ବରଫ ପାଲଟିଯାଏ । ଭୟ ଲାଗେ, ଜୀବନର ଆଶା । କ’ଣ ସେଇଠି ସେମିତି ସଙ୍କୁଚିତ ହୋଇ ନିସ୍ପଳ ହେବ । ଆଃ...

 

କାହିଁକି ?

 

କାହିଁକି ଏ ଦୁର୍ବାର ଇଚ୍ଛାର ଅଲଂଘ୍ୟ ପ୍ରାଚୀର ।

 

ହଠାତ୍ ମୁଁ ଅର୍ଦ୍ଧରାତ୍ରିର ନିସ୍ତବ୍‌ଧ ସ୍ରୋତରୁ ଲଙ୍ଘନ କରି ଉଠି ଆସିଛି ମୋର ଏଇ ପରିଚିତ ଉଦ୍ୟାନ ଭିତରକୁ । ମୋ ହାତତିଆରି ଫୁଲରେ କାନନ । ତା’ଦେହର ପ୍ରତିଟି ମାଟିଗୋଡ଼ି ସହିତ ମୁଁ ଅଙ୍ଗାଙ୍ଗୀ ଭାବରେ ପରିଚିତ । ସବୁ ଗଛ, ସବୁ ଲତା, ସବୁ ଫୁଲ, ସବୁ ଭ୍ରମରମାନେ ମୋର ବେଶ୍‌ ଅତି ଆପଣାର । ନିତି ଦିନର ସାଥୀ । ମୋ ସାଙ୍ଗରେ କଥା କହନ୍ତି । ମୋତେ ଚହଲାଇ ଦିଅନ୍ତି ମଧ୍ୟ ।

 

ଆକାଶରେ ଅନେକ ତାରା ବିଛୁଡ଼ି ହୋଇ ପଡ଼ିଛନ୍ତି । ଠିକ୍ ଯେମିତି ରାତି ପାହିବା ପୂର୍ବରୁ ଗଙ୍ଗଶିଉଳି ଫୁଲମାନେ ବୃନ୍ତଚ୍ୟୁତ ହୋଇ ଧରାପୃଷ୍ଠରେ ଲୋଟି ପଡ଼ିଥାଆନ୍ତି । ସ୍ଵପ୍ନ ସେମାନଙ୍କର ହଜି ଯାଇଥାଏ । ଭବିଷ୍ୟତ ସେମାନଙ୍କ ପାଇଁ ଏକ ସାଙ୍କେତିକ ଲିପି । କିଛି ତା’ର ଅର୍ଥ ନ ଥାଏ । ପୁଣି ସେଇ ସବୁଦିନ ପରି ଲୋଟିପଡ଼ିବା ସାର ହୁଏ । ଯେମିତି ତାରାମାନେ ଦିନର ଆଲୋକରେ ହଜିଯାଆନ୍ତି ।

 

ଏମିତି ଅନେକ ସମୟରେ ଅର୍ଦ୍ଧ ରାତ୍ରିରେ ମୋ ତନ୍ଦ୍ରାର ବିଚ୍ୟୁତି ଘଟେ । ମୁଁ ଅତୀତକୁ ନେଇ ଆଖି ବୁଜିବାକୁ ଚେଷ୍ଟା କରେ । ଅନେକ ସ୍ଵପ୍ନ, ଅନେକ ଅସ୍ତ୍ର ବହନ, ଅନେକ ସଂଘର୍ଷ । ତା’ ମଧ୍ୟରେ ମୁଁ ମୋଟେ ସ୍ଥିର ହୋଇ ରହିପାରେନା । ମୁଁ ଅନୁଭବ କରେ ସବୁ କିଛିର ଓଲଟପାଲଟ । ବହୁ ରକ୍ତପାତର ଆଶଙ୍କା ।

 

କାଗଜ ଫୁଲର ସ୍ଵପ୍ନ ପରି, ଶୋଲ ଡଙ୍ଗାର ସ୍ଥିତ ଭଳି ନିରର୍ଥକ, ଦୋଦୁଲ୍ୟମାନ । ସ୍ଵପ୍ନା ଖାଲି ସ୍ଵପ୍ନରେ ହହିଯାଏ । ଭାସିଯାଏ ସମୟର ଚହଲା ଢେଉରେ । ନିମିଷକେ ସବୁ ସ୍ଥିର ଚୁପ୍‌ ଚାପ୍‌ କେହି ଯେମିତି କିଛି ଜାଣି ପାରିଲେନି ମୋ ଛଡ଼ା ।

 

ଚହଲିଯାଏ ମୁଁ ।

 

ସ୍ଥିର ହୋଇ ଶୋଇ ନ ପାରି ଉଠି ଆସେ ଅତି ଆପଣାର ବଗିଚା ଭିତରକୁ । ଏଇ ବଗିଚାର ଲତା ଗୁଳ୍ମ ସବୁ ମୋର । ମୋ ହାତରେ ଏମାନଙ୍କର ଜନ୍ମ । ଆଉ ତାଙ୍କ କୋଳରେ ବଢ଼ିଥିବା ଗୋଲାପ, ମଲ୍ଲୀ, ଟଗର, ରଜନୀଗନ୍ଧା ସମସ୍ତେ ମୋ ଗାରିମା ଗାନ କରୁଛନ୍ତି । ମୋତେ ଦେଖିଲେ ସେମାନଙ୍କର ସେମାନଙ୍କର ଯେ କି ଉଲ୍ଲାସ କି ଆନନ୍ଦ ।

 

ବେଳେବେଳେ ମୁଁ ତାଙ୍କୁ ଚାହିଁଲେ–ମୋ ମନ ମୋ ପାଇଁ କାଳ ଉଠେ । ବିବେକ ଆଉ ମନ ମଧ୍ୟରେ ଉପୁଜେ ସଂଘର୍ଷ । ଟ୍ରାଫିକ୍ ପୋଲିସ ଭଳି ସେମାନଙ୍କୁ ନିୟନ୍ତ୍ରଣ କରେ । ସେମାନଙ୍କ ଭିତରେ ମଧ୍ୟସ୍ଥତା କରେ । ସେମାନେ କେବେ କେବେ ଶାନ୍ତ ହୋଇ ଯାଆନ୍ତି । ଆଉ ଯେତେବେଳେ ମୁଁ ଦୁର୍ବଳ ହୋଇପଡ଼େ, ସେମାନେ ହୋଇ ଉଠନ୍ତି ଉଗ୍ର, ମୁଖର । ସେମାନଙ୍କୁ ଶାନ୍ତ କରିବ, ମୋ ପକ୍ଷରେ ସମ୍ଭବ ହୋଇପାରେନା ।

 

ତେଣୁ ମୁଁ ନୀରବ ରହିଯାଏ ମୋ ଭିତରେ । ମୋ ସ୍ମୃତିର ଶତଦ୍ରୁ, ନଈରେ ପହଁରି ପହଁରି ଚେତନାର କୂଳକୁ ଚାଲି ଆସେ ।

 

ସେଠି ଦେଖେ ଆଉ ଥୋକେ ଆପଣାର ଜୀବନ ।

 

ଗୋଲାପ, ରଜନୀଗନ୍ଧା ପରି ନୁହଁନ୍ତି ।

 

ନିହାତି ପରିଚିତ ମୋର ।

 

ଦୀପକ !

 

ଦୀପକ ଆଜି ଦିଲ୍ଲୀରୁ ଫେରିଛି ।

 

ବାହାରେ ଜହ୍ନର ଆକାଶ ।

 

ଜହ୍ନର ଦେହରୁ ଝରି ପଡ଼ୁଥିବା କେତୋଟି ଜ୍ୟୋତ୍ସ୍ନାର ରେଖା ଦୀପକ ମୁହଁ ଉପରେ ବିଛୁଡ଼ି ହୋଇ ପଡ଼ୁଛି । ତା’ ମନ ମଧ୍ୟରେ ସେମିତି କିଛି ଅନୁଶୋଚନା ନାହିଁ, ଦ୍ଵିଧା ନାହିଁ, ଅବସାଦ ନାହିଁ । ସେ ଶାନ୍ତ ସରଳ ଶିଶୁ ପରି ଶୋଇଯାଇଛି । ସବୁ ପୁଅମାନେ ଏମିତି ଦୀର୍ଘ ଦିନର ବ୍ୟବଧାନ ନେଇ ବିଦେଶରୁ ଫେରିଲେ ମା’ମାନଙ୍କ କୋଳରେ ଶୋଇ ପଡ଼ି ଥାଆନ୍ତି ।

 

ବାହାରେ ପାଦପମାନଙ୍କର ଟିକ୍ ଟିକ୍ କଥା ମୁଁ ଶୁଣି ପାରୁଛି । ସେମାନେ ରାତିରେ ସବୁ ଏମିତି ଟୁପ୍ ଟାପ୍ କଥା ହୁଅନ୍ତି । ଦିନରେ ବେଶ ମୂକ ଅଭିନୟ କରି ବସନ୍ତି । ଦୁନିଆ ସମ୍ପର୍କରେ ସେମାନେ ଯେମିତି କିଛି ଜାଣନ୍ତି ନାହିଁ । ନିଚ୍ଛକ ଅଭିନୟରେ ସେମାନେ ଦୁନିଆଦରବାରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ନିପୁଣ ଅଭିନୟ । ପ୍ରାଞ୍ଜଳ ପ୍ରକୃତି ।

 

ଦୀପକର ସାନିଧ୍ୟରେ ମୋ ମା’ ମନର ବ୍ୟାକୁଳ ଆବେଗତା ଅନେକ ଗୁଣରେ ବଢ଼ି ଯାଇଛି । ମୁଁ ଯେମିତି ଏକ ଲୟରେ ଚାହିଁଛି ମୋ ପୁଅକୁ ।

 

ଏମିତି ଦୀପକକୁ ସବୁବେଳେ ଦେଖିବାକୁ ବ୍ୟାକୁଳ ହୃଦୟରେ ଚାହିଁ ରହିଥାଏ । ମୋ ନୟନପିତୁଳା । ମୋ ଜୀବନର ସାର୍ଥକତା । ତୋ’ବିନା ମୋର ଗତି ନାହିଁ, ମୁକ୍ତି ନାହିଁ । ତା’ବିନା ମୁଁ ଏ ଦୁନିଆରେ ତା’ର ଅର୍ଥ ବୁଝେନା । ତାକୁ ଦେଖିଲେ ମୋ ମନର ସମସ୍ତ ଦ୍ଵନ୍ଦ୍ୱ, କମିଯାଏ । “ଅଶାନ୍ତିର ଝଡ଼ ମିଳନର ବାୟୁମଣ୍ଡଳରେ ହଠାତ୍ ଥମିଯାଏ ।

 

ଅନ୍ୟ ଏକ କୋଠରୀରେ ମୋ ସ୍ଵାମୀ ନିଶ୍ଚିନ୍ତରେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି । ମୋ ଉପରେ ତାଙ୍କର ସନ୍ଦେହ ନାହଁ, ମୋ ସମ୍ପର୍କରେ ତାଙ୍କ ମନରେ ତିଳେହେଲେ ଆବିଳତା ନାହିଁ-। ଏ ଅଞ୍ଚଳରେ ସେ ଜଣେ ଖ୍ୟାତନାମା ବ୍ୟକ୍ତି । ସମସ୍ତେ ତାଙ୍କ ଇଙ୍ଗିତରେ ଆତଯାତ ହୁଅନ୍ତି-। ଅନେକ ଥର ସେ ଏ ଅଞ୍ଚଳରେ ପଞ୍ଚାୟତ ସମିତିର ଚେୟାରମ୍ୟାନ୍ ହେଇଛନ୍ତି । ଏବେ ବିଧାନସଭାକୁ ପ୍ରାର୍ଥୀ ହେବା ପାଇଁ ଘମାଘୋଟ ଦଉଡ଼ ଆରମ୍ଭ କରିଦେଇଛନ୍ତି ।

 

ଆଜି ପର୍ଯ୍ୟନ୍ତ ସେ ମୋ ଉପରେ କେବେ ଥରକ ପାଇଁ ସୁଦ୍ଧା କର୍ତ୍ତୃତ୍ଵ ଜାହିର କରିବାକୁ ଚେଷ୍ଟା କରି ନାହାନ୍ତି । ସେ ଭାବନ୍ତି ମୁଁ ଏକ ମନବୁଝା କଣ୍ଢେଇ । ମୋତେ ସେ ଯେମିତି ନଚେଇବେ ମୁଁ ସେମିତି ନାଚିବି । ମୋତେ ଯେମିତି ଖେଳେଇବେ ମୁଁ ସେମିତି ଖେଳିବି । ମୁଁ ତାଙ୍କ ପରମ୍ପରା, ଆଭିଜାତ୍ୟ, ବଂଶାନୁକ୍ରମେ‌ ଲିଖିତ ଇତିହାସର ମୂକସାକ୍ଷୀ ।

 

ହେଲେ, କାଚ ଫ୍ରେମ ମଧ୍ୟରେ ବନ୍ଧା ହୋଇଥିବା ପୁରୁଷ ପ୍ରତିଛବିକୁ ଦେଖି କ’ଣ ନାରୀର କ୍ଷୁଧା ମେଣ୍ଟେ ? ଖାଲି ଯନ୍ତ୍ରଣା, ଅନେକ ଆତ୍ମଦହନ ମଧ୍ୟରେ ଜଳିପୋଡ଼ି ମରିବା ସିନା ସାର ।

 

ସ୍ମୃତି ଖାଲି ପାଉଁଶ । ସେ ପାଉଁଶ ରଙ୍ଗହୀନ, ସ୍ଵାଦହୀନ, ବର୍ଣ୍ଣହୀନ ଶୂନ୍ୟତା । ପୁଣି ଅନେକ ଶୂନ୍ୟତା ହେଉଛି ଜଳିବା ପରର ସ୍ମୃତି ।

 

ଏ ଜଳିବାର କ’ଣ ଶେଷ ନାହିଁ ?

 

ମୁଁ ଆଜି ଜଳୁଛି ଅକ୍ଷାଂଶ, ଦ୍ରାଘିମାର ମଧ୍ୟ ସ୍ଥଳରେ । ମୁଁ କାହାରିକୁ ସ୍ପର୍ଶ କରିପାରୁନି । ଗୋଟିଏ କେନ୍ଦ୍ରବିନ୍ଦୁରୁ ଗୋଟିଏ ବୃତ୍ତର ସୃଷ୍ଟି । ଦୁଇଟି ପାଖାପାଖି ବୃତ୍ତର ସୀମାନ୍ତରେ ମୁଁ ଏକ ନୀରବ ପଥୁକୀ । ଚାଲି ଚାଲି ଥକି ପଡ଼ୁଛି । ସମୟ ଉତ୍ତୀର୍ଣ୍ଣ ପ୍ରାୟ । ହେଲେ ମୁଁ ସେହି ସୀମାନ୍ତର କେନ୍ଦ୍ର ବିନ୍ଦୁରୁ କାହାରିକୁ ଛୁଇଁ ପାରୁନି ।

 

ଗୋଟିଏ ବୃତ୍ତ ମଧ୍ୟରେ ପୁତ୍ର, ଦୀପକ ଅନ୍ୟ ଏକ ବୃତ୍ତ ମଧ୍ୟରେ ସ୍ଵାମୀ ରାଇଚରଣ । ସେମାନଙ୍କ ମଧ୍ୟଦେଶରେ ବହି ଯାଇଥିବା ଏକ ସମାନ୍ତରାଳ ସରଳରେଖାର ନଦୀ, ଯେ କି ମୁଁ ! ଚୁପ୍ ଚାପ୍, ଶୁନ୍ ଶାନ୍ ହୋଇ ନାରୀର ପ୍ରତିମୂର୍ତ୍ତି ଧରି ବହି ଚାଲଛି । ଶୋଷ ଥିଲେ ବି ପାଣି ପିଉନି-। ଆଖି ଥିଲେ ବି ଦେଖି ପାରୁନି । ଆଶା ଥିଲେ ବି ସଭ୍ୟତା ମୋତେ ଆଲିଙ୍ଗନ କରୁନି-

 

ମୁଁ ଏକ ଯାନ୍ତ୍ରିକ ଯୌବନର ସୀମାରେଖା ଡେଇଁ ଆସୁଛି । ଯାହାକି ସେମାନେ ବୁଝି ପାରୁ ନାହାନ୍ତି ।

 

ସେମାନେ ବେଶ ଦେହ ମନର କ୍ଳାନ୍ତି, ଅବସାଦ ମେଣ୍ଟାଉଛନ୍ତି । ହେଲେ ମୁଁ ଧାଉଁଛି ସେମାନଙ୍କୁ ଛୁଇଁବା ପାଇଁ । ସେମାନେ ମୋତେ ବୁଝନ୍ତୁ, ମୋତେ ଅନୁଭବ କରନ୍ତୁ ।

 

କିନ୍ତୁ ପ୍ରଦୀପ ମୋ ଦେହର ସମସ୍ତ ଶକ୍ତିକୁ ହରଣ କରିନେଇଛି । ମୁଁ ଏବେ ପଙ୍ଗୁ ଅର୍ଥାତ୍, ସ୍ଥାଣୁ ଦନ୍ତୁରୀତ ମୂକ ଉପତ୍ୟକା ସମ ପଡ଼ି ରହିଛି ସମୟର ଲୁହା ଶିକୁଳି ମଧ୍ୟରେ ।

 

ପ୍ରଦୀପ....

 

ସେଇ ଅତୀତ ।

 

ଯେଉଁ ଦୀପ ଦେହରେ ମୁଁ ଶିଖା ହୋଇ ଜଳିବାର ସ୍ଵପ୍ନ ଦେଖିଥିଲି ।

 

ଯାହା ପାଇଁ ମୁଁ ଆଜି ଆଲୋକର ବର୍ତ୍ତିକା ସମ ଜଳୁଛି । ଅର୍ଦ୍ଧମୃତ ସୈନିକ ପରି କ୍ଷତବିକ୍ଷତ ହୋଇ ରଣାଙ୍ଗନରେ ପଡ଼ି ରହିଛି । ଶାଗୁଣା ପଲ ପଲ ହୋଇ ମୋ ଦେହରୁ ପୁଳା ପୁଳା ମାଂସ ସବୁ ଝାମ୍ପି ନେଉଛନ୍ତି ।

 

ସେଇ ଅତୀତ ।

 

ଆଉ ଆଜିର ବର୍ତ୍ତମାନରେ ଏ ଯେଉଁ ସମାଜ–

 

ସିଏ କିଛି ବୁଝେନା । କିଛି ଜାଣେନା । ଗୁଡ଼ାଏ ଆଦର୍ଶର ଦ୍ଵାହି ଦେଇ କେତେଗୁଡ଼ିଏ ନିରୀହ ମଣିଷଗୁଡ଼ାକୁ ଅସମୟର ବାଲି ଝଡ଼ରେ ହଜେଇଦିଏ । ସେମାନଙ୍କ ହୃଦୟର ଅକୁହା କାହାଣୀକୁ ଇତିହାସର ପୃଷ୍ଠା ମଣ୍ଡନ କରିବା ପରିବର୍ତ୍ତେ ସ୍ମୃତିର ପାଉଁଶ ଦେହରେ ମିଶାଇ ନେଇ ଯାଏ । ତା’ର ବା ନିଜତ୍ଵ କେତେ ?

 

ଶ୍ମଶାନରେ ଜୁଇ ଜଳେ । ପ୍ରତିଦିନର ବ୍ୟବଧାନ ମଧ୍ୟରେ କେତେ ଅକୁହା ଇତିହାସ ଜଳିପୋଡ଼ି ପାଉଁଶ ହୋଇଯାଏ । ହେଲେ ସ୍ମୃତି ରହିଯାଏ ସବୁ ଦିନକୁ । କିଛିଦିନ ପରେ ସ୍ମୃତି ବି ଲିଭିଯାଏ ମନ ଭିତରୁ । ନୂଆ ହୁଏ ପୁରୁଣା । ପୁଣି କେବେ ପୁରୁଣା ଆସେ ନୂଆ ରୂପ ଧରି ।

 

ସେଇ ପୁରୁଣା ସ୍ମୃତି । ଯାହା ଭୁଲିବାର ନୁହେଁ । ଆଖି ବୁଜିଲେ ସେ ସ୍ଵପ୍ନ ଦେହରେ ଧାଇଁ ଆସେ । ଆଖି ଖୋଲିଲେ ସେ ଶୂନ୍ୟତାକୁ ଗ୍ରାସ କରିଯାଏ । ତନ୍ଦ୍ରାର ବିଚ୍ୟୁତି ଘଟାଏ । ହଜାଇ ଦେଲେ ହଜେନା । ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ହୁଏନା ।

 

ସେଇ ଜୀବନର ପ୍ରଥମ ପାହାଚ, ସ୍ମୃତି ।

 

ପ୍ରଥମ ପାହାଚ ।

 

ଅନେକ ଚରିତ୍ରର ବିଶ୍ଳେଷଣ ।

 

ମଣିଷ ପାଇଁ ମଣିଷ କାହିଁକି ଏତେ ବ୍ୟାକୁଳତା ନେଇ ଚାହିଁ ରହେ ? ସେହି ଚାହିଁବା ମଧ୍ୟରେ ଲେଖା ଅପାର ସ୍ମୃତି ଚହଲି ଉଠୁଛି । ଚହଲା ମନ ଦେହରେ ତା’ ପ୍ରତିଛବି ଯେମିତି ଆଙ୍କି ହୋଇଯାଉଛି ।

 

କିଏ ସେ ଅବା ଲେଖା ଅପାର ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ବୁଝିବାକୁ ଚେଷ୍ଟା କଲା କେହି ନୁହେଁ ? ଏ ଦୁନିଆ କାହାର ଯନ୍ତ୍ରଣାକୁ ବୁଝିବାକୁ ଚେଷ୍ଟା କରେନା । ପ୍ରବାହମାନ ଗତିରେ ସମୟ ବହି ଯାଉଛି । ତା’ମଧ୍ୟରେ କିଏ ହାରି ଯାଉଛି ତ କିଏ ଜିତି ଯାଉଛି । ଏଠି ଚାଲିଛି ବାଜି ଖେଳ । ସେଥିପାଇଁ ଦୁଃଖ କରିବାର କିଛି ନାହିଁ, ଅନୁଶୋଚନାର ପ୍ରଶ୍ନ ଉଠୁନାହିଁ ।

 

ସେ ଦିନ ବି ସେମିତି ଗାଁ ମୁଣ୍ଡ ଶ୍ମଶାନରେ ଚିତାଗ୍ନି ଜଳି ଉଠିଥିଲା । ଲେଖା ଅପାର ସମସ୍ତ ସ୍ମୃତି, ସମସ୍ତ ଚେତନାର ଇତିହାସ ଧୁ ଧୁ ହୋଇ ଜଳି ଯାଇଥିଲା ସେଇ ଭସ୍ମୀଭୂତ ଚିତା ଭିତରେ । ରାଇ ଭାଇ ଖଇକଉଡ଼ି ବୁଣି ବୁଣି ଯାଉଥିଲେ ଗାଁ ଦାଣ୍ଡ ମଝି ଦେଇ । ଲେଖାଅପା ଅହ୍ୟରେ ଗଲା । ଅହ୍ୟସୁଲକ୍ଷଣୀର ଭାଗ୍ୟ ନେଇ ସେ ଧରାପୃଷ୍ଠରେ ଜନ୍ମ ନେଇଥିଲା ବୋଲି ଗାଁ ମାଇପେ ଟୁପୁର୍ ଟାପର ହେଉଥିଲେ ।

 

ଲେଖା ଅପାର ବାହାଘର ବେଳେ ମୁଁ ଥିଲି ମାତ୍ର ସାତ ଆଠ ବର୍ଷର ପିଲାଟିଏ । ସେତେବେଳେ ପ୍ରେମ କ’ଣ ମୁଁ ବୁଝୁ ନ ଥିଲି । ଆଉ ଅଶ୍ଳୀଳତା କ’ଣ ତାହା ବି ଜାଣି ନ ଥିଲି । ଦିନସାରା ସବୁବେଳେ ଖାଲି ଖେଳରେ ମନ । ବୁଢ଼ା ଅବଧାନ ପାଖରୁ ଛୁଟି ହେଲା ମାତ୍ରେ ମୁଁ ସାଙ୍ଗ ପିଲାଙ୍କୁ ମେଳକରି, ବୋଉବୋଉକା, ଲୁଚକାଳି, ଗୁଡ଼ିଗୁଡ଼ିକା ଖେଳୁଥିଲି ।

 

ହଠାତ୍ ଦିନେ ଲେଖା ଅପାକୁ ବରଘର ଲୋକେ ଦେଖିବାକୁ ଆସିଲେ । ବରବାଲାଙ୍କର ଝିଅ ପସନ୍ଦ ହେବାର ବାହାଘର ଠିକ୍‍ଠାକ୍ ହେଲା । ମୁଁ ସେଥିରୁ କିଛି ବୁଝୁ ନ ଥିଲି । ଖାଲି ଏତିକି ବୁଝିଥିଲି ଆମ ବୋଉବୋଉକା ଖେଳରେ ବର–କନିଆର ବାହାଘର ହେଲେ ମିଛିମିଛିକା ଧୂଳି ବାଲିରେ ଡାଲି ଭାତ କରୁ । ସେମିତି ଲେଖା ଅପାର ବାହାଘର ହେଲେ ଆମର ଡାଲି ଭାତ ହେବ-

 

ଲେଖା ଅପା କିନ୍ତୁ ସମସ୍ତଙ୍କ ଅଗୋଚରରେ ଲୁଚି ଲୁଚି ଆଖିରୁ ଧାର ଧାର ଲୁହ ଗଡ଼ାଉଥିଲା । ଅଲେଖ ଭାଇ–ପାଇଁ । ସେତେବେଳେ କେତେଥର ଅଲେଖ ଭାଇଙ୍କୁ ମୋ ହାତରେ ଡକାଇ ପଠାଇ ଲୁଚିଛପି କଥା କୁହନ୍ତି । ପୁଣି କେବେ କେବେ ମୋରି ହାତରେ ଦୁଇ ଜଣଯାକ ଚିଠି ଦିଆନିଆ କରନ୍ତି । ହେଲେ ଏସବୁ ଘଟଣା କଲାବେଳେ ମୋତେ ନଖିଆ ପଣ୍ଡା ଦୋକାନରୁ ଗୋଡ଼ି ଚୁଚୁମା ଉପହାର ମିଳୁଥିଲା ।

 

ସେତେବେଳେ ସିନା ବୁଝି ପାରି ନ ଥିଲି, ହେଲେ ମୋ ପରବର୍ତ୍ତୀ ବୟସରେ ସବୁ ବୁଝି ପାରିଥିଲି ଯେ–ଲେଖା ଅପା ଅଲେଖ ଭାଇକୁ କେତେ ଭଲ ପାଉଥିଲା । ମନ–ପ୍ରାଣ–ହୃଦୟ ସବୁ ତାଙ୍କ ପାଦ ତଳେ ଅଜାଡ଼ି ଦେଇଥିଲା । ହେଲେ ସେମାନଙ୍କ ଆଦର୍ଶ ପ୍ରେମକୁ କେହି ବୁଝିଲେ ନାହିଁ-। ଅଲେଖ ଭାଇ ଥିଲେ ଜାତିରେ ଚଷା, ତେଣୁ ତାଙ୍କ ସହିତ ଲେଖା ଅପାର ବାହାଘର କଥା ପ୍ରଶ୍ନ ହିଁ ଉଠିଲା ନାହିଁ ।

 

ଅସହାୟ ହୋଇଗଲା ଲେଖା ଅପା ।

 

ଲତାର ସମଧର୍ମକୁ ନେଇ ନାରୀ ବଞ୍ଚିଲା ପରି–ଇଚ୍ଛା ମୁତାବକ ଆଶ୍ରୟ ନ ମିଳିଲେ ଲତା ଶେଷରେ ବାଧ୍ୟ ହୋଇ ନିକଟତମ ଗଛ ଉପରେ ଆଶ୍ରୟ ନେଇଥାଏ ! ଲେଖା ଅପା କ୍ଷେତ୍ରରେ ତାହା ହିଁ ହୋଇଥିଲା । ବାହା ହୋଇଯିବାର ଅନେକ ଦିନ ପର୍ଯ୍ୟନ୍ତ ସେ ଅଲେଖ ଭାଇଙ୍କ ପାଇଁ ଆଖିରୁ ଲୁହ ଗଡ଼େଇଲେ ବି ଆଖିରୁ ଲୁହ ସବୁ ନ ଥିଲା । ଅତୀତର ସ୍ମୃତି ସ୍ଵପ୍ନରେ ସ୍ଥାନ ପାଉଥିଲା ।

 

ଆସ୍ତେ ଆସ୍ତେ ନୂଆ ପୁରୁଣା ହେଲା । ଲେଖା ଅପାର ମନ ମଧ୍ୟରେ ଘର ସଂସାର କରିବାର ନିଶା ସବୁଜ ବୟସର ପ୍ରଣୟ‌ ପିପାସାକୁ ଢାଙ୍କି ପକାକଲା ।

 

କେବଳ ଲେଖା ଅପା ନୁହେଁ ।

 

ଏମିତି ସବୁ ଝିଅମାନଙ୍କ କ୍ଷେତ୍ରରେ ଏହି ଦୁର୍ଘଟଣା ହିଁ ଘଟିଥାଏ । କେହି ନା କେହି ଅପ୍ରାପ୍ତ କିମ୍ବା ପ୍ରାପ୍ତ ବୟସର କାହାକୁ ନା କାହାକୁ ଭଲ ପାଇ ବସି ଥାଆନ୍ତି । ସେହି ନିରୋଳା ବୟସରେ ମନ–ପ୍ରାଣ ଦେଇ ଭଲ ପାଇ ଥାଆନ୍ତି । ମନର ମାନସପଟ୍ଟରେ ତାଙ୍କର ପ୍ରତିଛବି ଆଙ୍କି ହୋଇଯାଇଥାଏ ସବୁଦିନ ପାଇଁ ।

 

କିନ୍ତୁ ବୟସ ଗଡ଼ି ଚାଲେ ଚହଲା ନଈର ସୁଅ ପରି । ସେହି ଅଘଟଣ ମୁହୂର୍ତ୍ତଟି ପାଖେଇ ଆସେ । ବିବାହର ଶୁଭ ସାହାନାଇ ମଧ୍ୟରେ ଅନ୍ୟ ଏକ ପୁରୁଷର ହାତ ଧରି କେଉଁ ଏକ ଅଜଣା ଗାଁଙ୍କୁ କୁଳବଧୂର ସମ୍ମାନରେ ସମ୍ମାନିତ ହୋଇ ଧାଇଁଯାଆନ୍ତି ସେମାନେ ଘର ସଂସାର କରିବା ପାଇଁ । ଅଭୁଲା ଅତୀତର ପ୍ରେମ କାହାଣୀ ଦୂର ଦିଗ୍‌ବଳୟର ବଉଦମାଳ ଭଳି, କିଛି ଦିନ ସ୍ଵପ୍ନ ମଧ୍ୟରେ ଧକ୍‍କା ଖାଏ । କୂଳବଧୂଟି ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳେ ସନ୍ଧ୍ୟା ଦୀପ ଥୋଇଲା ବେଳେ ଅତୀତକୁ ଫେରିଯାଏ । ସେଇ ମୁହୂର୍ତ୍ତଟି ତା’ ପକ୍ଷରେ ନିରୋଳା ସମୟ । ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇଦିଏ ବିଗତ ପ୍ରେମିକ ପାଇଁ । ଶୁଭ ମନାସେ । ପୁଣି ଫେରି ଆସେ ବର୍ତ୍ତମାନକୁ । ବର୍ତ୍ତମାନର ସ୍ଥିତି ସହିତ ନିଜକୁ ହଜେଇଦିଏ । ଶାଶୁ, ଶ୍ଵଶୁର, ନଣନ୍ଦ, ଦିଅର, ସ୍ୱାମୀ ସୋହାଗର ସଂସାର ତା’ ପାଇଁ ସ୍ୱର୍ଗର ପାରିଜାତ ପରି ମନେ ହୁଏ ।

 

ଲେଖା ଅପା କ୍ଷେତ୍ରରେ ତାହାହିଁ ଘଟିଥିଲା । ବାହା ହେବାର କିଛିଦିନ ପର୍ଯ୍ୟନ୍ତ ସେ ଅଲେଖ ଭାଇର ସ୍ନେହ, ପ୍ରେମକୁ ମୋଟେ ଭୁଲପାରି ନ ଥିଲା । ଅଧିକାଂଶ ସମୟରେ ହଜିଯାଇଥିବା ଅତୀତକୁ ମନେ ପକାଇ କଇଁ କଇଁ ହୋଇ କାନ୍ଦିଥିଲା । ନୁଜ ଉପରେ ଆସ୍ଥା ହରାଇ ଆତ୍ମହତ୍ୟା କରିବାକୁ ମନ ବଳେଇଥିଲା ।

 

ହେଲେ ଏତେବଡ଼ ଘର ସଂସାରକୁ ଉଜାଡ଼ି ଦେଇ ଯିବାକୁ ତା’ର ମନ ହେଲା ନାହିଁ । ଚୌଧୁରୀ ବଂଶର ନିନ୍ଦା ଲାଗିବ । ଏରେ ଧନ ସମ୍ପତ୍ତିକୁ ଉପଭୋଗ କରିବାପାଇଁ କେହି ନାହାନ୍ତି । ଏ ଘରର ଏକମାତ୍ର ଉତ୍ତରାଧୀକାରୀ ହେଉଛନ୍ତି ସ୍ଵାମୀ ରାଇଚରଣ ଚୌଧୁରୀ ଆଉ ବୃଦ୍ଧମାତା ସରଜିନୀ ଦେବୀ । ଖାନଦାନ୍ ଘର । ପାଞ୍ଚ ଖଣ୍ଡ ଗାଁରେ ନାଁ ଅଛି ।

 

ଲେଖା ଅପା ଏସବୁର ମାୟା ମମତାକୁ ଏଡ଼ାଇ ଦେଇ ଆଖି ବୁଜିପାରିଲା ନାହିଁ, ବରଂ ଶାଶୁବୁଢ଼ୀଙ୍କଠାରୁ ଏ ଘରର ପରମ୍ପରା ଇତିହାସ ଶୁଣି ଆହୁରି ଦ୍ଵିଗୁଣ ଉତ୍ସାହିତ ହୋଇ ଉଠିଥିଲା । ଚୌଧୁରୀ ବଂଶର ଏକମାତ୍ର କୁଳବଧୂ ହିସାବରେ ସେ ଏ ବଂଶର ମାନ–ସମ୍ମାନକୁ ଅକ୍ଷୁଣ୍ଣ ରଖିବ ଯୁଗ ଯୁଗକୁ ।

 

ରାଇ ଭାଇ–ବେଶ ଅମାୟିକ, ଭଦ୍ର, ଶାନ୍ତ, ସରଳ । ଯାହା କିଛି ଉପମା ଉପମେୟ ଦିଆଯାଇପାରେ ତାହା ଅତିରଞ୍ଜିତ ହେବ ନାହିଁ । ଅପା ପାଇଁ ସେ ଆରାଧ୍ୟ ଦେବତା ପରି । ଗାଁର ସମସ୍ତ ଲୋକଙ୍କ ପାଇଁ ସେ ବେଶ ସ୍ନେହୀ, ମେଳାପୀ, ମିଷ୍ଠଭାଷୀ । ତେଣୁ ସାଂସାରିକ କ୍ଷେତ୍ରରେ କୌଣସି ପ୍ରକାର ପ୍ରତିବନ୍ଧକ ଦେଖା ଦେଇ ନ ଥିଲା । ଅଚଳାଚଳ ସମ୍ପତ୍ତି । ଚାକର ବାକର ଗଣ୍ଡା ଗଣ୍ଡା ଖଟୁଛନ୍ତି । କ’ଣ ବା ଅଭାବ । ଲେଖା ଅପା ଦୁଧ–ଘିଅରେ ଗାଧୋଇଲାବେଲେ ଖିରୀ ପୁରୀରେ ଭାସି ଯାଉଥଲା । ଚୌଧୁରୀ ଘରର ବୋହୁ । ସମସ୍ତଙ୍କର ଆଦରର ସାମଗ୍ରୀ ।

 

ଗାଁର ଝିଅ, ବୋହୁ, ମାଇପେ କେତେ ଆସନ୍ତି, ପୁଣି ଯାଆନ୍ତି । ସବୁରି ତୁଣ୍ଡରେ ପ୍ରଶଂସା । ଚୌଧୁରୀ ଘରକୁ ଲକ୍ଷ୍ମୀ ବହୁଟିଏ ଆସିଛି । ସେମିତି ରୂପ, ସେମିତି ଗୁଣ । ସତେ ଅବା ଗୋଟିଏ ଚାଉଳରେ ଗଢ଼ା । କେହି ଖୁଣିବାକୁ ନାହିଁ ।

 

ଏବେବି ମୋର ଠିକ୍ ମନେ ଅଛି । ମୁଁ ସେତେବେଳେ ନୂଆ ହୋଇ ଲେଖା ଅପା ଘରକୁ ରଜପର୍ବରେ ଯାଇଥାଏ । ମୋତେ ଘରଟା ମୋଟେ ଭଲ ଲାଗୁ ନ ଥିଲା । କାରଣ ଏଠି ମୋର କେହି ସାଥୀ ନ ଥିଲେ ଖେଳିବା ପାଇଁ । ମୁଁ ସବୁବେଳେ ଅପା ପାଖରେ ଥାଏ । ରାଇ ଭାଇ ମୋତେ କେତେ ଗେଲ କରନ୍ତି, ଆଦର କରନ୍ତି । ମୁଁ ତାଙ୍କ ଶାଳୀ ବୋଲି ଥଟ୍ଟା କରିବା ପରିବର୍ତ୍ତେ ମୋତେ ମିଠା ମିଠା ଗପ ସବୁ ଶୁଣାନ୍ତି ।

 

ହେଲେ ସେଦିନ ରାତିର କଥା ଏବେ ବି ମୋ ଆଖି ଆଗରେ ଭସା ମେଘ ଭଳି ଭାସି ଯାଉଛି ।

 

ରାତି ସେତେବେଳକୁ ଏଗାରଟା । ଚାକରାଣୀ ସୁରୁଜା ମା’ ମୋତେ ନେଇ ଅପା ଶାଶୁ ପାଖରେ ଶୋଇ ଦେବାକୁ ବସିଥିଲା । ମୁଁ କିନ୍ତୁ ରାଜି ହୋଇ ନ ଥିଲି । ରା–ଧରି କାନ୍ଦିବାକୁ ଲାଗିଲି-। ଅପା ଆସି ସୁରୁଜା ମା’କୁ ଗାଳି ଦେଇ ମୋତେ କୋଳେଇ ନେଇଥିଲା ତା’ ଶୋଇବା ଘର ପଲଙ୍କ ଉପରକୁ ! ମୋତେ ଗେଲ କରି ଶୋଇ ପକାଇଥିଲା । ରାତି ଅନେକ ହେଲା ପରେ ରାଇ ଭାଇ ଗାଁ ମାମଲତ ସାରି ଫେରିଲା ପର୍ଯ୍ୟନ୍ତ ବି ମୋତେ ନିଦ ହୋଇ ନ ଥିଲା । ମୁଁ ସେମିତି ଆଖି ବୁଜି ଚେଇଁ ଶୋଇ ରହିଥାଏ । ରାଇ ଭାଇ ଫେରିଲେ । ଅପା ମୋତେ ଏକୁଟିଆ ଛାଡ଼ି ଦେଇ ଭାଇକୁ ଖାଇବାକୁ ଦେବାକୁ ଚାଲି ସାଇଥିଲେ । କେତେ ସମୟ ପରେ ସେ ଦୁହେଁ ପଲଙ୍କ ପାଖକୁ ଫେରି ଆସିଥିଲେ ।

 

କିଛି ସମୟ ନୀରବତାରେ ବହି ଯାଇଥିଲା ।

 

ତା’ପରେ ଅପା, ରାଇ ଭାଇ ପଲଙ୍କ ନିକଟରେ ଛିଡ଼ା ହୋଇ ଟୁପ୍‍ଟାପ୍ କଥା ହେଉଥିଲେ । ସେହି ଅନ୍ଧକାରର ଜ୍ୟୋସ୍ନା ମଧ୍ୟରେ ମୁଁ ହିଁ ଥିଲି ସେମାନଙ୍କର ସମସ୍ୟା । ରାଇ ଭାଇଙ୍କ କଥା ଅପା ମାନିବାକୁ ନାରାଜ ଥିଲେ । ସେ ଫିସ୍ ଫିସ୍ ହୋଇ କଥା କହି କହୁଥିଲେ–ପିଲାଟ ଦିନେ ଅଧେ ଆସିଛି କ’ଣ ଭାବିବ ?

 

ରାଇ ଭାଇ ଚୁପ୍ ହେଇ ଯାଇଥିଲେ । ହେଲେ ଦୁହିଁଙ୍କର ଏହି ନିର୍ଜନ ମୁହୂର୍ତ୍ତ ହିଁ ଗୋଟିଏ ଦିନର ଚରମ ସାର୍ଥକତା । ତେଣୁ ମୋତେ ଗୋଟିଏ ପଟକୁ ଶୋଇ ଦେଇ ସେମାନେ ଏକାକାର ହୋଇ ଯିବାକୁ ମନସ୍ଥ କରିଥିଲେ ।

 

ଅପା ମୋ ଦେହରେ ହାତ ଦେବାକ୍ଷଣି ମୁଁ ତାକୁ ଜାବୁଡ଼ି ଧରି ଛାଡ଼ିବାକୁ ରାଜି ହେଇ ନ ଥିଲି । ଅପା ନାଚାର ହୋଇ ମୋତେ କୋଳେଇ ନେଇ ଶୋଇ ପଡ଼ିଥିଲା ।

 

ଲଣ୍ଠଣ ଆଲୁଅ କମେଇ ଦେଲା ପରେ ନିରନ୍ନ ଅନ୍ଧକାରର ବହଳତା ଘର ଭିତରେ ଖୁନ୍ଦି ହେଇ ଯାଇଥିଲା । ବାହାରେ ଅଦିନିଆ ବର୍ଷର ଟୁପ ଟୁପ୍ ଶବ୍ଦ । ଗଛମାନଙ୍କ ଦେହରେ ଧକ୍‍କା ଖାଇ ଦୋହଲା ପବନ ଝଡ଼ ସୃଷ୍ଟି କରୁଥାଏ । ଚକ୍ ଚକ୍ ବିଜୁଳିର ଝଲକ ଅନ୍ଧକାରର ନିଘଞ୍ଚତାକୁ କ୍ଷୁଣ୍ଣ କରୁଥାଏ ।

 

ସେ ସମୟରେ ମୁଁ ବେଶ ଆରାମରେ ରାଇ ଭାଇ ଏବଂ ଅପା ମଧ୍ୟରେ ଶୋଇ ରହି ଦୂରତ୍ଵ ସୃଷ୍ଟି କରୁଥିଲି । କେତେ ପାଖରେ, ପୁଣି କେତେ ଦୂରରେ । ଦୂର ପାହାଡ଼ ପରି । ଆଖିକୁ ବେଶ୍‍ ନିକଟରେ ଜଣାଯାଏ । ହେଲେ ଦୂରତ୍ଵ ଅନେକ ବେଶୀ ।

 

ପାହାଡ଼ ଚଢ଼ାଳୀର ନିଶା ପରି । ଅପା ଦେହରେ ମୁଁ ଲକ୍ଷ୍ୟ କରୁଥିଲି ଅଜସ୍ର କମ୍ପନର ସ୍ରୋତ । ଶୋଷ ଠାରୁ ପାଣି ଅନେକ ଦୂରରେ । ହେଲେ ମନର ବ୍ୟବଧାନ ନିକଟ ଦୂରରେ । ଆଖି ବୁଜିଲେ ଅଜସ୍ର କାମନାର ସ୍ଵପ୍ନ ସବୁ ତାକୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ପୁଣି ବାହାରେ ବର୍ଷାର ଶୀତଳତା ବେଶ୍ ଦେହରେ ଉତ୍ତାପ ସୃଷ୍ଟି କରୁଥିଲା ।

 

ସେହି ଉଷ୍ମ ଆଉ ଆଦ୍ରତା ମଧ୍ୟରେ ନିଦମାନେ କେତେବେଳେ ମୋ ଆଖି ଦୁଇଟାକୁ ବନ୍ଦ କରିଦେଇଥିଲେ ତାହା ମୋ ଚେତନାର ବାହାରେ ଥିଲା । ମୁଁ ବେଶ୍ ଆରାମରେ ଶୋଇ ଯାଇଥିଲି । ଚନ୍ଦ୍ରାର ବଳୟ ମଧ୍ୟରେ କେତେ ଆଶା–ଆକାଂକ୍ଷାର ସ୍ଵପ୍ନ ସବୁ ମୋ ମନର ଗଭୀରତା ମଧ୍ୟରେ ଭଉଁରୀ କାଟୁଥିଲେ । କେତେ ଅନାବନା ସ୍ଵପ୍ନ । କେତେ ଆବୁର ଜାବୁରୁ ପିଲାଳିଆ ଆଶାର ସଉଧ । ରଜା ଘର ସପନରେ ନିଜକୁ ରାଜକୁମାରୀ ଭାବରେ ଦେଖିବାର ଆକାଂକ୍ଷା । ନିବୁଜ ଅରଣ୍ୟ ମଧ୍ୟରେ ଏକାକୀନି ଝରଣାଟିଏ ହୋଇ ବହିଯିବାର ଶାବଲୀଳତା । ଏମିତି ଅନେକ ସ୍ଵପ୍ନ । ଛନ୍ଦା ଛନ୍ଦି । ଆବୁର ଜାବୁର । ସ୍ଵପ୍ନ ପରେ ସ୍ୱପ୍ନ ।

 

କିନ୍ତୁ ପାଣି ହେଉ ଅବା ଶୋଷ ହେଉ । ଅରଣ୍ୟ ହେଉ ଅବା ଝରଣା ହେଉ । କେହି କାହାଠାରୁ ମୁହୂର୍ତ୍ତେ ସୁଦ୍ଧା ଦୂରେଇ ରହି ପାରିବେ ନାହିଁ । ଚାନ୍ଦର କଇଁର ସମ୍ପର୍କ ପରି ସମସ୍ତେ ପରିପୂରକ । ଠିକ୍ ସେମିତି ସୂର୍ଯ୍ୟ ଉଇଁଲେ ପଦ୍ମିନୀ ହସିଦିଏ । ସେଇଠି ହିଁ ତ ତା’ ଜୀବନର ଘଟେ ଚରମ ସାର୍ଥକତା ।

 

ଅଚାନକ ପାହାନ୍ତା ପହରରେ ମୋ ନିଦ ଭାଙ୍ଗିଯାଇଥିଲା । ପୁରୁଣା ଅଭ୍ୟାସ ଏଡ଼ି ପାରି ନ ଥିଲି । ଗାଁରେ ଅବଧାନଙ୍କ ଚାଟଶାଳୀରୁ ଶୂନ ଖାଇବା ଭୟରେ ଏମିତି ଚଟ୍‌କିନା ନିଦ ଭାଙ୍ଗିଯାଏ । ତା’ପରେ ଦେଖେ ଯେ ମୁଁ ପଲଙ୍କରେ ଗୋଟିଏ କଡ଼କୁ ଶୋଇଛି । ଆଉ ଅପା, ରାଇ ଭାଇଙ୍କ କୋଳରେ ମୁହଁ ଗୁଞ୍ଜି ଶୋଇଛନ୍ତି ।

 

ପିଲା ଲୋକ ବୋଲି ଏ ପ୍ରେମ–ପ୍ରଣୟ କଥା ମୁଁ ହେଜ କରି ପାରି ନ ଥିଲି ସେଦିନ । ମନେ ମନେ ଭାବିଥିଲି ଲେଖା ଅପା ଏଇ କେଇଟା ଦିନରେ କ’ଣ ମୋତେ ପର କରିଦେଲା ? ସେ ମୋତେ କେତେ ଭଲ ପାଉଥଲା । ପୁଣି ଅଲେଖ ଭାଇ ଆଉ ଲେଖା ଅପା ଦୁହେଁ ମିଶି କେତେ ଚୁଚୁମା ଖାଇବାକୁ ଦିଅନ୍ତି । ଅଥତ ଏଇ କେତୋଟି ଦିନର ବ୍ୟବଧାନରେ ଲେଖାଅପା ମୋତେ ଭୁଲିଯାଇ ରାଇଭାଇଙ୍କୁ ଆପଣାର କରି ବସିଲା ? ତା’ ନ ହୋଇଥିଲେ ସେ ମୋତେ ଆଡ଼େଇ ଦେଇ ରାଇ ଭାଇଙ୍କ କୋଳରେ ମୁହଁ ଗୁଞ୍ଜି ଶୋଇଥାନ୍ତେ କେମିତି ? ଏକଥା ଗାଁକୁ ଗଲେ ବୋଉ ହେରିକାଙ୍କ ପାଖରେ କହିଦେବି ।

 

ହେଲେ ପରିଣତ ବୟସରେ ବୁଝିଥିଲି ଯେ ଶୋଷ ଆଉ ପାଣି ଉଭୟ ପରିପୂରକ । କେହି ଏକୁଟିଆ ଅନ୍ୟକୁ ଅପେକ୍ଷା କରିଯାଆନ୍ତି ନାହିଁ । ଉଭୟ ଉଭୟଙ୍କ ପାଖକୁ ଟାଣି ହୋଇ ଆସନ୍ତି ସେଇ ଚିରନ୍ତନ ରିତୀରେ । ସେମିତି ବିଧିର ଚିରନ୍ତନ ଗତିରେ ଅପା ଆଉ ରାଇ ଭାଇ ଗୋଟିଏ ଛୁଞ୍ଚିରେ ଅନେକ ଫୁଲପରି ହାର ହୋଇ ଦେବତାଙ୍କ ବେକରେ ଝୁଲିବାର ସ୍ଵପ୍ନ ଦେଖୁଥିଲେ ।

 

ତାହା ମଧ୍ୟରେ ସମୟର ସ୍ରୋତ ଅନେକ ଦୂରକୁ ବହି ଯାଇଥଲା । କେତେ ମାସ, ବର୍ଷ; ଦିନ, ଦଣ୍ଡ, ମୁହୂର୍ତ୍ତ ପରେ ମୁହୂର୍ତ୍ତ ଅତୀତ ଦେହରେ ହଜି ଯାଇଥିଲା । ଏମିତି ସମୟର ବିବର୍ତ୍ତମାନ ଗତିରେ ପୃଥିବୀରେ ଅନେକ ପରିବର୍ତ୍ତନ ଘଟିଯାଏ । ମାଙ୍କଡ଼ରୁ ମଣିଷକୁ ରୂପାନ୍ତର ହେଲାପରି । ସବୁ ସେଇକାଳରେ ଗତିରେ ବଦଳିଯାଏ । ଶୈବାଳରୁ ଆଜିର ଆଧୁନିକ ସଭ୍ୟତାର ସ୍ଥିତି ପର୍ଯ୍ୟନ୍ତ-। କିନ୍ତୁ ନୂଆ ସ୍ମୃତି । କିଛି ନୂତନ ଆଶ୍ଵାଦନା । ନିତି ପ୍ରତି ନୂତନତାରେ ହିଁ ତ ଆବେଗ ଥାଏ-। ରୋମାଞ୍ଚ ଥାଏ ।

 

ତା’ରି ମଧ୍ୟରେ ଆଉ କେତୋଟି ବସନ୍ତ–ଫଗୁଣ ବୈଶାଖ ମୋ ଦେହ ଉପର ଦେଇ ବହି ଯାଇଥାଏ । ମୁଁ ସେତେବେଳେ ବାରଟି ହେମନ୍ତ ଋତୁର ପାହାଚ ଅତିବାହିତ କରି କୈଶୋର ବୟସରେ ଅତିକ୍ରମ କରୁଥାଏ । ତାରି ଭିତରେ ମୁଁ ଅନେକଥର ଅପା ଘରକୁ ଯାଇଛି କିନ୍ତୁ ତା’ର ହିସାବ ରଖିନାହିଁ ।

 

ଦେଲେ ସେତେବେଳେ ଅପା ଘର ମୋତେ ଖୁବ୍ ଭଲ ଲାଗୁଥିଲା । ପରିବର୍ତ୍ତିତ ବୟସରେ ମୋ ବୁଦ୍ଧିର ପରିପକ୍ଵତା ହେଲାରୁ ମୁଁ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି ପାରୁଥିଲି । ଲକ୍ଷ୍ୟ କରୁଥିଲି ଅପା ମୁହଁରେ ସେମିତି ସବୁବେଳେ ବିଷର୍ଣ୍ଣତାର ଭାବ । ମନ ମଧ୍ୟରେ ସେ ସନ୍ତୁଷ୍ଟ ହୋଇ ପାରୁନି । ଦୀର୍ଘ ପାଞ୍ଚଗୋଟି ବର୍ଷ ବିଭାଘରର ଅତିବାହିତ ହୋଇ ଯାଇଥିଲେ ମଧ୍ୟ ତାଙ୍କ କୋଳରେ ପିଲା ବକଟେ ଜନ୍ମ ହୋଇନହିଁ । ଶାଶୁ ସରଜିନୀ ଦେବୀ ମଧ୍ୟ ନାତିଟିଏ ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ । ଚାରିଆଡ଼, ବଇଦ, କବିରାଜ, ଡାକ୍ତରୀ ଔଷଧମାନ ଦେଇ ଅପାର ଆକୁଳ ପ୍ରାଣକୁ ଅତିଷ୍ଟ କରି ପକାଇଥିଲେ ।

 

ଅପା କିନ୍ତୁ ଏସବୁ ପ୍ରହସନରେ ସନ୍ତୁଷ୍ଟ ହୋଇ ପାରି ନ ଥିଲା । ସବୁବେଳେ ଚିନ୍ତାଶୀଳ ବିଷର୍ଣ୍ଣବଦନା ଭଳି ଘଣ୍ଟା ଘଣ୍ଟା ବସି ରହୁଥିଲା । ମୁଁ ଯେବେ ତା’ପାଖକୁ ଆସେ ସେ ମୋଟେ ଛାଡ଼ିବାକୁ ରାଜି ହୁଏନା । ଏଣୁ ତେଣୁ କଥା ପଚାରି ବ୍ୟତିବ୍ୟସ୍ତ କରି ପକାଏ । ସେ କଥା ମଧ୍ୟରେ ବେଶୀ ପରିମାଣର କଥା ଥାଏ ଅଲେଖ ଭାଇ ସମ୍ପର୍କରେ । ଅଲେଖ ଭାଇ ଏବଂ ଗୀତା ଭାଉଜ କେମିତି ଅଛନ୍ତି । ତାଙ୍କ ପୁଅଟି ଏବେ ଥୁକୁଲ ଥୁକୁଲ ଚାଲିବଣି । ଏବେ ପରା ତାଙ୍କର ପୁଣି ଗୋଟିଏ ପୁଅ ହୋଇଛି । ଝିଅଟି ପରା ଚାରି ବର୍ଷର ହେଲାଣି ।

 

ଅପା ଚଲାଖି କରି ଅଲେଖ ଭାଇଙ୍କ ଓ ଭାଉଜଙ୍କ କଥା ପଚାରି ବସେ । ନ ହେଲେ ହୁଏତ ଖାଲି ଅଲେଖ ଭାଇଙ୍କ କଥା ପଚାରିଲେ ମୁଁ ଧରିନେବି ସୂତ୍ରର ଝିଅକୁ । ତେଣୁ ସେ ଏଣୁତେଣୁ କଥା ମଧ୍ୟରେ ମୋଡ଼ ବଦଳେଇ ଦିଅନ୍ତି ।

 

ମୁଁ ଭଲ ଭାବରେ ଅନୁଧ୍ୟାନ କରୁଥିଲି, ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ଅପାର ମନରେ ଅଲେଖ ଭାଇର ସ୍ମୃତି ଆହୁରି କ୍ଷିପ୍ରତର ପ୍ରତିକ୍ରିୟା ସୃଷ୍ଟି କରୁଥଲା । ସେ ଅଲେଖ ଭାଇଙ୍କ ପିଲା ଛୁଆର ସୁନାର ସଂସାରକୁ ଦେଖି ଭାବି ଭାବି ବିହ୍ୱୋଳିତ ହୋଇ ଉଠୁଥିଲା । ସେ ଯଦି ଅଲେଖ ଭାଇଙ୍କୁ ବିବାହ କରି ଥାଆନ୍ତା, ତା’ର ଯଦି ଏମିତି ଦୁଇଟି ପୁଅ, ଗୋଟିଏ ଝିଅ କୋଳ ମଧ୍ୟରେ ଦୁଷ୍ଟାମି କରି ତାକୁ ଅସ୍ଥିର କରି ପକାଉଥାଆନ୍ତେ । ତା’ହେଲେ ସେ କେତେ ଖୁସି ହେଇ ନ ଥାନ୍ତା ସତେ ? ଜନନୀ ହେବା ତ ନାରୀ ଜୀବନର ପରମ କାମ୍ୟ । ଯେଉଁ ଗଛର ବିସ୍ତୃତ ବକ୍ଷ ଫୁଲ ଫଳରେ ଭାଙ୍ଗି ନ ପଡ଼ିଲା, ସେ ଗଛ ଧରାପୃଷ୍ଠରେ ଜନ୍ମଲାଭ କରି କି ସାର୍ଥକତା ପାଇଲା ?

 

ସେମିତି ଫୁଲ ଫଳ ବିହିନ ଗଛଟିଏ ସେ । ମା’ହେବାର ସ୍ଵପ୍ନ ତା’ର ମଉଳି ଯାଉଥିଲା । ସେ ସ୍ଵାମୀ ପ୍ରତି ବିମୁଖୀ ହୋଇ ଉଠୁଥିଲା । ଶାଶୁ ସ୍ଵାମୀ–ଚୌଧୂରୀ ବଂଶର ପରମ୍ପରା, ସବୁ ତାକୁ ବେଖାମ ଲାଗୁଥିଲା । ଖାଲି ପୂର୍ବ ସ୍ମୃତି । ଅତୀତର ସାବଲୀଳ ସ୍ମୃତିର କାହାଣୀ । ସେହି ଅତୀତ ସେମିତି ବଞ୍ଚିବାକୁ ଖୋରାକ ଦେଉଥିଲା ।

 

ଅପା ଥରେ ଆମ ଗାଁକୁ ଗଲେ ଆଉ ତା’ଶାଶୁ ଘରକୁ ଫେରିବାକୁ ମନ ବଳାଏନା । ବହୁତ ଖବର ଡାକରା ପରେ ଯାଇ ସେ ଶାଶୁ ଘରକୁ ଯିବାକୁ ବାଧ୍ୟ ହୁଏ ।

 

ସେଦିନ ଆମ ଘରୁ ଆମେ ଦୁହେଁ ବାହାରି ଯାଇଥିଲୁ ଅଲେଖ ଭାଇଙ୍କ ଘରକୁ । ଏମିତି ଗାଁ ଗହଳିରେ ଝିଅ ବହୁମାନେ ଖରାବେଳେରେ ମାଇପି ମହଲରେ ଗପ ଜମାନ୍ତି । ଆମେ ଯାଇ ଅଲେଖ ଭାଇ ଘରେ ପହଞ୍ଚି ଦେଖୁ ତ ରୀତା ଭାଉଜ ବାପ ଘରକୁ ଯାଇଛନ୍ତି । ଭାଉଜଙ୍କ ସାଙ୍ଗରେ ପୁଣି ଅଲେଖ ଭାଇଙ୍କ ଭଉଣୀ ସରଜୁ ଯାଇଛି । ଘରେ ଏକୁଟିଆ ବୁଢ଼ୀ । ବୁଢ଼ା ସେମାନଙ୍କୁ ନେଇଯାଇଛି । ମୁଁ ଯାଇ ବୁଢ଼ୀ ସାଙ୍ଗରେ ବାର କଥା ଗପି ବସିଥିଲି । କିନ୍ତୁ ଲେଖା ଅପା ସିଧା ଯାଇ ଅଲେଖ ଭାଇଙ୍କ ଘର ଭିତରେ ପଶିଯାଇଥିଲେ ।

 

ମୁଁ ବୁଢ଼ୀ ସହିତ କେତୋଟି ମୁହୂର୍ତ୍ତ ଗପିସାରି ଫେରି ଆସିଲା ପରେ ଅଲେଖ ଭାଇଙ୍କ ଘର ଦୁଆର ମୁହଁରେ ଅଟକି ଯାଇଥିଲି । ଅପା ସୁଁ..... ସୁଁ..... ହୋଇ କାନ୍ଦୁଛି । ଅଲେଖ ଭାଇ ତାକୁ ବୁଝାଉଛନ୍ତି । ଅପାର ଆଖିରୁ ଅମାନିଆ ଲୁହର ଧାର ବନ୍ଦ ହେଉ ନ ଥିଲା । ସେ ଅଲେଖ ଭାଇର ସାନ୍ତ୍ଵନାରେ ଶାନ୍ତ ହେବା ଅବସ୍ଥାରେ ନଥିଲା ଯେମିତି । କାନ୍ଦି କାନ୍ଦି କହୁଥିଲା–

 

ମୁଁ ତ ତମକୁ କୌଣସି କଥାରେ ବାଧା ଦେଇ ନଥିଲି । ତମେ ଯଦି କହିଥାଆନ୍ତ ତା’ ହେଲେ ମୁଁ ବାପ–ଭାଇ–ସାଇ ପଡ଼ିଶା, ଏ ଗାଁର ମାନ–ସମ୍ମାନକୁ ପଛରେ ପକାଇ ଦେଇ ତମ ସାଙ୍ଗରେ ଚାଲି ଯାଇ ପାରି ଥାଆନ୍ତି । ଆମେ ସେହି ଦୂର ରାଇଜକୁ ଚାଲିଯାଇଥାଆନ୍ତେ, ଯେଉଁଠି ଏ ଈର୍ଷା ପରାୟଣ ଲୋକ ଗୁଡ଼ାକ ନ ଥାନ୍ତେ । ଏ ସମାଜର ସବୁ ଆଇନ୍‍କାନୁନ ନ ଥାନ୍ତା । ସେଠି କ’ଣ ଆମେ ଦୁଇଜଣ ମୁଣ୍ଡଝାଳ ତୁଣ୍ଡରେ ମାରି ଚଳି ପାରି ନ ଥାନ୍ତେ ?

 

ତା’ ଉତ୍ତରରେ ଅଲେଖ ଭାଇ କହିଥିଲେ––ମୁଁ ବୁଝୁଛି ଲେଖା, ହୁଏତ ସବୁ ଦୋଷ ମୋର । ମୁଁ ପ୍ରକାରନ୍ତରେ ଅନୁଭବ କରୁଛି, ଯାହା ସବୁ ଘଟିଗଲା ସବୁ ସମୟର ସୁଅରେ । କିଛି ଦୋଷ ମୋର–କିଛି ଦୋଷ ତୋର । ଆଉ ପଛକୁ ଫେରି ଚାହିଁଲେ ଲାଭ କ’ଣ ମିଳିବ । ଯାହା ତ ହେବାର ହେଲାଣି । ଏବେ ତୁ ସୁଖରେ ରହିଲେ ମୁଁ ଶାନ୍ତି ପାଇବି । ତୋ ମଥାରେ ସିନ୍ଦୂର ଦେଖିଲେ ମୁଁ ଆନନ୍ଦରେ ଅଧୀର ହୋଇ ଉଠିବି-। ଏ ଦୁନିଆରେ ଗତି ଅଜବ ଢଙ୍ଗର । ଯିଏ ଯାହାକୁ ଖୋଜେ ସେ ତାକୁ ପାଏନା–ଯିଏ ଯାହାକୁ ଚାହେଁନା ସେ ତାକୁ ଆପେ ଆପେ ଆସି ଧରା ଦେଇଥାଏ ।

 

ଲେଖା ଅପା ଖୁବ୍ ଜୋରରେ କାନ୍ଦିବାକୁ ଲାଗିଥିଲା । ଅଲେଖ ଭାଇ ତା’ଆଖିରୁ ଲୁହ ପୋଛି ଦେଉଥିଲେ । ଶାନ୍ତ ହେବାକୁ ପ୍ରବୋଧନ ଦେଉଥିଲେ । ହେଲେ ଅଲେଖ ଭାଇର ମନର ଯନ୍ତ୍ରଣାକୁ ସେ ସହି ପାରୁ ନଥିଲେ । ଅଲେଖ ଭାଇ ଯାହା କହୁଛି ଠିକ୍ କଥା । ସେ ଚଳିବା ପାଇଁ ଚୌଧୁରୀ ପରିବାରର ଅଚଳାଚଳ ସମ୍ପତ୍ତି ଅଛି । ହାତର ଦଜପରି ଶଙ୍ଖା ଟାଣ ଅଛି । ମଥାରେ ସତୀତ୍ଵର ସୋହାଗ ସିନ୍ଦୂର ଦାଉ ଦାଉ ହୋଇ ଝଟକୁଛି । ହେଲେ ସେ ମରିଗଲା ପରେ ତା’ ପରିବାରର ପରମ୍ପରା ବହନ କରିବ କିଏ ?

 

ସେଇ ପିଲା ବକଟେ ତା’ କୋଳରେ ନାହିଁ । ଯାହା ମୁହଁ ଚାହିଁ ସେ ଦିନ ବିତେଇ ଦେଇ ଥାଆନ୍ତି, ନ ହେଲେ ଏହି ଆପଣାର ଲୋକ ଗୁଡ଼ାକ କହିବେ ଛୁଆ ନଥିବା ସ୍ତ୍ରୀଲୋକରର ମୁହଁ ଚାହିଁଲେ ଯଶ ନାହିଁ । ଲେଖା ଛୁଆରଙ୍କୁଣୀଟାଏ । ଏମିତି ଅନେକ ଅପବାଦ ।

 

ମୁଁ ହଠାତ୍ ଘର ଭିତରକୁ ପଶିଯିବାରୁ ଲେଖା ଅପାର କାନ୍ଦ ବନ୍ଦ ହୋଇ ଯାଇଥିଲା । ଅଲେଖ ଭାଇ ବାମ ହାତରେ ତାଙ୍କ ଆଖିରୁ ଝରିଯାଉଥିବା ଲୁହକୁ ପୋଛି ଦେଉଥିଲେ । ମୁଁ ତୁନି ତୁନି କରି ଅପାକୁ କହିଥିଲି–ଅପା ଭାଉଜ ନାହିଁ କି ତାଙ୍କ କୁନି ପୁଅ ନାହିଁ । ଆମେ ଯିବା ଚାଲ ।

 

ଅପା ବାଧ୍ୟ ଶିଶୁଟି ଭଳି ତୁନି ହୋଇ ଅଲେଖ ଭାଇଙ୍କ ଘର ଭିତରୁ ଫେରି ଆସିଥିଲା । ଅଲେଖ ଭାଇ ବି ଆଉ ମୁହୂର୍ତ୍ତେ ଅଟକାଇବା ପାଇଁ ସାହସ ପାଇ ନ ଥିଲେ । ସେମାନେ ଯେମିତି ମୋ ଆଖିରେ ଅଚାନକ ଧରା ପଡ଼ି ଯାଇଥିଲେ । ସେମାନେ ଅନୁଭବ କରିଥିଲେ ଶିଖାର ଆଉ ଅତୀତର ଗେଡ଼ି ଚୁଚୁମା ଖିଆ ବୟସ ନାହିଁ । ପ୍ରତ୍ୟେକ ମଣିଷ ଏମିତି ଅନ୍ୟ ଆଖିରେ ନିଜର ଦୁର୍ବଳତା ଟିକକ ଧରେଇ ଦେଇ ବସିଲେ ଏଭଳି ଦୁର୍ବଳ ହୋଇ ପଡ଼ିଥାନ୍ତି । ତେଣୁ ସେମାନେ ଚୁପ୍ ହୋଇ ଯାଇଥିଲେ ।

 

ସେତେବେଳେ ଏମିତି ଅନେକ ଅସ୍ତ୍ର ଅଭିମାନ ନେଇ ଲେଖା ଅପା ଫେରି ଆସେ ତା’ ଶାଶୁଘରକୁ । ସେଇ ନିତି ଦିନ ପରି ନିତି ନିୟମ ବନ୍ଧା ଜୀବନ । ବୁଢ଼ୀ ରୋଗଣି ଶାଶୁଙ୍କ ସେବା ସୁସ୍ରଶା, ଚାକର ବାକରଙ୍କ ହାଲ ଚାଲ, ଘର ବାହାରର ଯାବତୀୟ ଦାୟିତ୍ଵ । ଏବଂ ରାତ୍ରିରେ ପହର ପ୍ରହର ଧରି ଏଇ ରାଇ ଭାଇଙ୍କୁ ପ୍ରତୀକ୍ଷା କରିବା, ତା’ ନିକଟରେ ଦୂର୍ବିଶହ ହୋଇ ଉଠେ ଯେମିତି । ସେ ବିରକ୍ତ ହୁଏ । ନିତି ପ୍ରତି ଏହି ବିରକ୍ତ ହେବା ତା’ ଅସ୍ତି ମଜାରେ ମିଶି ଗଲାଣି । ତେଣୁ ସବୁଦିନ ସେ ବିରକ୍ତ ହୁଏ । ପୁଣି ଶାନ୍ତ ହୋଇଯାଏ ।

 

ରାଇ ଭାଇ ବି ପରିବାର ପ୍ରତି ଅତିଶୟ ମାନ୍ଦା ପଡ଼ି ଯାଉଥିଲେ । ସବୁବେଳେ ସେ ଗାଁର ଉନ୍ନତି ପାଇଁ ଦିନ ରାତି ଲାଗି ପଡ଼ିଥାନ୍ତି । ଗାଁରେ କେମିତ ସ୍କୁଲ ହେବ, ରସ୍ତାଘାଟ ହେବ, ସେ ଅଞ୍ଚଳକୁ କେମିତି ସରକାରୀ ବସ ଚାଲିବ । ଲୋକମାନେ କେମିତି ସମବାୟ ଜରିଆରେ ଆର୍ଥିକ ସହାଯ୍ୟ ପାଇବେ । ଯୁବକମାନଙ୍କୁ ଏକତ୍ର କରି ଯୁବକ ସଂଘମାନ ତିଆରି କରିବା । ମହିଳାମାନଙ୍କୁ ସମ୍ମିଳିତ କରି ମହିଳା ସମିତି ସବୁ ତିଆରି କରିବା । ବୃଦ୍ଧମାନଙ୍କୁ ଏକତ୍ର କରି ପୌଢ଼ ଶିକ୍ଷା କେନ୍ଦ୍ର ଇତ୍ୟାଦି ଗଠନ କରିବା ପ୍ରଭୃତି ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିଥାଆନ୍ତି । ପରିବାର ପ୍ରତି ତାଙ୍କର ଆସକ୍ତି ଯେମିତି କ୍ରମେ କ୍ରମେ ହ୍ରାସ ପାଇଯାଉଥିଲା । ସବୁବେଳେ ବାହାର କାର୍ଯ୍ୟରେ ମନୋନିବେଶ କରି ଥାଆନ୍ତି । ପ୍ରତ୍ୟେକ ଦିନ ଅନେକ ରାତିକୁ ଫେରିଲେ ଲେଖା ଅପାର ଅଭିମାନିନୀ ମୁହଁରେ ହସର ରେଖାଟିଏ ଫୁଟାଇବା ପାଇଁ ଶୁଖିଲା ହସଟିଏ ହସିଦେଇ ଲେଖା ଅପାକୁ କୋଳ ଭିତରକୁ ଟାଣି ନିଅନ୍ତି ।

 

ଲେଖା ଅପା ଅବାଧ୍ୟ ଶିଶୁଟି ପରି ରାଇ ଭାଇଙ୍କ କୋଳରେ ମୁହଁ ଗୁଞ୍ଜାଇ ଶୋଇ ପଡ଼େ-। ଶୋଇ ଶୋଇ ଜୀବନରେ ସର୍ବଶେଷ ସତ୍ତାଟିକୁ ଖୋଜି ବୁଲେ । ଅନୁଭବ କରେ ଏଠି ଉଷ୍ମତା ଅଛି, ଆବେଗ ଅଛି, ହେଲେ ବଞ୍ଚିବାର ପାଇଁ ସାହାରା ନାହିଁ । ଦିନ ସାରା ଏକାକିନୀ ଆଶାର ସମୁଦ୍ର ଦେହରେ ପହଁରି ପହଁରି ରାତ୍ରିର ମେଞ୍ଚା ମେଞ୍ଚା ଅନ୍ଧକାର ଦେହରେ ମଧ୍ୟ ଭରସାର କୁଳ କିନାର ପାଏନା ସେ ।

 

ପୁଣି ସେଇ ହା–ହୁତାସର ଜ୍ଵଳନ । ଅନେକ ଯନ୍ତ୍ରଣା ସବୁ ପରସ୍ତ ପରସ୍ତ ହୋଇ ଅପାର ଶିରା ପ୍ରଶିରାରେ ଜମାଟ ବାନ୍ଧନ୍ତି । ପୁଣି ଆତ୍ମଦହନ । ପୁଣି ଅତୀତକୁ ଫେରିଯାଇ ଭରସା ପାଇବାର ସ୍ଵପ୍ନରେ ବନ୍ଦୀ ହେବାର ସାବଲୀଳତା । ଅନେକ ପ୍ରଶ୍ନର ବନ୍ଦିନୀ । ମଣିଷ ଯଦି ଆଶାର ମରୁଭୂମିରେ ଧାଇଁ ଧାଇଁ ଶେଷରେ ବଞ୍ଚିବାର ଆକାଂକ୍ଷାକୁ ହରେଇ ବସେ, ତା’ହେଲେ ମରୁଦ୍ୟାନର ସୃଷ୍ଟି କାହିଁକି ?

 

ନିଘଞ୍ଚ ଅରଣ୍ୟ ମଧ୍ୟରେ ଏକାକିନୀ ସୂର୍ଯ୍ୟମୁଖୀ ଫୁଲଟିଏ ସେ । ପ୍ରିୟତମ ସୂର୍ଯ୍ୟଦେବଙ୍କର କିରଣ ଟିକିଏ ପାଇଁ ସେହି ଅରଣ୍ୟର ଅନ୍ଧକାର ମଧ୍ୟରେ ସେ ଖାଲି ଡହଳ ବିକଳ ହୋଇ ମରୁଛି । ଖାଲି ଟିକିଏ ତୃଷ୍ଣା ମେଣ୍ଟିବା ପାଇଁ ସେ ବଞ୍ଚିଛି । ଅରଣ୍ୟରେ ଅସଂଖ୍ୟ ବୃକ୍ଷରାଜିଙ୍କ ପରି । କିନ୍ତୁ ତା’ ବଞ୍ଚିବାର ସାର୍ଥକତା କାହିଁ ? ସୂର୍ଯ୍ୟମୁଖୀ ହୋଇ ଜନ୍ମ ହେବାର ମୂଲ୍ୟବୋଧ ବା କେଉଁଠି ରହିଲା ।

 

ଦିନ ପରେ ଦିନର ଦୂରତ୍ଵ କମିଆସେ । ଋତୁ ପରେ ଋତୁ ବହିଯାଏ । ବର୍ଷା, ବସନ୍ତ, ବୈଶାଖ, ଫଗୁଣ ପର ପର ହୋଇ ବହି ଯାଆନ୍ତି, ସେଇ ଦୂର ପାହାଡ଼ ତଳିର ଅଗନା ଅଗନୀ ବନସ୍ତ ମଧ୍ୟକୁ । ଲେଖା ଅପା ବଞ୍ଚିବାର ଆଶା ହରାଏ, ପୁଣି ପାଏ । ଓଟ ଭଳି ଏକ କଷ୍ଟସହିଷ୍ଣୁ ଜୀବ ପରି । ସେ ବଞ୍ଚିଛି କଷ୍ଟ ସହିବା ପାଇଁ । ଡହଳ ବିକଳ ହୋଇ ମରିବା ପାଇଁ । ପୁଣି ସେ ଆଶାବାଦୀ ହୋଇ ଉଠେ । ଭାଗ୍ୟକୁ ଧିକ୍‌କାର କରେ । ପୁଣି ଭବିଷ୍ୟତ ପାଇଁ ଆଶା ସଞ୍ଚାର କରେ ।

 

ତାରି ମଧ୍ୟରେ ସରୋଜିନୀ ଦେବୀ ନାତିଟିର ମୁହଁ ଦେଖିବା ପାଇଁ ଡହଳ ବିକଳ ହୋଇ ଶେଷରେ ଇହଧାମ ତ୍ୟାଗ କରିଥିଲେ । ଲେଖା ଅପା ଡାକ୍ତରୀ ଔଷଧ ଖାଇ ଖାଇ ଅତିଷ୍ଠ ହୋଇ ଉଠିଥିଲା । ହେଲେ କାହିଁ, ଯୁଦ୍ଧ କରି କରି କ୍ଷତ ବିକ୍ଷତ ହୋଇ ରକ୍ତାକ୍ତ ହୋଇ ପଡ଼ିଥିଲେ ବି ବିଜୟର ଆଶା ଦେଖି ନଥିଲା ।

 

ସେହି ସମୟରେ ମୁଁ ଅଧିକାଂଶ ସମୟରେ ଅପା ଘରେ ଆସି ରହୁଥିଲି । ଅପା ତା’ ନିକଟରୁ ମୋତେ ମୁହୂର୍ତ୍ତେ ଛାଡ଼ିବାକୁ ମନ ବଳାଏନା । ମୋତେ ଦେଖିଲେ ସେ ଯେମିତି ଅନେକ କିଛି ଆଶ୍ଵାସନା ପାଏ । ମୁଁ ସପ୍ତାହ ସପ୍ତାହ ତା’ ନିକଟରେ କଟେଇ ଦେଇଛି । ତନ୍ନ ତନ୍ନ କରି ବୁଝିବାକୁ ଚେଷ୍ଟା କରିଛି ତା’ ହୃଦୟର ପ୍ରତ୍ୟେକ ତନ୍ତ୍ରୀରେ ସୃଷ୍ଟି ହେଉଥିବା ଆତ୍ମଦହନର ପ୍ରଶ୍ନବାଚୀକୁ । ତା’ ମନୋବାଣୀରେ ଝଙ୍କୁରୀତ ହେଉଥିବା ତାରୁଣ୍ୟର ସଙ୍ଗୀତକୁ । ଦେହର ମାଂସପେଶୀରେ ସୃଷ୍ଟି ହେଉଥିବା ଯନ୍ତ୍ରଣାର ସ୍ଵରକୁ ।

 

ହେଲେ ମୋର ବା ଉପାୟ କ’ଣ ?

 

ମୁଁ ତ ଚପଳମତୀ କିଶୋରୀଟିଏ । ମୋ ଦ୍ଵାରା ବା କ’ଣ ସମ୍ଭବ ହୋଇପାରିବ । ସବୁ ଜାଣେ ହେଲେ ନୀରବ ରହିବା ସାର ହୁଏ ।

 

ସେତେବେଳେ ମୋ କିଶୋରୀ ବୟସରେ ବି ଯୌବନର ରଙ୍ଗ ଅଳ୍ପ ଅଳ୍ପ ଲାଗିଥାଏ । ଫଗୁଣରେ ମଳୟ ପବନ ବହିଲେ, ଚୂତଡ଼ାଳରେ ଅଭିମାନୀ କୋଇଲିଟି କୁହୁ……କୁହୁ……ରାବ ଦେଲେ–ମୋ ଦେହରେ ଶିହରଣ ଜାଗେ । ପୁଣି ମନ ମଧ୍ୟରେ ଛାନିଆ ଲାଗେ । ମୋତେ କିଛି ନୂଆ ରୋଗ ଧରିଲାଣି କି । ଏମିତି ଅନେକ ଅହେତୁକ ଭାବନା କାହିଁକି ମୋ ମନ ମଧ୍ୟରେ ସୃଷ୍ଟି ହେଉଛି । ଦିନରେ କାହିଁକି ମୁଁ ଆଜିକାଲି ସ୍ଵପ୍ନ ଦେଖେ ।

 

ମନ ଗହନରେ ଅନେକ ବ୍ୟତିକ୍ରମର ରଙ୍ଗ ।

 

କିଛି ଫଗୁଣ ।

 

କିଛି ଫଗୁଣ ସୁରଭୀ ।

 

ତାରି ମଧ୍ୟରେ ମୁଁ ଅପାର ଦ୍ଵନ୍ଦ୍ୱକୁ ତର୍ଜମା କରି ବସୁଥିଲି । ଯୌବନର ରଙ୍ଗ ଲାଗିଲେ ସବୁ ଝିଅମାନେ ଏମିତି ସ୍ଵପ୍ନ ଦେଖିଥାଆନ୍ତି । ଅପା ବି ଦେଖିଥିଲା । ହେଲେ ଆଜି ସେ ବିର୍ଷର୍ଣ୍ଣତାର ଅଗ୍ନିରେ ଜଳିଯାଉଛି । ମୁହୂର୍ତ୍ତ ମୁହୂର୍ତ୍ତ, ଧରି ସେ ଭାବନାର ବୁଢ଼ିଆଣୀ ଜାଲ ମଧ୍ୟରେ ବାନ୍ଧି ହୋଇଯାଉଛି । ତା’ ଆଖିର ଆଶାର ସାଗର ଦେହରେ ଲୁହର ଢେଉମାନ ଉଦ୍‌ବେଳିତ ହେଉଛନ୍ତି-। ଖାଲ ଟିକିଏ ଆଶା । ଜନନୀ ହେବାର ସ୍ଵପ୍ନ । ନାରୀ ଜୀବନର ସାର୍ଥକତା ପାଇଁ ।

 

କିନ୍ତୁ ସେତେବେଳେ ରାଇ ଭାଇ ଆଉ ଆଗ ପରି ମୋତେ ସୁନ୍ଦର ସୁନ୍ଦର କାହାଣୀ ସବୁ ଶୁଣାଉ ନ ଥିଲେ । ସିଧା ସଳଖ ରସିକତା ଆରମ୍ଭ କରି ଦେଉଥିଲେ । ଅପା କିନ୍ତୁ ତାହା ସହି ପାରେନା । ମନେ ମନେ ବିରକ୍ତ ହୁଏ । ଅନେକ ଥର ମୁହଁ ଖୋଲି ସେ ରାଇ ଭାଇଙ୍କ ଉପରେ ବିରକ୍ତ ହୋଇ କହିଥିଲା–ଶିଖା କ’ଣ ଆଉ ସେଇ ବୟସରେ ଅଛି ତା’ ସହିତ ଗେଲ ହେଉଛ । ତମେ ତା’ବଡ଼ ଭାଇ–ତମ ଠାରୁ ସେ କ’ଣ ଶିଖିବ ?

 

ରାଇ ଭାଇ କିନ୍ତୁ ସେ ସବୁ ମୋଟେ ଭ୍ରୃକ୍ଷେପ କରୁ ନଥିଲେ । ଆହୁରି ଦି’ ଗୁଣିତ ଉଚ୍ଛାଦିତ ହୋଇ ମୋ ସହିତ ଖୁମ୍ପୁରେଇ ହୋଇ ଲାଗୁଥିଲେ ।

 

ହଠାତ୍ ଦିନେ ସେ ମୋତେ ଜାବୁଡ଼ି ଧରି ମୋ ମୁହଁକୁ ତାଙ୍କ ମୁହଁରେ ଘସିବାକୁ ଲାଗିଲେ । ମୁଁ ବିକଳରେ ଚିତ୍କାର କରି ଅଣନିଶ୍ୱାସୀ ହୋଇଯାଉଥିଲି । ଦେହ ଭିତରେ ଏକ ଅହେତୁକ ଶିହରଣ ଅନୁଭବ କରୁଥିଲି । ଅପା ବାଡ଼ି ଆଡ଼କୁ ଯାଇଥିଲା । ଏହି ସୁଯୋଗ ନେଇ ମୋତେ ଜାବୁଡ଼ି ଧରିଥିଲେ । ମୋର କିଶୋରୀ ଜୀବନର ସମସ୍ତ ଚପଳତା, ଛପି ଛପିକା ଯୌବନ ତାଙ୍କ ଆବଦ୍ଧ ବାହୁବନ୍ଧନ ମଧ୍ୟରେ ଚାପି ହୋଇଯାଇଥିଲା । ମୁଁ ଖୁବ୍ ଜୋରରେ ଛାଟିପିଟି ହେବାରୁ ସେ ମୋତେ ଛାଡ଼ି ଦେଇଥିଲେ ।

 

ମୁଁ ମନେ ମନେ ଅନୁଭବ କରୁଥିଲି ସବୁ ପୁରୁଷଗୁଡ଼ାକ କ’ଣ ଏଇଆ ? ନିଜର ପିଲା, ଛୁଆର ସୁନାର ସଂସାର ଥାଉଁ ଥାଉଁ, ନିଜ ଘରେ ଅନିତ୍ୟ ସୁନ୍ଦରୀ ସ୍ତ୍ରୀ ଥାଉଁ ଥାଉଁ, ପର ସ୍ତ୍ରୀ ପାଇଁ ହାଇଁପାଇଁ ହୋଇଥାଆନ୍ତି । ଦୁଷ୍ଟ ଭ୍ରମରମାନଙ୍କର ଜୀବନ ଦର୍ଶନ ପରି । ଅମାନିଆ ପ୍ରଜାପତିମାନଙ୍କର ଅଦ୍ଭୁତ ଚିନ୍ତା ଭଳି, ଏମାନେ ଗୋଟିଏ ଫୁଲରୁ ମହୁ ଶୋଷି ନେଇ ଅନ୍ୟ ଏକ ରୂପବତୀ ନିକଟରେ ଆତ୍ମନିବେଦନ କରି ବସନ୍ତି ।

 

ଫୁଲ ଦେହରେ ଭରା ମହୁ ।

 

ସେ ଉଦ୍ଦାମ କାମନାରେ ଅନ୍ଧ ହୋଇ ଯାଇ ଦୃଷ୍ଟ ଭ୍ରମରମାନଙ୍କର ଅମାନିଆ ପ୍ରଜାପତିମାନଙ୍କର, କୁଟିଳତାକୁ ବୁଝିପାରେ ନାହିଁ । ପ୍ରଣୟର ନଈ ହୋଇ ବହିଯାଏ ସାଗରର ଗଭୀରତା ନିକଟକୁ । ଶେଷରେ ହା–ହୁତାଶରେ ଜଳି ପୋଡ଼ି ମରିବା ହିଁ ସାର ହୁଏ । ଅରଣ୍ୟରେ ବାଟ ଭୁଲି ଯାଇଥିବା ପଥିକ ଭଳି ଯନ୍ତ୍ରଣାରେ ଛଟପଟ ହେବା ହିଁ ସାର ହୁଏ ।

 

କିନ୍ତୁ ଅନ୍ୟ ପକ୍ଷରେ ରାଇଭାଇ ଯେତେବେଳେ ଲେଖା ଅପାକୁ ସନ୍ତୁଷ୍ଟ କରିପାରି ନ ଥିଲେ । ତାଙ୍କର ଏ ରସିକତା ପ୍ରତି ଅପା ବିମୁଖ ହେବା ସ୍ଵାଭାବିକ ଥିଲା । ଫଗୁଣରେ ପିକ ରାବ ଦେଲେ, ବର୍ଷାରେ ବେଙ୍ଗ ରଡ଼ି ଛାଡ଼ିଲେ, ଅପାର ଘର ହସି ଉଠିବନି । ବନ୍ଧୁ ନ ଥିଲେ ଦିଗ ଶୂନ୍ୟ ଭଳି । ପୁତ୍ର ସନ୍ତାନ ନ ଥିଲେ ଘର ଶୂନ୍ୟ ଭଳି । ଅପାକୁ ଖାଲି ଖାଲି ସବୁ ଶୁନ୍‍ଶାନ୍ ଜଣା ଯାଉଥିଲା ।

 

କିଛି ଯନ୍ତ୍ରଣାର ଉତ୍ତାପ ।

 

ଅନେକ ନିଶଙ୍ଗତାର ସ୍ମର ।

 

ନିର୍ଜନତାର ପରସ୍ତ ପରସ୍ତ ଉତ୍ତେଜନା ମଧ୍ୟରେ ସେ ରାଇ ଭାଇଙ୍କ ପାଦ ଧରି ଅନେକ ଅନୁନେୟ ହୋଇ କହିଥିଲେ–ମୋତେ ତମେ କଥା ଦିଅ । ମୋର ଏଇ ଶେଷ ଅନୁରୋଧ ଟିକକ ରଖିବ କି ନାହିଁ ? ଜୀବନ ସାରା ମୁଁ ତମକୁ କିଛି ମାଗି ନାହିଁ । ଐଶ୍ଵର୍ଯ୍ୟରେ ରହିବାକୁ ଚାହିଁ ନାହିଁ । ମୋର ଏ ଧନ ସମ୍ପତ୍ତି ଲୋଡ଼ା ନାହିଁ । ମୋର ନାରୀ ଜୀବନ ପୁତ୍ରହରା କପୋତୀ ଭଳି ବାହୁନି ବାହୁନି କାନ୍ଦି ଉଠୁଛି । ତମେ ଗୋଟିଏ ପୁଅ ଆଣି ଦିଅ ।

 

ରାଇ ଭାଇ ମୁହଁରେ ଶୁଖିଲା ହସଟିଏ ଫଟାଇ ଦେଇ ସହାସ୍ୟରେ କହିଥିଲେ–ପୁଅମାନେ କେଉଁଠି ବଜାରରେ କଣ୍ଢେଇ ହୋଇ ବିକ୍ରି ହେଉ ନାହାନ୍ତି ଯେ, ମୁଁ ତମକୁ ଗୋଟିଏ ଖରିଦ୍ କରି ଆଣି ଦେବି ?

 

–ଆଜି ମୁଁ ତମ ନିକଟରୁ ଅଉ ସେ ରସିକତାର କାହାଣୀ ଶୁଣିବାକୁ ଚାହୁଁନାହିଁ । ଖାଲି ଚାହୁଁଛି ଟିକିଏ ସ୍ୱୀକୃତି । ତମେ ଖାଲି ସ୍ୱୀକୃତି ଦେଲେ ମୋ ପୁଅକୁ ମୁଁ ଫୁଲ, ଚନ୍ଦନ ପିନ୍ଧେଇ ମୋ ଘରକୁ ନେଇ ଆସିବି ।

 

–ତମ ପୁଅ ?

 

ବିସ୍ମୟ ହୋଇ ପଚାରିଥିଲା ରାଇ ଭାଇ ।

 

–ହଁ ମୋ ପୁଅ । ତମ ସାଙ୍ଗରେ ସେ ଆମ ଘରକୁ କେତେ ଥର ଆସିଛି । ଡଉଲ ଡାଉଲ ପିଲାଟିଏ । ତମେ ତାକୁ କେତେ ଶରଧା କର ।

 

–ମାନେ ?

 

–ତମର ବନ୍ଧୁ ମଧୁପୁର ବୈରାଗୀ ବାବୁଙ୍କ ପୁଅ ପ୍ରଦୀପ୍ । ତମେ ତ ଅନେକ ଥର କହିଛ ବୈରାଗୀ ବାବୁ ତୁମର ଗରୀବ ବନ୍ଧୁଟିଏ । ତାଙ୍କର ଛଅଟି ପୁଅଝିଅ ।ସେ ଚାଷରୁ ଯାହା ରୋଜଗାର କରନ୍ତି ତାଙ୍କ ବର୍ଷକୁ ଦୁଇଓଳି ଦୁଇମୁଠା ଖାଇବାକୁ ଠିକ୍ ଭାବରେ ହୁଏନା । ଏ ପ୍ରଦୀପଟି କୁଆଡ଼େ ଖୁବ୍‌ ଭଲ ପଢ଼ୁଛି । ସପ୍ତମରେ କର୍ଲସିପ୍ ପାଇ ମଧୁପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛି ।

 

–ଆମେ ତା’ର ବାପ–ମା’ଙ୍କୁ ନ ପଚାରି ଏଭଳି ଭାବରେ ଆକାଶ କୁସୁମ ରଚନା କରିବା ଠିକ୍ ନୁହେଁ ଲେଖା ?

 

–ସେ ପିଲାଟିକୁ ତ ତମେ ଖୁବ୍ ଭଲ ପାଅ । ପ୍ରକାରାନ୍ତରେ ତମେ ତାକୁ ସମସ୍ତ ସାହାଯ୍ୟ କରି ପାଠ ପଢ଼ାଉଛ । ଏ ଖବର ପାଇଲା ପରେ ସୁରୁଜା ମା’ହାତରେ ପ୍ରଦୀପର ବୋଉକୁ ଡକାଇ ପଠାଇ ସବୁ କଥାବାର୍ତ୍ତା ମୁଁ ସାରି ଦେଇଛି । ତମେ ଖାଲି ତାଙ୍କ ଘରକୁ ଯାଇ ପ୍ରଦୀପକୁ ନେଇ ଆସିବ ।

 

ସତେ ?

 

ହଁ, ତା’ ମା’ ତ କହିଲା ଆମେ କ’ଣ ତାକୁ ପାଠ ପଢ଼ାଇ ପାରିଥାଆନ୍ତୁ ? କେବଳ ବାବୁଙ୍କ ଦୟାରୁ ସେ ପାଠ ପଢ଼ୁଛି । ବର୍ଷସାରା ଆମେ ଗଣ୍ଡେ ଖାଇବାକୁ, ଖଣ୍ଡେ ପିନ୍ଧିବାକୁ ଠିକ୍‌ ଭାବରେ ଦେଇ ପାରୁନାହୁଁ । ପାଠ ପଢ଼ାଇବା ତ ଦୂରର କଥା । ଆପଣ ଯଦି ତାକୁ ପୁଅ କରି ନେଇ ପାଠ ଶାଠ ପଢ଼େଇ ମଣିଷ କରିବେ, ତା’ହେଲେ ଆମର ମନା କରିବାର କ’ଣ ଅଛି ?

 

ହଉ, ତାହେଲେ ମୋର ବା ମନା କରିବାର କ’ଣ ଅଛି ? ମୁଁ ଆଜି ସନ୍ଧ୍ୟାରେ ମଧୁପୁର ଯାଇ ପ୍ରଦୀପକୁ ସାଙ୍ଗରେ ନେଇ ଆସିବି ? ହେଲା ?

 

ଅପା ସେଦିନ ଭାରି ଖୁସି ହୋଇ ଯାଇଥିଲା । ପ୍ଲାଷ୍ଟିକ ଗୋଲାପକୁ ଦେଖି ଖୁସି ହେଲା ପରି । ତା’ ମନ ମଧ୍ୟରେ ଅଫୁରନ୍ତ ଆନନ୍ଦର ସୁଅ ଛୁଟି ଚାଲିଥିଲା । ହେଲେ ଯେକୌଣସି ସନ୍ତାନହୀନା ନରୀର ତୃଷ୍ଣ । କ’ଣ ପର ପୁଅକୁ ପୁଅ କଲେ ଅପନୋଦନ ହୋଇଯାଏ ? ଅବା ପର ସନ୍ତାନକୁ ନିଜର ଛାତି ଉପରେ ଚାପି ଧରିଲେ ଦେହର କାମନାର ଉତ୍ତାପ ଅପସାରଣ ହୋଇଯାଏ-?

 

ନା ।

 

–ଅପା ଦାମ୍ପତ୍ୟ ଜୀବନରେ ପାଦ ଦେଲାପରେ ଅନେକ ଧାଇଁଛି । ଅରଣ୍ୟର ଅନ୍ଧାର ମଧ୍ୟରେ । ମରୁଭୂମିର କୋମଳ ବାଲୁକା ଶଯ୍ୟା ଦେହରେ । ନଦୀର ସାବଲୀଳ ଉପକୂଳ ଦେହରେ-। ପାହାଡ଼ର ଦନ୍ତୁରୀତ ଦୂର୍ଗମଗିରୀ ଦେହରେ । ହେଲେ କେଉଁଠି ସେ ନିର୍ଜନ ଦୀପର ସନ୍ଧାନ ପାଇଁ ନାହିଁ । ଅପେକ୍ଷା କରି ଯାଇଛି ସମୟର ସୁଅକୁ । ଏକ ନୀରବ ବତୀଘର ପରି । ସାଗର କୋଳରେ ସେ ସେମିତି ଚାହିଁ ରହିଛି ଦୁର ସାଗରକୁ । ଚେଷ୍ଟା କରିଛି ମାପିବାକୁ ସାଗର ଆଉ ଆକାଶର ମିଳନରେ ସୃଷ୍ଟି ହେଉଥିବା ସମାନ୍ତରାଳ ରେଖାଟିକୁ । ପୁଣି କେବେ କେବେ ଧାଇଁ ଯାଇଛି ସାଗରର ଅତଳ ଗର୍ଭରେ ଥିବା ହୀରା–ଲୀଳା–ମୋତି ମାଣିକ୍ୟର ସହର ମଧ୍ୟକୁ ।

 

ତଥାପି ଧାଇଁବା ଶେଷ ହୋଇନି ।

 

ଆପଣା ଅମରେ ଆପେ କ୍ଷତ ବିକ୍ଷତ ହୋଇ ପଡ଼ିଛି ।

 

ସବୁ ସ୍ଥିର ।

 

ପୁଣି ବେଳା ଭୂମିରେ ଢେଉର ସଂଘର୍ଷ । ଟିକି ଟିକି ଅଚିହ୍ନା ପାଦ । ଶୋରୀ ଶୋରୀ ପବନର ମନହଜା ସଙ୍ଗୀତ । ହିପ୍‍ପି–ତରୁଣୀମାନଙ୍କର ମେଞ୍ଚା ମେଞ୍ଚା ବହଳ ନଗ୍ନ ଦେହ ସବୁ । ଅବା କୁନି କୁନି ପିଲାମାନେ ଗୋଟାଉଥିବା ଶାମୁକାର ଫଳକ ସବୁ । ସବୁ ସେଇ ନିତିଦିନିଆ । ପୁରୁଣା ଆଉ ନୂଆ । ନୂଆ ଆଉ ପୁରୁଣା ।

 

ହେଲେ ପ୍ରତୀକ୍ଷାର ଶେଷ ନାହିଁ ।

 

କେତେ ଜାହାଜ ଆସିଲେ, ପୁଣି ଚାଲିଗଲେ । ପର ପୁଣି ଆପଣା ହୋଇଲେ । ଥୋକେ ଯାତ୍ରୀ ଗଲେ, ଥୋକେ ଯାତ୍ରୀ ଆସିଲେ । କା’ ମୁହଁର ହସର ହିଲ୍ଲୋଳ । ଆଉ କାହାର ଆଖିକୋଣରେ ଲୁହର ଝରଣା । ଅନେକ ଫିସ୍ ଫିସ୍ କଥା–ଅନେକ ଟୁପ୍ ଟୁପ୍ ଗୀତ ।

 

କିନ୍ତୁ ସେହି ଜାହାଜଟି ଆସିଲାନି । ଆଶାର ଜାହାଜ । ଯାହା ପାଇଁ ସେ ବତୀଘର ହୋଇ ସ୍ଵପ୍ନ ଦେଖୁଥିଲା । ତା’ ଦେହର ସୁନାର ଛାଉଣୀ । ତା’ ଦେହରୁ ଝଲକି ଉଠେ ହୀରାର ଆଲୋକ । ମୋତି ମାଣିକ୍ୟ ଖଚିତ ସେହି ଜାହାଜଟି ତାକୁ ନେଇ ଯାଇଥାଆନ୍ତା ସେଇ ନିର୍ଜନ ଦ୍ଵୀପକୁ । ଯେଉଁଠି ଆଶା–ଆକାଂକ୍ଷା ସବୁ ଏକାକାର ହୋଇଯାଏ । ମନର ସ୍ଵପ୍ନ ସବୁ ସତ ହୋଇଯାଏ । ଅଦିନରେ ଆମ୍ରକୁଞ୍ଜରେ ବଉଳ ବଉଳେ, ପିକରାବ ଛାଡ଼େ । ଫଗୁଣ ସୃଷ୍ଟି କରେ ଯୌବନର ମହୋତ୍ସବ । ମଳୟ, ପ୍ରୀତି, ପ୍ରଣୟ ସବୁ ଏକାକାର ହୋଇଯାଏ ।

 

କିନ୍ତୁ ଆଜି ସେ ଖୋଜି ପାଇଛି ଅମାବାସ୍ୟାର ଜହ୍ନକୁ । ହଜେଇ ଦେଇଥିବା ଆଖିର ଆଲୋକକୁ । ନିରାଶାର ମରୁଭୂମିରେ ପ୍ରୀତିର କଲ୍ଲୋଲକୁ ।

 

ସେଦିନ ପ୍ରଦୀପ ଭାଇ ଭାଇଙ୍କ ସହ ଆସି ଅପାକୁ ପ୍ରଣିପାତ ହେବାକ୍ଷଣି ଅପା ଆନନ୍ଦରେ ତାକୁ କୋଳ ମଧ୍ୟରେ ଚାପି ଧରି ଶିହରୀ ଉଠିଥଲା । ତା’ ଆଖିକୋଣରୁ ଝରି ପଡ଼ିଥିଲା କେଇ ଟୋପା ଲୁହ । ସେ ଲୁହ ବିଷାଦର ନୁହେଁ, ଆନନ୍ଦର । ଅନୁଶୋଚନାର ନୁହେଁ ଉତ୍‍ଫୁଲ୍ଲତାର-। ଯେମିତ ସବୁ ଆଶା, ସବୁ ସ୍ଵପ୍ନ ତା’ର ଆଜି ସଫଳ ହୋଇଛି । ନାରୀ ଜୀବନର ଚରମ ସାର୍ଥକତା ତା’ଦେହରେ ବିଞ୍ଚି ହୋଇ ପଡ଼ିଛି ।

 

ସେ କଅଁଳେଇ ପ୍ରଦୀପକୁ କହିଥିଲା ବାବୁରେ ତୁ ଆଉ ମୋତେ ମାଉସୀ ବୋଲି ଡାକିବୁ ନାହିଁ, ମୋତେ ବୋଉ ବୋଲି ଡାକିବୁ । ତୁ ମୋ ଜୀବନ ଧନ । ତୋତେ ଦେଖିଲେ ମୋ ଆଖିରେ ଆଲୋକର ଦୀପଶିଖା ଜଳି ଉଠିବ । ମୋ ମନ ଅରଣ୍ୟରେ ମୟୂରୀ ନାଚି ଉଠିବ । ଅକାଶରେ ବରଷି ଯିବ ଟୋପା ଟୋପା ମେଘ । ତୁ ମୋରି ପାଖରେ ରହିବୁ । ମୁଁ ତୋତେ କାଖେଇ କୋଳେଇ ମଣିଷ କରିବି । ଯେତେ ପାଠ ପଢ଼ିବୁ ସେତେ ପାଠ ପଢ଼େଇବି । ଏ ଚୌଧୁରୀ ବଂଶର ଅଚଳାଚଳ ସମ୍ପତ୍ତି କ’ଣ ହେବ ? ତୁ’ତ ପୁର୍ବପୁରୁଷଙ୍କ ପାଇଁ କୂଳ ଉଜ୍ଵଳ କରିବୁ-

 

ଲେଖା ଅପାର ସ୍ନେହ ମମତା, ବାତ୍ସଲ୍ୟ ପ୍ରେମର ପଣତକାନି ତଳେ ପ୍ରଦୀପ ଆଶ୍ଵସ୍ତି ବୋଧ କରିଥିଲା । ନିଜ ଘର ମଧ୍ୟରେ ବଞ୍ଚିବା ମରିବାର ସଂଘର୍ଷ । ତା’ ମଧ୍ୟରେ ତା’ ପାଠପଢ଼ା ଏକ ଶୁଖିଲା ପତ୍ର ଭଳି, ସଂଘର୍ଷର ଘୂର୍ଣ୍ଣିବାତ୍ୟା ମଧ୍ୟରେ ସାହାରା ଖୋଜୁଥିଲା । ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକ୍ ଭାବରେ ନ ପାଇ ମଧ୍ୟ ସେ ସ୍କୁଲ ଯାଏ । ଛିଡ଼ା, ଦରଛିଡ଼ା ପେଣ୍ଟସାର୍ଟ । ସେଥିରେ ପୁଣି କ୍ଲିପ୍‌ ନ ଥିବା କଲମ । ଖାତା, ବହି ମଧ୍ୟ ଠିକ୍ ଭାବରେ ନ ଥାଏ । ହେଲେ ରାଇ ମାଉସୀଙ୍କ ଦୟାରୁ ସେ ଏବେ ଠିକ୍ ଭାବରେ ପାଠ ପଢ଼ିବା ପାଇଁ ସୁଯୋଗ ପାଇଛି ।

 

ଅଦିନରେ ଯେମିତି ତା’ ମନ ମଧ୍ୟରେ ଟିକି ଟିକି ବାଦଲ ଲୁଚକାଳି ଖେଳୁଥିଲା । ଏ ଚୂନା ଚୂନା ବାଦଲ ମିଶି ମେଘ ହୁଏ । ମେଘ ପୁଣି ରିମ୍‌ଝିମ୍ ଗୀତ ଗାଏ । ତୋଳି ଦିଏ ସାନ୍ତ୍ୱନାର ସଙ୍ଗୀତ । ଏବେ ସେ ଆଉ ରାଇ ମାଉସାକୁ ମଉସା ବୋଲି ନ ଡାକି ବାପା ବୋଲି ଡାକିବ । ଏବଂ ଲେଖା ମାଉସୀକୁ ବୋଉ ବୋଲି । ଆଗରୁ ଅନେକ ଥର ସେ ଏ ଲେଖା ମାଉସୀଙ୍କର ସ୍ନେହର ପରଶ ପାଇଛି । କେତେ ଶାନ୍ତି, କେତେ ତୃପ୍ତି । ନିର୍ମମ ବୈଶାଖ ଝାଞ୍ଜିରେ ବୁଢ଼ା ବରଗଛର ଛାଇ ଭଳି । ଦିଗହଜା ନାବିକଟି ଉପକୂଳର ସନ୍ଧାନ ପାଇଲା ଭଳି । ସେ ନିଶ୍ଚିନ୍ତତା ଅନୁଭବ କରିଥିଲା । ତେଣୁ ସେ ସାହାସ ପାଇଯାଇ ପାଠପଢ଼ାରେ ମନୋନିବେଶ କରୁଥିଲା ।

 

ଲେଖା ଅପା ଖୁସି ମିଞ୍ଜାସ ହୋଇ ବାପାଙ୍କ ପାଖକୁ ଚିଠି ଲେଖିଥିଲା–ବାପା, ମୋ ନୟନ ପିତୁଳାକୁ ଦେଖି ତମେ ଭାରି ଖୁସି ହେବ । ତମ ଦେହ ତ ଅସୁସ୍ଥ ଅଛି, ତମେ ଆସି ପାରିବନି । ତେଣୁ ମୁଁ ଆସନ୍ତା ମଙ୍ଗଳବାର ଦିନ ରଥିଆ ସାଙ୍ଗରେ ପ୍ରଦୀପକୁ ପଠାଇବି । ସେ ତା’ ମାମୁଁଘରକୁ ଯାଇ ବୁଲି ଦେଖି ଆସିବ । ମୋର ଆଉ ଅନ୍ୟ ଉପାୟ ନ ଥିଲା ବାପା । ଏ ଚୌଧରୀ ବଂଶର ପରମ୍ପରା ପାଇଁ ହିଁ ମୋତେ ଏଇ ପଦକ୍ଷେପ ନେବାକୁ ପଡ଼ିଲା । ମୋର ଯଦି ସାନ ଭାଇଟିଏ ଥାଅନ୍ତା ତା’ ହେଲେ ବି ତାକୁ ଏ ଚୌଧୁରୀ ବଂଶର ପ୍ରକୃତ ଦାୟଦ କରି ପାରି ଥାଆନ୍ତି । ହେଲେ ଭଗବାନ ତ ଆମ ପ୍ରତି ନିର୍ଦ୍ଦୟ ହେଲେ । ଅମେ ଲେଖା, ଶିଖା, ରେଖା ତିନି ଭଉଣୀ ଜନ୍ମ ହେଲୁ । କେଉଁ ଭାଇଟିଏ ଅଛି ସେ ବନ୍ଧୁ ହୋଇ ଆମ ଦୁଆରେ ଛିଡ଼ା ହେବ । ଆମ ଆଶାର କୂଳଦୀପରେ ଅଗ୍ନିସଂଯୋଗ କରିବ । ଏମିତି କେତେ କ’ଣ ।

 

ବାପା ଚିଠିଟିକୁ ପଢ଼ି ଯେତିକି ଖୁସି ହୋଇଥିଲେ ସେତିକି କ ଦ୍ଵନ୍ଦ୍ୱର ନିଥର ହ୍ରଦ ମଧ୍ୟରେ ବୁଡ଼ି ଯାଇଥିଲେ । ତାଙ୍କ ମନ ମଧ୍ୟରେ ଅଜଥା ସଂଶୟ ଦ୍ଵିଧାର ଭଉଁରୀ କାଟୁଥିଲା । ସେ ଡରୁଥିଲେ ଆଉ କିଛିଦିନ ଅପେକ୍ଷା କରିଥିଲେ ବରଂ ଭଲ ହୋଇଥାଆନ୍ତା । ଏମିତ ଅନେକ କ୍ଷେତ୍ରରେ ବହୁ ପରବର୍ଦ୍ଧିତ ବୟସରେ ମଧ୍ୟ ନାରୀ ସନ୍ତାନର ଜନନୀ ହୋଇଥାଆନ୍ତି । ଏବେ ବି ତ ଲେଖାର ରୂପ, ଯୌବନରେ ମିଳନତାର ଚିହ୍ନ ଲେସ ମାତ୍ରାରେ ନାହିଁ । ତେଣୁ ଧୈର୍ଯ୍ୟ ହରା ହେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ତଥାପି ମନେ ମନେ ଶାନ୍ତ ହେଉଥିଲେ ।

 

କିନ୍ତୁ ସେ ମଧ୍ୟ ଦିନେ ଏମିତ ଆଶାର ସମୁଦ୍ର ଦେହରେ ମାଛରଙ୍କା ପକ୍ଷୀଟି ଭଳି ଅନେକ ଅଶାର ସ୍ଵପ୍ନ ଦେଖୁଥିଲେ ମା’ ମଞ୍ଜୁଳା ନିକଟରୁ । ଆସନ୍ତା ଗର୍ଭରେ ନିଶ୍ଚୟ ପୁଅଟିଏ ହୋଇ କୂଳ ଉଜ୍ଜଳ କରିବ । ଗୋଟିଏ ଗର୍ଭ ପରେ ଆଉ ଗୋଟିଏ ଗର୍ଭ । ଆଉ ଗୋଟିଏ ଗର୍ଭ ପରେ ଆଉ ଗୋଟିଏ ଗର୍ଭ । ଆଉ ଅଗେଇ ପାରି ନ ଥିଲେ ସେ । ତିନିଟି ଯାକ ଗର୍ଭରେ ତିନି ଭଉଣୀ ଜନ୍ମ ନେଇଥିଲୁ । କୁଆଡ଼େ ଗଲା ତାଙ୍କ ଆଶା ? ଆଜି କାଲି ଯୁଗରେ ଯୌତୁକପ୍ରଥାର ତୀବ୍ରତା ମଧ୍ୟରେ ଝିଅଟିଏ ବାହା ଦେବାର ଯନ୍ତ୍ରଣା କେବଳ ଝିଅର ବାପ–ମା’ ଜାଣନ୍ତି ।

 

ସେଦିନ ଅଚାନକ ପ୍ରଦୀପକୁ ଦେଖି ମୁଁ ତଟସ୍ଥ ହୋଇ ଯାଇଥିଲି । ପାଟିରୁ ମୋର ଅସ୍ପଷ୍ଟ ଭାବେ ବାହାରି ପଡ଼ିଥିଲା–ପ୍ରଦୀପ ତମେ ? ତମେ କୁଆଡ଼େ ? ଏମିତି ଅଚାନକ ଭାବେ ?

 

ପ୍ରଦୀପ ଧୀର ଗଳାରେ ଉତ୍ତର ଦେଇଥିଲା । ମୁଁ ଆସିଛି ମୋ ମାମୁଁଘରକୁ । ତମେ ଏଠି ? ପ୍ରଦୀପ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲା ।

 

–ଏଇଟା ତ ଆମ ଘର ।

 

ପ୍ରଦୀପ ହସି ଉଠି କହିଲା–ଓ ତମେ ତା’ହେଲେ ମୋ ମାଉସୀ । ବୋଉ କହୁଥଲେ, ମୋ ମାମୁଁଘରେ ମାମୁଁ ନାହାଁନ୍ତି କିନ୍ତୁ ଅଜା, ଆଇ, ମାଉସୀ ଏବଂ ଆଉ ଗୋଟିଏ କୁନୀ ମାଉସୀ ଅଛନ୍ତି । ତମେ କ’ଣ ମୋ ମାଉସୀ ?

 

ମୁଁ ତତ୍‌କ୍ଷଣାତ୍ ହେଜ କରିନେଲି ସେ ଲେଖା ଅପା ଏଇ ପ୍ରଦୀପକୁ ତା’ହେଲେ ପୁଅକରି ଆଣିଛି । ତେଣୁ ମୁଁ ମୁଣ୍ଡ ହଲାଇ କହିଲି ହଁ......ମୁଁ । ସେ ସଙ୍ଗେ ସଙ୍ଗେ ଆସି ମୋତେ ଜୁହାର ହେବାକୁ ଉଦ୍ୟତ ହୁଅନ୍ତେ ମୁଁ ଧରି ପକାଇଥିଲି । ଅତି ସରମରେ ଆପଣାର ଲୋକ ଭଳି କହିଥିଲି–ଛି ? ତମେ ମୋତେ ଦଣ୍ଡବତ ହେଲେ ମୋତେ କ’ଣ ଭଲ ଲାଗିବ ।

 

ପ୍ରଦୀପ ଅଟକି ଯାଇଥିଲା । ପ୍ରଦୀପର ନିରୀହ ଆଖି ଦୁଇଟି ମୋ ଆଖି ସାମ୍ନାରେ ମୁହୂର୍ତ୍ତକ ପାଇଁ ସ୍ଥିର ହୋଇ ଯାଇଥିଲା । ମୁଁ ଯେମିତି ଦେଖି ପାରୁଥିଲି ତା’ ଆଖିର ପୋ–ଡୋଳା ମଧ୍ୟରେ ଅନେକ ଶୈଶବର ସ୍ଵପ୍ନ ସବୁ । ମୁଁ ନିମିଷକ ପାଇଁ ହଜି ଯାଇଥିଲି ଅତୀତ ଦେହରେ ସ୍ମୃତିର ପରସ୍ତ ପରସ୍ତ ବହଳତା ମଧ୍ୟରେ ।

 

ସେଇ ଶାନ୍ତ, ସୌମ୍ୟ ଆଖି ଯୋଡ଼ିକର ମୁଁ ଯେମିତି ଦେଖୁଥିଲି ଅନେକ ତାରୁଣ୍ୟର ଛନ୍ଦ । କେତେ ନୀରବ, ନିଶ୍ଚଳ, ଶାନ୍ତ, ସ୍ଥିର ଏ ପ୍ରଦୀପ ସତେ ? ଅତୀତର ସ୍ମୃତି ଗୁଡ଼ିକ ଭାବନାର ଖିଅ ମଧ୍ୟରେ ଛନ୍ଦା ଛନ୍ଦି ହୋଇ ଅଟକି ଯାଉଥିଲେ ।

 

ସେଇ ସ୍ମୃତି ।

 

ସେଇ ଅତୀତର ସ୍ଵପ୍ନ ।

 

ଅନେକ ଫୁଲର ରସିକତା ।

 

ତାରି ମଧ୍ୟରେ ପ୍ରଦୀପ ସହିତ ମୋର ପ୍ରଥମ ପରିଚିତ ହୋଇଥିଲା ମଧୁବନ ହାଇସ୍କୁଲରେ ପରୀକ୍ଷା ଦେବା ବେଳେ । ସେଇ ବର୍ଷ ଠାରୁ ପ୍ରଥମ କରି ନୂଆ ମିଳିତ ଭାବରେ ସବୁ ସ୍କୁଲଗୁଡ଼ିକ ଏକତ୍ର ହେଉଥାଆନ୍ତି । ବାହାରୁ କଡ଼ା ପରୀକ୍ଷକ ଆସିଥାଆନ୍ତି । ଆମେ ଦୁହେଁ ସେତେବେଳେ ପଞ୍ଚମ ଶ୍ରେଣୀର ଛାତ୍ର । ଗୋଟିଏ ଲମ୍ବା ହଲରେ ତାଙ୍କ ସ୍କୁଲ ଏବଂ ଆମ ସ୍କୁଲର ପିଲାମାନେ ଅଧା ଅଧା ରହୁଥିଲୁ ।

 

ପରୀକ୍ଷାକୁ ଯିବା ପୂର୍ବରୁ ମନରେ ଅନେକ ଅଜଣା ଆଶଙ୍କା ସୃଷ୍ଟି ହେଉଥାଏ । ଆମ ସାର୍‍ମାନେ କହିଥାଆନ୍ତି ପରୀକ୍ଷା ହଲରେ ବସିଲା ମାତ୍ରେ ନିକଟତମ ପିଲାଟି ସହିତ ପରିଚିତ ହୋଇଯିବ । ଯଦି କୌଣସି ବିଷୟରେ ତମେ ନ ଜାଣିପାରିଲ ତା’ହେଲେ ତା’ସହିତ ପରାମର୍ଶ କରିନେବ ।

 

ସେଇ ପରୀକ୍ଷା ହଲରେ ମୋର ଅତି ନିକଟତମ ପିଲାଟି ଥିଲା ଏଇ ପ୍ରଦୀପ । ହଲରେ ବସିଲା ମାତ୍ରେ ତା’ସହିତ ମୋର ପରିଚିତ ହୋଇ ଯାଇଥିଲା । ମୁଁ ତାକୁ ଅତି ସକରୁଣ ଭାବେ କହିଥିଲି ମୋତେ ଟିକେ ଅଙ୍କ ପରୀକ୍ଷାରେ ସାହାଯ୍ୟ କରିବ । ଅନ୍ୟାନ୍ୟ ବିଷୟରେ ଯାହା ଯେମିତି ହେଲେ କିଛି ଲେଖିବି କିନ୍ତୁ ଅଙ୍କରେ କିଛି କରି ପାରିବି ନାହିଁ । ପ୍ରଥମ ଦିନ ସାହିତ୍ୟ ଥିଲା । ଯାହା ଯେମିତି ହେଉ ଲେଖିଥିଲି ।

 

ଯେଉଁଠି ଯାହା ପଚାରିବାର ଥିଲା ତାହା ପ୍ରଦୀପ ନିକଟରୁ ପଚାରି ବୁଝି ନେଇଥିଲି । ହେଲେ ଅଙ୍କ ପରୀ‌‌କ୍ଷା ଦିନ ପ୍ରଶ୍ନ ପତ୍ର ପଢ଼ିସାରିଲା ପରେ ମୋ ଦେହର ଗମ୍‌ଗମ୍‌ ଝାଳ ବୋହି ଯାଉଥିଲା । ଅଙ୍କ ପ୍ରଶ୍ନ ଭାରି କଷ୍ଟ ପଡ଼ିଥିଲା । କେହି କିଛି କରି ପାରୁ ନ ଥାନ୍ତି । ତେଣୁ ସମସ୍ତେ ଆବା କାବା ହୋଇ ଯାହା ଯେମିତି କରୁଥିଲେ । ହେଲେ ମୁଁ ତ, ଅଙ୍କର ଗଧଟାଏ ଥିଲି । ତେଣୁ ବୋକାଙ୍କ ପରି ଚାହିଁ ରହିଥିଲି । ଆସନ୍ନ ଫେଲ ହେବାର ଭୟରେ ମୋ ଦେହ ମୁଣ୍ଡରେ କମ୍ପନ ସୃଷ୍ଟି ହେଉଥିଲା । ମୁଁ ଖାଲି ଆମ ଗାଁ ଠାକୁରାଣୀଙ୍କୁ ମନାସୁଥିଲି କେମିତି ଏ ବିଷମ ସଙ୍କଟରୁ ଉଦ୍ଧାର ପାଇବି ।

 

କେତୋଟି ମୁହୂର୍ତ୍ତ ମଧ୍ୟରେ ପ୍ରଦୀପ ପାଞ୍ଚ ଖଣ୍ଡଯାକ ଅଙ୍କ ସବୁ କରି ଦେଇ ସାରି ମୋତେ ହାତ ଠାରି ଡାକିଥିଲା–ଶିଖା ? ମୁଁ ସବୁ ଅଙ୍କ କରି ସାରିଲିଣି । ମୁଁ ଦେଖାଉଛି ତୁ ଟିପି ପକା । ଅଚାନକ ମୋ ମନରେ ହସର ଜୁଆର ଲହଡ଼ି ଭାଙ୍ଗିଯାଇଥିଲା । ମୁଁ କାଳବିଳମ୍ବ ନ କରି ତା’ଖାତା ଦେଖି ଟିପି ପକାଇଥିଲି ।

 

ସେହି ଅଙ୍କ ପରୀକ୍ଷା ପରଠାରୁ ମୁଁ କେମିତି ତାକୁ ମୁହୂର୍ତ୍ତ ମୋ ନିକଟରୁ ଛାଡ଼ିବାକୁ ରାଜି ହୋଇ ନ ଥିଲି । ପରୀକ୍ଷା ସରିଲା ପରେ ସାଙ୍ଗ ହୋଇ ବୁଲୁଥିଲୁ । ସାଙ୍ଗରେ ବସି ଗୋଟିଏ ଲଣ୍ଠନ ପାଖରେ ପଢ଼ୁଥିଲୁ । ସେ ମୋତେ ପାଠ ବତେଇ ଦେଉଥିଲା । ତା’ରି ମଧ୍ୟରେ ମୁଁ ଅନୁଧ୍ୟାନ କରିଥିଲି ତା’ର ଜୀବନ ଦର୍ଶନକୁ । ସେ ଗରିବ ଘରର ପିଲା । ଚିରା ସାର୍ଟ ପିନ୍ଧି ଆସିଛି ପରୀକ୍ଷା ଦେବାକୁ । ସେ ଖୁବ୍‌ ଭଲ ପଢ଼ୁଥିବା ହେତୁ ମାଷ୍ଟ୍ରେମାନେ ଦୟା କରିବାରୁ ସେ ପରୀକ୍ଷା ଦେବାକୁ ଆସିପାରିଛି ।

 

ତା’ ଦୁଃଖ ଶୁଣି ମୋ ଆଖି ଦୁଇଟା ସଜଳ ହୋଇ ଉଠିଥିଲା । ମୁଁ ଅନୁଭବ କରୁଥିଲି ନିଜ ପରିବାରର ଦାରିଦ୍ରତା ତା’ ମନର ସମସ୍ତ ଆଶା, ଭରସାକୁ ଚାପି ଦେଇଛି । ସେ ଦୁଃଖ କରି କହିଥିଲା ଶିଖା, ମୁଁ ସିନା ଏଇ ପରୀକ୍ଷାରେ ପାସ୍‍ କରିଯିବି ହେଲେ ଏହା ପରେ କ’ଣ ଆଉ ପାଠ ପଢ଼ିବା ମୋ ପକ୍ଷରେ ସମ୍ଭବ ? ମୋ ପାଠପଢ଼ାର ଏଇଠି ପୁର୍ଣ୍ଣଚ୍ଛେଦ ପଡ଼ିବ । ଯେଉଁଠି ମୋ ସାନ ଭାଇ ଭଉଣୀମାନେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ନ ପାଇ ଭୋକ ଉପାସରେ ଡହଳ ବିକଳ ହେଉଛନ୍ତି, ସେଠି ମୁଁ କେମିତି କହିବି ମୋ ପାଠ ପଢ଼ିବା ପାଇଁ ବହି କିଣିଦିଅ ?

 

ଲୁହ ଟୋପା ଟୋପା ପ୍ରଦୀପର ଆଖିକୋଣରେ ଚିକ୍ ଚିକ୍ କରି ଉଠିଥିଲା ସେହି ଛାଇ ଛାଇଆ ଲଣ୍ଠନ ଆଲୁଅରେ । ମୋ ମନରେ ତା’ ପାଇଁ ଅସଂଖ୍ୟ କରୁଣତା ଭରି ଉଠିଥିଲା ।

 

ପରୀକ୍ଷା ସରିଯିବାର ଏକ ନିରୋଳା ମୁହୂର୍ତ୍ତରେ ଦୁହେଁ ଦୁହିଁଙ୍କ ଠାରୁ ବିଚ୍ଛେଦ ହେବାର ଆଶଙ୍କା କରି କାନ୍ଦି ଉଠିଥିଲୁ । ପ୍ରଦୀପ ଆଖିରୁ ଲୁହ ପୋଛି କହିଥିଲା–ସତେ କ’ଣ ଆଉ ଥରେ ଜୀବନରେ କେବେ ଭେଟ ହେବା ?

 

ମୁଁ କିଛି କହି ପାରି ନ ଥିଲି । ଲୁହର ବନ୍ୟାରେ ମୋ ଆଖି ଦୁଇଟା ଭରି ଉଠିଥିଲା ।

 

ଦୁହେଁ ଦୁହିଁଙ୍କଠାରୁ ବିଦାୟ ନେଇ ଫେରି ଆସିଥିଲୁ ନିଜ ନିଜର ପରିଚିତ ଗାଁ ଦାଣ୍ଡକୁ । ହେଲେ ସେଇ କେତୋଟି ମୁହୂର୍ତ୍ତର ସ୍ମୃତି ଯେମିତି ମନ ଗାଲିଚାରେ ଲେଖି ହୋଇ ଯାଇଥିଲା । ଘରେ ଆସି କେତେ ଦିନ ପର୍ଯ୍ୟନ୍ତ ବେଖାପ ବେଖାପ ଲାଗିଥିଲା । ମନର ମାନସ ପଟରେ ଚେଇଁ ଉଠୁଥିଲା ସେ ଶାନ୍ତ, ସରଳ, ସଜଳ ଆଖି ଯୋଡ଼ିକ । ସେ ଆଖିରେ ସତେ ଯେମିତି କେତେ ତୃପ୍ତି, କେତେ ତନ୍ଦ୍ରା ଭରି ରହିଥିଲା । ମୁହୂର୍ତ୍ତକ ପାଇଁ ଅବ୍ୟକ୍ତ ଅଭିବ୍ୟକ୍ତି ମଧ୍ୟରେ ଭାସି ଉଠିଥିଲା ସେଇ କେଇ ପଦ କଥା । ‘ସତେ କ’ଣ ଜୀବନରେ ଆଉ କେବେ ଭେଟ ହେବା’ ?

 

ତା’ପରେ ଦୀର୍ଘ ଚାରିଗୋଟି ଫଗୁଣ ଅତିବାହିତ ହେବା ପରେ ମଧ୍ୟ କେବେ ହେଲେ ମୋର ଭେଟ ହୋଇ ନ ଥିଲା । ଖାଲି ସ୍ମୃତିର ପ୍ରଚ୍ଛଦପଟରେ ପ୍ରତିଚ୍ଛବି ଭଳି ପ୍ରଦୀପର ସରଳ ମୁହଁଟିକୁ ଅନେକ ଥର ପ୍ରତିବିମ୍ବିତ ହୋଇ ଉଠିଥିଲା । ତତ୍‌କ୍ଷଣାତ ଏକ ସ୍ମୃତିର ଚଳଚଞ୍ଚଳ ପ୍ରଜାପତି ଯେମିତି ମନ ମାନସର ଫୁଲ ବନରେ ଉଡ଼ି ବୁଲେ ଏ ପ୍ରାନ୍ତରୁ ସେ ପ୍ରାନ୍ତକୁ । ନିସ୍ତରଙ୍ଗ ମନଟାକୁ ମୋର ବିକ୍ଷିପ୍ତ କରି ପକାଏ ।

 

ଏମିତି ଅନେକ ସମୟରେ ନିରୋଳା ମୁହୂର୍ତ୍ତରେ ସେ ଅତୀତକୁ ମୁଁ ଫେରି ଯାଉଥିଲି ହେଲେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅନୁସନ୍ଦିଚ୍ଛୁ, ମନ ନେଇ ବିଚାର କରି ପାରି ନ ଥିଲି । ବିତି ଯାଇଥିବା ଚାରିବର୍ଷର ହଜିଲା ଅତୀତ ହଠାତ୍ ପ୍ରଦୀପର ପ୍ରତ୍ୟାବର୍ତ୍ତନରେ ଚିଇଁକି ଉଠିଥିଲା । ଏହି ଚାରିବର୍ଷର ଯନ୍ତ୍ରଣା ପାଇଁ ମୁଁ କେବେ ସହୃଦୟତା ପ୍ରକାଶ କରି ଚିଠି ଖଣ୍ଡେ ଲେଖି ପାରି ନାହିଁ । କିନ୍ତୁ କେଉଁ ମୁହଁରେ ଆଜି ତାକୁ ମୁଁ ମୁହଁ ଦେଖାଇ ପାରିବି ।

 

ମନରେ ମୋର ଅନେକ ଆବେଗର ସ୍ପନ୍ଦନ ବିଚ୍ଛୁରିତ ହୋଇ ପଡ଼ୁଥିଲା । ଏମିତି ଅଚାନକ କେହି କାହାର ହଜିଲା ଦରବକୁ ଫେରି ପାଇଲେ ଆନନ୍ଦରେ ବିହ୍ୱୋଳିତ ହୋଇଥାଆନ୍ତି । ମୁଁ ଲକ୍ଷ୍ୟ କରୁଥିଲି ପ୍ରଦୀପର ଦେହ, ମନରେ ଅସମ୍ଭବ ଭାବରେ ପରିବର୍ତ୍ତନ ହୋଇଛି । ସ୍ଵାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଛି । ବଳିଲା ବଳିଲା ଗୋରା ଚେହେରାକୁ ଛିଟ କନାର ସାର୍ଟଟି ବେଶ ମାନୁଛି । ନାକ ତଳେ ସରୁ ନିଶ ଉଠିବାର ପୂର୍ବାଭାସ । କଥା କଥାକେ ସୌଜନ୍ୟତା ଭରି ରହିଛି । ଅଧର କୋଣରେ ସେଇ ତାରୁଣ୍ୟର ହସ । ମନ ମଧ୍ୟରେ ତା’ର ଆଉ ଆଗ ପରି ଦୁଃଖ ନାହିଁ, ଅନୁଶୋଚନା ନାହିଁ । ଲେଖା ଅପା ପ୍ରଦୀପର ସମସ୍ତ ଦୁଃଖ, ଯନ୍ତ୍ରଣାକୁ ଅପସରି ନେଇଛି ଯେମିତି-

 

ପ୍ରଦୀପର ବ୍ୟବହାରରେ ଅଭିଭୂତ ହୋଇ ବାପା–ବୋଉଙ୍କୁ କହି ଉଠିଥିଲେ ମଞ୍ଜୁଳା, ପ୍ରଦୀପକୁ କୋଳରେ ପାଇ ଲେଖା ଆମର ସତରେ ଧନ୍ୟ ମନେ କରିଥିବ । ଏ ସଂସାରଟା ଖାଲି ଗୋଟାଏ ମାୟାମମତାର ଘେର । ସମସ୍ତେ ଖାଲି ସ୍ନେହ ପ୍ରେମରେ ବନ୍ଧା ହୋଇଛନ୍ତି । ଏ ମଣିଷ ଜନ୍ମ ହୁଏ ଏକା ଏକା ଗଲାବେଳେକୁ ମଧ୍ୟ ସମସ୍ତ ଭାଇ, ବନ୍ଧୁ ସ୍ଵଦରଙ୍କୁ ଛାଡ଼ି ଦେଇ ଚାଲିଯାଏ । ସେଇ ମାୟାର ବନ୍ଧନ ଟିକକ ପାଇଁ କିଛି ଦିନ ପାଇଁ ସମସ୍ତେ ଝୁରି ହୁଅନ୍ତି । ତା’ପରେ ସବୁ ନିର୍ବିକାର । ଲେଖା ସେମିତି ପ୍ରଦୀପକୁ ସ୍ନେହ, ମମତାରେ ବାନ୍ଧି ରଖିବ ଯୁଗ ଯୁଗକୁ । ମାୟା, ମମତାର ବନ୍ଧନ । ଯେଉଁଠି ମନ ବୁଝେ ସେଠି ପର ଆପଣା କ’ଣ ଅଛି ।

 

ବୋଉ କିନ୍ତୁ ବାପାଙ୍କର ଏ କଥାରେ ସନ୍ତୁଷ୍ଟ ହେଉ ନ ଥିଲେ । ନାତିଟିଏ ପାଇଁ ତାଙ୍କ ଦୁର୍ବିଷହ ମନ ଅତିଷ୍ଟ ହୋଇ ଉଠୁଥିଲା । କେତେ ଆଶା କରିଥିଲେ ଲେଖାର ଆସନ୍ତା ଗର୍ଭକୁ । ହେଲେ ବର୍ଷ ବର୍ଷ ଧରି ଲେଖା ଅପା ଗର୍ଭରେ ସନ୍ତାନ ଧାରଣ କରି ପାରିଲା ନାହିଁ । ବହୁ ଡାକ୍ତରୀ ଚିକିତ୍ସା ପରେ ଡାକ୍ତର, କବିରାଜମାନେ ହାର ମାନିଲେ । ମ‌ଇତପୁର କବିରାଜ କହିଲେ ଲେଖାର ଆଉ ପିଲା–ଝିଲା ହେବ ନାହିଁ । ତେଣୁ ସେ ପାଳକ ପୁଅଟିଏ ଘରକୁ ଆଣିଲା । ହେଲେ ମାଗି ଆଣିବା ତିଅଣରେ କ’ଣ ମନ ବୁଝେ ? ନା’ ପର ପୁଅର ଘର ପୁରି ଉଠେ ? ତଥାପି ସେ ମନକୁ ବୁଝାଉଥିଲେ, ପ୍ରଦୀପ ଭଲ ପିଲାଟିଏ । ଲେଖାକୁ ଭଲ ଆଦରି ଯାଇଛି । ଲେଖା ତ ଚିଠି ଉପରେ ଚିଠି ଦେଉଛି ।

 

ପ୍ରଦୀପକୁ ସେଦିନ ପାଖରେ ପାଇ ମୋ ମନ ଗହନର ଫୁଲ ବନ ମହକି ଉଠିଥିଲା । ସତରେ ଭଗବାନଙ୍କର ଏ ବିଚିତ୍ର ସୃଷ୍ଟିରେ କି ଅଦ୍ଭୁତ ସମାବେଶ । ସବୁ ଅସମାପ୍ତ ଆତ୍ମାମାନେ ଗୋଟିଏ ବୃତ୍ତିର ପରିଧି ଉପରେ ଧାଉଁ ଧାଉଁ ଅଚାନକ ମନର ମଣିଷକୁ ଭେଟି ଯାଇଥାଆନ୍ତି । ସେଇଠି ତ ଜୀବନର ଚରମ ସାର୍ଥକତା ଘଟିଥାଏ । ବାସ୍ତବବାଦୀ ମଣିଷ ନିଜକୁ ଧନ୍ୟ ମଣେ ।

 

ପ୍ରଦୀପକୁ ମୁଁ ମୁହୂର୍ତ୍ତେ ପାଖରୁ ଛାଡ଼ୁ ନ ଥିଲି । ସବୁବେଳେ ସେ ମୁଁ ଦୁହେଁ ଗପ କରୁଥିଲୁ, ବୁଲୁଥିଲୁ, ହସୁଥିଲୁ, ଖେଳୁଥିଲୁ । ନଈତୋଟାକୁ ଆମ୍ବକଷି ତୋଳି ଯାଇଥିଲୁ । କି ଆକର୍ଷଣ ଯେ ମୋ ମସୃଣ ମନରେ ଲାଗିଯାଇଥିଲା, ମୁଁ ମୁହୂର୍ତ୍ତେ ବି ପ୍ରଦୀପର ପାଖ ଛାଡ଼ୁ ନ ଥିଲି-। ଏକା ସାଙ୍ଗରେ ଖାଇ ବସୁ । ଏକା ସାଙ୍ଗରେ ଗପ ବହି ପଢ଼ି ବସୁ । ବାପା ପାଖରେ ବସେଇ ଭାଗବତ ପଢ଼ିବାକୁ ମୋତେ କୁହନ୍ତି । ମୁଁ ଲାଜରା ହୋଇ ପ୍ରଦୀପକୁ ବଢ଼େଇ ଦିଏ । ସେ ବହି ପଢ଼େ, ମୁଁ ତା’ ସହିତ ଖୁମ୍ପୁରେଇ ହୋଇ ଲାଗେ । ସେ ହସି ହସି ବେଦମ ହୋଇଯାଏ । ମୁଁ ମଧ୍ୟ ଖୁବ୍ ହସେ । ବାପା ଖୁସିରେ ତନ୍ମୟ ହୋଇ ଉଠନ୍ତି ।

 

ହେଲେ ବୋଉ ଏ କଥାକୁ ମୋଟେ ସହି ପାରୁ ନ ଥିଲା । ତା’ ଦୃଷ୍ଟିରେ ଝିଅ ଆସି ତେର ଚଉଦ ବର୍ଷରେ ହେଲାଣି କାଲି ପରି ଘର ଯୋଗ୍ୟା ହେବ । ତାକୁ ଏତଟା ଉତ୍ସୃଙ୍ଖଳ, ଗେହ୍ଲା କରିବା ଉଚିତ ନୁହେଁ । ଆଜିଠୁଁ ଏ ଅଭ୍ୟାସ ରହିଲେ ପରବର୍ତ୍ତୀ ବୟସରେ ସେ ବଦ ଅଭ୍ୟାସକୁ ନିଜ ଭିତରେ ଆୟତ କରିବା ସହଜ ସାଧ୍ୟ ହୁଏ ନାହିଁ ।

 

କିନ୍ତୁ ମୁଁ ନିଜେ ଅନୁଧ୍ୟାନ କରି ପାରୁ ନ ଥିଲି । ପ୍ରଦୀପକୁ ପାଖରେ ପାଇ ମୋ ନିଶ୍ଚପ ଆକାଶ କାହିଁକି ଫାଟି ପଡ଼ୁଥିଲା । ମୋ ଦେହରେ କାହିଁକି ଭରି‌ ଯାଇଥିଲା ଚଳଚଞ୍ଚଳ ତା’ର ସ୍ପନ୍ଦନ-। ମୁଁ କେମିତି ଉତ୍ସୃଙ୍ଖଳ ହୋଇ ଉଠୁଥିଲି । ମନ ମଧ୍ୟରେ ଗଢ଼ି ଚାଲୁଥିଲି ବାଲିଘରର ସ୍ଵପ୍ନ ସବୁ-। ଅହେତୁକ ତାରୁଣ୍ୟର ସବୁଜିମାରେ ମୋ ଦେହ, ମନ ଅତିଷ୍ଠ ହୋଇ ଉଠୁଥିଲା । ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ ଯେମିତି ଅଜଣା ଯୌବନ ବିଦ୍ରୋହ କରି ଉଠୁଥିଲା ।

 

କେତେ ସପନ ।

 

କେତେ ଅଜଣା ଶିହରଣ ।

 

ନୂଆ ସାଥୀଟିଏ ନେଇ ବଞ୍ଚିବାରେ କି ନୂତନ ରୋମାଞ୍ଚକର ଆସ୍ୱାଦନା ସତେ ? ଏ ଅପରିଣତ ବୟସରେ ଭିଜା ଭିଜା ଯୌବନର ହାଲୁକା ସ୍ପର୍ଶରେ ମଧ୍ୟ ଅନେକ ଅବାନ୍ତର ସ୍ଵପ୍ନ ସବୁ ମନକୁ ଚହଲାଇ ଦିଏ । ଅଚାନକ ବସନ୍ତ ବିଦ୍ରୋହ ଘୋଷଣା କରେ । ମଳୟର ମଧୁ ପରଶ ନୂତନ ଆଶଙ୍କା ଭରିଦିଏ ।

 

ମନଟା ମୋର ଶରମରେ ଝାଉଁଳି ପଡ଼େ । ମନ ଭିତରର ଆଖିପତା ଲାଜରେ ଭିଜି ଉଠେ । ମୁଁ ସେଇ ନିବୁଜ ଅରଣ୍ୟ ଦେହରେ ଟିକି ଝରଣାଟିକୁ ସାଥୀ କରେ । ମନରେ କେତେ ଆଶା, କେତେ ଆକାଂକ୍ଷା । ସମସ୍ତଙ୍କ ଅଗୋଚରରେ ମୁଁ ସମୁଦ୍ର ଦେହରେ ମିଶିଯିବି । ନାବିକ ନ ଥିବା ଜାହାଜଟି ଭଳି ଭାସି ଭାସି ଯାଇ ଲାଗିବି ରତ୍ନଦୀପରେ । ଯେଉଁଠି ତାକୁ ପ୍ରଦୀପ ଅପେକ୍ଷା କରିଥିବ । ସେଠି ଆମେ ଦୁହେଁ ମିଳିମିଶି ହସିବୁ, ଖେଳିବୁ, ଗୀତ ଗାଇବୁ । ଜୀବନର ସମସ୍ତ ସତ୍ତାକୁ ସମୟର ଧୂଳି ମାଟିରେ ହଜେଇ ଦେବୁ ।

 

–ମାଉସୀ ?

 

ପ୍ରଦୀପ ଅତି ଧୀର ଗଳାରେ ଡାକିଥିଲା ।

 

ମୁଁ ଚିଡ଼ି ଉଠିଥିଲି । କହିଥିଲି–ଦେଖ ପ୍ରଦୀପ, ତମକୁ କେତେଥର ମନା କଲିଣି ମୋତେ ମାଉସୀ ବୋଲି ଡାକି ଲଜ୍ଜା ଦେବ ନାହିଁ । ତମେ ମୋତେ ଶିଖା ବୋଲି ଡାକିବ । ମୁଁ ସେହି ଡାକରେ ହିଁ ବେଶ ଖୁସି ହେବି । ମୁଁ କେଉଁ ତମ ଠାରୁ ବୟସରେ ବଡ଼ ଯେ ତମେ ମୋତେ ମାଉସୀ ବୋଲି ଡାକିବ ?

 

ପ୍ରଦୀପ ତା’ ଓଠରେ ସେଇ ଦରଫୁଟା ହସ ଚେନାଏ ଝରାଇ ଦେଇ କହିଥିଲା–ଦେଖ ଶିଖା‚ ଏ ସମାଜ କ’ଣ କିଛି ବୁଝେ । ତା’ର ବନ୍ଧା ନିତି ନିୟମ ଅନୁସାରେ ତମେ ମୋ ଆଦରର ମାଉସୀ । ଶିଖା ମାଉସୀ । ତେଣୁ ତମକୁ ଶିଖା ଡାକିଲେ ଅନ୍ୟମାନଙ୍କର କ’ଣ ଧାରଣା ହେବ ।

 

ମୁଁ ଦାର୍ଶନିକ ଭଳି କହି ଉଠିଥିଲି–କେହି କାହା ମନର କଥା ନ ବୁଝୁ ପଛେ, ଏ ସମାଜ, ଏ ସମୟ କାହାକୁ ସ୍ୱୀକୃତି ନ ଦେଉ ପଛେ କିନ୍ତୁ ତମେ ମୋର ସେଇ ଆଦରର ପ୍ରଦୀପ ଏବଂ ମୁଁ ତମର ସେହି ଶିଖା । ଅବିଚ୍ଛେଦ ଆମର ସ୍ନେହର ସମ୍ପର୍କ । ଅତୁଟ ଆମର ସ୍ମୃତିର ସ‌ଉଧ ।

 

ପ୍ରଦୀପ ଉଲ୍ଲସିତ ହୋଇ ମୋ’ ହାତ ଦୁଇଟାକୁ ଚାପି ଧରିଥିଲା । ମୁଁ ଆହୁରି ନିକଟକୁ ଘୁଞ୍ଚିଯାଇ ତା’ ଛାତିରେ ସୃଷ୍ଟି ହେଉଥିବା ଅଚାନକ ସ୍ପନ୍ଦନକୁ ଗଣିବାକୁ ଚେଷ୍ଟା କରୁଥିଲି । ସତେ ଯେମିତି ତା’ ଦେହର ଉତ୍ତାପ ମୋ ଦେହକୁ ଅପସାରିତ ହୋଇ ମୋର ପ୍ରତ୍ୟେକ ସ୍ନାୟୁକୁ ରିମ୍‍ଝିମ୍ କରି ଦେଉଥିଲା । କି ରୋମାଞ୍ଚ, କି ଉତ୍ତେଜନା ସତେ ?

 

ମୁଁ ବୁଝି ପାରୁ ନ ଥିଲି ଏତେ ଅପ୍ରାପ୍ତ ବୟସରୁ ଆମ୍ଭମାନଙ୍କ ଦେହ, ମନ ମଧ୍ୟରେ କେମିତି ଏତେ ଦର୍ଶନତତ୍ତ୍ଵ ସୃଷ୍ଟି ହେଉଥିଲା । ଧୂଳିଖେଳର ବୟସ ଛାଡ଼ି ଆମେ ଦୁଇଟି ଉତ୍‌ଫୁଲିତ ପ୍ରଜାପତି ଭଳି ବୁଲୁଥିଲୁ ଏ ଡାଳରୁ ସେ ଡାଳକୁ । ମନ ମଧ୍ୟରେ କୌଣସି ବ୍ୟତିକ୍ରମର ଦ୍ଵିଧା ନ ଥିଲା, ଅନୁଶୋଚନାର ସଂଶୟ ମଧ୍ୟ ନ ଥିଲା ।

 

ହେଲେ କେତୋଟି ଦିନ ମଧ୍ୟରେ ପ୍ରଦୀପ ମୋ ନିଃସଙ୍ଗ ମନ ମଧ୍ୟରେ ଭରି ଦେଇଥିଲା ତାରୁଣ୍ୟର ସବୁଜିମା । ଉଚ୍ଛୁଳି ଉଠିଥିଲା ମୋ ମନ ସମୁଦ୍ର । ବହି ଯାଇଥିଲା ଚହଲା ନ‌ଈଟି । ଆଖିରେ ଆଖିଏ ସ୍ଵପ୍ନ । ସ୍ନାୟୁରେ ଅଜଣା ଆତଙ୍କର ଶିହରଣ । ମୋ ଦେହ ମନରେ ସେମିତି ଏକ ଫୁଲବନ ସୃଷ୍ଟି ହୋଇଥିଲା । ଅନେକ ଫୁଲର ବାସ୍ନା । ଅସଂଖ୍ୟ ଭ୍ରମର, ମହୁମାଛି ଏବଂ ପ୍ରଜାପତିମାନଙ୍କର ଭିଡ଼ ।

 

ପ୍ରଦୀପ କେତୋଟି ଦିନ ବିତେଇ ଦେଇ ଫେରି ଯାଇଥିଲା ଲେଖା ଅପା ପାଖକୁ । ଗଲାବେଳେ କହି ଯାଇଥିଲା ମୁଁ ପୁଣି ଆସିବି ମାଉସୀ । ତତଲା ଲୁହରେ ମୋ ଆଖି ପତା ଦି’ଟା ଭିଜି ଯାଇଥିଲା । ମୁଁ ସମସ୍ତଙ୍କ ଅଗୋଚରରେ ନିସ୍ତରଙ୍ଗ ମନଟାକୁ ନେଇ ଭାବି ବସିଲାବେଳେ ଦେହ ମନ କାମନାରେ ହୁତୁ ହୁତୁ ହୋଇ ଜଳି ଉଠୁଥିଲା । କାହିଁକି ପ୍ରଦୀପ ମୋ ଦେହରେ ଅଗ୍ନି ସଂଯୋଗ କରି ଦେଇଗଲା । ମୁଁ’ ତ ଆଗରୁ କେବେ ଏମିତି ଯନ୍ତ୍ରଣାର ସ୍ଵରକୁ ଅନୁଭବ କରି ପାରୁ ନ ଥିଲି ।

 

କାହିଁକି ?

 

କାହିଁକି ଏ ସ୍ଫୀତ ସଙ୍ଗୀତର ସ୍ଵର । ଅହେତୁକ ଜ୍ଵଳନର ମୁର୍ଚ୍ଛନା । ମନ ଆକାଶରେ ବହ୍ନି, ବଳୟ ଏକାକାର ହୋଇ ଯାଉଥିଲା । ଅନେକ ସ୍ୱରର ରାଗିଣୀମାନେ ମନୋବୀଣାକୁ ଚହଲାଇ ଦେଉଥିଲେ ।

 

ତଥାପି ଅକଥନୀୟ ଯନ୍ତ୍ରଣାର ନିର୍ଯ୍ୟାସକୁ ମୁଁ ମନ ମଧ୍ୟରେ ଚାପି ଧରୁଥିଲି । ମାଂସପେଶୀରେ ଅସମ୍ଭବ ଆତ୍ମଦହନର ସ୍ଵର । ସ୍ନାୟୁ ସମୁହରେ କଷ୍ଟସାରର ଚଳଚଞ୍ଚଳତା । ଅସ୍ଥିର ମନଟା ଯେମିତି ଧାଇଁ ଯାଇଥିଲା ଲେଖା ଅପା ଘରକୁ ।

 

ସେତେବେଳେ ମୁଁ ଯେମିତି ଏକ ମନ ବିହୀନ ମଣିଷ ପାଲଟି ଯାଇଥିଲି । ସବୁକିଛି ଭୁଲି ଯାଉଥିଲି । ନଈରେ ହଜେଇ ଦେଇ ପୋଖରୀରେ ଖୋଜୁଥିଲି । ସବୁବେଳେ ମୋ ଗୁମ୍ ମାରି ବସିବା ଦେଖି ବୋଉ କହୁଥିଲା–ଆଲେ ଶିଖା, ଏମିତି ହୁଣ୍ଡିଙ୍କ ପରି କ’ଣ ହେଉଚୁ । ଆଗରୁ ତ ତୋର ଏ ବଦ ଅଭ୍ୟାସ କେବେ ନ ଥିଲା ?

 

ମୁଁ ସଚେତନ ହୋଇ ଉଠୁଥିଲି । ଭାବୁଥିଲି, ବୋଉର କହିବାଟା ଯଥାର୍ଥ ପ୍ରଦୀପ ଚାଲିଯିବା ପୂର୍ବରୁ ମୁଁ ବାଲି ହରିଣୀଟି ପରି ଧାଇଁ ବୁଲୁଥିଲି ଉପକୂଳର ନିଥର, ନିଷ୍କମ୍ପ ବାଲୁକା ଶଯ୍ୟା ଉପରେ । ହେଲେ ମୋର ଆଜି ଏକ ବ୍ୟତିକ୍ରମ । ମୁଁ ଯେମିତି ବରଫ ଖଣ୍ଡ ଭଳି ଶିଥିଳ ହୋଇଯାଉଛି I

 

ଅଥଚ ପର ମୁହୂର୍ତ୍ତରେ ମୁଁ ପ୍ରଦୀପର ଦୂରତ୍ଵକୁ ସହି ପାରି ନ ଥିଲି । ପାଦ ଦୁଇଟା ମୋର ସ୍ଥିର ହୋଇ ଯାଇଥିଲା । ଘାସର ସବୁଜ ଗାଲିଚା ଦେହରେ ଏକ ମଉଳା ଫୁଲ ପରି ମୁଁ ଲୋଟି ପଡ଼ୁଥିଲି । କେଉଁ ଏକ ଦୂର ବନାନୀର ନିଘଞ୍ଚତା ମଧ୍ୟରେ । ମୋ ଆଶା–ଆକାଂକ୍ଷାର ସ୍ଵପ୍ନ ହଜି ଯାଉଥିଲା । ମୋର ଚଳଚଞ୍ଚଳତାର ଛନ୍ଦ ହଜି ଯାଉଥିଲା ।

 

ହେଲେ ପର ମୁହୂର୍ତ୍ତରେ ମୁଁ ଆଶାର ବାଲିଘର ତୋଳି ବସୁଥିଲି । ଆଉ କେଇ ଦିନ ପରେ ଅପା ଘରକୁ ଯିବି । ସେଇଠି ତ ମୋତେ ପ୍ରଦୀପ ଚାହିଁ ବସିଥିବ । ଦୁହେଁ ମିଶି ଭବିଷ୍ୟତ ପାଇଁ ରାଜରାଣୀ ମନ୍ଦିର ତୋଳି ବସିବୁ । କେତେ ସ୍ଵପ୍ନ ସବୁ ଏକାକାର ହେବ । ନିରଙ୍କୁଶ ମନଟା ତରଙ୍ଗାୟିତ ହୋଇ ଉଠିବ ।

ସବୁ ସ୍ଵପ୍ନ, ସବୁ ଅଭିଳାଷ, ପରଶରେ ମୋର ପୂରଣ ହୋଇ ଉଠିଥିଲା । ମୁଁ କେତେ ଦିନ ପରେ ଅପା ଘରକୁ ଯାଇଥିଲି । ପ୍ରଦୀପର, ମୋର ହସ ଖେଳ ଦେଖି ଅପା ଭାରି ଖୁସି ହୋଇଥିଲା । ଆମେ ଦୁଇଜଣ ଦୁଇଟି ଅମାନିଆ ମହୁମାଛି ପରି ଘୁରି ବୁଲୁଥିଲୁ ଏ ଫୁଲରୁ ସେ ଫୁଲକୁ । ଏ ଉପାନ୍ତରୁ ସେ ଉପାନ୍ତକୁ । ମନର ସମସ୍ତ ଆଶା ଉଦ୍‌ଜୀବିତ ହୋଇ ଉଠୁଥିଲା । ରକ୍ତକଣିକାର ସମସ୍ତ ଶିକତା ବିକଶିତ ହୋଇ ଉଠିଥିଲା ।

 

ଅପା ମୋତେ ମୋଟେ ଛାଡ଼ିବାକୁ ରାଜି ହେଉ ନଥିଲା । ପ୍ରଦୀପର ଖୁସି ହିଁ ତା’ ଜୀବନର ଅମାପ ସାର୍ଥକତା । ପ୍ରଦୀପ ହସୁଥିଲେ ସେ ହସୁଥିବ । ପ୍ରଦୀପର ଦୁଃଖରେ ସେ ଭାଙ୍ଗିପଡ଼ିବ । ତେଣୁ ଅପା ମୋତେ ପାଖରୁ ଦୂରେଇ ଦେବାକୁ ସୁଖ ପାଉ ନ ଥିଲା । ପ୍ରଦୀପ ମଧ୍ୟ ମୋତେ ପାଖରେ ନ ପାଇଲେ ବିବର୍ଣ୍ଣା ହୋଇ ଯାଉଥିଲା । ମୁଁ ପାଖରେ ବସିଲେ ସେ ପାଠ ପଢ଼େ-। ପାଠପଢ଼ାରେ ବିରକ୍ତ ହୋଇଗଲେ ଇଆଡ଼ୁ ସିଆଡ଼ୁ ଗପ ସବୁ ଗପିବ ସେ ।

 

ସେତେବେଳେକୁ ମୋ ପାଠପଢ଼ାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ବୋଉ ଜିଗର କରି ବାପାଙ୍କ ସହିତ ଝଗଡ଼ା କରି ମୋ ପାଠପଢ଼ା ବନ୍ଧୁ କରି ଦେଇଥିଲା । ଝିଅ ଜନମ ପରଘରକୁ । ରୋଷେଇ ବାସ କରି, ସ୍ଵାମୀ, ଶାଶୁ, ଶଶୁରଙ୍କୁ ସେବା କରି ସନ୍ତୁଷ୍ଟ କରି ପାରିଲେ ଝିଅ ଜନମ ସାର୍ଥକ ହୁଏ । କ’ଣ ସେ ପାଠପଢ଼ାରୁ ମିଳିବ । ପାଠପଢ଼ା ଛାଡ଼ିବା ଦିନ ଠାରୁ ଆମ ଘର ମୋତେ ବେଖାପ ବେଖାପ ଲାଗୁଥିଲା । ତେଣୁ ସବୁ ମୁହୂର୍ତ୍ତରେ ମୋତେ ଅପା ଘରେ ରହିବାକୁ ଭଲ ଲାଗୁଥିଲା ।

 

ଏହା ମଧ୍ୟରେ କେତେ ମୁହୂର୍ତ୍ତ ବହି ଯାଇଥିଲା । ବନ ଝରଣାରେ କେତେ ପାଣି ଝରି ଯାଇଥିଲା । ପୃଥିବୀର ସମସ୍ତ ଅଣୁପରମାଣୁ ପର୍ଯ୍ୟନ୍ତ ନିଜ ନିଜର କାର୍ଯ୍ୟରେ ଲାଗି ପଡ଼ିଥିଲେ । ସୂର୍ଯ୍ୟ ଉଉଁଥିଲା, ଚନ୍ଦ୍ର ଅସ୍ତ ହୋଇଥିଲା । ପବନ ବହିଥିଲା–ପାଣି ଝରି ପଡ଼ିଥିଲା । ସମସ୍ତେ ନିଜ ନିଜର ଗତିରେ ଅବିଚଳିତ ଥିଲେ ।

 

ତାରି ମଧ୍ୟରେ ମୁଁ କେତେଥର ଅପା ଘରକୁ ସହାସ୍ୟ ବଦନରେ ବୁଲି ଯାଇଛି । ପୁଣି ବିଶାଦର ଅନୁକମ୍ପାରେ ଭୀତତ୍ରସ୍ତ ହୋଇ ଫେରି ଆସିଛି । ସେହି ହର୍ସ ବିଷାଦର ଅସ୍ଥିରତା ମଧ୍ୟରେ ଦିନଗୁଡ଼ାକ କଟି ଯାଉଥିଲା । ମନ ମଧ୍ୟରେ ଚାପି ହୋଇ ଯାଉଥିଲା ଅବ୍ୟକ୍ତ ଅଭିବ୍ୟକ୍ତ ଗୁଡ଼ାକ । ସେମିତି ସାଥୀଟିଏ ଖୋଜି ପାଇ ନ ଥିଲି ଯାହା ପାଖରେ ମନର ଅକୁହା ବେଦନା ଗୁଡ଼ିକ ବଖାଣି ବସି ଆତ୍ମତୃପ୍ତି ଲାଭ କରିବି ବୋଲି । ସାଇ ପଡ଼ିଶାରେ ଥିବା ସାଙ୍ଗ କନକ, ମାଳତୀ, ବିଥିକା, ରେବ ପ୍ରମୁଖଙ୍କ ସାଙ୍ଗରେ ବନ୍ଧୁତ୍ଵ ଥିଲା ସତ ହେଲେ ଆତ୍ମିୟତା ନ ଥିଲା । ସେମାନଙ୍କ ଉପରେ ଭରସା ମୋର ନ ଥିଲା । ସେମାନେ ଯଦି ମନ ଗହନର କୌଣସି କଥାର ସୁରାକ ପାଇଯିବେ ତା’ହେଲେ ଚାରିଆଡ଼େ ରାଷ୍ଟ୍ର କରି ଦେବେ । ତେଣୁ ମୁଁ ମଉନ ରହି ଯାଉଥିଲି ।

 

ହଠାତ୍ ଦିନେ ମୁଁ ଉପଲବ୍‍ଧି କଲି ମୋ ଦେହରେ ବସନ୍ତ, ହେମନ୍ତ, ଶିଶିର, ବର୍ଷା ଗ୍ରୀଷ୍ମ, ଶୀତ ପ୍ରମୁଖ ଷଡ଼ ଋତୁ ଆବିର୍ଭାବ ହୋଇ ଉଠିଛି । ମୋ ଦେହରେ ଆହତ ଫଗୁଣର ଷ୍ଫୁରଣ ଘଟିଛି । ପ୍ରତ୍ୟେକ ତନ୍ତ୍ରୀ, ପ୍ରତ୍ୟେକ ସ୍ନାୟୁ ମଧ୍ୟରେ ରୋମାଞ୍ଚର ଚଞ୍ଚଳତା । ସର୍ବାଙ୍ଗରେ ଫୁଟି ଉଠୁଛି ଶତ କଦମ୍ବର ବିକଶିତ ବାସନା । ଅଦିନରେ ବହି ଆସିଛି ମଳୟର ଫଲ୍‍ଗୁ । ଦେହର ପ୍ରତ୍ୟେକ ଅଙ୍ଗେ ଅଙ୍ଗେ ଭରି ଉଠିଛି ଯୌବନର ଶତଦଳ ।

 

ସତେ ଯେମିତି ମୁଁ ସ୍ଵର୍ଗର ନନ୍ଦନକାନନ ପାଲଟିଯାଇଛି । ମୋ ଦେହରେ ଅନେକ ଫୁଲର ସୁରଭୀ । ଅସଂଖ୍ୟ ଭ୍ରମର, ପ୍ରଜାପତି, ମହୁମାଛିମାନଙ୍କର ଭିଡ଼ ଜମି ଯାଇଛି । ଧୀର ସମୀରଣର ଲୁଚକାଳି ଖେଳ ମଧ୍ୟରେ ନଇଁ ଯାଉଛି ଫୁଲମାନଙ୍କର ମଥା । ଭୀତତ୍ରସ୍ତ କୃଷ୍ଣସାରଟି ଭଳି ଦୋହଲି ଯାଉଛି ସେମାନଙ୍କର ସର୍ବାଙ୍ଗ ।

 

ତା’ହେଲେ କାହିଁକି ଏ ଚଞ୍ଚଳତା । ମୋତେ କ’ଣ କିଛି ନୂଆ ବେମାର ଧରିଲାଣି କି ? ମୁଁ ଏମିତି ଚଞ୍ଚଳତା ହୋଇ ମନ, ପ୍ରାଣ, ହୃଦୟରେ ଶିହରୀ ଉଠୁଛି । ତନୁ, ମନରେ ଶ୍ଵେତପଦ୍ମର ସୁରଭୀରେ ସୁରଭିତ । କାହିଁକି……କାହିଁକି……ଏମିତି ହେଉଛି ।

 

ଆଖିରେ ଆଖିଏ ତନ୍ଦ୍ରା । ଆଖି ବୁଜିଲେ ମନ ମଧ୍ୟରେ ଅସଂଖ୍ୟ ସ୍ଵପ୍ନମାନଙ୍କର ଚକା ଭଉଁରୀ ଖେଳ । ସେହି ସ୍ଵପ୍ନ ସମୁଦ୍ର ମଧ୍ୟରେ ପ୍ରଦୀପ ରାଜକୁମାର ବେଶରେ ଆସି ମୋତେ ବ୍ୟତିବ୍ୟସ୍ତ କରି ପକାଉଥିଲା । ମୁଁ ଦିନରେ ବି ଆଖି ବୁଜି ପ୍ରଦୀପକୁ ଏମିତି ରାଜକୁମାର ବେଶରେ ଦେଖିବାକୁ ଭଲ ପାଉଥିଲି । ଭାବୁଥିଲି ସବୁଦିନେ ଏମିତି ପ୍ରଦୀପ ତା’ ସ୍ଵପ୍ନ ମଧ୍ୟରେ ଉଦ୍‌ଜୀବିତ ହୋଇ ରହନ୍ତା କି ?

 

ବୋଉ ଆକଟ କରି କହିଥିଲା–ଶିଖା, ତୁ ଏବେ ସେ ଫୁଲା ଫାଙ୍କିଆ ନିତି ଛାଡ଼ି ରନ୍ଧାବଢ଼ାରେ ମନ ଦେ । ଏଡ଼ୁଟେ ହେଲୁଣି କେଉଁଦିନେ ଆଉ ରନ୍ଧା ବଢ଼ା ଶିଖିବୁ । କାଲି ପରି ଶାଶୁଘରକୁ ଗଲେ, ଭଲ ରାନ୍ଧି ବାଢ଼ି ନ ଦେଲେ ଶାଶୁ ଶଶୁରଙ୍କ ଗଞ୍ଜଣା ସହି ପାରିବୁ ତ ? ଘରକୁ ଘରଣୀ ନ ସାଜିଲେ ଆପଣା ଘର ଭାସି ଯିବ । ନିଜ ସଂସାର ଉଜୁଡ଼ି ଯିବ । ବାର ଲୋକ ତାହା ଦେଖି ଉପହାସ କରିବେ । ତାହା ସହିବୁ ତ ?

 

ସେ ଗୋଡ଼ ଟେକା ନିତି ଛାଡ଼ । ପିଲା ବୟସ ଗଲା ଆଉ ସବୁବେଳେ କ’ଣ ତୋ ସାଙ୍ଗସାଥୀମାନଙ୍କୁ ନେଇ ଗୋଠ ଜମଉଛୁ । ଏବେ ସକାଳ ଓଳିଆ ରୋଷେଇରେ ମନ ଦେ । ମୁଁ ତଦାରଖ କରିବି । ଭଲ ମନ୍ଦ ନ ଆସିଲେ କହିଦେବି । ଏ ଯେଉଁ ଗାଁ, ହାତେ ମାପି ଚାଖଣ୍ଡେ ନ ଚାଲିଲେ ଏ ଗାଁରେ ପାଉଣ୍ଡେ ଚାଲିବା ବଡ଼ କଷ୍ଟ ଲୋ ମା’ । ତିଳକୁ ତାଳ କରି ଥୋଇବେ । କୁଆ ଉଡ଼ିଗଲେ କହିବେ ଛୁଆ ଉଡ଼ିଗଲା ବୋଲି । ଲେଖା ତ, ପୁଣି ଗୋଟିଏ ଝିଅ, ଏ ଘରେ ବଢ଼ି କୁଢ଼ି ଶଶୁର ଘରେ ଯାଇ ଏତେ ବଡ଼ ସଂସାର ତୋଳିଛି । କେହି ଟିକିଏ ପଦେ ତା’ ନାଁରେ କହିଛି ?

 

ବୋଉର ଏ ଆଦର୍ଶବାଦ କଥାଗୁଡ଼ାକ ଏ କାନରେ ପଶି ସେ କାନରେ ବାହାରି ଯାଇଥିଲା I ମୁଁ ଅନୁଭବ କରୁଥିଲି ମୋ ଦେହରେ କୌଣସି ଏକ ଦୁର୍ଘଟଣା ବଶଃତ କିଛି ନା କିଛି ବିସ୍ଫୋରଣ ଘଟିଯାଇଛି । ଯାହାର ବ୍ୟତିକ୍ରମ ପାଇଁ ଏସବୁ ଆକଟ ବାଣୀ ମୋତେ ଶୁଣିବାକୁ ହେଉଛି । ଆଗରୁ ତ, କାହିଁ ବୋଉ ମୋତେ କିଛି କହୁ ନ ଥିଲା ।

 

ବାନ୍ଧବୀ ବିଥିକା ମୋତେ ବୁଝେଇ କହିଥିଲା–ହଁ ଲୋ ଶିଖା, ଝିଅମାନେ ଏମିତି ଯୌବନର ପହିଲି ପାହାଚରେ ପାଦ ଥୋଇଲେ ଏମିତି ଉତ୍ସୃଙ୍ଖଳ ହୋଇ ଉଠନ୍ତି । ଆଉ ମା’ମାନେ ସେମାନଙ୍କୁ ଏମିତି ତାଗିଦ କରି ଥାଆନ୍ତି । ପ୍ରଣୟର ରଙ୍ଗ ଲାଗିଲେ ଝିଅମାନେ ଉଦ୍‌ଭ୍ରାନ୍ତ ହୋଇ ଉଠନ୍ତି । ଆଗ ପଛକୁ ବିଚାର କରନ୍ତି ନାହିଁ । ଅନ୍ୟାୟରେ ଦୁଷ୍ଟ ଭ୍ରମରମାନଙ୍କ କୋଳରେ ଧରା ଦେଇ ଥାଆନ୍ତି । ଭ୍ରମରମାନେ ମହୁ ଶୋଷି ନେଲେ ବିଚାରୀ ଜୀବନସାରା ଡହଳ ବିକଳ ହୋଇ ମରିବା ବ୍ୟତୀତ ଆଉ କ’ଣ ତା’ ଜୀବନରେ ସାର ହୁଏ । ଆଶା, ଆକାଂକ୍ଷା, ସ୍ଵପ୍ନ ସବୁ ହଜିଯାଏ ସେହି ଦହନ ଯନ୍ତ୍ରଣାର ଉତ୍କଟତା ମଧ୍ୟରେ ।

 

ମୋ ମନକୁ ହେଜ ପଶିଥିଲା । ସତରେ ମୁଁ ଏହା ମଧ୍ୟରେ ବହୁତ ବଡ଼ ହୋଇ ଯାଉଛି । ମୋ ଦେହ ମଧ୍ୟରେ ଶୈଶବର ବାଲ୍ୟ ଚପଲତା, କୈଶୋରର ଛନ୍ଦ ଚପଳ ସ୍ମୃତିକୁ ମୁଁ ଅନେକ ଦିନରୁ ହଜେଇ ଦେଇଛି । ଏବେ ମୁଁ ଯୌବନର ମେଞ୍ଚା ମେଞ୍ଚା ରଙ୍ଗ ନେଇ ମୋ ଦେହକୁ ଚିତ୍ର ବିଚିତ୍ର କରିବାରେ ଲାଗିଛି ସେଇ ମୋର ମନର ପୁରୁଷ ପାଇଁ ।

 

ବିଥିକା ଲଥା ଯୋଡ଼ି କହିଲା–ଏଇ ଦେଖିଲୁ ନାହିଁ ଉପର ସାଇ ସଜନୀ କଥା । ଯେମିତି ଋତୁପ୍ରାପ୍ତ ହୋଇଛି, ବଡ଼ଲୋକ ଘରର ଝିଅ ବୋଲି ସେ କ’ଣ ମଣିଷ ମାନିଲା । ଶେଷରେ ରାଣୀ ମହୁମାଛି ସାଜି ଧରା ଦେଲା ସେ ତେଲି ଘର ଅକ୍ଷୟ ପାଖରେ । ଚାହୁଁ ଚାହୁଁ ପିଲାର ମା’ ହୋଇ ବସିଲା । ବାପା ମା’ଙ୍କର ଗେହ୍ଲା ଝିଅ ବୋଲି ଅକ୍ଷୟ ସହିତ ବାହା ହେବ ବୋଲି ମନାଇଲା ବାପା ମା’ ରାଜି ହେଲେ ନାହିଁ । ବ୍ରାହ୍ମଣ ଘରର ଝିଅ ପୁଣି ତେଲି ଟୋକାକୁ ବାହା ହେବ । ଏ କାଳ କ’ଣ ହେଲା ଆସି । ବାପା–ମା’ ତା’ର ରାଜି ହେଲେ ନାହିଁ । ଶେଷରେ ବିଚାରୀ କନିଅର ମଞ୍ଜି ଖାଇ ମଲା ।

 

ତା’ କଥା ଶୁଣି ମୁଁ ଚିଇଁକି ଉଠିଥିଲି ନିଜ ଭିତରେ । ଛାତି ଭିତରଟା ମୋର ଥରି ଉଠିଥିଲା । ଦେହର ମାଂସପେଶୀ ମଧ୍ୟରେ କମ୍ପନ ସୃଷ୍ଟି ହେଉଥିଲା । ଆଖି ଦୁଇଟିରେ ତନ୍ଦ୍ରା ହଜି ଯାଇଥିଲା । ମୁଁ ନିଜ ବିବେକ ମଧ୍ୟରେ ତର୍ଜମା କରି ବସୁଥିଲି । ସତେ ତ ? ଲେଖା ଅପା ଅଲେଖ ଭାଇଙ୍କୁ ପ୍ରେମ କରି ଶେଷରେ ଡହଳ ବିକଳ ହୋଇ ମରୁଛି ! ଖାଲି ସେଇ ଭସ୍ମୀଭୂତ ହୋଇ ଯାଇଥିବା ପୋଡ଼ା ସ୍ମୃତିର ଅଙ୍ଗାରକୁ ଛାତି ଭିତରେ ଚାପି ଧରି ମୁହୂର୍ତ୍ତକୁ ମୁହୂର୍ତ୍ତ ଆଶ୍ୱାସନା ଲାଭ କରୁଛି । ଆଉ ଏ ସଜନୀ ମଧ୍ୟ ଠିକ୍ ପ୍ରେମ କରି ତା’ର ପ୍ରତିଦାନ ନ ପାଇବାରୁ ନିଜର ଜୀବନଟାକୁ ତୁଚ୍ଛ କରି ପ୍ରେମର ଆଦର୍ଶତାକୁ ଦୁନିଆ ସମ୍ମୁଖରେ ପ୍ରକାଶିତ କରି ଚାଲିଗଲା ସେ ପୁରକୁ । କିନ୍ତୁ ମୁଁ….. ?

 

ଚମକି ଉଠୁଥିଲି ମୁଁ । ପ୍ରତି ମୁହୂର୍ତ୍ତର ବ୍ୟବଧାନରେ ମୋତେ ଯେମିତି ପ୍ରଦୀପର ସ୍ମୃତି ଅତିକ୍ରାନ୍ତ କରି ଯାଉଥିଲା । ଠିକ୍ ଯେମିତି ନଦୀର ଅମାନିଆ ସ୍ରୋତ ଅତିକ୍ରାନ୍ତ କରିଯାଏ ବନ୍ଧୁର ଉପକୂଳକୁ । ସମୁଦ୍ରର ଉଦ୍‍ଭ୍ରାନ୍ତ ଜୁଆର ଅତିକ୍ରାନ୍ତ କରିଯାଏ ଉପତ୍ୟକାର ବାଲିବନ୍ଧକୁ । ଅମାବାସ୍ୟାର ଅନ୍ଧକାର ଅତିକ୍ରାନ୍ତ କରିଯାଏ ପୂର୍ଣ୍ଣିମାର ସ୍ଵଚ୍ଛ ଆଲୋକକୁ ।

 

ସମୟ ଅତିବାହିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ମୋ କାମନାର କ୍ଷୁଧା ଆହୁରି ବଢ଼ି ଚାଲୁଥିଲା । ଉତ୍‌ଶୃଙ୍ଖଳ ମନଟା ମୋ ଦେହର ଶକ୍ତ ମାଂସପେଶୀ ଭରା କୋଠରୀଟି ମଧ୍ୟରେ ଆବଦ୍ଧ ହୋଇ ରହି ପାରୁ ନ ଥିଲା । ମୁଁ ବିମୂର୍ଷ ହୋଇ ଉଠୁଥିଲି । ହେଲେ ବୋଉର କଡ଼ା କଡ଼ି ଆକଟ ମୋ ହାତ ପାଦରେ ଶୃଙ୍ଖଳ ପିନ୍ଧେଇ ଦେଇଥିଲା । ବୋଉର ଆକଟକୁ ଅମାନ୍ୟ କରି ଯିବାର ମୋର ଉପାୟ ନ ଥିଲା ।

 

ସେଇ ଆକଟ ମଧ୍ୟରେ ମୋର ସମସ୍ତ ସ୍ମୃତି, ଚେତନା, ସବୁ ମନ ଗହନର ଗହିରୀ କଥା ଚାପି ହୋଇ ଯାଉଥିଲା । ବୋଉର ସେ ଅନାସ୍ଵାଦ ଇଚ୍ଛାମାନଙ୍କ ସପକ୍ଷରେ ସମ୍ମତି ଦେବାକୁ ବାଧ୍ୟ ହେଉଥିଲି । ମନେ ମନେ ଭାବୁଥିଲି, ବୋଉଟା କେଡ଼େ ବୋକୀଟାଏ । ସେ କ’ଣ ଜାଣି ନାହିଁ ଲେଖା ଅପା ଅଲେଖ ଭାଇଙ୍କୁ କେତେ ଭଲ ପାଉଥିଲେ । ଆଉ ସେ ସମାଜର ଛୋଟ ବଡ଼, ଜାତି ଉପଜାତିର ବୈଷମତା ଯୋଗୁ ସେ ସିନା ତାଙ୍କୁ ଦେହ ଦାନ କରିପାରିଲା ନାହିଁ, ହେଲେ ସାରା ଜୀବନ ପାଇଁ ପବିତ୍ର ମନଟାକୁ ତାଙ୍କ ପାଦତଳେ ଅଜାଡ଼ି ଦେଇଥିଲା ।

 

ସେଇଥିପାଇଁ କ୍ରାନ୍ତିଦର୍ଶାମାନେ କୁହନ୍ତି ମନ ଗହନର ସ୍ୱଚ୍ଛ ଦର୍ପଣରେ ଥରେ ପ୍ରେମିକର ପ୍ରତିଛବି ଆଙ୍କି ହୋଇଗଲେ ଚନ୍ଦ୍ରର କଳଙ୍କ ଭଳି ସେ ଆଉ ଯୁଗ ଯୁଗକୁ ଲିଭେ ନା ।

 

ସେଇଥିପାଇଁ ତ ପ୍ରେମ–ପ୍ରଣୟ ଯୁଗେ ଯୁଗେ ଶାସ୍ୱତ, ଚିରନ୍ତନ । ସମାଜର ଅନେକ ଉର୍ଦ୍ଧରେ ତା’ର ସ୍ଥାନ । ସବୁ ଝିଅମାନେ ଏମିତି ଛନ୍ଦ ଚପଳମତି ବୟସରେ ପ୍ରଣୟର ସ୍ଵପ୍ନ ଦେଖୁ ଦେଖୁ, କାହାର ହେଲେ ପ୍ରତିଛବିର ରେଖା ଚିତ୍ର ଅଙ୍କନ କରି ବସିଥାଆନ୍ତି ମନ ଗହନରେ । ବୋଉର ଜୀବନ ଦର୍ଶନକୁ ଯଦି ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ତର୍ଜମା କରାଯାଏ ତା’ହେଲେ ସେ କ’ଣ କେବେ ଅସ୍ଵୀକାର କରି ବସିବ ଯେ ତା’ ଅପରିଣତ ବୟସରେ ସେ କାହାରି ରୂପର ପ୍ରତିଛବିକୁ ତା’ ମନ ଅଇନାରେ ଆଙ୍କି ନ ଥିଲା ବୋଲି ?

 

କିନ୍ତୁ ଯୌବନର ସ୍ଵପ୍ନ ସବୁ, ଇଚ୍ଛା ସବୁ ସମାଜର ବିରାଟ ରୁକ୍ଷ ଆଇନ୍‍କାନୁନ ମଧ୍ୟରେ ସଭା ହରାଇ ବସେ । ମନ ବିଦ୍ରୋହ କରି ଉଠିଲେ ବି ତୁଣ୍ଡ ଖୋଲେ ନା ।

 

ହୁଏତ ଇଚ୍ଛା ବିରୁଦ୍ଧରେ, ସମାଜ ବିରୁଦ୍ଧରେ ସେ ବାପାଙ୍କୁ ବିବାହ କରିଥିବେ । ଆଉ ସେଇ ବାଧ୍ୟ ବାଧ୍ୟକତା ପ୍ରେମ–ପ୍ରଣୟ ତାଙ୍କର କାମନାର କ୍ଷୁଧାକୁ ମେଣ୍ଟାଇଥିବ । ଦହନର ଉତ୍ତେଜନାକୁ ଉଦ୍‌ଯାପିତ କରିଥିବ । ହେଲେ ମନର ଶୋଷକୁ ମେଣ୍ଟାଇ ପାରି ନ ଥିବ । ସେତେବେଳକୁ ସଂସାର ରୂପକ ମହାନ କଳକାରଖାନାରେ ସେ ଏକ ହୁଇଲ ହୋଇ ଯାଇଥିବେ । ସେ ନିତିଦିନର ସ୍ଵାମୀ ସୋହାଗ, ଶାଶୁ, ଶଶୁରଙ୍କ ସେବା ଯତ୍ନ, ଦିଅର, ନଣନ୍ଦଙ୍କ ଅଳି ଅର୍ଦ୍ଦଳୀ ପ୍ରମୁଖ ଅନେକ ସମସ୍ୟା ମଧ୍ୟରେ ।

 

ହଠାତ୍ ମୁଁ କାହାର ଅଚାନକ ପାଦ ଶବ୍ଦରେ ଚମକି ପଡ଼ୁଛି । ହୁଏତ ଠିକ୍ ଭାବରେ କାହାର ପାଦଶବ୍ଦ ନୁହେଁ । ପାଖରେ ଥିବା ସ୍ଥଳ ପଦ୍ମ ଗଛରୁ ଶୁଖିଲା ପତ୍ର ଛିଡ଼ିବାର ଶବ୍ଦ ।

 

ଗୋଟିଏ ପତ୍ର ଝରି ପଡ଼ିଲେ ଆଉ ଗୋଟିଏ କଅଁଳ ପତ୍ର ବଞ୍ଚିବାର ସ୍ଵପ୍ନ ଦେଖିବା ଭଳି-। ମଣିଷର ଜୀବନ ଦର୍ଶନ ବି ଅନୁରୂପ । ଜଣେ ବିଦାୟ ନେଲେ ଆଉ ଜଣେ ସ୍ଥାନ ପୂରଣ କରିବା ହୁଏତ ଦୁନିଆର ଚିରନ୍ତନ ଗତି । ସେଥିରୁ ବା କିଏ ସେ ପ୍ରତିହତ ହେବ ।

 

ଏହା ମଧ୍ୟରେ ରାତ୍ରିର ଗଭୀରତା ଆହୁରି ଅନେକ ବଢ଼ି ଯାଇଛି । ବିନ୍ଦୁ ବିନ୍ଦୁ ଶିଶିର ଫୁଲ ପତ୍ରରେ ଅଜାଡ଼ି ହୋଇ ପଡ଼ିଛି । ଜୁଆରିଆ ଜହ୍ନର ଜୋତ୍ସ୍ନାର ପ୍ଳାବନରେ ଶିଶିର ବିନ୍ଦୁ ଗୁଡ଼ିକ ହୀରା–ମୋତି ମାଣିକ୍ୟ ପରି ପ୍ରତିବିମ୍ବିତ ହେଉଛନ୍ତି । ଧୀର ସମୀରଣ ତରୁଲତା ଦେହରେ ଦୋଳି ଖେଳୁଛି । ବେଶ ପ୍ରିତୀ ଭରା ପରିବେଶ ।

 

ଦୁଇ ଘର ମଧ୍ୟରେ ସ୍ଵାମୀ, ପୁତ୍ର ବେଶ ନିଶ୍ଚିନ୍ତରେ ଶୋଇ ରହିଛନ୍ତି । ସେମାନଙ୍କ ତନ୍ଦ୍ରାରେ ବିଚ୍ୟୁତିର ତରଙ୍ଗଟିଏ ବି, ସୃଷ୍ଟି ହୋଇ ନାହିଁ । ସେମାନଙ୍କର ବା ଚିନ୍ତା କ’ଣ ? ଜୀବନ ସାରା ମୋତେ ସେମାନେ ବୁଝିବାକୁ ଚେଷ୍ଟା କରି ନାହାନ୍ତି । ମୋ ମନର ସମସ୍ତ ଆବେଗ, ସମସ୍ତ ଆତୁରତା, ଅବୁଝା ରହି ଯାଇଛି । ମୋ ଦେହର ସ୍ନାୟୁ ସରହଦରେ ଅନେକ ଅକୁହା ଯନ୍ତ୍ରଣା ଉତ୍‌ଥିତ ହୋଇଛି, ପୁଣି ପ୍ରଶମିତ ହୋଇଯାଇଛି । ହେଲେ କେହି ଜୀବନର ସଂଦକ୍ଷିଣରେ ସ୍ପୃଷ୍ଟି ହେଉଥିବା ଦୁଃଖକୁ ଅନୁଭବ କରିବାକୁ ଆଗେଇ ଆସି ନାହାନ୍ତି ।

 

ନୀରିହ ତଟନୀର ଆବେଗକୁ ସାଗର ବୁଝେନା । ହଜି ଯିବାରେ କେତେ ବ୍ୟାକୁଳତା, କେଡ଼େ ଉତ୍‌ଫୁଲ୍ଲତା ସତେ ? ତାହା କ’ଣ ସାଗର ବୁଝି ପାରେ ?

 

ନିଶ୍ଚୟ ଆକାଶର ନୀରବତାକୁ ଅଦିନରେ ମେଘ କ’ଣ ବୁଝିବ ? ସେ ରିମ୍ ଝିମ ଗୀତ ଗାଇ ଗାଇ ବରସିଯାଏ ସତ, ହେଲେ ଆକାଶ କାହିଁକି ସବୁ ଦେଖି, ଶୁଣି ନୀରବ ରୁହେ ? ତାହା କ’ଣ ଜାଣିପାରେ ?

 

ଅମାନିଆ ସ୍ରୋତ କ’ଣ ଉପକୂଳର ନିଶ୍ଚିନ୍ତତାକୁ ଅନୁଭବ କରେ ? ଉପକୂଳ କାହିଁକି ପାହାଡ଼ ଭଳି ସ୍ଥିର, ଅବିଚଳ, କାହାରିକୁ କିଛି କୁହେ ନାହିଁ, ଚୁପ୍‍ଚାପ୍ ।

 

ଏ ଦୁନିଆରେ କେହି କାହାକୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଆପଣା ସୁଖରେ ଆପେ ମଜଗୁଲ ! ନିଜେ ବଞ୍ଚିଥିଲେ ବାପର ନାଁ । ଅନ୍ୟର ଦୁଃଖ, ସୁଖ, ଯନ୍ତ୍ରଣାର କାହାକୁ ବା କ’ଣ ମିଳିବ । ସ୍ଵାର୍ଥପରତାର ଲଗାମ ଦେହରେ ଆମର ହାତ, ପାଦ ବନ୍ଧା । ଆମେ ଆପଣା ସୁଖରେ ଅନ୍ଧ ହୋଇ ଯାଉଛେ । ଭୁଲି ଯାଉଛେ ଆମର କ୍ଷଣିକ ସୁଖ ପାଇଁ ଅନ୍ୟ ଜଣେ ଜୀବନ ସାରା ଜଳି ପୋଡ଼ି ମରୁଛି । ହାତୀ ଚାଲିଯାଏ ହାତୀ ବାଟରେ ହେଲେ ପିମ୍ପୁଡ଼ି ବାପୁଡ଼ାର ଗୋଡ଼ ହାତ ଭାଙ୍ଗିଯାଏ । ସେ ଜୀବନ ସାରା ହନ୍ତ ସନ୍ତ ହୋଇ ମରେ । ହେଲେ ହାତୀ କ’ଣ ବୁଝିପାରେ ପିମ୍ପୁଡ଼ିର ଯନ୍ତ୍ରଣାକୁ ।

 

ପୁଣି ରାଶି ରାଶି ସ୍ଵପ୍ନର ଚହଲା ଢେଉ ମନକୁ ଆନ୍ଦୋଳିତ କରି ପକାଉଛି । ସେହି ସ୍ଵପ୍ନ, ସେଇ ଅତୀତ । ସେଇ ବିତି ଯାଇଥିବା ଅତୀତର ସ୍ମୃତି । ଘଟି ଯାଇଥିବା ଦୁର୍ଘଟଣାର ଇତିହାସ । ସବୁ ଛନ୍ଦା ଛନ୍ଦି ହୋଇ ମନ ଗହନର ବନସ୍ତକୁ ବିଦୀର୍ଣ୍ଣ କରି ପକାଉଛନ୍ତି । ମୁଁ ଅସ୍ଥିର ହୋଇ ଉଠୁଛି । ମୋ ସ୍ନାୟୁ ଉପସ୍ନାୟୁରେ ଅଜସ୍ର କମ୍ପନର ସ୍ଵର ।

 

ଅତୀତ ।

 

ବୟସର ପାହାଚ ପରେ ପାହାଚର ସ୍ମୃତି ।

 

ଲୋତକପୂର୍ଣ୍ଣ ଯନ୍ତ୍ରଣାର ଇତିହାସ ।

 

ସେତେବେଳେ ମୁଁ ଯୌବନର ଭରା କଳସୀଟିଏ । ଟିକିଏ ଚହଲି ଗଲେ ଅଜାଡ଼ି ହୋଇ ପଡ଼ିବି । ଟିକିଏ ଆଘାତ ପାଇଲେ ଭାଙ୍ଗି ପଡ଼ିବି । ଟିକିଏ ଦୋହଲି ଗଲେ କୌଣସି ନା କୌଣସି ଏକ ଦୁର୍ଘଟଣା ଘଟାଇ ବସିବି । ସେଇଥିପାଇଁ ବୋଉ ମୋର ମୋତେ ପାଦେ ପାଦେ ସତର୍କ କରି ଦେଉଥିଲା । ଏ ବୟସରେ ଅସଞ୍ଜତ ହେବା ହିଁ ବୋକାମିର ପରିଚୟ । ତେଣୁ ସବୁ ମୁହୂର୍ତ୍ତରେ ନିଜକୁ, ନିଜର ଅସଂଲଗ୍ନ ମନକୁ ସଜାଗ ରଖିବାକୁ ହେବ । କାହାର ଖାମଖିଆଲ କଥାରେ ନିଜକୁ ଭସାଇ ଦେବା ଉଚିତ ନୁହେଁ । ଏମିତି କେତେ କ’ଣ ଉପଦେଶାବଳୀ ।

 

ହେଲେ ବୋଉର ଉପଦେଶ ଗୁଡ଼ିକ ମୋତେ ଦୂର ପାହାଡ଼କୁ ଟେକା ଫିଙ୍ଗିଲା ଭଳି ଲାଗୁଥିଲା । ମୋ ମନ ମଧ୍ୟରେ ବୋଉର ସତର୍କତା କିଛି ପ୍ରଭାବ ପକାଇ ପାରି ନଥିଲା । ମୋ ମନ ଉପବନରେ ସେଇ ଗୋଟିଏ ସ୍ଵପ୍ନ–ପ୍ରଦୀପର ଭଲ ମନ୍ଦ । ସବୁ କିଛି ତର୍ଜମା ହେଉଥାଏ । ତା’ରୂପ, ତା’ଗୁଣ, ତା’ ବ୍ୟବହାରର ସୌଜନ୍ୟତା ସବୁ ଯେମିତି ଭିନ୍ନ ଭିନ୍ନ ମନେ ହେଉଥିଲା । ସେ ଅଭିନ୍ନ । ସେ କାହାର ସାଙ୍ଗରେ ମିଶି ପାରେନା । ମୁଁ ଅନୁଭବ କରୁଥିଲି ମୋ ମନର ଜଗତରେ ପ୍ରଦୀପ ଭଳି ସୁନ୍ଦର ତରୂଣ ଆଉ କେହି ନାହିଁ । ତା’ ସୌନ୍ଦର୍ଯ୍ୟପୂର୍ଣ୍ଣ ରୂପ, ଅସମ୍ଭବ ପାଣ୍ଡିତ୍ୟ, ଅତ୍ୟନ୍ତ ଉଦାରତା, ତା’ ବ୍ୟକ୍ତିତ୍ଵକୁ ଆହୁରି ବଢ଼ାଇ ଦେଉଥିଲା । ତା’ଭଳି ପୁରୁଷ ନିକଟରେ ଆଉ କୌଣସି ଭିନ୍ନ ପୁରୁଷ ମୋ ଆଖିକୁ ସୁନ୍ଦର ଦେଖାଯାଉ ନଥିଲେ । ସବୁବେଳେ ମନେ ହେଉଥିଲା ଶତାବ୍ଦୀ ଶତାବ୍ଦୀ ଧରି ମୁଁ ଏମିତି ପ୍ରଦୀପର ଚିତ୍ରପଟକୁ ମାନସ ପଟରେ ଲିପିବଦ୍ଧ କରି ରଙ୍ଗୀନ ସପନ ସବୁ ଦେଖୁ ଥାଆନ୍ତି ।

 

ବହଳ ଯୌବନର ବରଫ ଖଣ୍ଡ ଦେହରେ ସରୁ ପ୍ରାପ୍ତ ବୟସ୍କା ଝିଅମାନେ ଏମିତି ଥରେ ଥରେ ଧକ୍‌କା ଖାଇ ସ୍ଥିତି ଚ୍ୟୁତ ହୋଇ ଥାଆନ୍ତି । ଏବଂ ମନର ଚକ୍ଷୁରେ ଯାହାଙ୍କୁ ସୁନ୍ଦର ବୋଲି ଥରେ ବିବେଚିତ କରି ଥାଆନ୍ତି ତା’ଠାରୁ ବଳି ସୁନ୍ଦର ପୁରୁଷ ବି ତା’ ନିକଟରେ ମଳିନ ଦେଖା ଯାଇ ଥାଏ । ମୋ କ୍ଷେତ୍ରରେ ତାହା ହିଁ ଘଟିବା ସ୍ଵାଭାବିକ ।

 

ପ୍ରତି ମୁହୂର୍ତ୍ତରେ ପ୍ରଦୀପର ସ୍ଵପ୍ନ, ପ୍ରଦୀପର ଚିନ୍ତା ଅନୁଚିନ୍ତା ମୋତେ ବ୍ୟାକୁଳ ବିବ୍ରତ କରି ପକାଉଥିଲା । ଦେହର ଉତ୍ତାପକୁ ମୁଁ ନିଜ ମଧ୍ୟରେ ଚାପି ରଖିପାରୁ ନ ଥିଲି । ମନ ମଧ୍ୟରେ ଅଜସ୍ର ଉତ୍ତେଜନାର କମ୍ପନ । ମନେ ହେଉଥିଲା, ଏମିତି ଦିନେ ହୁଏତ ସମୟ ଆସିବ, ମୁଁ ନିଜେ ନିଜ ମଧ୍ୟରେ ସ୍ଥିର ହୋଇ ରହି ପାରିବି ନାହିଁ । ଦେହର ପଞ୍ଜୁରୀ ମଧ୍ୟରେ ମନ ଚଢ଼େଇଟି ଖାଲି ଛଟପଟ ହେଉଥିଲା । କେହି ଯଦି ଉଦାର ପୁରୁଷଟିଏ ମୋ ମନଟିକୁ ପିଞ୍ଜୁରୀ ମଧ୍ୟରୁ ମୁକୁଳାଇ ଦିଅନ୍ତା ତା’ହେଲେ ମୁଁ ସଙ୍ଗେ ସଙ୍ଗେ ଧାଇଁ ଯାଆନ୍ତି ପ୍ରଦୀପ ନିକଟକୁ ।

 

ତେଣୁ ମୁଁ ପ୍ରତିକ୍ଷଣ–ଅନୁକ୍ଷଣରେ ସୁଯୋଗ ଖୋଜୁଥିଲି କେମିତି ଅପା ଘରକୁ ଯିବି । ହେଲେ ବୋଉ ମୋତେ ପ୍ରତିହତ କରୁଥିଲା । ସେ ଯେମିତି ମୋତେ କୌଣସି ସମୟରେ ତା’ ନିକଟରୁ ଦୂରେଇ ଦେବାକୁ ଚାହିଁ ନ ଥିଲା । ସବୁବେଳେ ବିରକ୍ତ ହୋଇ କହୁଥିଲା–ଏଡ଼େ ବଡ଼ ଆସି ହେଲୁଣି କେଉଁଦିନ ଆଉ ତୁ ରନ୍ଧା ବଢ଼ା, ଧାଡ଼ୀ ସାଣ୍ଠଣା ଶିଖିବୁ । କାଲି ପରି ପର ଘରେ ଘର ସଂସାର ତୋଳିବୁ । ଶାଶୁ, ଶଶୁର, ସାଇ ପଡ଼ିଶା ସବୁ କ’ଣ କହିବେ ? ଗୋଟେ ଭଉଣୀ ପା’ ତୋର ଏଇ ଘରୁ ମଣିଷ ହୋଇଯାଇଛି । ଆଜି ଯାକେ କେହି ତାକୁ ପଦେ ହେଲେ ଖୁଣୀ ଦେଲେଣି ?

 

କିନ୍ତୁ ଅନେକ ସମୟରେ ବାପା ମୋ ପକ୍ଷ ସମର୍ଥନ କରୁଥିଲେ । ବୋଉଙ୍କ ଉପରେ ବିରକ୍ତ ହୋଇ କହୁଥିଲେ–ତମେ ଏମିତି ସବୁବେଳେ କାହିଁକି ଶିଖାଟା ଉପରେ ବିରକ୍ତ ହେଉଛ ମଞ୍ଜୁଳା ? ପିଲା ମନ, ଆଘାତ ଲାଗିବ ନାହିଁ । ତାକୁ ସବୁ କଥା ବୁଝାଇ ସୁଝାଇ କୁହ । ସେ ମନକୁ ବୁଝିଯିବ ଯେ । ଯଦି ସେ ତା’ ଅପା ଘରକୁ ଯିବାକୁ ମନ କରୁଛି ତା’ ହେଲେ ଯାଉ । ସେ ଲେଖା ପାଖରେ ରହିଲେ କ’ଣ ଧାଡ଼ି ସାଣ୍ଠଣା ଭୁଲିଯିବ କି ?

 

ବୋଉ ଚିଡ଼ି ଉଠି ତା’ ଉତ୍ତରରେ କୁହନ୍ତି–ତମର ସବୁବେଳେ ସେଇ ମୁହଁ ଫୁଲା କଥା ଗୁଡ଼ାକ ମୋତେ ମୋଟେ ଭଲ ଲାଗୁନାହିଁ । ଏ ବୟସରେ ଲଗାମ ଛଡ଼ା କଲେ ଫଳ ଭୋଗିବ ଯେ-? ଦେଖୁନା, ସେ ବିଶିଆ ତନ୍ତୀ ଝିଅଟାର ଅବସ୍ଥା କ’ଣ ହେଲା । ବାପ–ମା’ଙ୍କର ଗେହ୍ଲା ଝିଅ ବୋଲି ଗେଲବସରରେ ବଢ଼ିଥିଲା ଯେ ? ସେଇଥିପାଇଁ ବାପ–ମା’ଙ୍କର ଗୋଡ଼ ତଳେ ଲାଗୁ ନ ଥିଲା । ହେଲେ ଶେଷରେ ବାଉରୀ ଟୋକା ନବୀନା ସାଙ୍ଗରେ ପଳାଇଲା ଯେ, ତାକୁ ବାପ–ମା’ ଶେଷରେ ସୁଧବାଦ ହେଲେ । କ’ଣ ସେ ଅଦେଖା ଫୁଲାଣରୁ ମିଳେ କେଜାଣି ?

 

ବୋଉଙ୍କର ଏ ମୁହଁ ମୋଡ଼ା ଦେଖି ବାପା କହି ଉଠିଥିଲେ–ବୁଝିଲ ମଞ୍ଜୁଳା । ଶିଖା ମୋ ଝିଅ ମ ? ସେ କ’ଣ ବିଷିଆ ତନ୍ତୀ ଝିଅ ହୋଇଛି ? ତମର ସେ ବାଜେ କଳ୍ପନା ମନ ମଧ୍ୟରେ ସ୍ଥାନ ଦେବା ଭୁଲ ।

 

ବୋଉ ଚୁପ୍ ହୋଇ ଯାଇଥିଲା । କିଛି କହି ନଥିଲା ହେଲେ ମନ ମଧ୍ୟରେ ଗର ଗର ହେଉଥିଲା ମୋ ଉପରେ । କାରଣ ମୁଁ ଥିଲି କଜିଆର କେନ୍ଦ୍ରବିନ୍ଦୁ । ମୋ ଚତୁଃପାର୍ଶ୍ୱର ପରିଧି ମଧ୍ୟରେ ବାପା ବୋଉଙ୍କର ଶଦ୍ଦଲିପି ସବୁ ଯୋଖି ହୋଇଯାଉଥିଲା । ମୁଁ ଅସହାୟ ହୋଇ ଉଠୁଥିଲି-। ପୁଣି କୂଳକିନାରା ଖୋଜି ପାଉଥିଲି । ଉତ୍‌କ୍ଷିପ୍ତ ମନଟାକୁ ସାନ୍ତ୍ଵନା ଦେଉଥିଲି ।

 

ଅନ୍ୟ ପକ୍ଷରେ ପ୍ରଦୀପ ବେଶ ଅପାର ସ୍ନେହ, ଶ୍ରଦ୍ଧା, ମମତାର ସାଗର ମଧ୍ୟରେ ବୁଡ଼ି ରହିଥିଲା । କେବେ କିଛି ଅସୁବିଧା ଅନୁଭବ କରିନଥିଲା । ରାଇ ଭାଇ ତା’ ପାଠପଢ଼ା ପ୍ରତି ସବୁବେଳେ ସଚେତନ ଥାଆନ୍ତି । ରାତି ପାହିଲେ ଶେଷ ବର୍ଷର ପରୀକ୍ଷା । ତେଣୁ ସକାଳ ସଞ୍ଜ ସବୁ ସମୟରେ ଟିଉସନ୍‌ ମାଷ୍ଟର ଖଞ୍ଜା ହୋଇଥିଲା । ଯେମିତି ହେଲେ ପରୀକ୍ଷାରେ ପୂର୍ବ କୃତିତ୍ୱକୁ ହାସଲ କରିବାକୁ ହେବ ।

 

କିନ୍ତୁ ପ୍ରଦୀପ ବେଳେ ବେଳେ ପାଠପଢ଼ାରେ ଅତିଷ୍ଠ ହୋଇ ଉଠୁଥିଲା । ମନର ଯନ୍ତ୍ରଣାକୁ ଉପଶମ କରିବା ପାଇଁ ସେ ଅପାକୁ କହି ଆମ ଘରକୁ ଧାଇଁ ଆସୁଥିଲା । ଏ କଥାରେ ରାଇ ଭାଇ ବିରକ୍ତ ହେଉଥିଲେ । କିନ୍ତୁ ଅପା ତାଙ୍କୁ ବୁଝାଇ ଦେଇ କୁହେ–ପିଲାଟି ସବୁବେଳେ ଏମିତି ପାଠ ପଢ଼ି ବସିଲେ ତା’ ମୁଣ୍ଡ ଖରାପ ହୋଇଯିବନି ? ପିଲା ମୁଣ୍ଡ ଯାଉ ତା’ ମାମୁଁ ଘରେ ଦିନେ ଦୁଇଦିନ ବୁଲି ଆସିବ ?

 

ପ୍ରଦୀପର ପାଠପଢ଼ା ଲାଗି ମୁଣ୍ଡ ଗୋଳମାଳ ହୋଇ ଯାଉ ନଥିଲା । ମୁଣ୍ଡ ବିଗିଡ଼ି ଯାଉଥିଲା ମୋ ଲାଗି । ତା’ ମନର ମାନସୀ ଲାଗି । ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୋ ଉପସ୍ଥିତିକୁ ମନ ଗହନରେ ଅପେକ୍ଷା କରୁଥିଲା । ଆମ ଦୁହିଁଙ୍କ ଆକର୍ଷଣ ଯେମିତି ଅନୁରୂପ । ଜଣେ ଅନ୍ୟ ଜଣକ ଦେହ ମଧ୍ୟରେ, ମନ ଅରଣ୍ୟରେ ଉଦ୍‌ଜୀବିତ ହୋଇ ଉଠୁଥିଲୁ । ପ୍ରଦୀପକୁ ପାଖରେ ପାଇଲେ ମୁଁ ସରଗରୁ ଚାନ୍ଦ ପାଇଲା ଭଳି ମନେ କରୁଥିଲି, ମୋ ମନର ଚଞ୍ଚଳତା, ମୋ ଦେହର ମେଞ୍ଚା ମେଞ୍ଚା ଯୌବନର ଉତ୍ତାପ ସବୁ ନିର୍ବାପିତ ହୋଇ ଯାଉଥିଲେ । ମୁଁ ସ୍ଥିର, ଶିଥିଳ, ଅବିଚଳିତ ହୋଇ ଉଠୁଥିଲି ।

 

ପ୍ରଦୀପ ସହିତ ମିଳାମିଶାକୁ ବାପା ଯେ; କି ଭଲ ପାଉଥିଲେ, ବୋଉ ସେତିକି ଉତ୍‌କ୍ଷିପ୍ତ ହୋଇ ଉଠୁଥିଲେ । ବୋଉ ଜାଣେ ଯୌବନ ପ୍ରାପ୍ତ ଝିଅମାନେ ଘିଅ ସାଦୃଶ୍ୟ । ପୁରୁଷର ସାନିଗ୍‌ଧ ପାଇଲା ମାତ୍ରେ ସେମାନେ ତରଳି ଯାଆନ୍ତି ମୁହୂର୍ତ୍ତେ ବି କାହାରି ଅବଜ୍ଞାକୁ ଅପେକ୍ଷା କରନ୍ତି ନାହିଁ ।

 

ବାପା ହସି ହସି କୁହନ୍ତି–ଶିଖାଟା ଆମର ପାଠ ପଢ଼ୁଥିଲେ ପ୍ରଦୀପ ସାଙ୍ଗରେ ପଢ଼ୁଥାଆନ୍ତା । ଏହା କ୍ଲାସରେ ପଢ଼ୁଥିଲେ ଯେତେବେଳେ କିଛି ଅସୁବଧା ହେଉ ନ ଥାନ୍ତା କେବଳ ଏଇ ଲେଖା ବୋଉ ପାଇଁ ପରା ତା’ ପାଠପଢ଼ା ବନ୍ଦ ହେଲା ?

 

ପରକ୍ଷଣରେ ପ୍ରଦୀପ ମୋ ସମ୍ମୁଖରେ ଦୂରେଇ ଗଲେ ମୁଁ ସବୁକିଛି ହରାଇ ବସୁଥିଲି । ମୋତେ ଚାରିଆଡ଼େ ଦିଗଶୂନ୍ୟ ଭଳି ମନେ ହେଉଥିଲା । ଦିନର ଆଲୋକକୁ ଯେମିତି ଅନ୍ଧକାର ଗ୍ରାସି ଗଲା ଭଳି ମୋତେ ଚାରିଆଡ଼ ସବୁ ଅନ୍ଧାର ଅନ୍ଧାର ଲାଗୁଥିଲା । ସ୍ଵପ୍ନର ଅରଣ୍ୟ ଦେହରେ ମୁଁ ଛନ୍ଦି ହୋଇ ଯାଉଥିଲି । ଆଗେଇ ଯିବାକୁ ରାସ୍ତା ପାଉ ନ ଥିଲି । ବାଟ ଭୁଲା ପଥିକଟି ଭଳି ଗୁଳୁଚି ଲଟା ଦେହରେ ଗୁଡ଼େଇ ତୁଡ଼େଇ ହୋଇ ଯାଉଥିଲି ।

 

ଦିନର ଆଲୋକ ଯନ୍ତ୍ରଣାକୁ ପ୍ରତିହତ କଲେ ରାତ୍ରିର ଅନ୍ଧକାର ପୁଣି ଜୀବନ୍ୟାସ ଦେଇ ଉଦଯାପିତ କରୁଥିଲା । ଅନ୍ଧାର ଦେହରେ ଖାଲି ମେଞ୍ଚା ମେଞ୍ଚା ସପନ । ବିତି ଯାଇଥିବା ଅତୀତର ସାବଲୀଳ କାହାଣୀ ସବୁ ସ୍ଵପ୍ନ ଦେହରେ ଗୁନ୍ଥା ହୋଇ ଯାଆନ୍ତି । ଦହନର ଯନ୍ତ୍ରଣାରେ ଅଣନିଶ୍ୱାସୀ ହୋଇ ମରିଯିବା ବେଳେ ଏଇ ସ୍ଵପ୍ନ ହିଁ କେବଳ ବଞ୍ଚିବାର ଅଶ୍ଵାସନା ଦେଉଥିଲା । ହେଲେ ଦେହ, ମନ, ମାଂସପେଶୀର ଦହନ ଯନ୍ତ୍ରଣାକୁ କ’ଣ ସ୍ଵପ୍ନ ସବୁ ଅପହରଣ କରି ନେଇପାରେ ? ବରଂ ଜଳନ୍ତା ନିଆଁରେ ପେଟ୍ରୋଲ ଜାଳିଲା ଭଳି ଆହୁରି ଉତ୍ତେଜିତ କରେ । ଯାହାକୁ ସଜ୍ୟ କରିବା ଏକାବେଳେକେ ମୋ ନିକଟରେ ଅସମର୍ଥ ହୋଇ ଉଠେ ।

 

ନିଜର ବାପା–ମା’ ଭାଇ ବନ୍ଧୁଙ୍କୁ ଦୂରେଇ ଦେଇ ମଧ୍ୟ ପ୍ରଦୀପ ବେଶ୍ ସୁଖୀ ହୋଇ ପାରିଥିଲା । ଅପାର ସ୍ନେହ, ପ୍ରେମ, ମମତା ତାକୁ ଚନ୍ଦନ ଭଳି ଲାଗୁଥିଲା । ଆସିଲା ଦିନଠାରୁ ସେ ତା’ ପାଳିତ ବାପା ବୋଉଙ୍କୁ ଦୂରେଇ ଯାଇ ତା’ ନିଜ ମା’ କୋଳକୁ ଫେରି ଯାଇ ନ ଥିଲା । ଅପା–ରାଇଭାଇଙ୍କ ନିକଟରେ ସେ କେବେ ହେଲେ ସ୍ନେହ, ମମତାରେ ଊଣା ଦେଖି ନ ଥିଲା । ତେଣୁ ଅପାର ବାତ୍ସଲ୍ୟ ମମତାର ଅଦିନ କୁହୁଡ଼ି ଦେହରେ ପ୍ରଦୀପ ହଜି ଯାଉଥିଲା । ମନେ ମନେ ଭାବୁଥିଲା, କାଲି ପରି କଲେଜକୁ ପଢ଼ିବାକୁ ଗଲେ ବାପା ବୋଉଙ୍କଠାରୁ ମୁଁ କେମିତି ରହି ବଞ୍ଚି ପାରିବି ?

 

ଅପା ମଧ୍ୟ ଅନୁରୂପ ଚିନ୍ତା କରୁଥିଲା । ମୋ ଅଖୋଜା ଧନ, ମୋ ରଙ୍କରତନକୁ ଦୂରେଇ ଦେଇ ମୁଁ ବଞ୍ଚିବି କେମିତି ? କାହା ପାଇଁ ତା’ର ଏ ଘଣ୍ଟା ଘଣ୍ଟା ପ୍ରତୀକ୍ଷା । ସ୍କୁଲରୁ ନ ଫେରିଲା ପର୍ଯ୍ୟନ୍ତ ସେ ଦୁଆର ମୁହଁରେ ଚାହିଁ ବସିଥାଏ ସେଇ ଦୂର ରାସ୍ତାକୁ । କେତେବେଳେ ତା’ ମଣି ମାଣିକ ଫେରିବ ।

 

ଏ କଥା ଶୁଣିଲେ ଅପା ଉପରେ ରାଇ ଭାଇ ବିରକ୍ତ ହେଉଥିଲେ । ସେ ଅପା ଉପରେ ରାଗିଯାଇ କହୁଥିଲେ–ପିଲାଟିକୁ ତମେ ଅତ୍ୟଧିକ ସ୍ନେହ କରି ନଷ୍ଟ କରିଦେବ ଦେଖାଯାଉଛି । ତମ ସ୍ନେହ, ମମତା ତମ ମନ ମଧ୍ୟରେ ଥାଉ । ପିଲାଟାକୁ ଟିକିଏ ନିର୍ବିକାରରେ ପଢ଼ିବାକୁ ଦିଅ । ଏ ସମୟରେ ତା’ ମନ ମଧ୍ୟରେ ବ୍ୟତିକ୍ରମ ହେଲେ ପରୀକ୍ଷାରେ ଖରାପ କରିବ ଯେ ?

 

ଅପା ଚୁପ୍‍ ହୋଇଯାଏ । କେତେ ଅଭିମାନର ଲହଡ଼ି ତା’ ପଣତକାନି ତଳେ ଚକାଭଉଁରୀ ଖେଳେ । ସେ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଉଠେ । ପୁଣି ସ୍ଥିର ହୋଇଯାଏ । ସେ ଚାହେଁନା ପ୍ରଦୀପର କିଛି ଗୋଟାଏ ଅଘଟଣ ଘଟି ଯାଉ । ପ୍ରଦୀପ ହିଁ ତା’ ଜୀବନର ଗତି–ମୁକ୍ତି ଆଲୋକ–ଅନ୍ଧାର ସବୁ କିଛି ।

 

ସେଇ ବାତ୍ସଲ୍ୟ ମମତା ମଧ୍ୟରେ ରାଇ ଭାଇଙ୍କ ଅଲକ୍ଷରେ ଅପା ଅତୀତକୁ ଫେରିଯାଏ-। ଇଚ୍ଛା କଲେ ବି ଆଉ ଅଲେଖ ଭାଇଙ୍କ ସ୍ମୃତି ମନେ ପଡ଼େନା । କିଛି ଝାପ୍‌ସା ଝାପ୍‌ସା ସ୍ମୃତି, ତାକୁ ଯେମିତି ପ୍ରଦୀପର ବୋଉ ଡାକ ସବୁ ସ୍ଵପ୍ନକୁ ହଜେଇ ଦେଇଛି । ସବୁ ଅତୀତକୁ ପିଞ୍ଜରା ବଦ୍ଧ କରି ଦେଇଛି । ସେ ଯେମିତି ଭାବି ଚାଲୁଥିଲା–ସବୁ ଅତୀତ, ସବୁ ସ୍ମୃତି, ସବୁ ସ୍ଵପ୍ନ ଗୁଡ଼ାକ ଏକ ଛଳନା-। ଯେଉଁଥିରେ ବାସ୍ତବତା ବି ଅବାନ୍ତର ସ୍ଵପ୍ନରେ ପରିଣତ ହୋଇଯାଏ ।

 

ମଣିଷ କ’ଣ ସ୍ଵପ୍ନକୁ ନେଇ ବଞ୍ଚେ ?

 

ନାଁ ।

 

ତା’ହେଲେ ?

 

ମଣିଷ ବାସ୍ତବତାକୁ ନେଇ ବଞ୍ଚେ ।

 

ଅତୀତର ସ୍ମୁତି ଖାଲି ଯନ୍ତ୍ରଣା ବଢ଼ାଏ । ଦେହ ମନ, ସ୍ନାୟୁ, ମାଂସପେଶୀ, ସବୁଥିରେ ଭରିଦିଏ ଅନେକ ଦହନର ଯନ୍ତ୍ରଣା । ଯାହାକୁ ସହ୍ୟ କରି ହୁଏନା କାମନାର ଜ୍ଵଳନରେ କୁହୁଳି କୁହୁଳି ଅନାସ୍ଵାଦ ଇଚ୍ଛାମାନଙ୍କୁ ନେଇ ଘୁସୁରି ଘୁସୁରି ବଞ୍ଚିବାକୁ ହୁଏ ।

 

ଅପା ଅତୀତ ଦେହରୁ ଫେରିଆସି ବାସ୍ତବତା ଦେହରେ ହଜିଯିବାକୁ ଚେଷ୍ଟା କରେ । ସଂସାରର ଲମ୍ବା ଚଲା ପଥ ଉପରେ ଯେତିକି ହିଁ ଭଗବାନଙ୍କ କୃପାରୁ ମିଳିଲା ସେତିକି ପାର୍ଥିବ ସୁଖକୁ ସାଙ୍ଗରେ ବହି ନେଇ ଚାଲିବାକୁ ଚେଷ୍ଟା କରୁଥିଲା ସେ ?

 

ହେଲେ ଗୋଟିଏ ଦିନର ଦୂରତ୍ଵ ଅତିକ୍ରମ କରିବା କ୍ଷଣି ମୁଁ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଉଠୁଥିଲି । ମୋ ଦେହର ଯୌବନ ରୂପକ କଅଁଳ କପୋତୀଟି ଡହଳ ବିକଳ ହୋଇ ଉଠୁଥିଲା । ମୁଁ ବାପା–ବୋଉଙ୍କର ଆକଟ ପଞ୍ଜୁରୀ ମଧ୍ୟରେ ଆଉ ମୁହୂର୍ତ୍ତେ ବି ରହିବାକୁ ଇଚ୍ଛା କରୁନଥିଲି । ସବୁବେଳେ ପ୍ରଦୀପକୁ ନେଇ ଭବିଷ୍ୟତର ଘର ସଂସାର କରିବାର ସ୍ଵପ୍ନ ଦେଖୁଥିଲି ।

 

ମେଞ୍ଚା ମେଞ୍ଚା ସ୍ଵପ୍ନ ।

 

ଆଉ ମୁଁ ।

 

ସେଇ ଦିନଟି ଦିନେ ଆସିବ । ଯେଉଁଦିନ ପ୍ରଦୀପ ବର ବେଶ ସାଜି ଚଉ–ଢଳରେ ଚଢ଼ି, ବାଣ ରୋଷଣି ଫୁଟାଇ ତାକୁ ବୋଉର ଆକଟ ପଞ୍ଜୁରୀ ମଧ୍ୟରୁ ମୁକ୍ତ କରିନେବ । ଆମେ ଦୁଇଜଣ ମୁକ୍ତ ବିହଙ୍ଗ ବିହଙ୍ଗୀ ଭଳି ଉଡ଼ି ବୁଲିବୁ ପୃଥିବୀର ଏ ଉପାନ୍ତରୁ ସେ ଉପାନ୍ତ, ଏ ଦିଗରୁ ଉପଦିଗ ପର୍ଯ୍ୟନ୍ତ । କାହାରି ଅଟକ ଘର ମଧ୍ୟରେ ଆମେ ବନ୍ଦୀ ହୋଇ ରହିବୁନି । ଆମେ ସ୍ନେହ, ମମତା, ପ୍ରଣୟର ବନ୍ଧନରେ ବାନ୍ଧି ହୋଇ ଯାଇଥିବୁ ସବୁ ଦିନକୁ । ସେଇ ନିଚ୍ଛାଟିଆ ଅରଣ୍ୟର ଝରଣା କୂଳରେ ଛୋଟିଆ ପତ୍ର କୁଡ଼ିଆଟିଏ ତିଆରି କରିବୁ । ସେଠିକାର ସେଇ କନ୍ଧ, କୋହ୍ଲ, ସଉରାମାନଙ୍କ ସହିତ ହଜିଯିବୁ । ମୁଣ୍ଡ ଝାଳ ତୁଣ୍ଡରେ ମାରି, ପଥର କାଟି, ଝରଣାର ପାଣି ପିଇ ଦିବସ ଅତିବାହିତ କରିବୁ ।

 

ସମୟ ବହିଯିବ……

 

ନାରୀ ଜୀବନର ସର୍ବଶ୍ରେଷ୍ଠ କାମନା ନେଇ ମୁଁ ସନ୍ତାନର ଜନନୀ ହେବି । ଅନେକ ପ୍ରତୀକ୍ଷା, ଅନେକ ଆଶା–ଆକାଂକ୍ଷାର ଜ୍ଵଳନ୍ତ ନିଦର୍ଶନ ସ୍ଵରୂପ ମୋ କୋଳରେ ଜନ୍ମ ନେବ ପୁତ୍ର ସନ୍ତାନଟିଏ । ପ୍ରଦୀପ ଖୁସି ହୋଇ କହିବ ଆମେ ତା’ ନାଁ ଦେବା ଶୁକୁରା ମୁଣ୍ଡା । ମୁଁ ଚିଡ଼ି ଉଠିବି । ସେ ମୋତେ ବୁଝାଇ କହିବେ ଆମେ ତ ଏଇ ଅରଣ୍ୟ ସଭ୍ୟତା ଦେହରେ ହଜି ଯାଇଛେ, ତେଣୁ ଆମେ ତା’ ନାଁ ଦେବା ଶୁକୁରା । ସେ ଏଇ ମୁଣ୍ଡା ପିଲାଙ୍କ ସହିତ ହସିବ, ଖେଳିବ, ପାହାଡ଼ ଜଙ୍ଗଲରେ ବୁଲି ଶିକାର କରିବ । କାଠ କାଟିବ, ଝୁଣା ମହୁଲ ସଂଗ୍ରହ କରିବ । ସେଇ ତ ଆମ ଜୀବନ ।

 

ମୁଁ ଅଭିମାନରେ ଓଢ଼ଣା ସନ୍ଧୀରେ ମୁହଁ ଲୁଚାଇ ଦେବି । ମୁଁ ସେ କଥାରେ ସନ୍ତୁଷ୍ଟ ନୁହେଁ ବୋଲି ମୋ ଆଖିକୋଣରୁ ଦୁଇ ଧାର ତତଲା ଲୁହ ବହି ଆସିବ । ପ୍ରଦୀପ ତା’ ଭୁଲ ପାଇଁ ଅନୁତପ୍ତ ହୋଇ ମୋ ଆଖିରୁ ଲୁହ ପୋଛି ଦେବ । କାରଣ ମୁଁ ତା’ କଥାରେ ସନ୍ତୁଷ୍ଟ ହୋଇ ପାରି ନାହିଁ । ସେ ଆଦର କରି ମୋତେ ତା’ଛାତି ଉପରକୁ ଭିଡ଼ି ନେବ । ମୁଁ ତା’ ଛାତି ଉପରେ ମୁଣ୍ଡ ରଖି ଅନୁତ ପର ସ୍ପନ୍ଦନ ଗୁଡ଼ିକୁ ଗଣିବାକୁ ଚେଷ୍ଟା କରିବି ।

 

ତା’ପରେ ?

 

ତା’ପରେ ତୁନି ତୁନି ହୋଇ କହିବି–

 

ପ୍ରଦୀପ ତମେ ମୋର ଆଖିର, ଅନେକ ଆଶା ଆକାଂକ୍ଷାର–ଭୂତ, ଭବିଷ୍ୟତର–ଆଲୋକ ବର୍ତ୍ତିକା ସମ ଉଜ୍ଜ୍ୱଳ ପ୍ରଦୀପ । ତମ ବିନା ମୋ ଆଖିର ପୋ–ଡୋଳାରେ ଜ୍ୟୋତି ନାହିଁ । ମୁଁ ଅନ୍ଧୁଣୀ ହୋଇ ଯାଇଛି । ତମ ଦେହରେ ମୁଁ ଶିଖା ହୋଇ ଜଳୁଛି । ଦୀପ ବିନା କ’ଣ ଶିଖା ଉତ୍ପତି କେବେ ସମ୍ଭବ ? ସେଇ ଦୀପ । ସେଇ ଶିଖାର ସଂଯୋଗରେ ସୃଷ୍ଟି ହୋଇଥିବା ସନ୍ତାନଟିର ନାଁ ହେବ ..ଦୀପକ ?

 

ପ୍ରଦୀପ ଖୁସି ହୋଇ ମୋ ଗାଲରେ ସରୁ ଚୁମାଟିଏ ଦେବ । ମୁଁ ଅଜଣା ପୁଲକରେ ଶିହରି ଉଠିବି । ମୋ ରକ୍ତ କଣିକାରେ ଯେମିତି ଭରି ହୋଇଯିବ ଅନେକ କାମନାର କଦମ୍ବ ଫୁଲ ସବୁ ।

 

ଏସବୁ କଥା ଭାବି ଭାବି ଯୌବନର ତୀବ୍ରତାରେ ମୁଁ ଅନ୍ଧ ହୋଇ ଯାଉଥିଲି । ସେତେବେଳେ ଭୁଲି ଯାଇଥିଲି ଯେ ସମାଜର ଆଇନ୍‍କାନୁନ ଅନୁସାରେ ମୁଁ ଏକ ଭିନ୍ନମୁଖୀ ନଦୀ-। ମୋ ଦେହରେ ପ୍ରଦୀପ ପାଇଁ ଏତାଦୃଶ୍ୟ ଦୁର୍ବଳତା ସୃଷ୍ଟି ହେବା ଅନୁଚିତ । ମୁଁ ତା’ର ମାଉସୀ । ସେ ମୋର ପୁତ୍ରବତ୍ ।

 

କିନ୍ତୁ ଦେହର ନିବୁଜ କୋଠରୀ ମଧ୍ୟରେ ଯୌବନର ମେଞ୍ଚା ମେଞ୍ଚା ଅନ୍ଧକାର ମୋତେ ଅନ୍ଧ କରି ଦେଇଥିଲା । ମୁଁ ମୋର ସମସ୍ତ ଚେତନାର ଚନ୍ଦ୍ରଚମ୍ପାକୁ ହଜାଇ ବସିଥିଲି । ସେଇ ଗୋଟିଏ ସ୍ଵପ୍ନ–ସେଇ ଗୋଟିଏ ଆକାଂକ୍ଷା–ସେଇ ଗୋଟିଏ ପ୍ରତିଛବି–ସେଇ ଗୋଟିଏ ଅଭିବ୍ୟକ୍ତି ।

 

ପ୍ରଦୀପ ।

 

ପ୍ରଦୀପ ମୋର ସ୍ଵପ୍ନ–ପ୍ରଦୀପ ମୋର ଜୀବନ–ପ୍ରଦୀପ ମୋର ଶୋଷ । ପ୍ରଦୀପ ମୋର ସବୁକିଛି । ତା’ ବିନା ମୋତେ ଚଉଦିଗ ଅନ୍ଧକାର ଦେଖା ଯାଉଥିଲା । ତା’ ବ୍ୟତୀତ ମୋ ଜୀବନ ଦୁର୍ବିଶହ ହୋଇ ଉଠୁଥିଲା ।

 

ସବୁଦିନ ପରି କିଛି ଆଲୋକ–କିଛି ବଞ୍ଚିବା ପାଇଁ ନୂତନ ଉନ୍‌ମାଦନା । କିଛି ଅନ୍ଧକାର–କିଛି ଆପଣାର ପଦାର୍ଥକୁ ହଜେଇ ଦେଇଥିବାର ଯନ୍ତ୍ରଣା । ସବୁ ସେଇ ସମୟର ସୁଅରେ । ସବୁ ଘଟଣା–ସବୁ ଅଘଟଣା–ସବୁ ଭାବି ନ ଥିବାର ସ୍ଵପ୍ନ, ଦୁର୍ଘଟଣା ଭଳି ଘଟିଯାଏ । ସବୁ ସେଇ ସମୟର ରଥଚକ୍ର ଭଳି ଓଲଟ ପାଲଟା ହୋଇଯାଏ । ଏମିତି ସବୁ କିଛି........

 

ସବୁ ସେଇ ସମୟର ସୁଅରେ–

 

ତା’ ମଧ୍ୟରେ ଅଚାନକ ଏକ ବ୍ୟତିକ୍ରମର ଝଡ଼ ବହି ଯାଇଥିଲା ରାଇ ଭାଇଙ୍କ ପରିବାର ଉପର ଦେଇ । ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ଲେଖା ଅପା ଅତିଷ୍ଟ ହୋଇ ଉଠିଥିଲେ । ବହୁତ ଡାକ୍ତର କବିରାଜ ଦେଖିଗଲେ । ହେଲେ କିଛି ଫଳ ହେଲାନାହିଁ । ଅଜସ୍ର ଅର୍ଥ ଅନ୍ୟାୟସରେ ରାଇ ଭାଇ ଖର୍ଚ୍ଚ କରି ଚାଲିଥିଲେ । ଲେଖା ଅପା ହିଁ ତାଙ୍କ ପରିବାରର ପ୍ରାଣ କେନ୍ଦ୍ର-। ତାଙ୍କ ବିନା ଅନ୍ୟମାନଙ୍କର ସ୍ଥିତି ଟଳମଳ । ତେଣୁ ପ୍ରଦୀପ ଏବଂ ରାଇ ଭାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

 

ରାଇ ଭାଇ ନିଶ୍ଚିତ ଭାବେ ଅନୁଭବ କରୁଥିଲେ ଯେ–ଜୀବନ ସାରା ଜଳି ଜଳି ଲେଖା କିଛି ହେଲେ ଟିକିଏ ସୁଖ ଶାନ୍ତି ପାଇ ନାହିଁ । ପର ପୁଅକୁ ପୁଅ କରି ବାତ୍ସଲ୍ୟ ମମତାରେ ବାନ୍ଧି ରଖିଲେ ସମାଜ ସିନା ମା’ର ସମ୍ମାନ ଦିଏ ହେଲେ ଆପଣା ମନ ଆପଣାକୁ ପ୍ରତି ମୁହୂର୍ତ୍ତରେ ଆଘାତ କରିବସେ ।

 

ସେହି ସମୟରେ ମୋତେ ପ୍ରଦୀପ ସହିତ ସମ୍ପର୍କ ସ୍ଥାପନ କରିବାକୁ ସୁଯୋଗ ମିଳିଯାଇ ଥିଲା । ବାପା ଅପାର ଏତାଦୃଶ ଅବସ୍ଥା ଦେଖି ତାଙ୍କ ଘରର ଯାବତୀୟ କାର୍ଯ୍ୟ ସମ୍ଭାଳିବାକୁ ମୋତେ ପଠେଇ ଦେଇଥିଲେ ଅପା ଘରକୁ । ଅପା ପାଖରେ ପ୍ରତି ମୁହୂର୍ତ୍ତରେ ଜଗି ରହିବାକୁ ପଡ଼ିବ । ତା’ ଛଡ଼ା ରନ୍ଧାବଢ଼ା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ମୋତେ ହିଁ କରିବାକୁ ପଡ଼ିବ ।

 

ସେତେବେଳେ ପ୍ରଦୀପର ଶେଷ ବର୍ଷର ପରୀକ୍ଷା ସରିଯାଇ ଥାଏ । ସେ ସେଇ ବିରାଟ ଘରଟି ମଧ୍ୟରେ ଏକା ଏକା । ଅପା ଅନ୍ୟ ଏକ କୋଠରେ ଯନ୍ତ୍ରଣାରେ ଅତିଷ୍ଠ ହେଉଥିଲା । ମୁଁ ତା’ର ସମସ୍ତ ଭଲ ମନ୍ଦ ବୁଝୁଥିଲି । ରୋଷେଇ ବାସ ମଧ୍ୟ କରୁଥିଲି । କିନ୍ତୁ ଅନ୍ୟ କେତୋଟି ନିରୋଳା ମୁହୂର୍ତ୍ତରେ ପ୍ରଦୀପ ଆଉ ମୁଁ ଏକା ଏକା । ରାଇ ଭାଇ ସବୁବେଳେ ସେଇ ଗାଁ ମାମଲତ୍‌ରେ ବ୍ୟସ୍ତ ରହୁଥିଲେ ।

 

ତାରି ମଧ୍ୟରେ କେତେ ଅକୁହା ମୁହୂର୍ତ୍ତ ନଦୀ ହୋଇ ବହି ଯାଇଥିଲା । କେତେ ଅକୁହା ବେଦନା ଝରଣା ହୋଇ ଝରି ଯାଇଥିଲା । କେତେ ଅସରନ୍ତି କିମ୍ବଦନ୍ତି ହ୍ରଦ ପରି ଅବିଚଳ, ସ୍ଥିର ହୋଇଯାଇଥିଲା ।

 

ମୁହୂର୍ତ୍ତ ପରେ ମୁହୂର୍ତ୍ତ ।

 

ସମୟର ଘଣ୍ଟାରେ ଚିକ୍ ଚିକ୍ ଶବ୍ଦ । ପ୍ରଦୀପର ପିଞ୍ଜରା ହାଡ଼ ମଧ୍ୟରେ ଦିକ୍ ଦିକ୍‌ ଶବ୍ଦ । ବଳିଷ୍ଠ ମାଂସ ପେଶୀର ସ୍ପନ୍ଦନ । ସ୍ନାୟୁ, ଉପସ୍ନାୟୁରେ ଶିରା ପ୍ରଶିରାରେ ରକ୍ତ କଣିକାମାନଙ୍କର ଉଦ୍‌ବେଗତା । ମନରେ ବିଜୁଳିର ଚମକ । ସବୁ ଯେମିତି ଏକାକାର ହୋଇ ସିଂହ ସ୍ତାବକ ପରି ହିଂସ୍ର ହୋଇ ଉଠୁଥିଲା । ମନେ ହେଉଥିଲା ଯେମିତି କୌଣସି ଏକ ଦୁର୍ଘଟଣା ଘଟିଯିବ କି ?

 

ଦୁର୍ଘଟଣା ଘଟିଯିବା ପୂର୍ବରୁ ଲେଖା ଅପାର ଆହତ ଯନ୍ତ୍ରଣା ଆମକୁ ପ୍ରତିହତ କରି ଦେଉଥଲା । ଆମେ ଦୁହେଁ ଦୁହିଁଙ୍କ ଠାରୁ ବିଚ୍ଛିନ୍ନ ହୋଇ ଯାଉଥିଲୁ । ଏକ ଉପନଦୀ ଭଳି–। ଏକ ଅସନ୍ତୁଷ୍ଟ ଝଡ଼ର ଆବେଗ ଭଳି । ସବୁ ଘଟିଯିବା ପୂର୍ବରୁ ଶିଥିଳ ହୋଇଯିବା ପରି । ଚୁପ୍‍ଚାପ । ଶୁନ୍….ଶାନ୍….।

 

ପ୍ରତି ମୁହୂର୍ତ୍ତରେ ପ୍ରଦୀପକୁ ମୁଁ ପାଖରୁ ଛାଡ଼ିବାକୁ ରାଜି ହେଉ ନ ଥିଲି । ସବୁବେଳେ ସେ ମୋ ପାଖରେ ରହିବା ପାଇଁ ଜୋର କରୁଥିଲି । ପ୍ରଦୀପ କେତେବେଳେ ମୋ କଥାକୁ କାଟି ପାରୁ ନ ଥିଲା । ସେ ଜାଣେ ମୁଁ ଭାରି ଅଭିମାନିନୀ । ଟିକିଏ ଟିକିଏ ଛୋଟ ଛୋଟ କଥାରେ ମୁଁ ଲାଜକୁଳି ଲତା ଭଳି ଝାଉଁଳି ପଡ଼ିବି । ଆଖିକୋଣରୁ ଟୋପା ଟୋପା ଲୁହ ଝରି ପଡ଼ିବ । ମୋ ଆଖିରେ ଲୁହ ଦେଖିଲେ ଯନ୍ତ୍ରଣାରେ ତା’ ଛାତି ବିଦାରି ହୋଇ ଉଠିବ । ଦୁଃଖରେ ଅତିଷ୍ଠ ହୋଇ ଉଠିବ ।

 

କାହିଁକି ମୋ ପାଇଁ ତା’ ଛାତିରେ ଏତେ ଯନ୍ତ୍ରଣା ।

 

କାହିଁକି ମୋ ପାଇଁ ତା” ମନରେ ଏତେ ଆବେଗ ।

 

ସେଥିପାଇଁ ସେ କାରଣ ଖୋଜି ପାଉ ନ ଥିଲା । ଅନୁଭବ କରୁଥିଲା ଭଲପାଇବାରେ ସତେ ଏତେ ଯନ୍ତ୍ରଣା ?

 

ଏତେ ଆତ୍ମଦହନ ?

 

ଏତେ ଜ୍ଵଳନ ? ?

 

ଶେଷରେ ଅବାଧ୍ୟ ଶିଶୁଟି ପରି ମୋ ପାଖରେ ସେ ଧରା ଦେଉଥିଲା । ମୋ ମନର କଥା ମୁତାବକ ସବୁବେଳେ ମୋ ପାଖେ ପାଖେ ରହୁଥିଲା । ସାଙ୍ଗ ହୋଇ ଅପାର ସେବା ଶୁଶ୍ରୂଷା କରୁଥିଲୁ । ସେ ଚୁଲି ପାଖରେ ବସି ରହିଲେ ମୁଁ ରୋଷେଇ କରୁଥିଲି । ମୁଁ ଅପାର ସେବା କରିବାରେ ଲାଗି ପଡ଼ିଲେ ସେ ମଧ୍ୟ ସାହାଯ୍ୟ କରୁଥିଲା । ବେଳେ ବେଳେ ଗୋଟିଏ ଥାଳିରେ ଖାଇ ବସୁଥିଲୁ ।

 

ଅପା ଆମ ଦୁହିଁଙ୍କୁ ପାଖରେ ଦେଖିଲେ ଖୁସି ହୋଇ ଉଠିଥିଲା । ବେଳେ ବେଳେ ଆନନ୍ଦରେ ଆମ ଦୁହିଁକୁ କୁଣ୍ଢେଇ ପକାଉଥିଲା ସେ । ଧାର ଧାର ଲୁହ ତା’ ଆଖିରୁ ବହି ଯାଉଥିଲା-। କିଛି କହି ପାରୁ ନ ଥିଲା । ଖାଲି କଇଁ କଇଁ ହୋଇ କାନ୍ଦୁଥିଲା । କାନ୍ଦି କାନ୍ଦି ଧକେଇ ହେଉଥିଲା । ଆମେ ଦୁହେଁ ତାକୁ ସାନ୍ତ୍ୱନା ଦେଉଥିଲୁ ।

 

ହେଲେ ଅପା ମନର ଅବ୍ୟକ୍ତ ଯନ୍ତ୍ରଣାକୁ ସେହି ମୁହୂର୍ତ୍ତରେ କେହି ବୁଝି ପାରୁ ନ ଥିଲେ । ରାଇ ଭାଇ କିଛି ବୁଝନ୍ତି ନାହିଁ କି ଜାଣନ୍ତି ନି । ପ୍ରଦୀପ ବା ଅପାର ଜୀବନ ଦର୍ଶନ ସମ୍ପର୍କରେ କ’ଣ ଜାଣେ ? ଅନେକାଂଶରେ ମୁଁ ବୁଝି ପାରୁଥିଲି । ତା’ ମନର ଅବ୍ୟକ୍ତ ଅଭିବ୍ୟକ୍ତ ଗୁଡ଼ିକୁ । ହେଲେ ମୋର ବା ଉପାୟ କ’ଣ ଥିଲା ।

 

ଛୋଟ ଛୋଟ ଅବଶେଷ ମିଶି ଯନ୍ତ୍ରଣା ବଢ଼ାଏ । ଅନେକ ଯନ୍ତ୍ରଣାର ସମଷ୍ଟିରେ ମନ ଅରଣ୍ୟରେ ଶେଷ ବଢ଼ିଯାଏ । ଆଉ ବହୁତ ଶୋଷର ସମିଶ୍ରଣରେ ଦେହ, ମନରେ ଦୁର୍ଘଟଣା ଘଟି ବଢ଼ିଯାଏ । ଆଉ ସେଇ ଦୁର୍ଘଟଣାର ପ୍ରତୀକ ସ୍ଵରୁପ ଆଖିକୋଣରୁ ଝରିଯାଏ ଟୋପା ଟୋପା ଲୁହର ଝରଣା ।

 

ଅପା ସେଇଥିପାଇଁ ଆଖିରୁ ଲୁହ ଝରାଏ ।

 

ମଣିଷଟିଏ ହୋଇ ଏ ଦୁନିଆ ବକ୍ଷରେ ଜନ୍ମ ହୋଇଥିଲା ସେ । ବାଲ୍ୟ, କୈଶୋର, ଯୌବନ ଅତିକ୍ରାନ୍ତ କରି ନାରୀ ଭାବରେ ସମ୍ମାନ ପାଇଥିଲା ସତ, ହେଲେ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତା’ ମନର ଅକୁହା ବେଦନାକୁ କେହି କେବେ ବୁଝିବାକୁ ଚେଷ୍ଟା କରି ନ ଥିଲେ । ବାପା, ବୋଉ ଅଲେଖ ଭାଇ, ରାଇ ଭାଇ, ପ୍ରଦୀପ କେହି କେବେହେଲେ ଯନ୍ତ୍ରଣାର ଉପଶମ କରିବାକୁ ଆଗେଇ ଆସି ନ ଥିଲେ । ସମସ୍ତେ ଖାଲି ଛଳନାର ଅଥଳ ଢେଉରେ ଭାସି ଯାଇଛନ୍ତି । କିନ୍ତୁ କେହି ଗଭୀରତାର ଦୂରତ୍ଵକୁ ମାପିବାକୁ ଚେଷ୍ଟା କରି ନାହାନ୍ତି ।

 

ଆସ୍ତେ ଆସ୍ତେ ଅପା ଦେହ ଆହୁରି ଖରାପ ଆଡକୁ ଗତି କରୁଥିଲା । ପାଖ ଆଖର ଯେତେ ଡାକ୍ତର କବିରାଜ ଥିଲେ ସମସ୍ତେ ଅପାର ଅସାଧ୍ୟ ରୋଗ ନିକଟରେ ହାର ମାନି ଯାଇଥିଲେ । ତେଣୁ ଅପାକୁ କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡ଼ିଥିଲା । ଆଉ କେହି ଆପଣାର ଲୋକ ନ ଥିଲେ ଅପାର ସେବା କରିବା ପାଇଁ । ତେଣୁ ଅପା ସହିତ ମୋତେ ହିଁ ଯିବାକୁ ପଡ଼ିଥିଲା ।

 

ଅପା, ମୁଁ, ରାଇ ଭାଇ ତିନିଜଣ କଟକ ଚାଲି ଯାଇଥିଲୁ । ଆମେ ଚାଲିଯିବା ପରେ ପ୍ରଦୀପ ନିଜକୁ ଅସହାୟ ମନେ କରିଥିଲା ଏକା ଏକା । ଏତେବଡ଼ ଘରଟାରେ ସେ ଏକା ଏକା । ପାଖରେ ତା’ର ବାପା, ବୋଉ, ପ୍ରାଣପ୍ରିୟା ଶିଖା କେହି ନ ଥିଲେ । ଲେଖା ଅପା ପ୍ରଦୀପକୁ କହିଯାଇଥିଲା–ବାପରେ ତୋ’ ବାପା ଡାକ୍ତରଖାନାରୁ ଫେରି ଆସିଲେ ତୁ ମୋ ପାଖକୁ ଚାଲି ଆସିବୁ । ସୁରୁଜା ମା’କୁ ତାଗିଦ୍ କରି କହି ଯାଇଥିଲେ ପ୍ରଦୀପର ଭଲ ମନ୍ଦ ବୁଝୁଥିବ ଲୋ ସୁରୁଜା ମା’ ।

 

ମୁଁ ଡାକ୍ତରଖାନାରେ ଥିବାବେଳେ ଅନୁଭବ କରିଥିଲି, ଅପାର ଅସୁସ୍ଥତା ପାଇଁ ରାଇ ଭାଇ ଚିନ୍ତିତ ହୋଇ ପଡ଼ୁଥିଲେ । ନିଜକୁ ନିଜେ ଦୋଷୀ ବୋଲି ଭାବି ଚାଲୁଥିଲେ । ସେ ଅପା ପ୍ରତି ସ୍ୱାମୀ ହିସାବରେ ଅନେକ ଅବହେଳା କରିଛନ୍ତି, କିନ୍ତୁ ଅପା ତାଙ୍କୁ କେବେ ହେଲେ ପ୍ରତିବାଦ କରିନାହିଁ । ଆପଣା ନିଆଁରେ ଜଳି ଜଳି ସେ ମରିଛି । ତେଣୁ ରାଇ ଭାବୁଥିଲେ ଲେଖା ଯଦି ତାଙ୍କୁ ଏକା କରି ଚାଲିଯାଏ ତା’ହେଲେ ତାଙ୍କର ଏତେବଡ଼ ବୁନିଆଦି–ଖାନଦାନ୍ ଘରର ପରମ୍ପରା ଅଚାନକ ଝଡ଼ବତାସରେ ଭାଙ୍ଗିରୁଜି ଚୁରମାର ହୋଇଯିବ । ସେ ତ ସବୁବେଳେ ବାହାର ମାମଲତରେ ବ୍ୟସ୍ତ ରହିଲେ । ଘରର ଯାବତୀୟ କାର୍ଯ୍ୟ ଲେଖା ହିଁ ବୁଝା ବୁଝି କରେ । ତେଣୁ ଲେଖା ହିଁ ତାଙ୍କର ଏକାନ୍ତ ଭାବେ ଆବଶ୍ୟକ । ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ ଲେଖାକୁ ବଞ୍ଚାଇବାକୁ ପଡ଼ିବ ।

 

ସମୟର ଉଦବେଳନ ନିକଟରେ ମଣିଷର ସମସ୍ତ ଶକ୍ତି ପ୍ରତିହତ ହୁଏ । ମଣିଷ ଯେଉଁଥିପାଇଁ ସଂଘର୍ଷ କରି କରି ବିମର୍ଷ ହୋଇ ଉଠେ । ସମୟର ଶକ୍ତି, ଉପଶକ୍ତି ଠିକ୍ ତା’ର ବିପରୀତ ଘଟଣାମାନ ଘଟାଇ ବସିଥାଆନ୍ତି ।

 

ଡାକ୍ତରମାନଙ୍କର ଅକ୍ଲାନ୍ତ ପରିଶ୍ରମ ସତ୍ୱେ ଅପାର କିଛିଟା ପରିବର୍ତ୍ତନ ଦେଖା ଯାଇ ନ ଥିଲା । ସବୁ ମୁହୂର୍ତ୍ତରେ ସେ ପ୍ରଦୀପକୁ ଡହଳ ବିକଳ ହୋଇ ଖୋଜୁଥିଲା । ତେଣୁ ରାଇ ଭାଇ ଅସହାୟ ଭାବରେ ଗାଁକୁ ଧାଇଁ ଯାଇ ପ୍ରଦୀପକୁ ପଠାଇ ଦେଇଥିଲେ । ନିଜେ ସେ ଦିନକ ଗାଁରେ ରହି ଘର ଖବର ବୁଝା ବୁଝି କରି ତା’ ପରଦିନ ଆସିବା ପାଇଁ ମନସ୍ଥ କରିଥିଲେ ।

 

ପ୍ରଦୀପ ଆସି ଡାକ୍ତରଖାନାରେ ପହଞ୍ଚିଥିଲା ।

 

ସେହି ଦିନ ରାତିରେ ଅପା ଦେହ ଭୀଷଣ ଖରାପ ହେଲା । ବଡ଼ ବଡ଼ ଡାକ୍ତରମାନେ ଆଶା ହରାଇ ବସିଲେ । ଅପା ଆସ୍ତେ ଆସ୍ତେ ଶିଥିଳ ହୋଇ ଉଠୁଥିଲା । ପ୍ରଦୀପ ତାଙ୍କ ମୁଣ୍ଡ ପାଖରେ ବସି ରାତି ତମାମ ଗ୍ଲୁକୋଜ ପାଣି ଦେଉଥିଲା । ଡାକ୍ତରମାନେ ମିନିଟ୍‌କୁ ମିନିଟ୍ ଆସି ଦେଖି ଯାଉଥିଲେ । ନର୍ସମାନେ ସାରା ରାତି ଖାଡ଼ା ପ୍ରହରା ଦେଉଥିଲେ ।

 

ଅପାର ଓଠ ଅଚାନକ ଥରି ଉଠୁଥିଲା । କ’ଣ ଯେମିତି ସେ କହିବାକୁ ଚାହୁଁଛି । ମୁଁ ଅପାର ଗୋଡ଼, ପିଠି, ପେଟ ଆଉଁଷି ଦେଉଥିଲି । ଡାକ୍ତରମାନେ ଦୁଃସାଧ୍ୟ ରୋଗଟାକୁ ଠିକ୍ ଭାବରେ ଚିହ୍ନି ପାରିଲେ ନାହିଁ । ଯାହା ଫଳରେ ଅପା ଆଜି ମୃତ୍ୟୁ ମୁଖରେ । ବାପା–ବୋଉ ଆସି ଅପାକୁ ଦେଖି ଯାଇଥିଲେ । ବୋଉ ଅପାକୁ ଛାଡ଼ି ଯିବାକୁ ରାଜି ହେଉ ନ ଥିଲା, କିନ୍ତୁ ଘର ଏକୁଟିଆ । ବାପା ଆଉଥରେ ଆସିବେ ବୋଲି କହି ଯାଇଥିଲେ । କିନ୍ତୁ ଆସି ନ ଥିଲେ । ମୁଁ ସମସ୍ତଙ୍କୁ ଲୁଚାଇ ଅଲେଖ ଭାଇଙ୍କ ପାଖକୁ ଚିଠି ଲେଖି ଅପାର ଏତାଦୃଶ୍ୟ ଅବସ୍ଥା ଜଣେଇ ଦେଇଥିଲି ।

 

ଅଲେଖ ଭାଇ ଚିଠି ପାଇଲା ମାତ୍ରେ ଧାଇଁ ଆସିଥିଲେ । ଅପା ତାଙ୍କୁ ଦେଖି ଭୀଷଣ କାନ୍ଦିଥିଲା । ଅଲେଖ ଭାଇ ବି ଅନୁରୂପ । ନିଜକୁ ନିଜ ଭିତରେ ଆୟତ କରି ପାରି ନ ଥିଲେ । ଯେତେ ହେଲେ ବି ଦିନେ ଦୁହେଁ ଦୁହିଁକୁ ମନ, ପ୍ରାଣ, ହୃଦୟ ଦେଇ ଭଲ ପାଉଥିଲେ ବି ? ମନ ହୃଦୟର ତନ୍ତ୍ରୀ ମଧ୍ୟରେ ଏକା ହୋଇ ଯାଇଥିଲେ ତ ।

 

ଅପା ଥରିଲା ଥରିଲା କଣ୍ଠରେ କହିଥିଲା–ତମେ ଠିକ୍ ସମୟରେ ଆସିଛ । ମୁଁ ତମକୁ ମନେ ମନେ କେତେ ବ୍ୟାକୁଳ ହୋଇ ଖୋଜୁଥିଲି । ଖାଲି ଶେଷ ମୁହୂର୍ତ୍ତରେ ତମକୁ ଥରେ ଦେଖିବି-। ବାସ୍ ସେତିକି । ମୋର ମନ–ପ୍ରାଣ–ଆତ୍ମା ସବୁ ତୃପ୍ତି ଲାଭ କରିବ ।

 

ଅଲେଖ ଭାଇ କିଛି କହି ପାରୁ ନ ଥିଲେ । ଲୁହର ବର୍ଷାରେ ଆଖି ଦୁଇଟା ତାଙ୍କର ରୁଦ୍ଧି ହୋଇ ଯାଉଥିଲା । ଏହା ଦେଖି ମୁଁ ମଧ୍ୟ ଧେର୍ଯ୍ୟ ଧରି ରହି ପାରି ନ ଥିଲି । ସମସ୍ତଙ୍କ ଅଗୋଚରରେ ଲୁହ ପୋଛି ଦେଉଥିଲି । ଅପା ଆଉ ଅଲେଖ ଭାଇ ଯେମିତି ସେଦିନ ଆଉ ସମାଜର ଅନୁଶାସନକୁ ଭୟ କରୁ ନ ଥିଲେ । ଏ ମୁହୂର୍ତ୍ତରେ ସେମାନେ ଅବଶୋଷର ଆତ୍ମଗ୍ଳାନୀଗୁଡ଼ିକୁ ଅଭିମାନର ଚହଲା ଢେଉ ଦେହରେ ଭସାଇ ଦେଉଥିଲେ ।

 

ନଈ ବୁଝେ ସ୍ରୋତ କ’ଣ । ସ୍ରୋତ ବି ବୁଝେ ନଈର ଯନ୍ତ୍ରଣାକୁ । ତେଣୁ କେହି କାହାକୁ ଛାଡ଼ି ପାରନ୍ତି ନାହିଁ । ସମୟ ତାଙ୍କ ପାଇଁ ଯେତେ କାଳ ହେଉ ପଛେ, ସେମାନେ କେହି କାହାରି ପାଖରୁ ଦୂରେଇ ଯାଇ ପାରନ୍ତି ନାହିଁ । ସେମାନଙ୍କ ମନ–ହୃଦୟ ଯେମିତି ସ୍ନେହ, ପ୍ରେମ–ମମତାର ରଜୂରେ ବନ୍ଧା ଯୁଗ ଯୁଗକୁ ।

 

ଅଲେଖ ଭାଇ ସେ ଦିନ ହା–ହୁତାସ ହୃଦୟ ଏବଂ ଭଙ୍ଗା ଦରଭଙ୍ଗା ମନଟାକୁ ନେଇ ଫେରି ଯାଇଥଲେ ସତ, ହେଲେ ତାଙ୍କର ଅପାକୁ ମୁହୂର୍ତ୍ତେ ଛାଡ଼ିଯିବାକୁ ଇଚ୍ଛା ନ ଥିଲା । ତଥାପି ଏମିତି ବେଳେ ବେଳେ ଇଚ୍ଛା ବିରୁଦ୍ଧରେ ଦୂରେଇ ଯିବାକୁ ହୁଏ । ତେଣୁ ସେ ଦୁଃଖ ଆଉ ଅଭିମାନର ନିଆଁରେ ଜଳି ଜଳି ଅପା ପାଖରୁ ଦୂରେଇ ଯାଇଥିଲେ ।

 

ତା’ପରେ ଅପା ମୋତେ ଜାବୁଡ଼ି ଧରି ତା’ ମନର ଓରିମାନାକୁ ଲୁହର ବିନ୍ଦୁ ବିନ୍ଦୁ ଦେହରେ ଝରାଇ ଦେଉଥିଲା ।

 

ତା’ପରେ କେତୋଟି ମୁହୂର୍ତ୍ତର ଦୂରତ୍ଵ ଲମ୍ବିଯାଇଥଲା ।

 

ମୁହୂର୍ତ୍ତରୁ ମୁହୂର୍ତ୍ତକୁ ଅପା ଦେହ ଆହୁରି ଶୋଚନୀୟ ହୋଇ ଉଠୁଥିଲା । ରାଇ ଭାଇ ଗାଁରୁ ଫେରି ନ ଥାନ୍ତି । କେବଳ ପ୍ରଦୀପ ଆଉ ମୁଁ ଅତି ଅସହାୟ ଅବସ୍ଥାରେ ଅପାର ଦେହ ମୁଣ୍ଡ ଆଉଁଷି ଦେଉଥିଲୁ । ଅପା ତା’ ଦେହ ମୁଣ୍ଡରେ ଅଶେଷ ଯନ୍ତ୍ରଣା ଅନୁଭବ କରୁଥିଲା ।

 

ଅଚାନକ ଅପା ପ୍ରଦୀପକୁ ଡାକିଲା । ପ୍ରଦୀପ ଅପାର ଆହୁରି ନିକଟକୁ ଘୁଞ୍ଚି ଆସିଲା । ଅପା ଥରିଲା ଥରିଲା କଣ୍ଠରେ କହିଲା–

 

ବାବୁରେ ତୁ ମୋ ଧନ, ଜୀବନ, ଆଭିଜାତ୍ୟ, ପରମ୍ପରା ସବୁକିଛି । ତୋ’ ବିନା ମୋର ଗତି ନାହିଁ, ମୁକ୍ତି ନାହିଁ । ତୁ ମୋ ପାଇଁ ଯୁଗ ଯୁଗକୁ କିର୍ତ୍ତୀସ୍ତମ୍ଭ । ମୁଁ ମରି ହଜିଗଲେ ଦୁନିଆ କହିବ ତୁ ଲେଖାର ପୁଅ । ବନସ୍ତରେ ହାତୀ ବୁଲିଲେ ବି ରାଜାଙ୍କର । କିର୍ତ୍ତୀସ୍ତମ୍ଭ ତାଜମହଲ ଏବେ ବି ମମତାଜଙ୍କର ସ୍ମୃତିକୁ ଧରି ରଖିଛି । ବାବୁରେ...... । ହୁଏତ ସମୟର ସୁଅରେ କିଛି ଦୁର୍ଘଟଣା ଘଟି ଯାଇପାରେ, ହେଲେ ସବୁ ମୁଣ୍ଡ ପାତି ସହିନେଇ ଦୁନିଆ ଆଗରେ କିର୍ତ୍ତୀସ୍ତମ୍ଭ ଭଳି ଯୁଗ ଯୁଗକୁ ଜାଜୁଲ୍ୟମାନ ହୋଇ ରହିଥିବ ।

 

ତା’ପରେ ମୁହୂର୍ତ୍ତ କେଇଟାରେ ଅପା ଆଖି ବୁଜିଦେଲା । ଯେତେ ଡାକି ଡାକି, କାନ୍ଦି କାନ୍ଦି ମୁଣ୍ଡ କୋଡ଼ି ଦେଲେ ବି ସେ ଆଉ ଥରୁଟିଏ ଆଖି ଖୋଲି ଚାହିଁଲା ନାହିଁ । ନର୍ସମାନେ, ଡାକ୍ତରମାନେ ଧାଇଁ ଆସିଲେ । ଶେଷ ସମ୍ବାଦ ଜଣାଇ ଦେଲେ ସି. ଇଜ୍. ଡେଡ଼୍ ।

 

ସେତେବେଳେ ଆମେ ଦୁଇ ଜଣ ଅସହାୟ ଅବସ୍ତାରେ ଖାଲି ବରଡ଼ା ପତ୍ର ଭଳି ଥରୁଥିଲୁ । ଅପା ଆମକୁ ଦୂରେଇ ଦେଇ ଆର ପୁରକୁ ଚାଲିଗଲା । ପାଖରେ ରାଇ ଭାଇ ନ ଥିଲେ-। ଆମେ ଏବେ କରୁ କ’ଣ ? ସେମିତି ରାତି ତମାମ ଅପାର ମୃତ ଦେହ ପାଖରେ ଜଗି ରହିଲୁ-। ମୁଁ କେମିତି ଭୟରେ ଥରି ଥରି ଯାଇ ପ୍ରଦୀପକୁ ଜାବୁଡ଼ି ଧରିଥିଲି । ପ୍ରଦୀପ ଆଖିରୁ ଲୁହ ଶୁଖି ନ ଥାଏ । ଏତେ ବଡ଼ ଡାକ୍ତରଖାନା । କେତେ ଆପଣାର ଭଳି ମନେ ହେଉଥିଲା, ଅଥଚ ଏଇ କେତେ ସମୟ ହେଲା ସବୁ ଯେମିତି ପର ହୋଇଗଲେ । ସବୁ ଖଣ୍ଡିଆ ଭୂତଭଳି ଆତଙ୍କର ଘୁର୍ଣ୍ଣିବାତ୍ୟା ସୃଷ୍ଟି କରୁଥିଲେ ।

 

ସାରା ରାତି ସେମିତି ଅପାର ମୃତ ଦେହକୁ ଜଗି ବସି ରହିଥିଲୁ । ଆଉ ଅପା ପାଖରେ କେହି ଡାକ୍ତର ନ ଥିଲେ କି ନର୍ସ ନ ଥିଲେ । କିଏ କୁଆଡ଼େ ସବୁ ଘୁମେଇ ପଡ଼ିଥିଲେ । ବୁଢ଼ା ବେହେରାଟିଏ ବସି ଆମ ପାଖରେ ଖୁଁ…ଖୁଁ….ହୋଇ କାସୁଥିଲା । ଅପା ଦେହ ଉପରେ ଧଳା ଚାଦରଟିଏ ଘୋଡ଼ା ହୋଇଥିଲା । ସାହସ ପାଉ ନ ଥିଲା ଅପା ମୁହଁରୁ ଲୁଗାଟା ଆଡ଼େଇ ଦେଇ ଆଉ ଥରେ ଚାହିଁ ଦେବାକୁ ଅପାଟା ସତେ ଆଜି ତା’ ନିକଟରେ ଆତଙ୍କର ସାମଗ୍ରୀ ହୋଇ ଉଠିଛି-

 

ଏଇ ଅପା । ଆମେ ଗୋଟିଏ ଗଛରେ ଦୁଇଟି ଫୁଲ ହୋଇ ଫୁଟିଥିଲୁ । କେତେ ଆପଣାର, କେତେ ସ୍ନେହ–କେତେ ମମତାର ମନ୍ଦାକିନୀ ଧାରା ଆମ ଦୁଇ ଜଣଙ୍କ ମଧ୍ୟରେ ବହି ଯାଇ ନ ଥିଲା ସତେ ? ତଟିନୀର ଦୁଇଟି ଧାର ଭଳି । ସାଗରର ଦୁଇଟି ଉତ୍‌ଶୃଙ୍ଖଳ ଢେଉ ଭଳି । ଆମେ ବହି ଚାଲିଥିଲୁ । ହେଲେ ଫୁଲଟି ତା’ର ନିର୍ଦ୍ଧାରିତ ସମୟରେ ମଉଳି ଯିବା ପୂର୍ବରୁ ଧର୍ମାନ୍ଧ ଲୋକଟିଏ ଆସି ତାକୁ ଯେମିତି ବୃନ୍ତଚ୍ୟୁତ କରି ଦେଇଛି । ସେ ଅବେଳରେ ହଜି ଯାଇଛି । କେହି ତାକୁ ଅଟକାଇ ପାରି ନାହାନ୍ତି । ସେ ତା’ର ଦୁନିଆ ବକ୍ଷରେ କର୍ତ୍ତବ୍ୟ ଶେଷ କରି ଚାଲି ଯାଇଛି । କାହାରି ନିକଟରେ ଅପ୍ରିୟ ହୋଇ ନାହିଁ । ସମସ୍ତଙ୍କୁ ସେ ଆପଣାର କରି ପାରିଛି ।

 

ବାପା ବୋଉଙ୍କର ଉପଯୁକ୍ତ ଝିଅ ହୋଇ ପାରିଥିଲା ସେ । ଅଲେଖ ଭାଇଙ୍କର ଅତି ଆଦରର ପ୍ରେମିକା । ରାଇ ଭାଇଙ୍କର କର୍ତ୍ତବ୍ୟନିଷ୍ଠା ସହଧର୍ମିଣୀ । ପ୍ରଦୀପ ଭଳି ପୁଅର ଉପଯୁକ୍ତ ମା’ । ଆଉ ମୋ ନିକଟରେ ସ୍ନେହ, ମମତାର ବଡ ଭଉଣୀ ସେ । କେଉଁଠି ସେ ନିଜର କର୍ତ୍ତବ୍ୟରେ ଖିଲାପ କରି ନ ଥିଲା । ସମସ୍ତଙ୍କୁ ସେ ସମାନ ସ୍ନେହ ମମତାରେ ବାନ୍ଧି ରଖିଥିଲା ।

 

ରାତି ପାହି ସକାଳ ହେଲା ।

 

ପୁଣି ନୂଆ ସୂର୍ଯ୍ୟ ନୂତନ ଉନ୍ମାଦନା ନେଇ ଦୂର ଆକାଶରେ ମୁହଁ ଦେଖେଇଲେ । ମଡା ବାସି ହେଲା । ଆମେ ଦୁହେଁ ଚୁପ୍‍ଚାପ୍ । ଉପାୟହୀନ । ପ୍ରଦୀପ୍ ସକାଳ ହେଲା ମାତ୍ରେ ରାଇ ଭାଇଙ୍କ ପାଖକୁ ଟେଲିଗ୍ରାମ କରି ଦେଇ ଆସିଥିଲା । କିନ୍ତୁ ରାଇ ଭାଇ ପରମୁହୂର୍ତ୍ତରେ ଆସି ପହଞ୍ଚି ଯାଇଥିଲେ ।

 

ଆମେ ରାଇ ଭାଇଙ୍କୁ ଦେଖିଲା ମାତ୍ରେ କୁଣ୍ଢେଇ ପକାଇ ଅସମ୍ଭାଳ ଭାବେ କାନ୍ଦିବାକୁ ଲାଗିଥିଲୁ । ରାଇ ଭାଇଙ୍କର ଅସୀମ ଧୈର୍ଯ୍ୟ । ସେ ଆମକୁ ସାନ୍ତ୍ୱନା ଦେଇ ମଡ଼ାକୁ ଗାଁକୁ ନେବାର ବ୍ୟବସ୍ଥାରେ ଲାଗି ପଡ଼ିଲେ । ଚୌଧୁରୀ ଘରର ବୋହୂ କେବେହେଲେ ପରମ୍ପରାକୁ ଭାଙ୍ଗି, ଏହିଠାରେ ତା’ର ଶବ ଦାହ ହୋଇ ପାରିବ ନାହିଁ । ତେଣୁ ସେହି ଗାଁ ଶ୍ମଶାନରେ ତା’ର ସ୍ମୃତି ସ୍ତମ୍ଭ ତିଆରି ହେବ । ଚୌଧୁରୀ ବଂଶର ସମସ୍ତଙ୍କର କିର୍ତ୍ତୀସ୍ତମ୍ଭଙ୍କ ଗହଣରେ ଲେଖା ଅପା ସ୍ମୃତିର ଇତିହାସ ହୋଇ ରହିଯିବେ ଯୁଗ ଯୁଗକୁ ।

 

ଗୋଟିଏ ଟେକ୍‌ସି ଭଡ଼ା କରି ଶବକୁ ନିଆଯାଇଥିଲା ଗାଁକୁ । ଗାଁ ସାରା ସମସ୍ତେ ଏ ସମ୍ବାଦ ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସମସ୍ତଙ୍କ ତୁଣ୍ଡରୁ ଆହା ବୋଲି ପଦେ ବାହରି ପଡୁ଼ଥିଲା-। ଚୌଧୁରୀ ବଂଶକୁ ସୁନାନାକୀ ବୋହୂଟିଏ ମିଳିଥିଲା । କି ସୁନ୍ଦର ରୂପ ତା’ର । ଗୁଣ ବି ସେମିତି-। ରୂପରେ–ଗୁଣରେ ଗୋଟିଏ ଚାଉଳରେ ଗଢ଼ା । କେହି ବାଛିବାକୁ ନ ଥିଲେ । କାହାରି ମନରେ ଦିନେ ଆଘାତ ଦେଇ ନାହିଁ । ଚାକର ଚାକରାଣୀଙ୍କୁ ପୁଅ, ଝିଅ ପରି ଦେଖେ । ବିଚାରୀ କି ସୁଖ ଅବା ଦୁନିଆରେ ପାଇଲା । ଜୀବନ ସାରା ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ମଲା-

 

ରାଇ ଭାଇ ଖଇ କଉଡ଼ି ବୁଣିଲେ । ଶବ ଗଲା ଶ୍ମଶାନକୁ । ସେଇ ଚିରନ୍ତନ ସତ୍ୟ ‘ରାମ ନାମ ସତ୍ୟହେ’ ପୁଣି ଶ୍ମଶାନରେ ଜୁଇ ଦାଉ ଦାଉ ହୋଇ ଜଳିଲା । କେଇଟା ମୁହୂର୍ତ୍ତ ମଧ୍ୟରେ । ଲେଖା ଅପାର ସମସ୍ତ ସ୍ମୃତିର ଇତିହାସ, ବାଲ୍ୟ, କୈଶୋର, ଯୌବନର ଇତିକଥା, ଜଳି ପୋଡ଼ି କେତେ ମୁଠା ପାଉଁଶରେ ପରିଣତ ହେଲା । ତା’ର ସେଇ ଚଳଚଞ୍ଚଳ ମୁହଁଟି ମନ ଗହୀରରେ ସ୍ଵପ୍ନ ଭଳି ଉଦ୍‌ଜୀବିତ ହୋଇ ଉଠିଲା । ସେଇ ଚିତାଗ୍ନିର ଧୂମ୍ର କୁଣ୍ଡଳୀ ମଧ୍ୟରେ । ସେଇ କଅଁଳିଆ ମୁହଁଟି କେଉଁଆଡ଼େ ଉଭେଇଗଲା ।

 

ବାପା ଦୁଃଖରେ ଭାଙ୍ଗି ପଡ଼ିଥିଲେ । ବୋଉ କାନ୍ଦି କାନ୍ଦି ଭୂଇଁରେ ମୁଣ୍ଡ ବାଡ଼େଇଥିଲା । ସେହି ଦୁଃଖ, ନିରାଶା ମଧ୍ୟରେ ଅପାର ସମସ୍ତ କାର୍ଯ୍ୟ ଶେଷ ହୋଇ ଯାଇଥିଲା । ଖାଲି ରହି ଯାଇଥଲା ଅତୀତର ସ୍ମୃତି । ହଜିଲା ଦିନର ପୋଡ଼ା ଜଳା ଇତିହାସ ।

 

ମୁଁ ସେତେବେଳେ ଗାଁକୁ ଫେରି ନ ଥାଏ । ମୋତେ ଅପା ଘରର ଯାବତୀୟ କାର୍ଯ୍ୟ ସମ୍ଭାଳିବାକୁ ପଡୁ଼ଥିଲା । ମୂଲିଆ ଚାକରଙ୍କ କଥା ବୁଝିବାଠାରୁ ଆରମ୍ଭ କରି ରନ୍ଧା ବଢ଼ା ପର୍ଯ୍ୟନ୍ତ । ସମସ୍ତେ ମୋତେ ଅପାର ଦ୍ୱିତୀୟ ରୂପାନ୍ତର ରୂପେ ଅନୁଭବ କରୁଥିଲେ ।

 

କେତେଦିନ ଏମିତି ବିଷାଦରେ କଟିଯିବା ପରେ ଅପାର ବିଚ୍ଛେଦ ଦୁଃଖ ସମସ୍ତଙ୍କ ମନ ମଧ୍ୟରେ ଦେହ ଶୁଆ ହୋଇ ଯାଇଥିଲା । ସମସ୍ତେ ସେହି ବିଷାଦର ଢେଉ ମଧ୍ୟରେ କର୍ତ୍ତବ୍ୟ କରି ଚାଲୁଥିଲେ ।

 

ଏହା ମଧ୍ୟରେ ପ୍ରଦୀପର ମୋର ସ୍ନେହ, ମମତା ଆହୁରି ନିବିଡ଼ ହୋଇ ଉଠିଥିଲା । ଏତେ ବଡ଼ ରାଜଉଆସ ଭଳି ଘରଟାରେ ପ୍ରଦୀପ–ଆଉ ମୁଁ–ଏକା ଏକା । ସମ୍ପର୍କ ଗଢ଼ିବାରେ କିଛି ଅସୁବିଧା ନ ଥିଲା । ହସ ଖୁସିରେ ଆମେ ବେଶ ସମୟ କଟାଇ ଦେଉଥିଲୁ । ବେଳେବେଳେ ରାଗ ଅଭିମାନରେ ମୁହଁ ଫୁଲା ଫୁଲି ହୋଇ ମୁହୂର୍ତ୍ତ କଥାବାର୍ତ୍ତା ବନ୍ଦ ହୋଇ ଯାଉଥିଲା । କିନ୍ତୁ ପର ମୁହୂର୍ତ୍ତରେ ପୁଣି ଉଚ୍ଛୁଳା ଢେଉ ମିଶି ଯାଉଥିଲୁ ।

 

ଏମିତି କେତୋଟି ଅନ୍ଧକାର, କେତୋଟି ଆଲୋକର ସମ୍ମିଶ୍ରଣ ମଧ୍ୟରେ ଦିନ ଗୁଡ଼ିକ ବହି ଯାଉଥିଲା । ପ୍ରଦୀପ ମାଟ୍ରିକୁଲେସନ୍ ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ତେଣୁ ତା’ ପାଠପଢ଼ା କଟକ ରେଭେନ୍‌ସା କଲେଜରେ ପଢ଼ିବା ପାଇଁ ସ୍ଥିର ହୋଇଥଲା ।

 

ଚାହୁଁ ଚାହୁଁ ସେଦିନଟି ଉପନୀତ ହେଲା । ପ୍ରଦୀପର ନାଁ ରାଇ ଭାଇ ଯାଇ ରେଭେନ୍‌ସା କଲେଜରେ ଲେଖେଇ ଦେଇ ଆସିଲେ । ହେଲେ ପରୀକ୍ଷା ଫଳ ବାହାରିଲା ଦିନ ପ୍ରଦୀପ ମନ ଦୁଃଖ କରିଥିଲା । ସତେ ଯଦି ଆଜି ତା’ର ମା’ ଜୀବିତ ଥାଆନ୍ତା ତା’ହେଲେ କେତେ ଖୁସି ହେଉ ନ ଥାନ୍ତି । ସତେ ?

 

ପରୀକ୍ଷା ଫଳ ବାହାରିବା ଦିନ ମୁଁ ପ୍ରଦୀପ ଉପରେ ରାଗି ଥାଏ । ଏମିତି ବେଳେ ବେଳେ ମନର ପୁରୁଷ ନିକଟରେ ଛଳନାରେ ଅଭିମାନ କରିବାକୁ ଭଲ ଲାଗେ । ମିଛ ମିଛିକା ରାଗି ଯାଇ ପ୍ରେମିକର ଡହଳ ବିକଳ ଦେଖିବାକୁ ଭାରି ସୁଖ ଲାଗେ । ସେଇଥିପାଇଁ ଲେଖକମାନେ ଉପମା ଦେଇ ବସିଥା’ନ୍ତି ଯେ–ପ୍ରେମ ପ୍ରଣୟ ମଧ୍ୟରେ ଯଦି ମାନ, ଅଭିମାନ ନ ଥାଏ ତା’ହେଲେ ସେ ପ୍ରଣୟର ପରିସ୍ଫୁଟ ଘଟେ ନାହିଁ । ପ୍ରେମର ସ୍ଫୁରଣ ପାଇଁ ହିଁ ଅଭିମାନ ଏକମାତ୍ର ଔଷଧ ।

 

ମୁଁ ପ୍ରଦୀପର ମତ ଉପରେ ସଠିକ ଭାବରେ ରାଜି ହୋଇ ନ ପାରିବାରୁ ଦୁହିଁଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହେଉଥିଲା । ପରୀକ୍ଷାରେ ପାଶ କଲେ ସେ ରେଭେନ୍‌ସାରେ ପଢ଼ିବାକୁ କହୁଥିଲା । କିନ୍ତୁ ମୁଁ ମନ କଷ୍ଟ କରିଥିଲି । କାରଣ ମୁଁ ପ୍ରଦୀପକୁ ମୁହୂର୍ତ୍ତେ ବି ନିଜ ଆଖି ଦୁଇଟାରେ ସାମନାରୁ ଦୂରେଇ ଦେବାକୁ–ଚାହିଁ ନ ଥିଲି । ତେଣୁ ମୁଁ ମତ ଦେଇଥିଲି ଯେ ସୁଜନପୁରରେ ଯେଉଁ ନୂଆ କଲେଜ ଖୋଲୁଛି ସେଠାରେ ନାମ ଲେଖାଇଲେ ଘରୁ ଯା–ଆସ କରି ପଢ଼ିହେବ । ସବୁଦିନେ ପ୍ରଦୀପ ମୋ ପାଖରେ ରହିବ । କିନ୍ତୁ ପ୍ରଦୀପ ମୋ କଥାରେ କଷ୍ଟରେ ରାଜି ହୋଇଥିଲା-। କାରଣ ସେ ଭଲ ଷ୍ଟୁଡେଣ୍ଟ ଥିଲା । ସୁଜନପୁର କଲେଜରେ ପଢ଼ିଲେ ତା’ କ୍ୟାରିଅର ନଷ୍ଟ ହୋଇଯିବ । କିନ୍ତୁ ମୁଁ ପର କ୍ଷଣରେ ଅନୁଭବ କରିଥିଲି । ମୁଁ କାହିଁକି ଏମିତି ଆକାଶ କୁସୁମ ରଚନା କରି ବସୁଛି । କାହିଁ ଆକାଶ କଇଁଆ ଆଉ କାହିଁ କେତେଦୂର ଅଦୂରରେ ଚିଲିକାର ମାଛ ।

 

ସବୁ କୁଆଁରୀ ଝିଅମାନେ ଏମିତି କୁଆଁରୀ ବୟସରେ ସରଗର ଚାନ୍ଦକୁ ହାତ ପାପୁଲିରେ ଧରିବାକୁ ଚାହିଁଥାଆନ୍ତି । ତେଣୁ ମୋ କ୍ଷେତ୍ରରେ ଏମିତି ଅନେକ ଅବାନ୍ତର କଥା ଭାବି ଯିବା କିଛିଟା ଅସମୀଚୀନ ନୁହେଁ ।

 

ତେଣୁ ମୁଁ ମୋର ମତ ବଦଳେଇ ନେଇଥିଲି । ମୁଁ ତ ଆଉ ସବୁଦିନେ ରାଇ ଭାଇଙ୍କ ଘରେ ରହିବି ନାହିଁ । ତେଣୁ କାହିଁକି ଅଜଥାରେ ପ୍ରଦୀପ ମନରେ ଅଘାତ ଦେବି । ବରଂ ପ୍ରଦୀପ ବଡ଼ କଲେଜରେ ଭଲ ପାଠ ପଢ଼ି ଦୁନିଆ ଆଗରେ ବଡ଼ ମଣିଷ ହୋଇ ଠିଆ ହେଲେ ଛାତି ମୋର ଫୁଲି ଉଠିବ । ତେଣୁ ସେ ରେଭେନ୍‌ସା କଲେଜରେ ପାଠ ପଢୁ଼ । ତା’ ଭବିଷ୍ୟତ ଚଲା ପଥ ଉଜ୍ଜଳ ଆଲୋକରେ ପ୍ରଜ୍ଜୋଳିତ ହୋଇ ଉଠୁ ।

 

ମୁଁ ମୋର ମତ ପରିବର୍ତ୍ତନ କଲା ପରେ ପ୍ରଦୀପ ଆଉ ମୋ ମତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା । ସେ ଭାବୁଥିଲା ମୁଁ ତା’ ମନରେ ଆଘାତ ନ ଦେବାକୁ ଏକଥା କହୁଛି । ତେଣୁ ସେ ତା’ ଯୁକ୍ତିରେ ଅଟଳ ରହିଥିଲା । କିନ୍ତୁ ମୁଁ ତା’ କଥାରେ ଏକମତ ନ ହୋଇ ରାଗି ଯାଇଥିଲି ।

 

ଅଭିମାନରେ ମୁହଁ ଫଣ ଫଣ କରି ପଲଙ୍କ ଉପରେ ମୁଁ ବସିଥିଲି ସେଦିନ । ଝରକା ଫାଙ୍କରେ ଚାହିଁ ରହିଥିଲି ଦୂର ଦୂରାନ୍ତର ତୋଟା ମାଳର ସବୁଜଶ୍ରୀକୁ । ଏ ପ୍ରକୃତିର ସବୁଜିମା କେଡ଼େ ସୁନ୍ଦର ସତେ । ଏ ଚହଲା ପବନ, ଏ ତୋଟା, ଗହୀର ମାଳ, ପୁଣି ଶୋରି ଶୋରି ବାଲିର ପାହାଚ । ସବୁ ମନୋରମ । ଏ ସୃଷ୍ଟିରେ ସମସ୍ତ ପଦାର୍ଥ ଏକ ଭିନ୍ନ ସ୍ଵାଦରେ ସୁନ୍ଦର । ସମସ୍ତଙ୍କ ମଧ୍ୟର ଅପୂର୍ବ ସମନ୍ୱୋୟ ।

 

ଏହି ବିହ୍ୱଳିତ ଭାବନା ମଧ୍ୟରେ ଦେଖା ଯାଉଥିଲା ସାରା ଅତୀତଟା । ମୁଁ କେତେ ଟିକିଏ ଥିଲି । ଅପା ସାଙ୍ଗରେ ଆମ ଗାଁ ନଈ ପଠା, ଗହୀର ତୋଟାମାଳରେ ବଉଳ କୋଳି, ଆମ୍ବକଷି ନଗି ସାହାଯ୍ୟରେ ପାରି ଅଣ୍ଟାରେ ଅଣ୍ଟିଏ ଭରି ଘରକୁ ଫେରି ଆସୁଥିଲି । କିନ୍ତୁ ଆଜି କୁଆଡ଼େ ସେ ଚପଳମତୀ ବାଳିକାଟି ସମୟର କ୍ରୁର ହସ୍ତ ମଧ୍ୟରେ ଚାପି ହୋଇ ଯାଇଛି । ହଜି ଯାଇଛି ତା’ର ସ୍ଵରୂପ । ଲିଭି ଯାଇଛି ତା’ର ସବୁ ଅତୀତର ଇତିହାସ । ଖାଲି ପଡ଼ି ରହିଛି ଏକ ଅଭୁଲା ସ୍ମୃତି ଟିକକ । ଭାବନାର ଖୋରାକ ।

 

ଏହି ଭାବନାର ଖିଅ ମଧ୍ୟରେ ମୁଁ ବୁଡ଼ି ରହିଥିବା ବେଳେ ପ୍ରଦୀପ ଆସି ପଛ ଆଡ଼ୁ ମୋ ଆଖି ଦୁଇଟା ଚାପି ଧରିଥିଲା । ମୁଁ ଇତସ୍ତତ ହୋଇ ତା’ ହାତ ଦୁଇଟାକୁ ଅଣ୍ଡାଳି ଅଣ୍ଡାଳି କହିଲି–ଦୁଷ୍ଟ ପ୍ରଦୀପ । ଛାଡ଼୍ ମୋତେ, ଛାଡ଼ିଦେ କହୁଛି ।

 

ହେଲେ ସେ ଛାଡ଼ିବା ପିଲା ନୁହେଁ । ମୋତେ ଆହୁରି ଜୋରରେ ଜାବୁଡ଼ି ଧରିଥିଲା । ମୋର ସର୍ବାଙ୍ଗ ତା’ ଦୁଇ ହାତର ଚନ୍ଦ୍ରବନ୍ଦନୀ ମଧ୍ୟରେ ବାନ୍ଧି ହୋଇ ଯାଇଥିଲା । ଏହା ମଧ୍ୟରେ ଛାତି ଉପରୁ ଲୁଗାକାନିଟା କେତେବେଳେ ତଳକୁ ଖସି ଯାଇଛି ମୋତେ ଜଣା ନଥିଲା । କିନ୍ତୁ ମୁଁ ଅନୁଭବ କରୁଥିଲି ମୋ ସର୍ବାଙ୍ଗରେ ଏହା ମଧ୍ୟରେ ଏକ ଅଦ୍‌ଭୂତ କମ୍ପନ ସୃଷ୍ଟି ହେଉଛି । ମୋ ଅଧର ଦୁଇଟି ଖାଲି ଥରୁଛି । ଶିରା–ପ୍ରଶିରାରେ ବିଜୁଳିର ଚମକ । ସ୍ନାୟୁ ଉପସ୍ନାୟୁ ଦେହରେ ଏକ ଆସନ୍ନ ଝଡ଼ର ପୂର୍ବାଭାସ । ପାଟିଟା ସିନା କହୁଥିଲା ଛାଡ଼, ପ୍ରଦୀପ ଛାଡ଼ିଦିଅ ମୋତେ, ହେଲେ ମନଟା କହୁଥିଲା–ପ୍ରଦୀପ... ପ୍ରଦୀପ......ତମେ ଆହୁରି ଜୋରରେ ଜାବୁଡ଼ି ଧର । ଅତି ନିବିଡ଼ ଭାବେ ।

 

ସୁରୁଜା ମା’ର ପାଟି ଶୁଣି ପ୍ରଦୀପ ଛାଡ଼ି ଦେଇଥିଲା । ଦୁହେଁ ଯାକ ସରମରେ ଜଳି ଯାଉଥିଲୁ । ସୁରୁଜା ମା’ ବାଡ଼ି ଆଡ଼କୁ ଚାଲିଯିବା ପରେ ପ୍ରଦୀପ କହିଥିଲା ଶିଖା ମାଉସୀ, ମୁଁ ବେଷ୍ଟଟେନ୍‌ଥ୍‌ରେ ପାଶ କରିଛି । ବାପା ତେଣେ ହରିସା ଗୁଡ଼ିଆ ଦୋକାନରୁ ମିଠାଇ ଆଣି ସ୍କୁଲରେ ବାଣ୍ଟୁଛନ୍ତି ମୁଁ ଧାଇଁ ଆସିଲି ତମକୁ ଖବର ଦେବାକୁ ।

 

ମୁଁ ଖୁସିହୋଇ ପ୍ରଦୀପକୁ କୁଣ୍ଢେଇ ପକାଇଥିଲି । ମୋ ରାଗ, ମୋ ଅଭିମାନ, ଦେହ ଭିତରେ ପାଣି ଫୋଟକା ଭଳି ମେଳେଇ ଯାଇଥିଲା । ମୁଁ ତା’ ଓଠରେ ଓଠ ଘଷି କହିଲି–ପ୍ରଦୀପ, ତମେ ବଡ଼ ଦୁଷ୍ଟ ହୋଇ ଗଲଣି । ଆଜି କ’ଣ ନୂଆ ଡାକ ଡାକିଲ–ଶିଖା ମାଉସୀ । ପୁଣି ଯଦି କେବେ ମାଉସୀ ବୋଲି ଡାକିବ ତା’ହେଲେ ଦେଖିବ ମୁଁ ରାଗିବି । କୁହ ଶିଖା ?

 

ପ୍ରଦୀପ ଅବାଧ୍ୟ ଶିଶୁଟି ଭଳି କହିଥିଲା……. ଶିଖା… ?

 

ପର ମୁହୂର୍ତ୍ତରେ ମୁଁ ପ୍ରଦୀପକୁ ଅପାର ଠାକୁର ଘରରୁ ନେଇ ଯାଇଥିଲି । ରାଧାମାଧବଙ୍କୁ ଦୁହେଁ ମୁଣ୍ଡିଆ ମାରି ଅପାର ତୈଳଚିତ୍ର ନିକଟରେ ନିଜ ମନର ଦୁଃଖ ଆବେଗକୁ ଜଣାଇ ବସିଥିଲୁ । ମନେ ମନେ କହିଥିଲି, ଅପା ତୁ ଦେଖ ତୋ’ ଆଦରର ପୁଅ ପ୍ରଦୀପ ଆଜି ସାରା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଏ ଅଞ୍ଚଳରେ ସେ କିର୍ତ୍ତୀସ୍ତମ୍ଭ ଭଳି ଇତିହାସ ସୃଷ୍ଟି କରିଛି ।

 

ତା’ପରେ ମୁଁ ତାକୁ ଫୁଲ ଚନ୍ଦନରେ ସଜେଇ ଦେଇଥିଲି । ମିଠାଟିଏ ତା’ ପାଟିରେ ଖୋଇ ଦେଇଥିଲି । ସେ ମଧ୍ୟ ମୋ ପାଟିରେ ମିଠାଟିଏ ଖୋଇ ଦେଇଥିଲା । କେତେ ଲୋକମାନେ ଆସିଥିଲେ ତାକୁ ବଧେଇ ଜଣାଇବା ପାଇଁ । ତା’ବାପା, ତା’ ବୋଉ, ଭାଇ, ଭ‌ଉଣୀ, ବନ୍ଧୁ ବାନ୍ଧବ ସମସ୍ତେ ଏ ଖବର ପାଇ ଧାଇଁ ଆସିଥିଲେ । ରାଇ ଭାଇ ମନ ବି ବେଶ ଖୁସି ମିଜାସ ଥିଲା । ତେଣୁ ସେ ବେଳେ ବେଳେ ଶାଳୀ ବୋଲି ମୋ ସାଙ୍ଗରେ ରସିକତା ଆରମ୍ଭ କରି ଦେଉଥିଲେ ।

 

କଥା କଥାକେ ମୁଁ ପ୍ରଦୀପ ଉପରେ ଅଭିମାନ କରି ବସିଲେ ସେ ମାଉସୀ… ମାଉସୀ….. ବୋଲି ମୋତେ ଚିଡ଼େଇବା ଆରମ୍ଭ କରି ଦେଉଥିଲା । ମୁଁ ମଧ୍ୟ ସେମିତି ତାକୁ ଅନୁରୂପ ଧମକ ଦେଉଥିଲି, ତୁ ଯଦି ମୋତେ ଏମିତି ସବୁବେଳେ ଚିଡ଼ାଇବୁ ତା’ହେଲେ ମୁଁ ଆମ ଘରକୁ ଚାଲିଯିବି । କିନ୍ତୁ ପ୍ରଦୀପ ମୋ ଧମକ ଶୁଣି ପର ମୁହୂର୍ତ୍ତରେ ଶଙ୍କି ଯାଉଥିଲା ।

 

ଅପାର ଦେହାନ୍ତ ପରେ ଏହି ପରିବେଶଟି ବେଶ ଭଲ ଲାଗୁଥିଲା । ସମସ୍ତେ ପ୍ରାୟ ହସ ଖୁସିରେ ଥଲୁ । ହେଲେ ପୁଣି ସେଇ ଅଚାନକ ବିଚ୍ଛେଦର ଦିନଟି ଆସି ପହଞ୍ଚିଲା ଯାହା ମୁଁ ଏତେ ଶୀଘ୍ର କଳ୍ପନାରେ ସୁଧା ଭାବି ପାରିନଥିଲି । ଦିନ କେଇଟା ମଧ୍ୟରେ ପ୍ରଦୀପର ନା ରେଭେନ୍‌ସା କଲେଜରେ ଲେଖା ହୋଇଗଲା । କଟକରୁ ରାଇ ଭାଇ ପ୍ରଦୀପ ନାଁ ଲେଖାଇ ଘରକୁ ଫେରିଲେ । ପରଦିନ ପ୍ରଦୀପ ମୋତେ ଛାଡ଼ି ଦେଇ କଟକ ପଳାଇଯିବ ।

 

ମୁଁ ଏକଥା ଶୁଣିବା ମାତ୍ରେ ବିଚ୍ଛେଦରେ ଭାଙ୍ଗି ପଡ଼ିଥିଲି । ସମସ୍ତଙ୍କ ଅଗୋଚରରେ ଲୁହ ଝରାଇ ବସିଥିଲି । ଆଖିରେ ଲୁହ ଝରାଇ ବସିଲେ ଅବା ମନଟା ଟିକିଏ ହାଲୁକା ଲାଗିବ । ପୁଣି ପର ମୁହୂର୍ତ୍ତରେ ଭାବୁଥିଲି ନା, ମୋ ଆଖିରୁ ଲୁହ ଝରିଲେ ପ୍ରଦୀପର ଅମଙ୍ଗଳ ହେବ । ମୁଁ ଏମିତି କାନ୍ଦିବା ଉଚିତ୍ ନୁହେଁ । କିନ୍ତୁ ଯେତେ ମନକୁ ଦୃଢ଼ କଲେ ବି ଆଖିରୁ ଲୁହ ଗଡ଼ିବା ମୋଟେ ବନ୍ଦ ହୋଇ ନ ଥିଲା । ମୁଁ ଭାବି ପାରୁ ନ ଥିଲି ସ୍ନେହ, ମମତାରେ ଏତେ ଯନ୍ତ୍ରଣା, ଏତେ ଦହନ ଭରି ରହିଛି ସତେ ? ଯାହାକୁ ସହି ହୁଏ ନାହିଁ କି କହି ବି ହୁଏ ନାହିଁ । ଖାଲି ମରମରେ ଦହନର ଜ୍ୱଳାରେ ତିଳ ତିଳ ହୋଇ ଝରିଯିବାକୁ ହୁଏ ।

 

ପ୍ରଦୀପ ଅନୁଭବ କରିଥିଲା ମୋ ମନର ଦହନ ଯନ୍ତ୍ରଣାକୁ । ସେ ଦେଖିଥିଲା ମୁଁ ଯେମିତି ସୀମାହୀନ ଦୁଃଖ, ବିଷାଦ, ଯନ୍ତ୍ରଣାରେ ଭାଙ୍ଗି ପଡ଼ିଛି । ତେଣୁ ମୋତେ ସେ ବୁଝାଇବାକୁ ଚେଷ୍ଟା କରିଥିଲା । ଆଉ ସେ ଜାଣି ପାରିଥିଲା ମୁଁ କାହିଁକି ମନା କରୁଥିଲି କଟକରେ ପଢ଼ିବା ପାଇଁ-। ହେଲେ ତା’ କଥାରେ ମୋ ଅବୁଝା ମନ ମୋଟେ ବୁଝି ନଥିଲା । ମୁଁ କଇଁ କଇଁ ହୋଇ କାନ୍ଦି କାନ୍ଦି ପ୍ରଦୀପକୁ କୁଣ୍ଢେଇ ପକାଇଥିଲି । ପ୍ରଦୀପ ମୋତେ ବୋଧ ଦେଇ କହିଥିଲା–ଅବୁଝା ହ’ନା ଶିଖା-। ମୁଁ ସବୁ ଛୁଟି ଦିନରେ ତୋ ପାଖକୁ ଧାଇଁ ଆସିବି । ତୋ’ ବିନା କ’ଣ ମୁଁ ମୁହୂର୍ତ୍ତେ ବଞ୍ଚି ପାରିବି-? ଖାଲି କର୍ତ୍ତବ୍ୟ ଦୃଷ୍ଟିରୁ ସିନା ମୁଁ ତୋ ନିକଟରୁ ଦୂରେଇ ଯାଉଛି ହେଲେ ମୋ ମନଟା ତୋ ନିକଟରେ ଅଛି ।

 

ସବୁ ସପନକୁ ହଜେଇ ଦେଇ ପ୍ରଦୀପ କଟକ ଚାଲିଗଲା ।

 

ପ୍ରଦୀପ ଚାଲିଯିବା ପରେ ମୁଁ ପୁତ୍ରହରା କପୋତୀ ଭଳି ଆହତ ଯନ୍ତ୍ରଣାରେ ଗୁମୁରୀ ଗୁମୁରୀ ବନ ଭୂମି ବିଦୀର୍ଣ୍ଣ କରି ପକାଉଛି । ମୁଁ ଯେମିତି ମୋ ନିକଟରୁ ସର୍ବସ୍ଵ ହରାଇ ବସିଲା ଭଳି ଦୁନିଆରେ ନିଶ୍ଵ ହୋଇ ଯାଇଛି । ମୋତେ କିଛି ଭଲ ଲାଗୁ ନାହୁଁ । ସବୁ ଯେମିତି ବେଖାପ ବେଖାପ ଲାଗୁଛି । ଏ ତୋଟାମାଳ, ଏ ଦୂର ଆକାଶ, ଏ ରୁପା ପରି ଜହ୍ନ, କିଛି ଭଲ ଲାଗୁ ନ ଥିଲା-

 

ଏମିତି କେତେ ଦିନ ଦୁଃଖରେ କଟି ଯାଇଥିଲା !

 

ପ୍ରଦୀପ ଦିନେ–ଦୁଇଦିନ ଅନ୍ତରରେ ଭଲ ମନ୍ଦ ଚିଠି ଖଣ୍ଡେ ଖଣ୍ଡେ ଲେଖି ମନ ଗହନର ଅବ୍ୟକ୍ତ ବେଦନାକୁ ବଖାଣି ଦେଉଥିଲା । ଚିଠି ପଢ଼ି ସାରି ମୁଁ ବି ଅନେକ ଉତ୍ତର ଦେଉଥିଲି । ସେ ମାନ ଅଭିମାନର ଶବ୍ଦ ଗୁଡ଼ିକ ଯେମିତି ପ୍ରଦୀପର ମନ ସମୁଦ୍ରକୁ ସ୍ପର୍ଶ କରିବ । ପ୍ରଦୀପ ମଧ୍ୟ ଭାରି ଅଭିମାନିଆ କରି ଚିଠି ଲେଖୁଥିଲା…

 

–ଶିଖା ମାଉସୀ, ତମେ ତ ମୋତେ ବାଦ ସାଦି ଏତେ ଦୂରକୁ ଦୂରେଇ ଦେଲେ । ମୁଁ ଯଦି ସୁଜନପୁର କଲେଜରେ ପଢ଼ୁଥାଆନ୍ତି ତା’ହେଲେ କ’ଣ ତମ ସହିତ ସବୁଦିନ ରହି ନ ଥାନ୍ତି । ତମେ ଜାଣି ଜାଣି ମୋ ସହିତ କୁଟିଳତା କଲ । ମୋତେ ଏଠି ଏକାକୀ ଛାଡ଼ି ଦେଇ ତମ ମୋ ନିକଟରୁ ଦୂରେଇ ଗଲ । ଏମିତି ଅନେକ ମାନ ଅଭିମାନର କଥା ।

 

ଚିଠି ପଢ଼ିସାରିଲେ ଆଖିକୋଣରୁ ଲୁହ ଜକେଇ ଆସେ । ଲୁହର ବନ୍ୟାରେ ଚିଠି ପଢ଼ିପାରେ ନାହିଁ । ପଣତକାନିରେ ଲୁହ ପୋଛେ । ସେ ଚିଠିକୁ ପୁଣି ବାରମ୍ବାର ପଢ଼ିବ ସେ । ଯେତେ ପଢ଼ିଲେ ବି ନୂଆ ଭଳି ଲାଗେ । ସେଇ ଚିଠିର ଅକ୍ଷର ସନ୍ଦିରେ ଆଙ୍କି ହୋଇଯାଏ ପ୍ରଦୀପର ଅଭିମାନ ଭରା ମୁହଁଟା ।

 

ମୁଁ ଚିଠି ଲେଖେ–

 

–ପ୍ରଦୀପ, ତମକୁ ମୁଁ ଦୂରେଇ ଦେଇ ନାହିଁ । ବରଂ ତମେ ମୋ ଉପରେ ଅଭିମାନ କରି ଦୂରେଇ ଦେଲ । ତମେ ରାମଚନ୍ଦ୍ର ସାଜିଲ । ମୁଁ ସୀତା ହୋଇ ଅଶୋକ ବନରେ ବନ୍ଦୀ ହୋଇ ଅସୁରମାନଙ୍କ ଗହଣରେ ଖାଲି ଛଟପଟ ହେଉଛି । ହାତ ବଢ଼ାଇଲେ ହାତ ପାଉନାହିଁ । ମନ ବଢ଼େଇଲେ ମନ ପାଉନାହିଁ । ସ୍ଵପ୍ନମାନେ ସବୁ ଅନେକ ଦୂରରେ । ଅତୀତଟା ବହୁ ପଛକୁ ଘୁଞ୍ଚି ଯାଇଛି । କାହାକୁ ନେଇ ମୁଁ ମୁକ୍ତି ହେବାର ସ୍ଵପ୍ନ ଦେଖିବି ।

 

ଏମିତି କେତେ ମାନ–ଅଭିମାନର ଚିଠି ପତ୍ର ଲେଖିଥିଲି । ଛୁଟି ଦିନ ମାନଙ୍କରେ ପ୍ରଦୀପ ଆସେ । ହସ, ଖୁସିର ଜୁଆର ଆମ ଦୁଆର ବନ୍ଧ ଡେଇଁ ମାଡ଼ି ଆସେ । ପୁଣି ଅଚାନକ ତୋଫାନ ଭଳି ମେଳେଇ ଯାଏ । ଗର୍ଜନ ତର୍ଜନ କରି ମେଘ ଘଡ଼ ଘଡ଼ି ମାଡ଼ିଆସେ । ପୁଣି ଗରଜିଲା ମେଘ ବରଷେ ନାହଁ ସୁତ୍ରରେ ଦୂର ଆକାଶରେ ହଜିଯାଏ ।

 

ହସ କାନ୍ଦ ସୁଖ ଦୁଃଖ ଅନ୍ଧାର ଆଲୁଅ ରିତିରେ ପୃଥିବୀ ଘୁରୁଥୁଲା । ପୂର୍ବ ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଆଡ଼େ ଠିକ୍ ମାପଚୁପ୍ । ସବୁ ସ୍ଥିର–ପୁଣି ସବୁ ଚଳ ଚଞ୍ଚଳ । ମିନିଟ କଣ୍ଟାରେ ଟିକ୍ ଟିକ୍ ଶବ୍ଦ ସହିତ ତାଳ ମିଳାଇ ସମୟ ବହି ଯାଇଥିଲା ।

 

ଅଚାନକ ଦିନେ ବାପା ଆସି ପହଞ୍ଚିଲେ । ମୋତେ ତାଙ୍କ ସାଙ୍ଗରେ ଘରକୁ ଯିବା ପାଇଁ କହିଥିଲେ । ମୁଁ ବୁଝି ପାରି ନଥିଲି ବାପା କାହିଁକି ଏମିତି ଅଚାନକ ତାଙ୍କ ସହିତ ନେଇ ଯିବାକୁ ଚାହୁଁଛନ୍ତି । ରାଇ ଭାଇ ବି ପ୍ରତିବାଦ କରି ନ ଥିଲେ । ମୁଁ ବି ଚାହୁଁଥିଲି ଗାଁ ଆଡ଼େ ଯାଇ କିଛିଦିନ ବୁଲି ଆସିବି । ପ୍ରଦୀପ ଗଲା ପରଠାରୁ ଏଠି ଆଉ ମୋଟେ ଭଲ ଲାଗୁ ନ ଥିଲା । ହେଲେ ରାଇ ଭାଇଙ୍କୁ ରୋଷେଇ ଦି’ଟା କରି ଦେବ କିଏ ? ମୁଁ ଶୁଣୁଥିଲି କେତେଦିନ ତଳେ କିଏ ଜଣେ ଲେଖା ଯୋଖାର ଅପା ଆସି ଘର କାମ ସମ୍ଭାଳିବେ ବୋଲି କଥା ହେଉଥିଲେ ।

 

ମୁଁ ବାପାଙ୍କ ସହିତ ଗାଁକୁ ଫେରି ଆସିଥିଲି । ପରିଚିତ ଜନ୍ମମାଟି ବେଶ ଭଲ ଲାଗୁଥିଲା-। ଅନେକ ଦିନ ହେଲା ମୁଁ ଗାଁରୁ ଅପା ଘରକୁ ଚାଲି ଯାଇଥିଲି । ତେଣୁ ଫେରି ଆସିଲା ପରେ ଗାଁଟି ହଜିଲା ଧନ ଖୋଜି ପାଇଲା ଭଳି ଲାଗୁଥିଲା । ପରିଚିତ ତନୟା ଭାଉଜ ଆଉ ଗାଁ ତୋଟା ବଉଳ ମାଳକୁ ଅନେକ ଦିନ ହେଲା ହଜେଇ ଦେଇଥିଲି ।

 

ଘରେ ପହଞ୍ଚିଲା ମାତ୍ରେ ଲୁଗା ବଦଳେଇ ପକାଇ ଧାଇଁ ଯାଇଥିଲି ତନୁ ଭାଉଜଙ୍କ ପାଖକୁ । ଅନେକ ଦିନ ହେବ ତାଙ୍କ ସହିତ କଥା ପଦେ ହୋଇ ନାହିଁ । ଘରେ ଯାଇ ଦେଖେ ତ ତନୁ ଭାଉଜ ତୋଟା ମାଳ ନଈପଠାକୁ ପାଣି ପାଇଁ ଯାଇଥିଲେ । ମୁଁ ଏ କଥା ଶୁଣିଲା ପରେ ନିମିଷକ ମଧ୍ୟରେ ଧାଇଁ ଯାଇଥିଲି ନଈ ପଠାକୁ ।

 

ତନୁ ଭାଉଜଙ୍କୁ ଦେଖି କୁଣ୍ଢେଇ ପକାଇଥିଲି । ତନୁ ଭାଉଜ ହସି ହସି କହିଲେ–କିଲୋ ଶିଖା, ଚୌଧୁରୀ ଘରର ବୋହୁ ହେବୁ ବୋଲି କ’ଣ ଆଗତୁରା ଯାଇ ସେଠି ରେଲସେଲ୍ କରୁଥିଲୁକି । ସେଇ ଦିନରୁ ଯାଇଛୁ ଯେ ଆମକୁ ଏକା ବେଳକେ ଭୁଲି ଗଲୁଣି ।

 

ମୁଁ ମନ ଗହୀରରେ ଚମକି ଉଠିଥିଲି । ମୋର କଉତୁକିଆ ଚନ୍ଦ୍ରବଦନଟି ତତ୍‌କ୍ଷଣାତ କଳା ପଡ଼ି ଯାଇଥିଲା । ମୁଁ ଢୋକ ଗିଳି କହିଲି–

 

–ଭାଉଜ, ତମେ ଶେଷରେ ମୋତେ ଥଟ୍ଟା କଲ । ଯେଉଁ ପରସ୍ଥିତିରେ ଅପା ମୋତେ ଛାଡ଼ିଦେଇ ଚାଲିଗଲା ମୋର ଉପାୟ ବା କ’ଣ ଥିଲା । ଏତେ ବଡ଼ ରାଜ ଉଆସ ଭଳି ଘରଟାରେ ଦି’ଟା ରାନ୍ଧି ବାଢ଼ି ଦେବାକୁ ରାଇ ଭାଇଙ୍କୁ କେହି ନାହିଁ ! ତେଣୁ ବାଧ୍ୟ ହୋଇ କିଛିଦିନ ରହି ଯାଇଥିଲି ।

 

ତନୁ ଭାଉଜ ଅବଶେଷରେ ଆତ୍ମଗ୍ଲାନି ମଧ୍ୟରେ ଭିଜି ଭିଜି କହିଥିଲେ–ମୁଁ ଜାଣେ ଲୋ ଶିଖା, ହେଲେ ଗାଁ ସାରା ତ ହୁଡ଼ି ପଡ଼ିଛି ଶିଖା, ଚୌଧୁରୀ ଘରକୁ ବୋହୂ ହୋଇ ଯାଉଛି ବୋଲି । ରାଇ ଚରଣ ତ ବେଶ ସୁନ୍ଦର ଲୋକ । ସୁନ୍ଦର ପୁରୁଷ । ପୁଣି ଅଚଳାଚଳ ସମ୍ପତ୍ତି । ଖାଇଲେ ବୋହିଲେ ସରିବ ନାହିଁ । ସେଠି ତା ଅସୁବିଧା କ’ଣ ? ରାଇଚରଣଙ୍କ ମାମୁଁ ଆସିଥିଲେ ଯେ, ମଉସା, ମାଉସୀ ତାଙ୍କୁ ଜବାବ ଦେଇ ଦେଇଛନ୍ତି । ଆସନ୍ତା ଫଗୁଣ ତିଥିରେ ବାହାଘର ହେବ । ତା’ ନହେଲେ ଏତେ ବଡ଼ ଚୌଧୁରୀ ଘରଟା ଉଜୁଡ଼ି ଯିବ ଯେ-?

 

ମୁଁ ଗୁମ୍ ମାରି ଯାଇଥିଲି । ଛାତିରୁ ମୋର ଅତଡ଼ା ଖସି ପଡ଼ିଥିଲା । ଆଖି ଆଗରେ ବହଳ ଅନ୍ଧକାର ମାଡ଼ି ଆସିଥିଲା । ମୁଁ କିଛି ଭାବି ପାରୁ ନ ଥିଲି । କାନ ମୁଣ୍ଡ ଝାଏଁ ଝାଏଁ ହୋଇ ଉଠୁଥିଲା । ପାଟିରୁ ମୋର କଥା ବାହାରୁ ନଥିଲା ।

 

ଏହା ଦେଖି ତନୁ ଭାଉଜ ମୋତେ ହଲେଇ ଦେଇ କହିଥିଲେ–ଶିଖା, ରାଗିଲୁ କିଲୋ ? କଥାଟା ଶୁଣିଥିଲି ବୋଲି କହିଦେଲି । ଗାଁ ସାରା ସମସ୍ତେ ଟୁପୁର, ଟାପର ହେଉଚନ୍ତି । ଏ ଦୁନିଆଟା ଅଜବ ଲୋ ଶିଖା । କେହି କାହାର ଜୀବନ ଦର୍ଶନକୁ ବୁଝନ୍ତି ନାହିଁ । ତୁ ରାଇଚରଣଙ୍କୁ ବାହା ହୋଇ ଗଲେ କ’ଣ କମ ବଡ଼ ଆଦର୍ଶର କଥାଟିଏ କରିବୁ ? ନ ହେଲେ ତାଙ୍କ ଭଳି ସୁନ୍ଦର ଲୋକ–ଯିଏ ଦିନ–ରାତି ପର ଦୁଖରେ ନିଜକୁ ହଜେଇ ଦିଏ, ତା’ ସଂସାରଟା ତ ଉଜୁଡ଼ି ଯାଇ ଥାଆନ୍ତା ତୁ ଏତେ ବଡ଼ ମାନ, ସମ୍ମାନ ପରମ୍ପରା ଯୁକ୍ତ ଚୌଧୁରୀ ପରିବାରକୁ ଅକାଳ ମୁହଁରୁ ବଞ୍ଚେଇ ଦେବୁ । ଏ ସମାଜର ନିତୀ ଏକ ଭିନ୍ନମୁଖୀ । କେହି କାହାର ସୁଖ ଦେଖିଲେ ସହି ପାରନ୍ତି ନାହିଁ । ଏ ଯେଉଁ ଗାଁ ଲୋକ ନା ? ଛାଡ଼ ଏମାନଙ୍କ କଥା ।

 

ମୁଁ ଏ କଥାକୁ ଖିଆଲ ମଣିଥିଲି । ଏତେ କଥା ଘଟିଗଲା ଅଥଚ ମୁଁ ଜାଣିଲି ନାହିଁ । ମିଛ କଥା । ମୁଁ ସଚେତନ ହୋଇ ଅନୁଭବ କରୁଥିଲି–ତନୁ ଭାଉଜ ଅଚାନକ ବଢ଼ି ପାଣିରେ ବାଲି ବନ୍ଧ ମେଳେଇ ଗଲା ଭଳି ଭାଙ୍ଗି ପଡ଼ୁଛନ୍ତି । ମନ ମଧ୍ୟରେ ତାଙ୍କର ଏ ଗାଁ ଲୋକଙ୍କ ଉପରେ ଉଗ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ସେ ପିଲାଟି ଦିନରୁ ବାଲ୍ୟ ବିଧବା । ଜୀବନର ସୁଖ କ’ଣ ସେ ଜାଣନ୍ତି ନାହି । ପୁରୁଷର ସାନିଗ୍‌ଧ କ’ଣ ଅନୁଭବ କରି ନାହାନ୍ତି । ଖାଲି ପାଇଛନ୍ତି ଆହତ ମନ ମଧ୍ୟରେ ସ୍ମୃତିର ମେଞ୍ଚା ମେଞ୍ଚା ପାଉଁଶ । ନଟ ଭାଇ ମରିଗଲା ପରେ ସେ ଚଉଦ ବୟସରେ ବିଧବା ହୋଇ ଯାଇଥିଲେ । ଆଉ କେତେଟା ଦିନ ପରେ ସେ ପୁହାଣି ହୋଇ ଆସି ଆଦ୍ୟ ଯୌବନର ପହିଲି ପରଶକୁ ମନ ଭରି, ପ୍ରାଣ ଭରି ଉପଭୋଗ କରି ଥାଆନ୍ତେ । ହେଲେ ସବୁ ସ୍ଵପ୍ନ, ସବୁ ଆକାଂକ୍ଷା ତାଙ୍କର ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା । ତା’ପରେ ତାଙ୍କ ଗାଁ ମାମଲତକାର ଝିଅଟିର ଜୀବନ ନଷ୍ଟ ହେଉଥିବାର ଦେଖି ଶଙ୍କରା ଦାଦିଙ୍କ ସହିତ କଥାବାର୍ତ୍ତା କରିଥିଲେ ।

 

ଅକାଳ ଚଡ଼କକୁ ମଣିଷର ବା କ’ଣ ହାତ ଅଛି । ଝିଅଟାର ବା କ’ଣ ଅପରାଧ । ତାକୁ ଯଦି ବଟ ସହିତ ବାହାଘର କରା ହୁଅନ୍ତା ତା’ହେଲେ ତମରି ବୋହୂ ତମରି ଘରେ ସଧବା ହୋଇ କୂଳ ବୋହୂ ରୂପେ ରହିଯାଇ ଥାଆନ୍ତା । ସେ ତମର ଯଦି ଝିଅଟିଏ ହୋଇ ଥାଆନ୍ତା ତା’ହେଲେ କ’ଣ ତମେ ତାକୁ ଏମିତି ପାଦରେ ଠେଲି ଦିଅନ୍ତ ଅକାଳର ସୁଅ ମୁହଁକୁ ?

 

ଶଙ୍କରା ଦାଦି ଆଖିରୁ ଧାର ଧାର ଲୁହ ଝରି ଯାଇଥିଲା । ସେ ଆଖିରୁ ଲୁହ ପୋଛି କହିଥିଲା–ବୁଝିଲ ମହାପାତ୍ରେ ମୋର ଝୁଅ ନାହଁ ବୋଲି ମୁଁ ତମକୁ ବାହା ଦେଇ ତନୁ ଭଳି ଝିଅକୁ ବୋହୁ କରିଥିଲି । ମୁଁ କ’ଣ ଏ କଥାରେ ପ୍ରତିବାଦ କରିବି ! ବିଚାରୀର ଦୋଷ ବା କ’ଣ ?

 

ବଟ ଭାଇ ପାଠ ଶାଠ ପଢ଼ିଲା ପିଲା । ସେ ବି ଏ କଥାରେ ରାଜି ହୋଇଗଲେ । ବାହାଘର ଆୟୋଜନ ଚାଲିଲା । ତନୁ ଭାଉଜ ତୋଳା କନିଆ ରୁପେ ଶଙ୍କରା ଦି’ଙ୍କ ଘରକୁ ବୋହୂ ହେବାକୁ ଆସିଲା । କିନ୍ତୁ ବାହାଘର ଦିନ ସାଇ ଭାଇ, ଗାଁର ମୁଖିଆ ମୁଖିଆ ଲୋକ ସବୁ ଅତାଡ଼ି କାଢ଼ି ବସିଲେ । ଏହା ଘୋର ପାପ । ଏ ଗାଁକୁ କଳଙ୍କ, ଏ ଜାତିକୁ ଅପବିତ୍ର ଆଉ ମର୍ଯ୍ୟାଦା ହାନି କରିବା କଥା । ଏମିତି କେତେ କ’ଣ କଥା । ଏ ବାହାଘର ହେଲେ ଶଙ୍କରା ଦାଦିଙ୍କୁ ଗାଁ ବାଛନ୍ଦ ହେବ । ସାଇ ଭାଇଙ୍କ ଠାରୁ ସମ୍ପର୍କ ଚ୍ଛିନ୍ନ କରି ଏକ ଘରକିଆ ହୋଇ ରହିବାକୁ ପଡ଼ିବ ।

 

Unknown

କିନ୍ତୁ ଶଙ୍କରା ଦାଦି ଏ କଥାରେ ପ୍ରତିବାଦ କରି ପାରିଲେ ନାହିଁ । ସାରା ଗାଁଟା ତାଙ୍କ ବିରୁଦ୍ଧରେ । ତେଣୁ ବାହାଘର ଭାଙ୍ଗିଗଲା । ତନୁ ଭାଉଜଙ୍କର ଅତୀତ ପାଇଁ ସବୁ ସ୍ଵପ୍ନ ଭାଙ୍ଗି ରୁଜି ଚୁରମାର ହୋଇଗଲା । ବଟ ଭାଇଙ୍କର ଆଦର୍ଶ, ଖାଲି ଆଦର୍ଶରେ ରହିଗଲା । ସେଇ ଦିନଠାରୁ ତନୁ ଭାଉଜ ଶଙ୍କରାଦି’ଙ୍କ ପାଖରେ ଝିଅ ଭଳି ରହି ଆସିଛନ୍ତି । ଦୁନିଆ ସାରା ଜାଣନ୍ତି ତନୟା ସେଠି ଆନନ୍ଦରେ ଅଛି । ଖାଇବା, ପିନ୍ଧିବାରେ କିଛି ଅଭାବ ଅସୁବିଧା ନାହିଁ ।

 

ହେଲେ କିଏ ସେ ଆଗେଇ ଆସିଛି ତାଙ୍କ ମନର ଯନ୍ତ୍ରଣାକୁ ଅନୁଧ୍ୟାନ କରିବା ପାଇଁ । ଖାଇଲେ ପିଇଲେ ସିନା ପେଟର ଭୋକ ମରେ, ହେଲେ ମନର ଭୋକ ? ପୁରୁଷର କ୍ଷୁଧା ହେଉଛି ନାରୀ । ନାରୀର କ୍ଷୁଧା ହେଉଛି ପୁରୁଷ । ଦୁହେଁ ଦୁହିଙ୍କୁ ଗ୍ରାସି ଗଲେ ତେବେ ଯାଇ ସେମାନଙ୍କର ତୃଷ୍ଣା ମେଣ୍ଟେ । ନାରୀ ଆତ୍ମତୃପ୍ତି ଲାଭ କରେ । ପୁରୁଷ ଆଶ୍ଵସ୍ତି ବୋଧ କରେ । ଦୁନିଆରେ ସ୍ନେହ, ପ୍ରେମ, ମମତାର ଜୟ ହୁଏ । ସେଇ ଜୟ, ଜୟକାର ଧ୍ଵନି ମଧ୍ୟରେ ଜନ୍ମଦିଏ ଅଗାମୀ ଯୁଗର ଭବିଷ୍ୟତ ବଂଶଧର ।

 

ହେଲେ ବରଷ ମନ ନେଇ ସେଦିନ ଫେରି ଆସିଥିଲି ତନୁ ଭାଉଜଙ୍କ ନିକଟରୁ । ମନ ମଧ୍ୟରେ ଅସଂଖ୍ୟ ଝଡ଼ର ସୂଚନା । ଦେହର ମାଂସପେଶୀ, ରକ୍ତ କଣିକାରେ ଅଚାନକ ଆଗ୍ନେୟଗିରୀର ଉଦ୍‌ଗିରଣ । କଥାଟା ଯଦି ସତ ହୋଇଥାଏ–ତା’ହେଲେ ?

 

ମୋ ସ୍ଵପ୍ନ ।

 

ମୋ ଆଦର୍ଶର ପ୍ରେମ ପ୍ରଣୟ ।

 

ମୋ ଭବିଷ୍ୟତ ?

 

ମୋ କୁଆଁରୀ ମନର ଭିଜା ଭିଜା ଅତୀତ ?

 

ଯାହାକୁ ନେଇ ମୁଁ ଆଗାମୀ ଭବିଷ୍ୟତ ପାଇଁ ବାଲିର କୋଣାର୍କ ଗଢ଼ି ଚାଲୁଥିଲି । ତାହା ସବୁ କ’ଣ ତନୁ ଭାଉଜର ସ୍ଵପ୍ନ ପରି ମନ ଗହୀରରେ ଚାପି ହୋଇଯିବ ? ଦୀପ ତଳେ ଅନ୍ଧାର ଭଳି ଆଲୋକର ସ୍ଵପ୍ନ ଦେଖି ଦେଖି ଜୀବନ ସାରା ଅନ୍ଧକାରର ଯନ୍ତ୍ରଣା ମଧ୍ୟରେ ଛଟପଟ ହୋଇ ମରିବ । ତୃଷାର୍ଥ ପଥୀକ ଭଳି ସମୁଦ୍ର ନିକଟରେ ପାଣି ଦେଖି ଦେଖି ମରିବ, ଅଥଚ ତୃର୍ଷ୍ଣା ଅପନୋଦନ କରି ପାରିବ ନାହିଁ ?

 

ଏ ସମାଜର ଆଇନ୍‍କାନୁନ ବଡ଼ କ୍ରୁର । ତା’ର ବତ୍ତୁଳାକାର ଗଣ୍ଡି ମଧ୍ୟରେ ତନୁ ଭାଉଜ, ଲେଖା ଅପା ଭଳି ଅନେକ ନିରୀହ ବାଳିକାମାନେ ପେଶୀ ହୋଇ ଯାଇଛନ୍ତି । ସେମାନଙ୍କ ଦେହ–ମନର ଯନ୍ତ୍ରଣା କେହି ବୁଝିବାକୁ ଚେଷ୍ଟା କରି ନାହାନ୍ତି । ବରଂ ଅଜଥା ସମବେଦନା ଜଣାଇ ଯନ୍ତ୍ରଣାକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରିଛନ୍ତି ।

 

କାହିଁ କେହି ତ କେବେ ସମାଜର ଆଇନ୍‍କାନୁନ ଭାଙ୍ଗି ଦେଇ ଆଗେଇ ଆସିନି ତନୁ ଭାଉଜଙ୍କୁ କୁଳବଧୂର ସମ୍ମାନ ଦେଇ ତା’ ମସୃଣ, ନରମ ଛାତି ଉପରକୁ ଟାଣି ନେବାକୁ ? ତନୁ ଭାଉଜ ତ ଅକ୍ଷତ ଯୌବନା ? ଚରିତ୍ରର ସ୍ଫଳନ ଘଟିଲା ବା କେଉଁଠି ? ଏବେ ବି ଚିକ୍‍ଚିକ୍ ହୋଇ ଅଗ୍ନିର ଜ୍ୟୋତି ଭଳି ଅମ୍ଳାନ ରହିଛି । ଅନ୍ୟ ଏକ କୋଠରୀରେ ବଟଭାଇ କଲ୍ୟାଣୀ ଭାଉଜଙ୍କୁ ପ୍ରଣୟ ପାଶରେ କ୍ରୀଡ଼ା ରଚନା କରୁଥିବା ବେଳେ, ତନୁ ଭାଉଜ ଯୌବନର କାମନାଗ୍ନିରେ ଜଳି ଜଳି ସୁନା ଭଳି ଆହୁରି ଉଜ୍ଜଳ, ତେଜସ୍କ୍ରିୟ ହୋଇ ଉଠୁଛନ୍ତି । କାରଣ, ବଟ ଭାଇ ଯେଉଁ ଦିନ ତନୁ ଭାଉଜଙ୍କୁ ବୈଧବ୍ୟ ଯନ୍ତ୍ରଣାକୁ ଉପଶମ କରିବାକୁ ଯାଇ ବିବାହ କରିବାର ସ୍ଵୀକୃତି ଦେଇଥିଲେ, ସେଦିନ ତ ତନୁ ଭାଉଜ ବଟ ଭାଇଙ୍କୁ ନେଇ ଭବିଷ୍ୟତର ସ୍ଵପ୍ନ ଦେଖି ଦେଖି ଆତ୍ମ ବିଭୋର ହୋଇ ଉଠୁଥିଲେ ।

 

ସମାଜ ହୁଏତ ଅନେକ ଜାତି ପ୍ରଥାର ଆଖ୍ୟା ଦେଇପାରେ ? ହେଲେ ଭଗବାନଙ୍କ ପ୍ରାକୃତିକ ସୃଷ୍ଟିରେ ମଣିଷ ଦୁଇଟି ଜାତିରେ ବିଭକ୍ତ । ପୁରୁଷ ଆଉ ସ୍ତ୍ରୀ ଅଲେଖ ଭାଇ ପୁରୁଷ–ଲେଖା ଅପା ସ୍ତ୍ରୀ । ପୁରୁଷ ଆଉ ସ୍ତ୍ରୀମାନଙ୍କର ସମ୍ପର୍କ ତ ଅବିଚ୍ଛେଦ୍ୟ । ତା’ହେଲେ ଜାତିପ୍ରଥାର ଆଇନ୍ ମଧ୍ୟରେ ଲେଖା ଅପାର ଆଶା ଆକାଂକ୍ଷା ପେଶୀ ହୋଇଗଲା । କିଏ ସେ ଅନୁଧ୍ୟାନ କଲା ସେମାନଙ୍କ ମନ ମଧ୍ୟରେ ମରିଯାଇଥିବା ଶୋଷକୁ ?

 

କେହି ନୁହେଁ ?

 

ଏ ଦୁନିଆ କିଛି ବୁଝେନା–କିଛି ଜାଣେନା । ଅନ୍ଧକାର ମଧ୍ୟରେ ଆଖିବୁଜି ବାଡ଼ି ବୁଲାଇଲା ଭଳି ହୁଣ୍ଡା ମୁଲର ଦୁନିଆ । କେଉଁ କୂଳ ସବୁଜ ଫସଲରେ ହସି ଉଠିଲେ, କେଉଁ କୂଳ ଦୁର୍ଭିକ୍ଷର ପ୍ରଚଣ୍ଡ ଆଘାତରେ ଦୋହଲି ଉଠେ । ସବୁ ସେଇ ସମୟ ସୁଅରେ । ଜଣେ ବିବାହିତ ପୁରୁଷ ତା’ ସହଧର୍ମିଣୀକୁ ହରାଇଲା ପରେ ଆଉ ଜଣେ ତରୁଣୀ କନ୍ୟାର ପାଣି ଗ୍ରହଣ କରି ପାରିବ, ଅଥଚ ଜଣେ ବିବାହିତ ସ୍ତ୍ରୀ ପକ୍ଷେ ତାହା ସମ୍ଭବ ହୋଇପାରେ ନାହଁ । ସମାଜର ଆଇନ୍‍କାନୁନ୍ ତା’ ପାଇଁ ନିର୍ଦ୍ଦୟ ହୋଇ ଉଠେ ।

 

କିନ୍ତୁ କାହିଁକି ?

 

ମୁଁ ଖୋଜି ଖୋଜି ପାଉ ନ ଥିଲି । ସମାଜର ଆଇନ୍‍କାନୁନ୍‌କୁ ଗଢ଼ିଛି କିଏ ? ସେ କ’ଣ ମଣିଷ ନୁହେଁ । ତା’ର କ’ଣ ମାନବିକତା ବୋଲି କିଛି ନାହିଁ । ତା’ ଦେହ କ’ଣ ଆମ ଭଳି ରକ୍ତ ମାଂସରେ ତିଆରି ନୁହେଁ ?

 

ବିଦ୍ରୋହର ଆଲୋଡ଼ନ ଦେହ ମନକୁ ଚହଲାଇ ଦେଇଥିଲା । ଅଜଣା ଦୁଃଖରେ ମୁଁ ଭାଙ୍ଗି ପଡ଼ିଥିଲି । ତନୁ ଭାଉଜଙ୍କ କଥା ଯଦି ସତ ହୋଇଥାଏ ତା’ ହେଲେ ମୁଁ ବଞ୍ଚି ପାରିବି ତ ? ପ୍ରଦୀପ କ’ଣ ଭାବିବ ? ସେ ନିଶ୍ଚୟ କହିବ–ଶିଖା, ଏଇନା ତମ ପ୍ରେମ, ଏଇନା ତ‌ମ ଆଦର୍ଶ, ଭଲ ପାଇବାର ପ୍ରତିଦାନ । ତମ ମନରେ ଯଦି ଏତେ କୁଟିଳତା ଥିଲା ତା’ହେଲେ ମୋତେ ଏମିତି ଅଯଥାରେ କାହିଁକି ଯନ୍ତ୍ରଣାର ଅଥଳ ସୁଅରେ ଭସାଇ ଦେଲ ।

 

ଆଉ ଭାବି ପାରୁ ନ ଥିଲି–

 

ବିଷାଦର ବହ୍ନିରେ ଜଳି ଜଳି ଘର ଭିତରେ ପାଦ ଦେଇଥିଲି । ଘରଟା ଯେମିତି ନୂଆ ନୂଆ ଲାଗୁଥିଲା । ବାହାଘର ପାଇଁ ଯେମିତି ସବୁ ଆୟୋଜନ ସରିଛି । ଲିପା ପୋଛା ହୋଇ ଘର ଦୁଆର ଚିକଣ ଦେଖା, ଯାଉଛି । ବୋଉର ମୁହଁ ହସ ହସ । ବାପା ମଧ୍ୟ ଆୟୋଜନରେ ଲାଗି ପଡ଼ିଛନ୍ତି ।

 

ମନ ଗହନର କଅଁଳ ତରୁଣୀଟି କଇଁ କଇଁ ହୋଇ କାନ୍ଦି ଉଠିଲା । ମୁଁ ଘର ଭିତରକୁ ଧାଇଁ ଯାଇ ତକିଆଟି ଉପରେ ମୁହଁ ମାଡ଼ି କଇଁ କଇଁ ହୋଇ କାନ୍ଦୁଥିଲି । ଆଖିର ଲୁହରେ ଫେରି ଯାଇଥିଲି ଅତୀତ ଦେହକୁ । କାହିଁ କେତେ ଦୂରରେ ବିତି ଯାଇଥିବା ସାବଲୀଳ ଅତୀତର ସ୍ମୃତି । ସେ ସବୁ ଯେମିତି ମୋତେ ବିଦୃପ କରୁଥିଲେ ।

 

କାନ୍ଦି କାନ୍ଦି ଆଖି ଫୁଲି ଯାଇଥିଲା । ବୋଉ ଆସି ମୋତେ କୋଳକୁ ଟାଣି ନେଇ ଅଡ଼ୁଆ ବାଳଗୁଡ଼ିକ ସଜାଡ଼ି ଦେଇ ଗେଲେଇ ଗେଲେଇ କହୁଥିଲେ–ମୁଁ ବୁଝୁଛି ଲୋ ଶିଖା, ତୁ ମୋତେ ଦୂରେଇ ଦେଇ ଚାଲିଯିବୁ ବୋଲି କାହିଁକି ଏତେ କାନ୍ଦୁଛୁ । ସବୁ ଝିଅମାନଙ୍କ ଦଶା ଦିନେ ଏଇଆ ହୁଏ । ମା’ମାନେ ଖାଲି ଯନ୍ତ୍ରଣାରେ ଛଟ ପଟ ହୋଇ ମରନ୍ତି । ରାଇ ଚରଣ ତୋତେ କେତେ ଭଲ ନ ପାଏ । ଲେଖା ଯେଉଁଠି ଘର ସଂସାର କରି ପାରିଲା ନାହିଁ, ତୁ ସେଇଠି ସୁନାର ସଂସାର ଗଢ଼ି ଦେବୁ । ଚୌଧୁରୀ ବଂଶ ହସି ଉଠିବ । ତୋର ମା’ ହୋଇ ମୁଁ ନିଜକୁ ସାର୍ଥକ ମଣିବି-। ଲେଖା ସିନା ହାରିଗଲା, ହେଲେ ମୋ ଶିଖା ବି ତା’ ସ୍ଥାନ ପୂରଣ କରିବାକୁ ଅଛି । ଦୁନିଆ ଜାଣିବ ମୋ ଝିଅ ହିଁ ଚୌଧୁରୀ ବଂଶକୁ ନିଶେଷ କରିବାକୁ ଦେଇନି । ମୋ କୂଳରେ କଳଙ୍କ ଲାଗିବନି । କେହି ଶେଷରେ କହିବନି ଅମୁଳର ଝିଅ ପାଇଁ ଚୌଧୁରୀ ବଂଶର ଶେଷରେ ଅଣ୍ଡିରା ଶିଆଳ ରଡ଼ି ଛାଡ଼ିଲେ ।

 

ମୁଁ କାହିଁକି ଦୁଃଖରେ ଭାଙ୍ଗି ପଡ଼ିଥିଲି ତାହା ଚନ୍ଦ୍ର ସୂର୍ଯ୍ୟ ବ୍ୟତୀତ ଆଉ କେହି ଅନୁଭବ କରି ପାରୁ ନ ଥିଲେ । ବୋଉ ଭାବୁଥିଲା, ଗାଁ ସାଙ୍ଗ ସାଥୀ, ବାପା, ମା’ଙ୍କୁ ଦୂରେଇ ଦେଇ ଯିବି ବୋଲି ମୁଁ କାନ୍ଦୁଥିଲି । ସବୁ ଝିଅମାନେ ବାପ ଘରର ସ୍ନେହ–ମମତା ପାଇଁ ବିକଳରେ କାନ୍ଦି ଉଠନ୍ତି-। ଅଜଣା ଦେବତା ତାଙ୍କ ପାଇଁ କ’ଣ ହେବେ, ସେଇ ଆଶଙ୍କାରେ ସେମାନେ ଶିହରୀ ଉଠନ୍ତି-

 

ହେଲେ ମୁଁ ସ୍ଵପ୍ନ ଦେଖିଥିଲି ପ୍ରଦୀପକୁ ମୋ ମନର ଦେବତା ରୂପରେ । ପ୍ରଦୀପ ମୋର ଜଣା ଦେବତା । ମୁଁ ତା’ର ଆପଣାର ପୂଜାରୀ । କାଗଜ ଫୁଲର ସ୍ଵପ୍ନ ଭଳି ମୁଁ ଭବିଷ୍ୟତ ପାଇଁ ସେମିତି ଉଜ୍ଜୀବିତ ହେବା ଆଶା କରି ବଞ୍ଚି ରହିଥିଲି । ଫୁଲ ସିନା କେତୋଟି ମୁହୂର୍ତ୍ତର ବ୍ୟବଧାନ ଅନ୍ତରରେ ମ‌ଉଳି ପଡ଼େ, ହେଲେ କାଗଜ ଫୁଲ ଯେମିତି ତା’ର ଭାସ୍ଵର ହୋଇ ଦେବତାଙ୍କ ବେକରେ ସବୁଦିନ ପାଇଁ ଝୁଲୁଥିବ ।

 

ବାପା ବେଶ୍ ଖୁସି ଥିଲେ । ଝିଅ ଜନମ ତ ବାପା–ମା’ଙ୍କୁ କାଳ । କେଉଁଠି ଚୁଡ଼ା ଚାଉଳ ବାନ୍ଧି ବରଘର ଖୋଜି ଥାଆନ୍ତେ । ଯାନି ଯଉତୁକ ନ ଦେଲେ ଝିଅକୁ ଅବା କିଏ ସେ ଆଜି କାଲି ବିଭା ହେଉଛି । ମଧ୍ୟବିତ ପରିବାରରେ ଝିଅ ବାହା କରିବା ହେଉଛି କାଳ । ରାଇ ଭାଇଙ୍କ ମାମୁଁ ଯେତେବେଳେ ଏ ପ୍ରସଙ୍ଗ ବାପାଙ୍କ ପାଖରେ ଉତ୍‌ଥାପନ କରିଥିଲେ, ବାପା ତତ୍‌କ୍ଷଣାତ ରାଜି ହୋଇ ଯାଇଥିଲେ । କାରଣ ବାପାଙ୍କ ମନରେ ଚୌଧୁରୀ ବଂଶର ଅଚଳାଚଳ ସମ୍ପତ୍ତି ଦ୍ଵନ୍ଦ ସୃଷ୍ଟି କରୁଥିଲା । ପ୍ରତ୍ୟେକ ମଣିଷର ମନ ମଧ୍ୟରେ ଅହଙ୍କାର, ଇର୍ଷା, ଲୋଭର ମାତ୍ରା ବେଳେ ବେଳେ ବିବେକକୁ ପ୍ରତିହତ କରି ତା’ର ସ୍ଵରୂପକୁ ପ୍ରଦର୍ଶନ କରିଥାଏ । ବାପା ବି ତ ଜଣେ ରକ୍ତ ମାଂସର ମଣିଷ । ସେବା କେମିତି ସେଥିରୁ ବାଦ ଯାଇଥାନ୍ତେ । ଲେଖା ଅପା ଯେତେବେଳେ ଚୌଧୁରୀ ପରିବାରରେ ସର୍ବମୟ କର୍ତ୍ତା ଥିଲେ । ତା’ ସ୍ଥାନରେ ଅନ୍ୟ ଗୋଟିଏ ଝିଅ ଯେତେବେଳେ ଚୌଧୁରୀ ବଂଶର ପୁରୋଧା ହୋଇ ବସିବ । ସେ ବା କେମିତି ସହି ପାରି ଥାଆନ୍ତେ ।

 

ଏ ଖବର ନିମିଷକେ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା । ଗାଁର ସାଇ ପଡ଼ିଶା ଲୋକମାନେ ବେଶ୍ ଥଟ୍ଟା କରିବା ଆରମ୍ଭ କରି ଦେଇଥିଲେ । କେହି କେହି କହୁଥଲେ ଭିଣେଇ ସାଙ୍ଗରେ ଶାଳୀର ପ୍ରେମ–ପ୍ରଣୟ ବହୁ ଆଗରୁ ଥଲା । ନ ହେଲେ କାହିଁକି ଶିଖା ଯାଇ ଭିଣେଇ ଘରେ ମାସ ମାସ ରହୁଥିଲା । ଆଉ କେହି କେହି କହୁଥିଲେ ଚୌଧୁରୀ ବଂଶର ଧନ–ସମ୍ପତ୍ତି ତାଙ୍କୁ ବାଇ କଲା । କେହି ମଧ୍ୟ କହୁଥିଲେ ବିଚାରୀ ଶିଖା ଭଳି ଝିଅ ଶେଷରେ ଦୋଡ଼ ବେଇକୁ ବାହା ହେଲା । ଶିଖାର ଯେଉଁ ସୁନ୍ଦର ରୂପ, ବିନା ଯଉତୁକରେ ପରା ବାହା ହୋଇ ଯିବାକୁ ଟୋକାମାନେ ଲାଇନ୍ ଲଗାଇ ଥାଆନ୍ତେ ?

 

ଏମିତି । କେତେ କ’ଣ ଗୁଜବରେ କାନ ମୋର ରୁଦ୍ଧି ହୋଇ ଉଠୁଥିଲା । ଆଖିର ଝରଣାରେ ଲୁହର ଛଳ ଛଳ ଧାରା ବନ୍ଦ ହେଉ ନ ଥିଲା । ପୁଣି ମନ ମଧ୍ୟରେ ବିବେକ ବିଦ୍ରୋହ ଘୋଷଣା କରୁଥିଲା । ମୁଁ ଭାବୁଥିଲି, ଲେଖା ଅପା ସିନା ଭୀରୁ, କିନ୍ତୁ ମୁଁ ନୁହେଁ । ଲେଖା ଅପା ସିନା ଅଲେଖ ଭାଇଙ୍କ କଥା ବାପାଙ୍କ ପାଖରେ କିହି ପାରିଲା ନାହିଁ, ହେଲେ ମୁଁ ବାପାଙ୍କୁ ରୋକ୍ ଠୋକ୍ କହି ଦେବି–ମୁଁ ରାଇଚରଣ ଭାଇଙ୍କୁ ବାହା ହୋଇ ପାରିବି ନାହିଁ । ମୁଁ ବାହା ହେବି ପ୍ରଦୀପକୁ । ଆପଣ ଯାହା କୁହନ୍ତୁ ପଛେ । ସମାଜ ଯାହା ଭାବୁ ପଛେ, ମୋ ଭବିଷ୍ୟତ ମୁଁ ନିଜ ହାତରେ ତିଆରି କରିବି । ମୁଁ ଆଉ କଅଁଳ ଶିଶୁ ହେଇ ନାହିଁ ଯେ ଗୁରୁଜନମାନଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଯିବି । ମୁଁ ବଡ଼ ହୋଇଛି । ମୋର ନିଜସ୍ଵ ବିବେକ ବୁଦ୍ଧି ଅଛି । ସତୀ ସାବିତ୍ରୀ ଭଳି ମୋ ଇଚ୍ଛାରେ ମୁଁ ସତ୍ୟବାନ ପ୍ରାୟ ସ୍ଵାମୀକୁ ବରଣ କରିବି ।

 

କିନ୍ତୁ ପର ମୁହୂର୍ତ୍ତରେ ପ୍ରତିହତ ହୋଇ ଉଠୁଥିଲି । ପ୍ରଦୀପ ମୋର ପୁତୁରା । ସମାଜ ଦୃଷ୍ଟିରେ ମୁଁ ତା’ର ମାଉସୀ । ମା’ ଆଉ ମାଉସୀ ମଧ୍ୟରେ ପ୍ରଭେଦ ବା କେତେ ? ଏ ସମାଜରେ ମା’ ପୁଅର ପ୍ରଣୟ କାହାଣୀ କ’ଣ କେବେ ଚିନ୍ତା, ଚେତନା ରାଜ୍ୟ ମଧ୍ୟରେ ସମ୍ଭବ ବୋଲି ଭାବି ହୁଏ ?

 

ତା’ ହେଲେ ଉପାୟ ?

 

ଆଖିରେ ଲୁହର ବନ୍ୟା, ମନ ମଧ୍ୟରେ ଅସହ୍ୟ ଯନ୍ତ୍ରଣାର ସ୍ଵର, ଦେହର ଶିରା ଉପଶିରାରେ ଅଜସ୍ର ବିଷାଦ, କ୍ଳିଷ୍ଟର ସ୍ରୋତ ମଧ୍ୟରେ ସମୟ ମୁହୂର୍ତ୍ତ ମୁହୂର୍ତ୍ତ ହୋଇ ବହି ଯାଉଥିଲା-

 

ସମୟର ସ୍ରୋତକୁ କ’ଣ ବାନ୍ଧି ରଖି ହେବ ?

 

ଯଦି ସମୟର ନଈ ସୁଅକୁ ବାଲି ବନ୍ଧ ଦ୍ଵାରା ବାନ୍ଧି ହୋଇ ପାରୁ ଥାଆନ୍ତା, ତା’ହେଲେ ମୁଁ ସମୟକୁ ମନର ଅନୁରାଗରେ ପଥରରେ ବନ୍ଧ ବାନ୍ଧି ଅନୁନ୍ୱେୟ ହୋଇ କୁହନ୍ତି–ହେ ସମୟ, ତମେ ଆଉ ମୁହୂର୍ତ୍ତଟିଏ ଅପେକ୍ଷା କରିଯାଅ ମୋ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ।

 

ଶେଷ ପର୍ଯ୍ୟନ୍ତ ଉପାୟ ଖୋଜି ଖୋଜି ପାଉ ନ ଥିଲି । ଯଦ ମୁଁ ଏ ବିଭାଘରକୁ ପ୍ରତ୍ୟାଖ୍ୟାନ କରୁଛି ତା’ ହେଲେ ବାହାଘର ଭାଙ୍ଗିଯିବ ସତ ହେଲେ ପ୍ରଦୀପ ସାଙ୍ଗରେ ମୋର ବାହାଘର କେବେ ଏ ଜନ୍ମରେ ସୁଦ୍ଧା ସମ୍ଭବ ନୁହେଁ । ବାହାଘର ତ ଦୂରର କଥା କିନ୍ତୁ ସମ୍ପର୍କ ବି ରଖିହେବା ସମ୍ଭବ ନୁହେଁ । ପ୍ରଦୀପ ବିନା କ’ଣ ମୁଁ ଏ ରକ୍ତ ମାଂସ ଶରୀର ଧରି ବଞ୍ଚି ରହିବା ସମ୍ଭବ-?

 

ସମୟରୁ ସମୟକୁ ମୁଁ ଖାଲି ପ୍ରଶ୍ନ କରି ଚାଲୁଥିଲି ।

 

କିନ୍ତୁ ଉତ୍ତର ଖୋଜି ପାଉ ନ ଥିଲି । ବେଳେବେଳେ ଅନେକ ପ୍ରାପ୍ତ ବୟସ୍କା ତରୁଣୀମାନେ ଏମିତି ଦ୍ଵନ୍ଦ୍ୱରେ ପଡ଼ିଥାଆନ୍ତି । ସମୟ ସେମାନଙ୍କ ହାତରେ ଖୁବ୍ କମ୍ ଥାଏ ବିଚାର କରି ନିଜ ଭିତରେ ନିଜ କଥା ସମାଧାନ କରିବାକୁ । ତେଣୁ କେହି କେହି ନୀରବ ରହି ଯାଆନ୍ତି ଅବା ଆଉ କେହି କେହି ସମାଧାନର ସୂତ୍ର ନ ପାଇ ନିଜ ଜୀବନକୁ କାଳସ୍ରୋତ ବେହରେ ବିପନ୍ନ କରି ବସି ଥାଆନ୍ତି ।

 

ଆଖି ସାମନାରେ ତ୍ରିଛକି ରାସ୍ତା ତିନି ଆଡ଼କୁ ଲମ୍ବି ଯାଇଥିଲା ।

 

ମୁଁ ସେ ତ୍ରିଛକି ରାସ୍ତା ଉପରେ ଠିଆ ହୋଇ ଉପାୟ କଳନା କରୁଥିଲି । କେଉଁ ରାସ୍ତାଟି ମୋ ଭବିଷ୍ୟତ ପାଇଁ ଫୁଲ ଚନ୍ଦନ ବୃଷ୍ଟି କରିବ । ଜୀବନକୁ ବିପନ୍ନ କରି ବସିଲେ ପ୍ରଦୀପ ଭାବିବ, ଶିଖା ସତରେ ଏତେ ଭୀରୁ । ସମୟକୁ ମୁକାବିଲା କରିବା ପାଇଁ ତା’ର ଧୈର୍ଯ୍ୟ, ସାହାସ ତିଳେ ହେଲେ ନାହିଁ । ବିଭାଘରକୁ ପ୍ରତ୍ୟାଖ୍ୟାନ କରି ଆଉ କେଉଁ ପର ପୁରୁଷର ହାତ ଧରି ଅନ୍ୟ ଏକ ଭିନ୍ନମୁଖୀ ସଂସାର ବାନ୍ଧିବାର ସ୍ଵପ୍ନ ଦେଖିଲେ ବି ପ୍ରଦୀପ ସହିତ ସମ୍ପର୍କ ସ୍ଥାପନ କରିହେବ ନାହିଁ । ଅନ୍ୟ ଏକ ଉପଗ୍ରହର ମଣିଷଟିଏ ହୋଇ ରହିଯିବାକୁ ହେବ, ଭିନ୍ନ ରଙ୍ଗ, ଭିନ୍ନ ଆଭିମୁଖ୍ୟ ନେଇ ।

 

ଶେଷ ରାସ୍ତା ହେଉଛି ରାଇ ଭାଇଙ୍କୁ ବିବାହ କରି ପ୍ରଦୀପର ପାଖେ ପାଖେ ରହିବା । କେଉଁ ଅଜଣା ପର ପୁରୁଷର ହାତ ଧରି ଭିନ୍ନ ପୃଥିବୀର ମଣିଷ ହୋଇ ପ୍ରଦୀପ ଲାଗି ଝୁରି ଝୁରି ମରିବା ଅପେକ୍ଷା, ରାଇ ଭାଇଙ୍କୁ ବିବାହ କରି ପ୍ରଦୀପକୁ ଆପଣାର କରି ନେବା ବରଂ ବୁଦ୍ଧିମାନର କାର୍ଯ୍ୟ ହେବ । ପ୍ରଦୀପର ସୁଖ ଦୁଃଖ, ଭଲ ମନ୍ଦରେ ନିଜକୁ ନିୟୋଜିତ କରି ନେବା ଏକାନ୍ତ ଚତୁରତାର କାର୍ଯ୍ୟ ।

 

ଦୀପ ବିନା କ’ଣ ଶିଖାର ଆବିର୍ଭାବ ସମ୍ଭବ ?

 

ଶୟନେ–ସପନେ–ଜାଗରଣେ–ପ୍ରତି ମୁହୂର୍ତ୍ତରେ ପ୍ରଦୀପର ସାନିଗ୍‌ଧ ପାଇଁ ମୋ ପ୍ରାଣ ବାହୁନି ଉଠୁଥିଲା । ଏ ଦୁନିଆରେ ପାର୍ଥିବ ସୁଖ ପାଇଁ କେବଳ ପ୍ରଦୀପ ହିଁ ମୋ ପାଇଁ ଯଥେଷ୍ଟ । ଆଉ ମୁଁ ଦୁନିଆରେ କିଛି ଚାହେଁନା ।

 

ସବୁ ଝିଅମାନେ ବିବାହ ପୂର୍ବରୁ ଅଜଣା ପୁରୁଷର ସାନିଗ୍‌ଧ ପାଇବାର ସୁଖକୁ ମନ ମଧ୍ୟରେ ଅନୁଭବ କରି କରି ଆତ୍ମ ବିଭୋର ହୋଇ ଉଠି ଥାଆନ୍ତି । ବିବାହ ଦିନର ବ୍ୟବଧାନର ଦୂରତ୍ଵକୁ ସହି ପାରନ୍ତି ନାହିଁ । ମନେ ମନେ ବିରକ୍ତ ହୋଇ କହନ୍ତି–ଏଇ ମୁହୂର୍ତ୍ତରେ ମୋ ପ୍ରାଣର ରାଜ କୁମାରଟି ଆସି ମୋତେ ପକ୍ଷୀରାଜ ଘୋଡ଼ାରେ ଚଢ଼େଇ ନେଇ ଯାଆନ୍ତା କି ?

 

କିନ୍ତୁ ମୁଁ..... ?

 

ବ୍ୟତିକ୍ରମ ପାହାଚ ଦେହରେ ପାଦ ଥୋଇବାର ସାହସ କରୁଥିଲି ।

 

ବିବାହ ଦିନ ପାଖେଇ ଆସିବା ସଙ୍ଗେ ସଙ୍ଗେ ଅହେତୁକ ଆତ୍ମଦହନର ଜ୍ୱାଳାରେ ଜଳି ଯାଉଥିଲି । ତନୁ ଭାଉଜ, ବିଥିକା, କାମିନୀ ସମସ୍ତେ ଆସି ମୋ ନିକଟରେ ହସ ଖୁସି ଜମେଇଲେ ବି ମୁଁ ସେମାନଙ୍କ ନିକଟରେ ଖୁସି ହୋଇ ପାରୁ ନ ଥିଲି । ସେମାନେ ଅନୁଭବ କରୁଥିଲେ ଯେମିତି, ମୁଁ ଚୌଧୁରୀ ଘରକୁ ବୋହୁ ହୋଇ ଯାଉଛି ବୋଲି ଗର୍ବରେ ଫାଟି ପଡ଼ୁଛି । କାହାରିକୁ ଭଲ ଭାବରେ ହସି ଖୁସିରେ କଥା ପଦେ ହେଉନାହିଁ ।

 

କାହାର ମନର ଅନ୍ତର କଥାକୁ ଯଦି ଏତେ ସହଜରେ ଅନ୍ୟ କେହି ଅନୁଭବ କରି ପାରୁ ଥାଆନ୍ତି, ତାହେଲେ ଏ ଦୁନିଆରେ ଏତେ ସବୁ ଦ୍ଵନ୍ଦ, ମାନସିକ ଝଡ଼–ଝଞ୍ଜା ସୃଷ୍ଟି ହୁଅନ୍ତା ନାହିଁ । ଅବା ସୁନାର ସଂସାର ସବୁ ଚୁନା ହୋଇ ଯାଉ ନ ଥାନ୍ତା । କିମ୍ବା କେଉଁ ଅବଳା ଟିକି ଟିକି ପିଲାଗୁଡ଼ିକୁ ନେଇ ଅସମୟର ନଈ ସୁଅରେ ଭାସି ଯାଉ ନ ଥାନ୍ତା ।

 

ଏମିତି ଅନ୍ତର୍ଦ୍ୱନ୍ଦ୍ୱ, ମାନସିକ ଝଡ଼, ଅସହ୍ୟ–ଯନ୍ତ୍ରଣା, ଆତ୍ମଦହନ ମଧ୍ୟରେ ସମୟ ବହି ଯାଉଥିଲା । ମୁଁ କେଉଁ କୂଳରେ ମୋ ଭଙ୍ଗା ନଉକାଟିକୁ ନେଇ ଆଶ୍ରା ବାନ୍ଧିବି । ଠିକ୍ କରି ପାରୁ ନ ଥିଲି । ମନ ହୃଦୟକୁ ବିଦୀର୍ଣ୍ଣ କରି ପକାଉଥିଲା ପ୍ରଦୀପ ସେହି ଅଭିମାନିଆ ମୁହଁଟା । କେଉଁ ମୁହଁ ନେଇ ପ୍ରଦୀପ ସମ୍ମୁଖରେ ତା’ର ମା’ ରୂପରେ ଠିଆ ହେବି । ପ୍ରଦୀପ କ’ଣ ଭାବିବ ?

 

ଅନେକ ସମୟ ଚିନ୍ତା କରି ଠିକ୍ କଲି ଯେ, କେତେ ଦିନ ଚିଠି ଦେଇ ନାହିଁ । ଚିଠି ଦ୍ଵାରା ସବୁ କଥା ଜଣେଇ ଦେଇ କ୍ଷମା ମାଗିନେଲେ, ପ୍ରଦୀପ ନିଶ୍ଚୟ ତା’ର ଉଦାରତାରୁ କାଣିଚାଏ ଦାନ କରି କ୍ଷମା ଦେବ ।

 

କିନ୍ତୁ ଇଚ୍ଛା କରି ବି ଚିଠି ଖଣ୍ଡିଏ ଲେଖି ପାରି ନ ଥିଲି । ହାତ ମୋର ଅଟକି ଯାଇଥିଲା-। ମନ ମଧ୍ୟରେ ଭାଷାର ସ୍ଫୁରଣ ଘଟୁ ନ ଥିଲା । ସେଇ ସର୍ବ ଶେଷ ପନ୍ଥା ନୀରବ ରହିବା ହିଁ ସାର ହେବ । ସମୟ ଯେଉଁ ରାସ୍ତା କଢ଼େଇ ନେବ ସେହି ରାସ୍ତାରେ ପାଦ ଦେବା ବରଂ ଶ୍ରେୟସ୍କର-

 

ଆଖି ଲୁହର ଭିଜା ଭିଜା ସ୍ଵପ୍ନ ମଧ୍ୟରେ ସେହି ଦିନଟି ଆସି ଉପନୀତ ହେଲା । କଳ ଗାଉଣା, ଢୋଲ ଟମକରେ ଆମ ଦାଣ୍ଡ ଫାଟି ପଡ଼ିଲା । ଗାଁ ସାଇ ମାଇପେମାନେ ଆସି ମୋତେ ମଙ୍ଗୁଳେଇ ଦେଇଗଲେ । ବାପା–ବୋଉ ବାହାଘରର ସମସ୍ତ ଜିନିଷପତ୍ର ଆୟୋଜନ ପାଇଁ ବ୍ୟସ୍ତ ଥାଆନ୍ତି । ଆଖିରୁ ଲୁହ ଧାର ମୋର ବନ୍ଦ ହେଉ ନ ଥାଏ । କେତେ ସାଙ୍ଗ ଝିଅମାନେ ଆସୁଥାଆନ୍ତି, ମୋତେ ଆଶ୍ଵାସନା ଦେଇ ଯାଉଥାନ୍ତି । ଆଉ କେହି ଥଟ୍ଟାରେ କହୁଥାନ୍ତି କିଲୋ ଶିଖା–ଚୌଧୁରୀ ଘରର ବୋହୂ ହେବୁ ବୋଲି କ’ଣ ଏ ଦେଖା କାନ୍ଦଣା କାନ୍ଦୁଛୁ ନା କ’ଣ ? କାହା ଭାଗ୍ୟରେ ଅବା ଏ ଅଚଳାଚଳ ସମ୍ପତ୍ତି ମିଳେ ? ରାଣୀ ହୋଇ ରହିବୁ । ରାଜା ପରି ବର । କେଉଁ କଥାରେ ଅବା ଅଭାବ ।

 

ହେଲେ ମୁଁ ଅନୁଭବ କରୁଥିଲି ସେମାନଙ୍କର ଏ ଆଳଙ୍କାରୀକ ଭାଷାରେ କହିବାର ଅର୍ଥ-। ସେତେ ସମ୍ପତ୍ତି ଥାଉ, ଯେତେ ବଂଶ ପରମ୍ପରାର ଗୌରବ, ଅହଙ୍କାର ଥାଉ ପଛେ, କିନ୍ତୁ ସେଇ ବୁଢ଼ା ବର ନା ? ସମସ୍ତେ କହିବେ ଶିଖାଭଳି ଝିଅ ଶେଷରେ ଦୋବେଇ ବରର ହାତ ଧରିଲା ।

 

ଆଖିରୁ ଲୁହ ଧାର ପୋଛି ଦେଇ ମୁଁ ଖାଲି ମା’ ମଙ୍ଗଳାଙ୍କୁ ଡାକୁଥିଲି । ହେ ମା’ ମଙ୍ଗଳା ତମେ ପରା ଖୁଲଣା ସୁନ୍ଦରୀଙ୍କୁ ଏତେ ଗଞ୍ଜଣାରୁ ଉଦ୍ଧାର କରଥିଲ । ତମେ ପରା ତଅପୋଇକୁ ବଞ୍ଚିବାର ସାହାରା ଦେଇଥିଲ । ତା’ ହେଲେ ମୋ ପାଇଁ କାହିଁକି ଏତଟା ନିର୍ଦ୍ଦୟ ହେଉଛ । ମୁଁ ତ କିଛି ଅପରାଧ କରି ନାହିଁ । ତମେ ଯଦି ଥରେ ଖାଲି ଚକ୍ର ଉଆଡ଼ କରନ୍ତ, ପ୍ରଦୀପ ଆସି ପୃଥିରାଜ ଭଳି ତା’ ପ୍ରାଣର ସଂଯୁକ୍ତାଙ୍କୁ ଘୋଡ଼ାରେ ବସେଇ ନେଇ ଯାଆନ୍ତା ଦୂର ରାଇଜକୁ । ତା’ ହେଲେ ମୋ ଜୀବନ ଧନ୍ୟ ହୁଅନ୍ତା । ମୁଁ ଜାଣନ୍ତି ଏ ଦୁନିଆରେ ଠାକୁର ଖାଲି ପଥର ନୁହେଁ । ମହାଶୂନ୍ୟରେ ତାଙ୍କର ହାତ ବଡ଼ ଲମ୍ବା ।

 

ସମୟଟା ବଡ଼ ନିଷ୍ଠୁର ।

 

ପାହାଡ଼ର ବକ୍ଷ ଭଳି ତା’ ହୃଦୟଟା ବଡ଼ କଠିନ । କାହାରି ଆକୁଳ ଅନୁନୟକୁ ସେ ଶୁଣେ ନାହିଁ । ତାହାରି ଅନୁଜ୍ଞାକୁ ସେ ଅପେକ୍ଷା କରେ ନାହିଁ । ନୀରବ, ନିଶ୍ଚଳ ।

 

ବାହାଘର ଜାକଜମକ ସବୁ ବିଷ ଭଳି ଲାଗୁଥିଲା । ସବୁବେଳେ ସେଇ ପ୍ରଦୀପର ପ୍ରତିଛବି ଆଖି ଦର୍ପଣରେ ଆଙ୍କି ହୋଇ ଯାଉଥିଲା । ଭାବୁଥିଲି, ଆଉ କେତୋଟି ମୁହୂର୍ତ୍ତ ପରେ ବର ଆସିବ । ସେଇ ଅତି ପରିଚିତ ରାଇ ଭାଇ । ତାରୁଣ୍ୟର ପହିଲି ପାହାଚରେ ସେ ତାଙ୍କର ଅକ୍‌ଟୋପଶ ଭଳି ହାତ ଦୁଇଟାର ମୋର ସମସ୍ତ ଯୌବନକୁ ଗ୍ରାସି ଯାଇଥିଲେ । କେବଳ ସେଦିନ ଅପା ଥିଲା ବୋଲି ରକ୍ଷା ପାଇ ଯାଇଥିଲି । ହେଲେ ଆଜି ସେ ଦୁଃସାଧ୍ୟ ଜନ୍ତୁ ନିକଟରୁ ମୁକ୍ତି ନାହିଁ । ବାପା–ବୋଉ ସେମିତି ପାଳିର ପଣ ସ୍ଵରୂପ ଅସୁର ନିକଟରେ ତାଙ୍କର ଏକମାତ୍ର ପୁତ୍ର ସନ୍ତାନକୁ ପଠାଇ ଦେଉଛନ୍ତି ।

 

ମୁଁ ସେଇ ଅସୁରର ଖାଦ୍ୟ ଏକ ଆତଙ୍କିତ ମଣିଷ ପାଲଟି ଯାଇଥିଲି । ଦେହରେ ମୋର ରକ୍ତ ସବୁ ପାଣି ହୋଇ ଯାଇଥିଲା । ଶୁଖିଲା ଅସ୍ଵସ୍ଥ ପତ୍ର ଭଳି ମୁଁ ସ୍ଥିତିହୀନ ହୋଇ ଉଠିଲି । କେଉଁ ମୁହୂର୍ତ୍ତରେ ହୁଏତ ଦୋହଲା ପବନରେ ସ୍ଥିତିଚ୍ୟୁତ ହୋଇଯିବି । ନିଜର ଆଭିମୁଖ୍ୟଠାରୁ ଅନେକ ଦୂରକୁ ଛିଟିକି ପଡ଼ିବି ।

 

ବାଣ ରୋଷଣି ଫୁଟାଇ ଚଉଢ଼ାଳରେ ଚଢ଼ି ବର ଆସିଲା ।

 

ବର ଦେଖିବା ପାଇଁ ଘରର କାହାରିଙ୍କର ସେମିତି ଆଗ୍ରହ ପ୍ରକାଶ ପାଇ ନ ଥିଲା । ଏ ଘରକୁ ରାଇ ଭାଇ ତ’ ନୂଆ ବର ନୁହେଁ । ତଥାପି ବାଣ–ରୋଷଣି ଦେଖିବା ପାଇଁ ଗାଁ । ମାଇପେ ସବୁ ଧାଇଁ ଯାଇଥିଲେ ରୋଷଣି ପଡ଼ିଆକୁ ।

 

ତାହା ମଧ୍ୟରେ ମୋ ଦେହରେ ଯନ୍ତ୍ରଣାର ପ୍ରକୋପ ଆହୁରି ବଢ଼ି ଯାଇଥଲା । ପ୍ରଦୀପ ନିଶ୍ଚୟ ବରଯାତ୍ରୀ ହୋଇ ଆସିଥିବ । ସେ କେମିତି ଅବା ତା’ ଉନ୍ମୁକ୍ତ ଆଖି ଦୁଇଟାରେ ମୁଁ କନିଆଁ ବେଶରେ ବସି ବିଭା ହେଉଥିବାର ଦୃଶ୍ୟ ଦେଖିବ ।

 

ମୁଁ ଅଭିମାନିନୀ ରାଧା ଭଳି ଆତୁର, ଶୋକାଗ୍ରସ୍ତ ହୋଇ ଧୈର୍ଯ୍ୟ ହରାଇ ଭାବୁଥିଲି । ଏ ଚନ୍ଦ୍ରଶେଣା କବଳରୁ ମୁକ୍ତି ନାହିଁ । କାହିଁ ସେଇ ହଟିଆ ନାଗର ଶ୍ରୀକୃଷ୍ଣ, ଯାହାର ମଧୁର ବଇଁଶୀ ସ୍ଵନ ମୋତେ ମତୁଆଳା କରି ପକାଉଛି । ମୋର ସମସ୍ତ ଗ୍ରନ୍ଥି ଉପଗ୍ରନ୍ଥି ଯେମିତି ବିଦୀର୍ଣ୍ଣ ହୋଇ ଯାଉଥିଲା । ମୁଁ ଜଳି ପୋଡ଼ି ଅନ୍ତର୍ଦ୍ଦାହରେ ଭସ୍ମୀଭୂତ ହୋଇ ଉଠୁଥିଲି ।

 

ଆଖି ଆଗରେ ଭସା ମେଘପରି ଭାସି ଯାଉଥିଲା ଅତୀତର ସ୍ମୃତି ।

 

ଅପାର ଶୋକାକୁଳ ମୁହଁଟି, ପ୍ରଦୀପ ଅଭିମାନ କଥାଗୁଡ଼ାକ ଆନ୍ଦୋଳିତ ହୋଇ ଉଠୁଥିଲା । କାହିଁ…କାହିଁ…ସେ ହଟିଆ ନାଗର । ଯାହା ପାଇଁ ମୁଁ କୂଳ, ବଂଶ ମର୍ଯ୍ୟାଦା ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । ବର ଆସୁ ପଛେ ତା’ ରାସ୍ତାରେ । ରାଇ ଭାଇ ସେମିତି ମଙ୍ଗଳା ବର ହୋଇ ଯୁଗ ଯୁଗକୁ ରହି ଯାଆନ୍ତୁ ପଛେ, ହେଲେ ପ୍ରଦୀପର ହାତ ଧରି ମୁଁ ଏଇ ବାଡ଼ି ତଳ ଅନ୍ଧାରି ତୋଟା ବାଟେ ଅନ୍ତର୍ଦ୍ଧାନ ହୋଇ ଯିବାକୁ ଚାହେଁ ?

 

କିନ୍ତୁ ପ୍ରଦୀପ କାହିଁ ?

 

ବାପା ବାହାଘର କ’ଣ ପୁଅ ଦେଖିବ ?

 

ସେଇଥିପାଇଁ ପ୍ରଦୀପ ଆସି ନ ଥିଲା । ବର ଆସି ଆମ ଦାଣ୍ଡ ଦୁଆରେ ରୋଷଣି କରୁଛି । ବାଣ ଫୁଟୁଛି, ଢୋଲ, ଟମକରେ ଚଉଦିଗ କମ୍ପି ଉଠୁଛି । ବରଯାତ୍ରୀମାନେ ଏପଟ ସେପଟ ହେଉଛନ୍ତି । ହେଲେ ପ୍ରଦୀପ କାହିଁ ? ଝରକା ଫାଙ୍କ ଦେଇ ମୋ ଆଖି ଲମ୍ବି ଯାଉଥିଲା ବରଯାତ୍ରୀଙ୍କ ଉପରକୁ । ପ୍ରଦୀପକୁ ଦେଖିବା ପାଇଁ ବ୍ୟାକୁଳ ମନଟା ହାଇଁ ପାଇଁ ହେଉଥିଲା । ହେଲେ କାହିଁ ମୋର ମନର ମାନସ ?

 

ମୁଁ ମୁକ ପାଲଟି ଯାଉଥିଲି । ମୋର ସମସ୍ତ ଚିନ୍ତା, ଚେତନା ସବୁ ଏକାକାର ହୋଇ ଯାଉଥିଲା । ପିଲାଦିନ ଧୂଳି ଖେଳର ବାଲ୍ୟ ଚପଳତା, କୈଶୋର ବୟସର ‘ଗହନ ବନରେ ଦୋଳି ଖେଳିବାର ସାବଲୀଳତା, ଯୌବନରେ ମନ ଅରଣ୍ୟ ଦେହରେ ହଳଦୀ ବସନ୍ତ ସାଜି ଉଡ଼ି ବୁଲୁଥିବା ଏ ଡାଳରୁ ସେ ଡାଳକୁ ସେ ସବୁ କେଉଁ ଏକ ଦୂରାନ୍ତ ନଦୀର ଝଡ଼ ଭଳି ଖିନ୍‌ଭିନ୍ ହୋଇ ଯାଉଥିଲା । ତାରି ମଧ୍ୟରେ ମୋର ଚେତନା ଶକ୍ତି ସେମିତି ଲୋପ ପାଇ ଯାଉଥିଲା ।

 

କେତେବେଳେ ଆସି ରାଇ ଭାଇ ବିବାହ ବେଦୀ ଉପରେ ବର ହୋଇ ବସିଛନ୍ତି, କେତେବେଳେ ଭାଉଜମାନେ ଫୁଲ ଚନ୍ଦନରେ ମୋତେ ସଜେଇ ଦେଇ ବେଦୀ ଉପରକୁ କନିଆ ବେଶରେ ନେଇ ଯାଇଛନ୍ତି, ତାହା ବି ମୁଁ ଜାଣି ପାରି ନ ଥିଲି । ଖାଲି ବିବାହ ବେଳେ ରାଇ ଭାଇର ସେ କଠିନ ମାଂସପେଶୀଯୁକ୍ତ ହାତଟାକୁ ମୋ ହାତ ଉପରେ ଚାପି ଦେଇଥିଲେ–ସେତେବେଳେ ମୁଁ ଅନୁଭବ କରିଥିଲି ରାଇ ଭାଇ ମୋତେ ଗ୍ରାସି ଯାଉଛନ୍ତି ।

 

ଆଖିକୋଣରୁ ପୁଣି ଅମାନିଆ ଲୁହର ଧାରା ବହିବାକୁ ଆରମ୍ଭ କରୁଥିଲା । ଏହା ମଧ୍ୟରେ କେତେ କଥା ଘଟି ଯାଇଥିଲା, ସବୁ ମୁଁ କାଳ କବଜା ଭଳି କରି ଯାଇଥିଲି । ତିଳେ ହେଲେ ପ୍ରତିବାଦ କରିବାକୁ ମୋର ସାହସ ନ ଥିଲା । ଖାଲି ଅତୀତ ସ୍ମୃତିର ଜ୍ଵାଳାରେ ଜଳି ଜଳି ପ୍ରଦୀପର ସମସ୍ତ ସ୍ମୃତିକୁ ଲୁହର ବନ୍ୟାରେ ହଜେଇ ଦେଉଥିଲି ।

 

ସ୍ମୃତି ।

 

ଏକ ଅଲିଭା ସଙ୍କେତ ।

 

ସ୍ମୃତି କ’ଣ କେବେ ହଜି ପାରେ ?

 

ଅତୀତ ?

 

ଏକ ଅଖୋଜା ଇତିହାସ ?

 

ଅତୀତ କ’ଣ ମନ ଗହନର ମାନସ ପଟରୁ ଲିଭି ଯାଇ ପାରେ ?

 

ସମସ୍ତ କାର୍ଯ୍ୟ ସମାପନ ହେଲା ପର୍ଯ୍ୟନ୍ତ ମୁଁ ମୂକ ହୋଇ ଯାଇଥିଲି । ମୋ ପାଟିରୁ ପଦେ ହେଲେ କଥା ବାହାରି ନ ଥିଲା । ଅନେକ ଝିଅ ବୋହୁମାନେ ଆସି ମୋତେ ବହୁ ବ୍ୟଙ୍ଗ ପରିହାସ କରିଥିଲେ । ତଥାପି ମୁଁ ନୀରବ ରହିଥିଲି ।

 

ଝିଅ ବିଦା ହେବା ସମୟ ଉପନୀତ ହେଲା ।

 

ସମସ୍ତଙ୍କ ଆଖିରେ ଛଳ ଛଳ ଲୁହର ଝରଣା । ଏଇ ଗାଁରେ ଝିଅଟି କେତେ ବସନ୍ତ, କେତେ ଫଗୁଣ, କେତେ ଅତୀତର ସାବଲୀଳ ସ୍ମୃତିର ପାହାଚ ବିତେଇ, ଦେଇ ଯାଇଥିଲା । ବାପ–ମା’, ସାଇ–ଭାଇ, ଦାଦା–ଖୁଡ଼ି, ଭାଉଜମାନଙ୍କର ସ୍ନେହ, ପ୍ରୀତିର ପରଶ I ସବୁକୁ ହଜେଇ ଦେଇ ଚାଲିଯିବ ସେ ଅଜଣା ପୁରୁଷର ହାତ ଧରି କେଉଁ ଦୂର ରାଇଜକୁ । ଆଉ ସେ ଫେରିବ ନାହିଁ ଏ ଗାଁକୁ ଝିଅ ହୋଇ । ଏଣିକି ଫେରିଲେ ସେ ଫେରିବ ବୋହୂ ବେଶରେ । ଶିଖା ଦୋଳି ଝିଅଟି ଆଜିଠାରୁ ଝରିଯିବ ଦୂର ଦିଗନ୍ତରେ ।

 

ତେଣୁ କେହି ଆପଣାର, ସାଥୀ ସହୋଦର ମନର କୋହକୁ ଚାପି ରଖି ପାରି ନ ଥିଲେ-। ନିବୁଜ ଅରଣ୍ୟର ଉଛୁଳା ଉପନଦୀ ଭଳି ସମୟରେ ଚହଲି ଉଠୁଥିଲେ ।

 

ହେଲେ ମୋ କ୍ଷେତ୍ରରେ ଯେମିତି ଏକ ବିରାଟ ବ୍ୟତିକ୍ରମ ଦେଖା ଯାଇଥିଲା । ମୁଁ ଏକ ଯନ୍ତ୍ରର କଳକବଜା ପାଲଟି ଯାଇଥିଲି । ତେଣୁ ମୁଁ ସ୍ଥିର, ଅବିଚଳିତ । ବୋଉ ମୋତେ ଧରି ଭୀଷଣ କାନ୍ଦୁଥିଲା । ହେଲେ ବୋଉ ପ୍ରତି ମୋର ଘୋର ଘୃଣା ଏବଂ ଅସୂୟା ଭରି ଯାଇଥିଲା । ଯେଉଁ ମା’ଝିଅ ମନର ଯନ୍ତ୍ରଣାକୁ ଉପଲବ୍‌ଧି କରିପାରେନା । ସେ ମା’ ପ୍ରତି ଝିଅର ବା’ କି ଦରଦ ରହିବ । ଏଇ ବାପା–ବୋଉ ପାଇଁ ଆଜି ମୋର ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଚୌଧୁରୀ ବଂଶର ମାନ–ସମ୍ମାନ, ଧନ ସମ୍ପତ୍ତିକୁ ଉନ୍ନତ ଛାତି ଉପରେ ଚାପି ରଖି ବହଳ ଯୌବନର କ୍ଷୁଧାକୁ ମେଣ୍ଟାଇ ପାରିବି ନାହିଁ । ସମସ୍ତେ ମିଳିମିଶି ଶୁଖିଲା ପତ୍ରଭଳି ମୋ ପରି ଜଣେ ନୀରିହା ଅସହାୟ ତରୁଣୀକୁ ଅକାଳ ସୁଅ ମୁହଁକୁ ପେଲି ଦେଲେ ସେ କ’ଣ ସାହାରା ପାଏ ?

 

ଗାଁ ମାଇପେ ଏତାଦୃଶ୍ୟ ଲକ୍ଷ୍ୟ କରି ମୁହଁରେ ଲୁଗା ଦେଇ ହସୁଥିଲେ । ଆଉ କେହି କେହି କହୁଥିଲେ–ସେ କାହିଁକି କାନ୍ଦିବ ଯେ, ତାର ତ’ ଆଗରୁ ଭିଣେଇ ସାଙ୍ଗରେ ପିରତୀ ଥିଲା । ଦେଖୁନା ଲେଖା ମଲା ପରେ ବି’ କେମିତି ସେ ଭିଣେଇ ଘରୁ ଆସିବାକୁ ମନ ବଳାଉ ନ ଥିଲା । ତାକୁ ସିନା ବାହାଘର ପାଇଁ ଜୋର କରି ଅଣାଗଲା । ତା’ ମନ କଥା ତ ସଫଳ ହେଲା । ସେ ତ ଦୋବେଇ ବରକୁ ବାହା ହୋଇ ବେଶ ଖୁସି । କାନ୍ଦିବ କାହିଁକିବା ?

 

ଆଉ କେହି କାନକୁ କାନ ଫୁସ୍‍ଫୁସ୍ ହୋଇ କହୁଥିଲେ–ଶିଖା କ’ଣ ଏ ଦରବୁଢ଼ା ରାଇଚରଣକୁ ବାହା ହେଉଛି ? ସେ ବାହା ହେଉଛି ଚୌଧୁରୀ ଘରର ଅଚଳାଚଳ ସମ୍ପତ୍ତିକୁ । ବୋକି ଝିଅଟା କ’ଣ ବୁଝିଛି–ବେଳେବେଳେ ଧନ ସମ୍ପତ୍ତିରେ ବି ପେଟ ପୁରେନା ? ଯଦି ମନ ମୁତାବକ ପୁରୁଷଟିଏ ମିଳିଯିବ ନା, ସେହି ହେଉଛି ଧନ, ସମ୍ପତ୍ତି, ସବୁକିଛି । ଧନ ସମ୍ପତ୍ତି, ମାନ ସମ୍ମାନ ସବୁ ମଣିଷ ତିଆରି କରେ । ତେଣୁ ଶିଖା ଭଳି ସୁନ୍ଦର, ସରଳ ଝିଅଟିର ଚିନ୍ତାଧାରାରେ ଟିକିଏ ଅପରିପକ୍ୱତା ରହିଗଲା ।

 

କଥାରେ ଲଥା ଯୋଡ଼ି ଅନ୍ୟ ଜଣେ ଉତ୍ତର ଦେଉଥିଲା–ଝିଅଟା ଯଦି ଭୁଲ କରି ବସିଲା, ବାପା ମା’ କେଉଁ ଠିକ୍ କରି ବସିଲେଣି । ସେମାନେ ତ ସେଇ ଧନ ଦେଖି ଲୋଭରେ ପଡ଼ିଗଲେ । ବୁଝିପାରିଲେ ନାହିଁ ଲେଖା ଭଳି ଝିଅ ସେଠାରେ ଶେଷରେ ଡହଳ ବିକଳ ହୋଇ ମଲା, ହେଲେ ଜୀବନରେ ଶାନ୍ତି ଟିକିଏ ପାଇ ପାରିଲା ନାହିଁ । ଆଉ ଏ ଶିଖାଟା ଯେ ସେଠାରେ ଶାନ୍ତିରେ ରହିବ ତାହାକୁ ଅବା କିଏ ସେ ନିଧାର୍ଯ୍ୟ ଦେବ ?

 

ଚାଉଁକିନା ମୋ ଦେହରେ ଚାବୁକ ପ୍ରହାର ବସିଲା ଭଳି କଥା ଗୁଡ଼ାକ ପିଟି ହୋଇ ଯାଉଥିଲା । ସତରେ ମୁଁ କ’ଣ ସେଠାରେ ଶାନ୍ତି ପାଇବି ?

 

ଅନେକ ଦ୍ଵନ୍ଦ୍ୱ ।

 

ଅନେକ ଆତ୍ମବିଶ୍ଳେଷଣ ମଧ୍ୟରେ ମୋ ସ୍ଥିତି ଦୋହଲି ଉଠୁଥିଲା । ଜୀବନରେ ଆଉ ମୋର ଶାନ୍ତି ନାହିଁ । ମୁଁ ଯେମିତି ଅନାସ୍ଵାଦ ଇଚ୍ଛାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି କରି ଶେଷରେ ଯନ୍ତ୍ରଣାର ବ୍ୟୁହ ମଧ୍ୟକୁ ପଶି ଯାଉଥିଲି । ଯେଉଁଠି ଅଭିଶପ୍ତ–ଅଭିମନ୍ୟୁ ଭଳି ଯନ୍ତ୍ରଣାରେ ଛଟ ପଟ ହୋଇ ମରିବା ବ୍ୟତୀତ ମୁକୁଳିବାର ଉପାୟ ନାହିଁ ।

 

କେତେବେଳେ ମୋତେ ନେଇ ସବାରୀ ଉପରେ ବସାଇ ଦେଇଥିଲେ ତାହା ବି ଜାଣି ପାରୁ ନ ଥିଲି । ସବାରୀ ଉଠିଥିଲା । ସବାରୀ ଫାଙ୍କରେ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଥିଲି ତନୁ ଭାଉଜଙ୍କର ଲୁହ ଛଳ ଛଳ ମୁହଁଟିକୁ । କେହି ମୋ ମନର ଯନ୍ତ୍ରଣାକୁ ଅନୁଧ୍ୟାନ ନ କଲେ ବି ତନୁ ଭାଉଜ ବୁଝୁଥିଲେ । ସେ ଭଲ ଭାବରେ ଜାଣନ୍ତି ମୋ ମନର ଦ୍ଵିଧାକୁ, ସଂଶୟକୁ । ତେଣୁ ସେ ମନେ ମନେ ଶୁଭ ମନାସୁଥିଲେ ।

 

ଗାଁ ତୋଟା ମଝି ଦେଇ ସବାରୀ ଚାଲିଥାଏ । ବୁଢ଼ା ବଉଳ ଗଛଟାକୁ ଦେଖି ମନ ଭିତରେ ଭୋ…ଭୋ…ହୋଇ ରଡ଼ି ପକାଇଥିଲି । ଆଜି ତୋଟା ମାଳ, ନଇପଠାର ସମସ୍ତ ତର୍କ ବିତର୍କିତ ସୃତିକୁ ପାଦରେ ଦଳି ଦେଇ ଚାଲିଯାଉଛି ଦୂର ଗାଁକୁ । ଜନ୍ମ ମାଟି ସେମିତି ଆଜି ମୋତେ ପର କରିଦେଉଛି । ବୁଢ଼ା ବଉଳ ଗଛମୂଳେ କେତେ ବଉ ବଉକା ଖେଳ, ତୋଟା ମାଳରୁ ଆମ୍ବକଷି, ବଉଳ କୋଳି, ଜାମୁକୋଳି ତୋଳିବାର ସ୍ମୃତି । କେତେ ପିଲାବେଳେ ସାଙ୍ଗ, ସାଥୀ, ବଉଳ ମାନଙ୍କ ସହିତ ମାନ ଅଭିମାନର ଦୃଶ୍ୟ । ସବୁ ଯେମିତି ଲୁହର ଦର୍ପଣରେ ଦେଖା ଯାଉଥିଲା । କାଲିକି ହୁଏତ ଆଉ ମୁଁ ଏ ଗାଁର ଝିଅ ହୋଇ ରହିବିନି । କାଲିକି ଏ ଗାଁକୁ କୁଣିଆ ହୋଇ ଆସିବି । ମଥାରେ ଓଢ଼ଣୀ, ସୁନ୍ଥାରେ ସିନ୍ଦୂର ଥିବ, ହାତରେ ଶଙ୍ଖା ଥିବ । ଦେହ ମନରେ ଲଜ୍ଜାର ସାଳୀନତା ଥିବ, ସେତେବେଳେକୁ ମୋ ଦେହରୁ ଚପଳ ବୟସର ତାରୁଣ୍ୟତା ହଜି ଯାଇଥିବ, ଥିବ ବୋହୁ ହେବାର ଗମ୍ଭୀରତା । ହ୍ରଦ ଭଳି ସ୍ଥିର, ଅବିଚଳତା । ହଜି ଯାଇଥିବ ପ୍ରଜାପତି ବୟସର ସ୍ଵପ୍ନ ସବୁ ।

 

ମନର ଯନ୍ତ୍ରଣା ଲୁହ ହୋଇ ଝରି ଯାଉଥିଲା । ମନରେ ଅନୁତାପର ଶିହରଣ ଖେଳି ଯାଉଥିଲା । ଗ୍ରାମଦେବତୀଙ୍କୁ ନମସ୍କାର କଲି । ମା’ ମୋତେ ଆଶୀର୍ବାଦ କର । ମୋ’ ଉତ୍ତରୋତ୍ତର ଜୀବନ ଶଙ୍ଖା ସିନ୍ଦୁର ନେଇ ମୁଁ ସୁଖରେ ରୁହେଁ । ପୁଣି ମନରେ ଭାବୁଥିଲି ବାପା ବୋଉଙ୍କର ବା ଦୋଷ କ’ଣ ? ସେମାନେ ଜନ୍ମ ଦେଇଛନ୍ତି ହେଲେ କରମ ତ ଦେଇ ନାହାନ୍ତି । କର୍ମରେ ଯାହା ଭୋଗିବାକୁ ଅଛି, ଯେଝା କର୍ମ ଯେଝା ଭୋଗିବେ । କାହାରି ଭାଗ୍ୟର ଲିଖନକୁ ଆଉ କେହି ବଦଳେଇ ଦେଇ ପାରିବେ ନାହିଁ । ମୋ ପାଇଁ ଚିତ୍ରଗୁପ୍ତ ତା’ ପାଞ୍ଜିରେ ଯାହା ଲେଖିଛି ତାହାହିଁ ମୋତେ ଭୋଗିବାକୁ ପଡ଼ିବ ।

 

ଏମିତି କେତେ କ’ଣ ଅନାବନା କଥା ସବୁ ଭାବି ଚାଲୁଥିଲି । ମୋ ପାଖରେ ବଡ଼ ସମସ୍ୟା ଥିଲା କେମିତି ମୁଁ ଯାଇ ପ୍ରଦୀପ ସମ୍ମୁଖରେ ଠିଆ ହେବି । ସେତିକି ସାହାସ ମୁଁ ମନ ମଧ୍ୟରେ ସଞ୍ଚୟ କରି ପାରୁ ନ ଥିଲି । ମୋର ସମସ୍ତ ନୈତିକମାନ ଯେମିତି ବରଫ ଖଣ୍ଡ ଭଳି ତରଳି ଯାଉଥିଲା । କଇଦି ଯେମିତି ଫାଶୀ ପାଇବା ପୂର୍ବରୁ ଫାଶୀ ପାଇବା ବେଳର ଦୃଶ୍ୟକୁ ମନ ମଧ୍ୟରେ ପ୍ରଦର୍ଶିତ କରି ଆତଙ୍କରେ ଶିହରି ଉଠୁଥାଏ । ମୁଁ ସେମିତି ଅଜଣା ଶିହରଣରେ ଥରି ଉଠୁଥିଲି ।

 

ଏଇ ଭାବନାର ଅଡ଼ୁଆ ଖିଅ ମଧ୍ୟରେ ଚାହୁଁ ଚାହୁଁ କେତେ ବେଳେ ସବାରୀଟି ବିଲ, ବଣ, ତୋଟା, ନଇନାଳ ପାର ହୋଇ ଯାଇ ରାଇଭାଇଙ୍କ ଦାଣ୍ଡ ଦୁଆରେ ଅଟକି ଯାଇଥିଲା ତାହା ମୁଁ ଜାଣି ପାରି ନ ଥିଲି । ନଖି ମାଉସୀ ଆସି ସାଇ ମାଇପେ, ବନ୍ଧୁବାନ୍ଧବରୁ ଆସିଥିବା ମାଇପେଙ୍କୁ ହୁଡ଼ି ପକାଇ କହିଲେ–ଆଲୋ ଚାହିଁଛ କ’ଣ ବା ? ହୁଳହୁଳି ଦିଅ । ଆରେ ଭଗିଆ, ଚଞ୍ଚଳ ଶଙ୍ଖ ବଜା ।

 

ଶଙ୍ଖ ହୁଳହୁଳିରେ ଚୌଧୁରୀ ଘର ଦାଣ୍ଡ ଦୁଆର କମ୍ପି ଉଠିଥିଲା । ମୁଁ ସବାରୀ ଭିତରେ ମୁଣ୍ଡରେ ହାତେ ଓଡ଼ଣା ଦେଇ ବସି ରହିଥାଏ । ସେମାନେ ମୋତେ ସାତ ଦୀପ ଧରି ବନ୍ଦେଇ ଦେଇ ଘର ଭିତରକୁ ପାଛୋଟି ନେଇ ଗଲେ । ମୋତେ ଭାରି ଅଡ଼ୁଆ ଅଡ଼ୁଆ‌ ଲାଗୁଥିଲା । ମୁଁ ଏ ଘରର ସମସ୍ତ ମାଟି ଗୋଡ଼ି ସହିତ ବେଶ୍ ଅଙ୍ଗାଅଙ୍ଗୀ ଭାବରେ ପରିଚିତ । ତେଣୁ ଏ ଓଢ଼ଣା, ଏ ନଇଁ ନଇଁ ଗୋଡ଼ ଚିପି ଚିପି ଚାଲିବା ମୋତେ ଭାରି ଅଡ଼ୁଆ ଲାଗୁଥିଲା ।

 

ବନ୍ଧୁବାନ୍ଧବରେ ଘରଟି ବେଶ୍ ଗୋଳ ଚୋଳରେ ଫାଟି ପଡ଼ୁଥାଏ । ହେଲେ ପ୍ରଦୀପ କାହିଁ ? ମୋ ନୟନର ଜ୍ୟୋତି, ମୋ ଆଶାର ଆଲୁଅ । କାହିଁ ପ୍ରଦୀପ କୁଆଡ଼େ ଗଲା ? ସେ କ’ଣ ତା’ହେଲେ କଟକରୁ ଆସି ନାହିଁ ? ଏତେ ବଡ଼ ବାହାଘର ପର୍ବ ପାଳିତ ହେଉଛି, କ୍ଷିରି ପୁରୀରେ ଲୋକ ଭାସି ଯାଉଛନ୍ତି, ଅଥଚ ପ୍ରଦୀପ କଟକରୁ ଆସି ନାହିଁ ? ରାଇ ଭାଇ କ’ଣ ତାକୁ ଡକାଇ ନାହାନ୍ତି । ତା’ହେଲେ ସେ ଘୋର ଅନ୍ୟାୟ କରିଛନ୍ତି । ଛି, ଏହା କ’ଣ ବିବେକବାନ୍‍ର କାମ ?

 

ମନ ମୋର ବ୍ୟାକୁଳ, ସମସ୍ତ ଦେହରେ ଧକ୍‌କା ଖାଉଥିଲା । ମୁଁ କାହାକୁ ପଚାରିବି, କାହାକୁ ପଚାରିବି ଭାବି ଭାବି, ଶେଷରେ ସୁରୁଜା ମା’କୁ ପଚାରିଲି । ସୁରୁଜା ମା’ କହିଲା ବାବୁ ନିଜେ ଯାଇଥିଲେ ସାନ ବାବୁଙ୍କ ପାଖକୁ । ତାଙ୍କର କ’ଣ ପରୀକ୍ଷା ସରିଲେ ଯାଇ ଆସିବେ । ଏବେ ଆସି ପାରିବେ ନାହିଁ ।

 

ମନ ଭିତରଟା ମୋର ଆହତ ଅରଣ୍ୟ ମଧ୍ୟରେ ଖାଲି ଡହଳ ବିକଳ ହେଉଥିଲା । ପ୍ରଦୀପ ମଣିଷ । ସେ ପଶୁ ନୁହେଁ ଯେ ଏତେ ବଡ଼ ଅତ୍ୟାଚାରକୁ ହସି ହସି ସହି ଯାଆନ୍ତା ? ମୁଁ ବି ଯଦି ସେହି ପରିପ୍ରେକ୍ଷୀରେ ଥାଆନ୍ତି ତା’ହେଲେ ଏ ଖବର ଶୁଣିଲା ମାତ୍ରେ କ’ଣ ଧାଇଁ ଆସିଥାଆନ୍ତି-? ମୁଁ ନିଜକୁ ନିଜେ ପ୍ରଶ୍ନ ପଚାରି ତା’ର ଉତ୍ତର ଖୋଜି ପାଉ ନ ଥିଲି । ସେ ମୋରି ଭଳି ରକ୍ତ ମାଂସର ମଣିଷ । ସେ ଅନ୍ୟର ଆଶ୍ରୟରେ, ଅନ୍ୟର ନିର୍ଦ୍ଦେଶରେ ପରିଚାଳିତ ହେଲେ ବି ତା’ର ଗୋଟିଏ ସ୍ଵତନ୍ତ୍ର ମନ ଅଛି । ଚିନ୍ତା ଆଉ ଚେତନାର ଶକ୍ତି ଅଛି, ବୁଦ୍ଧି ବିବେକ ଅଛି । ଯାହା ଦ୍ଵାରା ସେ ଭଲ ମନ୍ଦ ବିଚାର କରି ନିଜସ୍ଵ ରୂପେ ଗ୍ରହଣ କରିଥାଏ । ତା’ ଦେହ ମନରେ କେମିତି ବା ସେ ଏତେ ବଡ଼ ଧୋକାକୁ ସହ୍ୟ କରି ପାରି ଥାଆନ୍ତା । ସେଇଥିପାଇଁ ସେ ପରୀକ୍ଷାର ଫଳ ଦେଖାଇ ଆସି ନାହିଁ ।

 

ନିସ୍ତରଙ୍ଗ ମନ ମଧ୍ୟରେ ବିଶାଦର ଚିନ୍ତା ଓ ଚେତନା ଚକା ଭଉଁରୀ ସୃଷ୍ଟି କରୁଥିଲା । ପ୍ରତି ମୁହୂର୍ତ୍ତରେ ମୁଁ ଚେତନାର ସ୍ଵପ୍ନ ରାଜ୍ୟରେ ବୁଡ଼ି ରହୁଥିଲି । ନାନା ଉଦ୍‌ଭଟ ଚିନ୍ତା ମନ ଗହନକୁ ବିବ୍ରତ କରି ପକାଉଥିଲା । ଥାଉ ପଛେ ମଥାର ସୋହାଗ ସିନ୍ଦୂର, ଥାଉ ପଛେ ହାତରେ ସତୀତ୍ଵର ନାଲି ଶଙ୍ଖା, ତଥାପି ମୁଁ ଦୂର ବନସ୍ତକୁ ପ୍ରଦୀପ ସହିତ ହାତ ମିଳାଇ ଚାଲିବାକୁ ଅପେକ୍ଷା କରିଛି । କାହିଁ ମୋର ପ୍ରାଣର ପ୍ରଦୀପ । ଦୁନିଆ ପଛେ ମୋତେ ଅସତୀ କହୁ, ହେଲେ ସେ ପର୍ଯ୍ୟନ୍ତ ମୁଁ ମୋର ଏ ବଳିଲା ବଳିଲା ସୁନ୍ଦର କାନ୍ତ କମନୀୟ ଗୋରା ଦେହଟାକୁ ଅନ୍ୟର ପ୍ରଣୟ ପିପାଶା ନିକଟରେ ଅର୍ପଣ ନ କରି ଦେଇଛି ସେ ପର୍ଯ୍ୟନ୍ତ ମୁଁ ସତୀ, ଅକ୍ଷତ ଯୌବନା ।

 

ଚାହୁଁ ଚାହୁଁ ମନ ଗହନରେ ସମୟର ନଦୀ ବହି ଯାଉଥିଲା । ଅଧିକାଂଶ ବନ୍ଧୁବାନ୍ଧବ ସବୁ ଯେଝା ଘରକୁ ଚାଲି ଗଲେଣି । ଆଉ ଅଳ୍ପ କେତେଜଣ ଅଛନ୍ତି । ତା’ରି ମଧ୍ୟରେ ମୁଁ ଅନୁଭବ କରୁଥିଲି, ମୁଁ ଯେମିତି ଏକ ପଞ୍ଜୁରୀ ବଦ୍ଧ ପକ୍ଷୀ ଭଳି ଆବଦ୍ଧ କୋଠରୀ ମଧ୍ୟରେ ବନ୍ଦିନୀ ଭଳି, ସ୍ଥାଣୁ ପାଲଟି ଯାଇଛି । ଭବିଷ୍ୟତ ପାଇଁ ମୁକ୍ତ ହେବାର ସ୍ଵପ୍ନ ମଧ୍ୟ ଦେଖିପାରୁ ନ ଥିଲି । କ୍ଳାନ୍ତ ଗୋଧୂଳି ମଧ୍ୟରେ ମୋର ସମସ୍ତ ଛନ୍ଦ ଚପଳ ବୟସଟା, ଯେମିତି ହଜି ଯାଇଛି । ମୁଁ ଏକ ନାଲି ଟୁଁ... ଟୁଁ...ସାଧବ ବୋହୂଟିଏ ପାଲଟି ଯାଇଛି । ମୁଣ୍ଡରେ ହାତେ ଓଢ଼ଣା, ପାଦରେ ପାଉଁଜିର ରୁଣୁଝୁଣୁ ଶବ୍ଦ । ଆଖିରେ ଚନ୍ଦ୍ରାର ଭାରାକ୍ରାନ୍ତ କଳା ମେଘର ଅଚାନକ ଆବିର୍ଭାବ । ଏମିତି ଅନେକ କିଛି ନୂଆ ନୂଆ ଅନୁଭୂତି ମନ ମଧ୍ୟରେ କାମନାର ଜ୍ଵଳନ ସୃଷ୍ଟି କରୁଥିଲା । ହୁଏତ ମୋ ପାଇଁ ଏ ଚୌଧୁରୀ ଘରର ମାଟି, ଗୋଡ଼ି ନୂଆ ନୁହେଁ, ହେଲେ, ସେମାନଙ୍କ ପାଇଁ ମୁଁ ନୂଆ ହୋଇ ନୂତନ ସ୍ଵାଦ, ନୂତନ ରୂପରେ ଆସି ଆବିର୍ଭାବ ହୋଇଥିଲି ।

 

ଏ ବାହାଘରରେ କାହାରି ମନରେ ସେ ସରସତା ନ ଥିଲା । ଦୋବେଇ ବାହାଘର । ରାଇ ଭାଇଙ୍କ ମନରେ ସେତଟା ଆବେଗ ଅନୁଭବ କରି ପାରୁ ନ ଥିଲି । ସମସ୍ତଙ୍କ ମନରେ ଯେମିତି ଶିଥିଳତାର ବରଫ ଜମା ବାନ୍ଧି ଯାଇଥିଲା । ହେଲେ କେହି ଅନୁଭବ କରି ପାରୁ ନ ଥିଲେ, ଏକ ଅନୁଢ଼ା ବାଳିକା–ଯାହା ଜୀବନର ଏ ମହୋତ୍ସବ ଆରମ୍ଭ ଆଉ ଶେଷ ମଧ୍ୟ । ତା’ ନିକଟରେ ସେ ସବୁ ନୂଆ । ତା’ ଜୀବନର ସ୍ଵପ୍ନ କାହିଁକି ଗଙ୍ଗଶିଉଳୀର ସ୍ଵପ୍ନ ଭଳି ଅକାଳରେ ମଉଳିଯିବ ।

 

ଆଜି ମଧୁଶଯ୍ୟା ରାତି ।

 

ଅନୁଢ଼ା ଜୀବନର ପ୍ରଥମ ଆଉ ଶେଷ ସମ୍ପତ୍ତି । ତରୁଣୀ ଜୀବନରେ ଥରେ ମାତ୍ର ଆସେ-। ସ୍ଵପ୍ନ ଭଳି, ଆଷାଢ଼ର ଅଚାନକ ବିଜୁଳି ଭଳି, ଚୁପ୍ କରି ଆସେ । ପୁଣି ଚାଲିଯାଏ । ତାରୁଣ୍ୟର ସବୁଜିମା ଦେହରେ କଳଙ୍କ ଲଗାଇ ଦେଇଯାଏ । ଚନ୍ଦ୍ରର କଳଙ୍କ ଭଳି ସେ ଆଉ ଯୁଗ ଯୁଗକୁ ଲିଭେନା, ହେଲେ ସେ ଆହୁରି ସ୍ଵଚ୍ଛ ହୋଇଉଠେ । ଏଇ ମଧୁ ପାର୍ବଣ ପାଇଁ ପ୍ରତ୍ୟେକ ଝିଅମାନେ ଅନୁଢ଼ା ବୟସରେ ମତୁଆଲା ହୋଇ ଉଠି ଥାଆନ୍ତି । କେଉଁ ଦିନ ସେଇ ମଧୁ ଯାମିନୀ ରାତ୍ରିଟି ଆସିବ ସତେ ବୋଲି ଶୟନେ ସପନେ ବ୍ୟତିବ୍ୟସ୍ତ ହୋଇ ଉଠି ଥାଆନ୍ତି । କେହି କେହି ତା’ର ଜ୍ଵାଳାର ତୀର୍ଯ୍ୟକ ରଶ୍ମିକୁ ନିଜ ମଧ୍ୟରେ ସହ୍ୟ ନ କରି ପାରି ବିପଥଗାମୀ ହୋଇ ଥାଆନ୍ତି । ଆଉ କେହି କେହି ଅପେକ୍ଷା କରି ଥାଆନ୍ତି ସେହି ଆକାଂକ୍ଷିତ ବିସ୍ମୟର ଦିନଟି ପାଇଁ ।

 

ଏଇ ମଧୁ ପାର୍ବଣ ଦିନଟିରେ ମୁଁ ଚମକି ଉଠୁଥିଲି । ଅମ୍ଳାନ ବଦନଟି ମୋର କ୍ଳାନ୍ତ ହୋଇ ପଡ଼ିଥିଲା । ପଛରୁ ଫେରି ଚାହିଁବାକୁ ମୋର ଧୈର୍ଯ୍ୟ ନ ଥଲା । ଦିନ ଦିନ, ଚାରି ଗୋଟି ଦିନ ମୁଁ ଆହତ ହରଣୀଟି ପରି ଅପେକ୍ଷା କରିଥିଲି ପ୍ରଦୀପର ଫେରିବା ପଥକୁ । ଖାଲି ଟିକିଏ ମନ ପୁରେଇ ଦେଖିବି । ପଦୁଟିଏ କଥା–ପ୍ରଦୀପ, ତମେ ତମ ମହାନ ଉଦାରତା ଗୁଣରୁ କାଣିଚାଏ ଦେଇ ମୋତେ ପବିତ୍ର କରି ଅସ୍ଥିର ସମୁଦ୍ର ଭଳି ଅତିକ୍ରାନ୍ତ କରିଯାଅ । ତମର ଆକର୍ଷଣକୁ ଏବେ ମୁଁ ଚାତକିନୀ ପରି ପ୍ରତୀକ୍ଷା କରି ବସିଛି । ବାସ୍ ସେତିକି ।

 

ଭଲ ପାଇବାର ଆକର୍ଷଣ, ସ୍ନେହ ମମତାର ଆକର୍ଷଣ, ଯୁଗ ଯୁଗକୁ ଉଦଜୀବିତ ହୋଇ ରହିଥାଏ । ସେ ସମୁଦ୍ରର ଲୁଣ ପାଣି ହେଉ, ଅବା ହ୍ରଦର ମଧୁର ପାଣି ହେଉ, ପାଣି ପାଣିକୁ ଦେଖିଲେ ଧାଇଁ ଧଇଁ ଯାଇ ଆକର୍ଷଣ କରିନିଏ । ଏହା ତ ଯୁଗ ଯୁଗାନ୍ତରର ଅନୁରୂପ ରିତି । ପ୍ରଦୀପକୁ ସ୍ଵପ୍ନରେ ରାଜକୁମାର କରି କେତେ ସ୍ଵପ୍ନ ଅବା ନ ଦେଖିଥିଲି ଏହି ମଧୁଶଯ୍ୟା ରାତିଟି ପାଇଁ ସତେ ? ସେ ରାତି ପକ୍ଷୀରାଜ ଘୋଡ଼ା ଚଢ଼ି ଆସିବ । ସାଙ୍ଗରେ ଥିବ ତା’ର ପ୍ରଦୀପ । ମୋ ମନର ମାନସ । ଗହନ ବନରେ ପାଟ ହାତୀ ସୁନା କଳସ ଢାଳିବ ପ୍ରଦୀପ ମୁଣ୍ଡରେ । ସେ ମୁଲକରେ ରାଜା ହେବ । ଆଉ ମୁଁ ହେବି ପାଟରାଣୀ, ଦୁହେଁ ଦୁହିଁଙ୍କୁ ଭେଟିବୁ ସେହି ରାତିରେ ।

 

ମୁହୂର୍ତ୍ତ ମୁହୂର୍ତ୍ତ ଧରି ମୁଁ ପ୍ରତୀକ୍ଷା କରି ବସିଛି । ଟିକି ଚଢ଼େଇଟି ପରି । ଗଛ ଡାଳରେ ବସି ସ୍ଵଚ୍ଛ ଶୀତଳ ଜଳରାଶି ଉପରେ ପ୍ରଣୟର ପ୍ରତିଛବି ଦେଖିପାରୁ ନ ଥିଲି । ଦେଖି ପାରୁଥିଲି ପ୍ରଦୀପ ଆଉ ମୋର ମହାମିଳନର ଦୃଶ୍ୟ । ବିତି ଯାଉଥିବା ଅତୀତରୁ କାଣିଚାଏ ସ୍ମୃତି ।

 

ଆଜିର ମଧୁଶଯ୍ୟା ରାତ୍ରି ରାଇ ଭାଇଙ୍କ ନିକଟରେ କିଛି ନୂଆ ନ ଥିଲା । ତେଣୁ ତାଙ୍କ ଦେହ ମନ ଉପରେ ଆଜିର ପ୍ରତ୍ୟେକ ମୁହୂର୍ତ୍ତ ବିଶେଷ କିଛି ପ୍ରଭାବ ପକାଉ ନ ଥିଲା । ସେଇ ସବୁଦିନ ଭଳି ବାହାରେ ବୁଲିବା ଆରମ୍ଭ କରି ଦେଇଥିଲେ । ଗାଁ କାମ, ଦେଶ ପାଇଁ ଆଦର୍ଶ । ଚୌଧୁରୀ ବଂଶର ପରମ୍ପରା ଅନୁଯାୟୀ ସମସ୍ତେ ତାଙ୍କୁ ସମ୍ମାନ ଦେଖାଇ ଆସିଛନ୍ତି । ତେଣୁ ସେ ପର ପାଇଁ ଆଦର୍ଶଗତ କାମରେ ଲାଗି ପଡ଼ିଛନ୍ତି ଆସନ୍ତା ପଞ୍ଚାୟତ ସମିତି ଚେୟାରମ୍ୟାନ୍ ନିର୍ବାଚନ ପାଇଁ ଭୂମିକା ତିଆରି କରୁଛନ୍ତି ।

 

ରାତ୍ରି ପ୍ରାୟ ଦଶଟା ପାଖାପାଖି ହୋଇ ଯାଇଥିଲା । ବନ୍ଧୁ ବାନ୍ଧବ ଯିଏ ଥଲେ ସେମାନେ ଖାଇ ପିଇ ବିଛଣା ଧରିଲେଣି, ହେଲେ ରାଇ ଭାଇ ଗାଁ ମୁଣ୍ଡରୁ ଫେରି ନ ଥିଲେ । ଚିରା ଚରିତ ସ୍ଵଭାବ । କାଦମ୍ବିନୀ ଭାଉଜ ଆସି ପଲଙ୍କଟି ଉପରେ ବିଛଣା ସଜାଡ଼ି ଦେଇ ଯାଇଥିଲେ । ଘରକୋଣରେ ଚୌଧୁରୀ ପରିବାରର କୂଳ ଦୀପ ଜଳୁଥିଲା । ମୁଁ ସେ ପଲଙ୍କକୁ ଚାହିଁ ଭାବୁଥିଲି–ସମୟ ଥିଲା, ଯେଉଁ ଦିନ ଏଇ ପଲଙ୍କ ଉପରେ ମୁଁ ଲେଖା ଅପା ଆଉ ରାଇ ଭାଇଙ୍କ ମଝିରେ ଦ୍ଵନ୍ଦର ପାହାଡ଼ ହୋଇ ଆର୍ବିଭାବ ହୋଇଥିଲି । ହେଲେ ଆଜି…… ।

 

ବହି ଯାଇଥିବା ଝରଣାର ପାଣି ଆଉ ଥରେ ପାହାଡ଼ ଶିଖରକୁ ଫେରି ଆସେନା । ଝରି ଯାଇଥିବା ଗଙ୍ଗଶିଉଳୀ ଫୁଲଟି ଆଉ ଥରେ ଗଛ ଡାଳରେ ଲାଗି ଯାଏନା । ହଜି ଯାଇଥିବା ଅତୀତ ଆଉଥରେ ବର୍ତ୍ତମାନ ହୋଇ ଆଖି ସାମ୍ନାରେ ଆର୍ବିଭାବ ହୁଏନା । ସବୁ ଖାଲି ଝୁରି ଝୁରି ମରିବା ପାଇଁ ସ୍ମୃତି ।

 

ଭଗବାନଙ୍କ ସୃଷ୍ଟିରେ ଭଲ ପାଇବା ଏକ ଜ୍ଵଳନ । ଯିଏ ଯାହାକୁ ଜୀବନ ଭରି ଚାହେଁ ସେ ତାକୁ ପାଏନା । ଯାହାକୁ ପାଏ, ସେ ତାକୁ ଚାହିଁ ନ ଥାଏ । ତରୁଣ ହେଉ ଅବା ତରୁଣୀ ହେଉ, ସେ ଯୌବନର ପହିଲି ପାହାଚରେ କାହାକୁ ନା କାହାକୁ ମନ ଦେଇ ଭଲ ପାଇ ବସି ଥାଆନ୍ତି । ହେଲେ ପରିଣତ ସମୟରେ ଭିନ୍ନମୁଖୀ ନଦୀ ହୋଇ ଅନ୍ୟ ଏକ ପୃଥିବୀର ମଣିଷ ହୋଇ ଯାଆନ୍ତି-। କିନ୍ତୁ ଜୀବନର ଶେଷ ପାହାଚ ପର୍ଯ୍ୟନ୍ତ ଭଲ ପାଇବାକୁ ଭୁଲି ପାରନ୍ତି ନାହିଁ । ଅପ ପୁରୁଷକୁ ନେଇ ନିଜ ଦେହରେ ଖୁନ୍ଦି ହୋଇଥବା ଯୌବନର ଉତ୍ତାପକୁ ଶୀତଳ କରାଯାଇପାରେ, ହେଲେ ଭଲପାଇବାର ଆଦର୍ଶତାକୁ ଦଳି ମକଚି ଅପ ପୁରୁଷକୁ ପ୍ରତିଛବିକୁ ମନ ଆଇନାରେ ଅଙ୍କାଯାଇ ପାରେନା । ଏହା ହିଁ ତ ସୃଷ୍ଟିର ଏକ ବୈଚିତ୍ର ।

 

ରାତି ବେଶି ହେବାକ୍ଷଣି ଅନ୍ଧକାରର ବହଳତା ଆସ୍ତେ ଆସ୍ତେ ଘନୀଭୂତ ହେଉଥିଲା । ସମସ୍ତେ ପ୍ରାୟ ଶୋଇ ଯାଇଥିଲେ । କାଦମ୍ବିନୀ ଭାଉଜଟା ଖାଲି ଏପଟ ସେପଟ ହେଉଥିଲା । ବେଳେ ବେଳେ ମଧ୍ୟ ମୋ ସାଙ୍ଗରେ ରସିକତା ଆରମ୍ଭ କରି ଦେଉଥିଲେ । ମୁଁ ଯେମିତି ଲକ୍ଷ କରୁଥିଲି ଆସନ୍ନ ମଧୂଯାମିନୀର ମୁହୂର୍ତ୍ତକୁ ଅନୁଭବ କରି ସେ ଯେମିତି କ୍ରମେ କ୍ରମେ ଉତ୍ତେଜିତ ହୋଇ ଉଠୁଥାଆନ୍ତି । ବୟସର ପରପକ୍ଵତା ଘଟିଲେ କ’ଣ ମନର କ୍ଷୁଧା ମେଣ୍ଟଯାଇଥାଏ ?

 

ନା ।

 

ଅତୃପ୍ତା ନାରୀମାନେ ପରିଣତ ବୟସରେ ଆହୁରି କାମୁକୀ ହୋଇ ଉଠି ଥାଆନ୍ତି । ସେମାନଙ୍କର ଯୌନକ୍ଷୁଧା ଲକ୍ଷ ଗୁଣରେ ବଢ଼ି ଯାଇଥାଏ । ସେମାନେ ନିଜ ମଧ୍ୟରେ ନିଜ ଉତ୍ତାପର ଜ୍ଵଳନକୁ ସହ୍ୟ କରି ପାରନ୍ତି ନାହିଁ !

 

ଏଇ କାଦମ୍ବିନୀ ଭାଉଜ ରାଇ ଭାଇଙ୍କର ଲେଖା ଯୋଖାରେ ଭାଉଜ ହେବେ । ସ୍ଵାମୀ ତାଙ୍କର କଲିକତାରେ ଚାକିରି କରନ୍ତି । ଭଲ ଦି’ ପଇସା ରୋଜଗାର କରି ଧନ ଜମେଇ ପାରିଛନ୍ତି-। ହେଲେ ବର୍ଷକୁ ଥରୁଟିଏ ଘରକୁ ଆସନ୍ତି ପନ୍ଦର ଦିନ ପାଇଁ । ସେଥିରେ କ’ଣ କାଦ ଭାଉଜଙ୍କ ଯୌବନର ତୃଷ୍ଣା ମେଣ୍ଟିବ ? ଆହୁରି ମଧ୍ୟ ଲୋକେ ପ୍ରଚାର କରନ୍ତି ମଦନ ଭାଇ କୁଆଡ଼େ ସେଠାରେ ଗୋଟିଏ ବଙ୍ଗାଳୀ ସ୍ତ୍ରୀକୁ ରଖିଛନ୍ତି ରକ୍ଷିତା ରୂପରେ ।

 

କେଉଁ ସ୍ତ୍ରୀ ଅବା ଏ ଅକଥନୀୟ ଅତ୍ୟାଚାରକୁ ସହି ପାରିବ । ରାତି ରାତି, ଦିନ ଦିନ, ବର୍ଷ ବର୍ଷ, ସ୍ଵାମୀ ସୋହାଗର ମୁହୂର୍ତ୍ତକୁ ମନେ ପକାଇ କାମନାର ଜ୍ଵଳନରେ ଜଳି ପୋଡ଼ି ମରିବାକୁ ହେବ । ପୁଣି ଯେତେବେଳେ ଶୁଣିବ ସୁମୀ ତା’ର ଏଇ ରାତ୍ରିର ଅନ୍ଧକାର ମଧ୍ୟରେ ରକ୍ଷିତା ପ୍ରଣୟନୀର ବାହୁ ବନ୍ଧନରେ ଛନ୍ଦି ହୋଇ ପ୍ରଣୟର ମଧୁର ସୁରା ପାନ କରୁଥିବେ । ସେ କ’ଣ ଏ କଥାକୁ ସହ୍ୟ କରିପାରିବ ? ସେ କ’ଣ ମଣିଷ ନୁହେଁ । ତା’ ରକ୍ତ ମାଂସରେ କ’ଣ ଉତ୍ତାପ ନାହିଁ, ତା’ ଦେହରେ କ’ଣ ମନ ବୋଲି କିଛି ଗୋଟିଏ ନିଜସ୍ଵ ପଦାର୍ଥ ନାହିଁ । ଖାଲି ତମ ଇଙ୍ଗିତରେ ପଶୁ ଭଳି ସହ ଚାଲିଥିବ ?

 

ନାରୀ ପ୍ରତି ମୁହୂର୍ତ୍ତରେ ମା’ ଭଳି କରୁଣାମୟୀ, ଭଉଣୀ ଭଳି ସ୍ନେହୀ, ମମତାମୟୀ, ସ୍ତ୍ରୀ ଭଳି ପ୍ରଣୟିନୀ, ପ୍ରେମଦାୟିନୀ । ହେଲେ ଭିନ୍ନ ଏକ ମୁହୂର୍ତ୍ତରେ ସେମାନେ ରାକ୍ଷସୀ ହୋଇ ଉଠିଥାନ୍ତି । ଏ ସୁନାର ସଂସାରକୁ ଜାଳି ପୋଡ଼ି ଛାରଖାର କରି ଦିଅନ୍ତି । ସେମାନଙ୍କ ପାଖରେ ଦୟା, ମାୟା ଲୋପ ପାଇଯାଏ ।

 

ରାଇଚରଣ ଭାଇଙ୍କର ଆସିବାର ପାଦ ଶବ୍ଦ ଶୁଣି ମୋ ଭାବନାର ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିଲି । ଆସନ୍ନ ମଧୂ ଯାମିନୀର ସାବଲୀଳତାକୁ ଅନୁଭବ କରି ଆନନ୍ଦରେ ଉଲ୍ଲାସିତ ହେବା ପରିବର୍ତ୍ତେ ବିଶାଦରେ ଭାଙ୍ଗି ପଡ଼ୁଥିଲି । ପ୍ରଦୀପର ଶେଷ ସ୍ମୃତିକୁ ଅଶ୍ରୁ ଧାରରେ ହଜେଇ ଦେଉଥିଲି-। ଭୁଲିଯିବାକୁ ଚେଷ୍ଟା କରୁଥିଲି ଅତୀତର ସମସ୍ତ ସ୍ମୃତି-ବିସ୍ମୃତିର ଇତିହାସକୁ । ଯାହା ସବୁ ଅଜଣା ମୁହୂର୍ତ୍ତରେ ଘଟି ଯାଇଛି ତାହା ଏକ ଉପନ୍ୟାସର କାହାଣୀ ଭଳି କାଳ୍ପନିକ ଅବା ଅବାସ୍ତବ, କିମ୍ବା ମନଗଢ଼ା ଏକ ଅଶ୍ରୁ, ସଜଳ କାହାଣୀ । ଯାହା କଳ୍ପନା କରି ହୁଏ, କିନ୍ତୁ ସତ୍ୟ ବୋଲି ବିଶ୍ଵାସ କରି ହୁଏନା ।

 

ମୋ ଛାତିର କମ୍ପନ ଆସ୍ତେ ଆସ୍ତେ ବଢ଼ି ଯାଉଥିଲା । ରାଇ ଭାଇ ମୋର ଅତି ପରିଚିତ, ଆପଣାର ରାଇ ଭାଇ । ତାଙ୍କ ନିକଟରେ ଭୟ, ସଙ୍କୋଚ କରିବାର କିଛି ନାହିଁ । ତଥାପି.....ଅଥାପି–ସେ ମୋର ସୋହାଗ ସିନ୍ଦୂର । ମୁଁ ତାଙ୍କର ଅଙ୍କ ସାୟିନୀ, ସହଧର୍ମିଣୀ । ତେଣୁ ମୋର ସମସ୍ତ ଗତିପଥ ତାଙ୍କ ଇଙ୍ଗିତରେ ପରିଚାଳିତ ହେବ । ସେ ମୋ ସମ୍ମୁଖରେ ହିମାଳୟର ଗିରୀଶୃଙ୍ଗ ଭଳି ଛିଡ଼ା ହୋଇଥଲେ, ମୋ ହାତର ନାଲି ଶଙ୍ଖା ବଜ୍ର ପରି କଠିନ ଥିବ ।

 

ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ବାହାରେ ବହଳ ଅନ୍ଧକାରର ନିଘଞ୍ଚତା ବେଶ ପରିବେଶକୁ ଘେରି ରହିଥିଲା । ରାଇ ଭାଇ ଘର ଭିତରେ ପାଦ ଦେଇ କବାଟ ବନ୍ଦ କଲେ । ତାଙ୍କ ମୁହଁକୁ ଚାହିଁବାର ମୋର ଧୈର୍ଯ୍ୟ ନ ଥିଲା । ମୁଁ ସେ ଓଢ଼ଣା ସନ୍ଧିରେ ଚାହିଁଥିଲି ତାଙ୍କ ପାଦ ଦୁଇଟାର ଗତିପଥ ଆଡ଼କୁ ।

 

ସେ ମୋ ଆଡ଼କୁ ଧୀରେ ଧୀରେ ଆସିଲେ । ମୋ ନିକଟରେ କିଛି ସମୟ ଚୁପ୍‍ଚାପ୍ ଛିଡ଼ା ହେଲେ । ଆସ୍ତେ କରି ମୋତେ ତଳୁ ଉଠେଇ ଓଡ଼ିଶାଟିକୁ ଆଡ଼େଇ ଦେଇଥିଲେ । ତା’ପରେ ମୁହଁଟିକୁ ଦୁଇ ହାତରେ ତୋଳି ଧରି କ’ଣ କହିବାକୁ ଚେଷ୍ଟା କରୁଥିଲେ ।

 

ମୁଁ ତାଙ୍କ କଳା କଳା ଆଖି ଦୁଇଟାରେ ଦେଖିବାକୁ ପାଉଥିଲି ଅତୀତରେ ଚପଳମତୀ କିଶୋରୀ ଶିଖାକୁ ରାଇ ଭାଇ ଜାବୁଡ଼ି ଧରି ଥିବାର ଦୃଶ୍ୟ । ସେଦିନ ହୁଏତ ମୁଁ ମୁକ୍ତି ପାଇବା ପାଇଁ ଚିତ୍କାର କରି ଉଠିଥିଲି । ତାଙ୍କର ବାହୁ ବନ୍ଧନୀ ମଧ୍ୟରେ ଅଣନିଶ୍ଵାସ ହୋଇ ଉଠି ପଳାଇ ଯିବାକୁ ବସିଥିଲି । ହେଲେ ଆଜି ସେ ଚିତ୍କାର କରିବାର ସାହସ ମୋର ନାହିଁ । ମୁକ୍ତି ପାଇବା ପାଇଁ ବିଦ୍ରୋହ କରିବାର ଧୈର୍ଯ୍ୟ ମୋର ନାହିଁ । ଖାଲି ଗୃହପାଳିତ ପଶୁ ଭଳି ତାଙ୍କର ଅନୁସରଣକୁ ଅପେକ୍ଷା କରିବା ବ୍ୟତୀତ ମୋର ଉପାୟ ନ ଥିଲା । ତାଙ୍କରି ଅନୁଜ୍ଞା, ତାଙ୍କରି ଅବଜ୍ଞା, ସବୁ ମୋ ପାଇଁ ଆଶୀର୍ବାଦ ବୋଲି ମନେ କରୁଥିଲି ।

 

ରାଇ ଭାଇ ମୋ ଅଧରଟିକୁ ତୋଳି ଧରି କହିଥିଲେ–ଶିଖା, ତୋତେ ବିବାହ କରିବା ବ୍ୟତୀତ ମୋର ଆଉ କିଛି ଅନ୍ୟ ଉପାୟ ନ ଥିଲା । ଲେଖା ସିନା ଏ ଘରର ସମସ୍ତ ଗୁରୁ ଦାୟିତ୍ଵକୁ ସୂଚାରୁ ରୂପେ ଚଳେଇ ପାରୁଥିଲା । ଏ ଘରର ମାନସମ୍ମାନକୁ ତିଳେ ହେଲେ କେବେ ତଳେ ପକାଇ ଦେଇ ନ ଥିଲା । ଅନ୍ୟ କେଉଁ ଏକ ଯୁବତୀକୁ ପତ୍ନୀରୂପେ ଗ୍ରହଣ କରିଥିଲେ ଏତେ ବଡ଼ ଘର ସଂସାର ଆଉ ଏ ବଂଶର ପଦମର୍ଯ୍ୟାଦା ସହିତ ସେ ପରିଚିତ ହେବାକୁ ଅନେକ ସମୟ ଡେରି ଲାଗିଥାଆନ୍ତା । ତୁ ତ ବେଶ୍ ଏ ବଂଶର, ଏ ଘରର ମାଟି ଗୋଡ଼ି ସହିତ ପରିଚିତ । ତେଣୁ ଏ ଘରର ସମସ୍ତ ଗୁରୁ ଦାୟିତ୍ଵ ମୁଁ ତୋ ଉପରେ ଲଦି ଦେଉଛି ଶିଖା । ତୋର ବିନା ମତରେ ମୁଁ ଏହି ପଦକ୍ଷେପ ନେଇଛି ବୋଲି ତୁ ହୁଏତ ମନ ଦୁଃଖ କରିବୁ । ହେଲେ ମୋର ଉପାୟ ନ ଥିଲା । ଯଦି ମୁଁ ତୋ ଅଜାଣତରେ ଭୁଲ୍ କରିଥାଏ ତା’ହେଲେ ମୋତେ କ୍ଷମା ଦେବୁ ଶିଖା ?

 

କଥା ପଦକ ବିଜୁଳିର ଚମକ ପରି ମୋ’ ଦେହରେ ଚାଉଁକିନା ଲାଗି ଯାଇଥିଲା । ମୁଁ ପରକ୍ଷଣରେ ଅନୁଭବ କରିଥିଲି ରାଇ ଭାଇ ଯେମିତି ମୋ ସମ୍ମୁଖରେ ପିଲାଟିଏ ହୋଇ କ୍ଷମା ଭିକ୍ଷା କରୁଛନ୍ତି । ସମୟ ଥିଲା ଯେତେବେଳେ ମୁଁ ସ୍ଵପ୍ନ ଦେଖୁଥିଲି–ମୁଁ ଏ ଚୌଧୁରୀ ଘରକୁ ବୋହୂ ହୋଇ ଆସିବି, କିନ୍ତୁ ରାଇ ଭାଇ ମୋର ହେବେ ପିତୃପ୍ରତିମ ଶ୍ଵଶୁର । ମୁଁ ତାଙ୍କୁ ପିତୃତ୍ଵର ସମ୍ମାନ ଦେବି । ହେଲେ ଆଜି ଏ କି ଅଜବ କଥା । ରାଇ ଭାଇ ମୋ ହାତକୁ ଧରି ଅନୁନୟ ହୋଇ କ୍ଷମା ଭିକ୍ଷା କରୁଛନ୍ତି । ଏଭଳି ବୈଚିତ୍ର କଥା ପୁଣି ଏ ସୃଷ୍ଟିରେ ସମ୍ଭବ ହେଲା ? ଏ କଥାକୁ ମୁଁ ବିଶ୍ଵାସ କରୁପାରୁ ନ ଥିଲି ।

 

ମୁଁ ତତ୍‌କ୍ଷଣାତ୍‌ ତାଙ୍କ ପାଟିରେ ହାତ ଦେଇ କହିଲି–ଛି, ରାଇ ଭାଇ, ତମ ମୁହଁରେ ଏ ସବୁ କଥା ମୋଟେ ଶୋଭା ପାଏନା । ଯାହା ହେବାରେ ତ ହୋଇ ଯାଇଛି । ବହି ଗଲା ପାଣି ଆଉ କ’ଣ ଫେରି ଆସିବ । ନା’ ଘଟିଗଲା ଘଟଣାର ପୂର୍ବ ମୁହୂର୍ତ୍ତକୁ ମଣିଷ ଫେରି ପାରିବ । ଯାହା ସବୁ ଘଟି ଯାଇଛି, ସବୁ ସେଇ ରାଧାମାଧବଙ୍କ ଆଶୀର୍ବାଦରୁ । ତେଣୁ ଦୁଃଖ କରିବାର କ’ଣ ଅଛି ।

 

ମୋତେ ଯେମିତି ମନେ ହେଉଥିଲା ରାଇ ଭାଇ ଏତେ ବଡ଼ ପରିପକ୍ଵ ପୁରୁଷଟିଏ ହୋଇ ମଧ୍ୟ ମୋ’ ସମ୍ମୁଖରେ ଶିଶୁଟିଏ ହୋଇ ଯାଇଥିଲେ । ସେ ଯେମିତି ସମସ୍ତ ଗୁରୁ ଦାୟିତ୍ଵ ଅତି ବିନୟ ଭାବରେ ମୋ ଉପରେ ଲଦି ଦେଇଥିଲେ । ଏ ବଂଶର ପରମ୍ପରା ରକ୍ଷା କରିବା, କୂଳର ମାନ ମର୍ଯ୍ୟାଦା ରକ୍ଷା କରିବାକୁ ଗୁରୁ ଦାୟିତ୍ଵ ମୋ ମୁଣ୍ଡ ଉପରେ । ମୁଁ ଶିଖା ନୁହେଁ, ତାଙ୍କ ଆଦରର ଲେଖା ।

 

ମୁହୂର୍ତ୍ତଟିଏ ଅପେକ୍ଷା ନ କରି ଭାଇଙ୍କ ବାହୁ ବନ୍ଧନରେ ମୁଁ ଛନ୍ଦି ହୋଇ ଯାଇଥିଲି । ଦେହରେ ମୋର ଅଜସ୍ର କମ୍ପନର ସ୍ଵର । ଅହିରାଜ ସର୍ପ ଯେମିତି ମୋ ଚାରିପାଖେ ଗୁଡ଼େଇ ହୋଇ ଯାଉଥଲା । ମୁକ୍ତି ପାଇବାର ଆଶା ନାହିଁ । ମୋର ସମସ୍ତ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ ଯେମିତି ସେ ଗ୍ରାସି ଯାଉଥିଲା ।

 

ଚୌଧୁରୀ ବଂଶର କୂଳ ପ୍ରଦୀପ ଦେହରେ ଶିଖାଟି ଲହ ଲହ ହୋଇ ଜଳୁଥିଲା । ବାହାରେ ରାତ୍ରିର ସାଇଁ ସାଇଁ ଘନ ଅନ୍ଧକାରର ଗର୍ଜନ । ଅଚାନକ ଝଡ଼ ବର୍ଷାର ସୂଚନା ନାହିଁ । ଗଛମାନଙ୍କର ଟୁପ୍ ଟାପ୍ କଥା । ବିନ୍ଦୁ ବିନ୍ଦୁ କାକର ପତ୍ରମାନଙ୍କ ଉପରୁ ଟୋପା ଟୋପା ହୋଇ ଖସିବାର ଶବ୍ଦ । ଚାରିଆଡ଼େ ଶୁନ୍‌ଶାନ୍ ।

 

ମୁଁ ରାଇ ଭାଇଙ୍କ ବାହୁ ବନ୍ଧନ ମଧ୍ୟରେ ଚାପି ହୋଇ ଯାଇ ଖୋଜୁଥିଲି ଉଷ୍ମତାର ବଳୟ-। ପ୍ରଦୀପ ଦେହରେ ଯେଉଁ ଯୌବନର ଆବେଗ, ତାରୁଣ୍ୟର ବହଳ ଉତ୍ତାପର ସନ୍ଧାନ ପାଇଥିଲି-। ଛାତି ଉପରେ ମଥା ରଖି ହୃତ୍‌ପିଣ୍ଡର ସ୍ପନ୍ଦନ ଗଣିବାର ସରସତା । କାହିଁ କିଛି ତ ପାଉ ନାହିଁ-। ମୋ ଦେହର ସମସ୍ତ ଯୌବନ ଚାପି ହୋଇ ଯାଉଛି ମୋର ସମସ୍ତ ଅଙ୍ଗ–ପ୍ରତ୍ୟେଙ୍ଗ । ହେଲେ କାହିଁ ସେ ଆବେଗ, କାହିଁ ସେ ଉତ୍ତାପର ସନ୍ଧାନ । କିଛି ନାହିଁ ଖାଲି ଶୂନ୍ୟ, ମହାଶୂନ୍ୟ ।

 

ଏକ ନିର୍ଜୀବ ମୂକ ଦନ୍ତୁରୀତ ପାହାଡ଼କୁ ଆଲିଙ୍ଗନ କଲା ଭଳି । ମୁଁ ଧକ୍‌କା ଖାଇ, କ୍ଷତ ବିକ୍ଷତ ହୋଇ ଯାଉଥିଲି । ତାଙ୍କ ଦେହରେ ଯୌବନର ଉତ୍ତାପ ଶିଥିଳ ହୋଇ ଯାଇଥିଲା । ତାଙ୍କ ଦେହରେ ତାରୁଣ୍ୟର ସବୁଜିମା ଅନେକ ଦିନରୁ ହଜି ଯାଇଥିଲା । ସେ ଏକ ରୁକ୍ଷ କର୍ଦ୍ଦମାକ୍ତ ଉପତ୍ୟକା ଭଳି ପଡ଼ି ରହିଥିଲେ । ଯାହା ନିକଟରେ ଆତ୍ମ ନିବେଦନ ବ୍ୟର୍ଥ ହୁଏ । ଯୌବନର ନିଶାକୁ ଚରିତାର୍ଥ କରିବାକୁ ଯାଇ ମୁଣ୍ଡ କୋଡ଼ି କୋଡ଼ି ରକ୍ତାକ୍ତ ହେବାକୁ ହୁଏ, କିନ୍ତୁ ନିଜର ପ୍ରବୃତ୍ତିକୁ ମେଣ୍ଟାଇ ହୁଏନା ।

 

ସ୍ଵପ୍ନ ମୋର ମାଟି କଣ୍ଢେଇ ଭଳି ଭାଙ୍ଗି ରୁଜି ଚୁରମାର ହୋଇଗଲା । ଆଶା ଆକାଂକ୍ଷା କେଉଁ ଏକ ଦୂର ବନସ୍ତରେ ହଜି ଯିବାକୁ ବସିଲେ । ମୁଁ ଚେତନାର ସ୍ୱପ୍ନ ହରାଇ ବସିଥିଲି । ରାଇ ଭାଇ ପଲଙ୍କ ଉପରେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଥିଲେ । ମୁଁ କାନ୍ଦି କାନ୍ଦି ମାଟି ଗୋଡ଼ିର ଚଟାଣରେ ଲୋଟି ପଡ଼ିଥିଲି । ମୁଣ୍ଡବାଳ ଇତସ୍ତତ । ଆଖିରୁ ଧାର ଧାର ଲୁହରେ ପଣତ କାନି ଭିଜି ଯାଉଥିଲା । ମୁଁ କୂଳକିନାର ଖୋଜି ପାଉ ନ ଥିଲି । ମୋ ପାଇଁ ପ୍ରକୃତିର ସମସ୍ତ ପଦାର୍ଥ ଯେମିତି ରୁକ୍ଷା ହୋଇ ଉଠିଥିଲା ।

 

ଯୌବନର ସ୍ଵପ୍ନକୁ ଘନ କୁହୁଡ଼ି ଦେହରେ ହଜେଇ ଦେଇ ବାସ୍ତବତାର ରାସ୍ତାରେ ଚାଲିବାକୁ ଆରମ୍ଭ କଲାବେଳେ ପୁଣି ଏକ ଦୁର୍ଘଟଣା । ଅପା ଭଳି ମୋତେ ମଧ୍ୟ ଜୀବନ ସାରା ଡହଳ ବିକଳ ହୋଇ ଶେଷରେ ମରିବାକୁ ପଡ଼ିବ । ଜୀବନରେ ମୋର ଶାନ୍ତି ନାହିଁ ।

 

ରାଇ ଭାଇ ଏକ ମନ ବୁଝା ଖେଳନା । ମହାକାଳ ଫଳ ଭଳି ଉପରକୁ ବେଶ ଚକ୍ ଚକ୍, ସୁଢ଼ାମ, ସୁନ୍ଦର । ହେଲେ ଭିତରେ ପୋଡ଼ା ଅଙ୍ଗାର । କେଉଁ କାର୍ଯ୍ୟରେ ନୁହେଁ । ନାରୀର କ୍ଷୁଧା ନିକଟରେ ଏକ ଅଦରକାରୀ ପଦାର୍ଥ ।

 

ସୁନ୍ଦର ଖେଳନାଟିକୁ ନେଇ ଜୀବନ ଭରି ଖେଳି ଖେଳି ଅବଶ ହୋଇ ଯିବାକୁ ହୁଏ । ହେଲେ ଯୌବନର ଉତ୍ତାପକୁ ମେଣ୍ଟାଇ ହୁଏନା, ମନର ଶୋଷକୁ ଲିଭାଇ ହୁଏନ । । ମାଂସପେଶୀର ବିସ୍ଫୋରଣକୁ ହଜେଇ ହୁଏନା । ରକ୍ତ କଣିକାର ଉତ୍ତେଜନାକୁ ଭୁଲେଇ ହୁଏନା । ତା’ହେଲେ ମୋ ବଞ୍ଚିବା ପାଇଁ ପ୍ରେରଣା କାହିଁ ? କାହା ପାଇଁ ଜୀବନ ସାରା ବଞ୍ଚିବାର ସ୍ଵପ୍ନ ଦେଖିବି ।

 

ଦେହ–ମନ ମଧ୍ୟରେ ଆସନ୍ନ ଝଡ଼ର ସୂଚନା । ଯୌବନର କାଚ ମନ୍ଦିରଟି ମୋର ଭାଙ୍ଗି ରୁଜି ଚୁରମାର ହୋଇଯିବ । ମୁଁ ମୋ’ ଦେହର ଉତ୍ତାପକୁ ଚରିତାର୍ଥ କରିବା ପାଇଁ ବାରଙ୍ଗନା ହୋଇଯିବି । ଏମିତି କେତେ କ’ଣ ଉଦ୍ଭଟ ଭାବନା ମନ ମଧ୍ୟରେ ଭଉଁରୀ ସୃଷ୍ଟି କରୁଥିଲା ।

 

ମୁଁ ଯେମିତି ଅନୁଭବ କରୁଥିଲି ମୁଁ ଶେଷରେ ପାଗଳି ହୋଇଯିବି । ଏମାନେ ମୋତେ ମିଳିମିଶି ପାଗଳୀ କରିଦେବେ । ଆକାଶଟା ମୋ ମୁଣ୍ଡ ଉପରେ ଘୁରୁଥିଲା । ପୃଥବୀ ଦେହରେ ଆସନ୍ନ ଭୁମିକମ୍ପ ହେବାର ପୂର୍ବାଭାସ । ଭୂତ ପ୍ରେତମାନେ ଅନ୍ଧକାରର କରାଳ ଦୃଶ୍ୟ ମଧ୍ୟରେ ମାଡ଼ି ଆସୁଥିଲେ । ଲେଖା ଅପାର ପ୍ରେତାତ୍ମା ଯେମିତି କାନ୍ଦି କାନ୍ଦି କହୁଥିଲା–ଶିଖା, ତୁ ବି ମୋର ଭଳି ଶେଷରେ ଡହଳ ବିକଳ ହୋଇ ଜଳି ପୋଡ଼ି ମରିବୁ । ତୋର ନିସ୍ତାର ନାହିଁ । ମୋ ମନର ଯନ୍ତ୍ରଣାକୁ କେହି ବୁଝିଲେ ନାହିଁ । ମୋ ଆତ୍ମା ଅବଶୋଷର ଆତ୍ମଗ୍ଳାନି ମଧ୍ୟରେ ଧୂଆଁ ହୋଇ ଏ ବାୟୁମଣ୍ଡଳର ଚାରିଆଡ଼େ ଘୁରି ବୁଲୁଛି । ମୁଁ କାହାରିକୁ ଶାନ୍ତିରେ ବଞ୍ଚିବାକୁ ଦେବିନି । ତୁ’ କ’ଣ ଜାଣିନୁ ତୋ ରାଇଭାଇ ନପୁଂସକ । ତା’ ନ ହୋଇଥିଲେ ମୁଁ କାହିଁକି ଚୌଧୁରୀ ବଂଶର କୂଳବଧୁ ହୋଇ ବଂଶ ରକ୍ଷା କରି ପାରିଲି ନାହିଁ । ଗୋଟିଏ ଯୌନ ଶକ୍ତି ବିହୀନ କବନ୍ଧୁକ ଜୀବନ ସାରା ବେକରେ ବାନ୍ଧି ଶେଷରେ ମୋ ସୁନ୍ଦର ରୂପ ଯୌବନକୁ ମାଟିରେ ମିଶାଇ ଦେଲି । ଚୌଧୁରୀ ବଂଶର ପରମ୍ପରା, ଆଭିଜାତ୍ୟ, ଧନ ସମ୍ପତ୍ତିକୁ ନେଇ ମାଟି ଘରରୁ କୋଠା ଘର ତିଆରି କରି ହୁଏ, କିନ୍ତୁ ନିଜ ଦେହ ମନର ଶୋଷକୁ ମେଣ୍ଟାଇ ହୁଏନା ।

 

ମୁଁ ମୁହଁ ଟେକି ଉପରକୁ ଚାହିଁଥିଲି ।

 

କାନ୍ଥରେ ଅପାର ଫଟୋ ଟଙ୍ଗା ଯାଇଛି । ଫଟୋ ଉପରେ ଗୁଡ଼ା ହୋଇଥିବା ଫୁଲ ମାଳଟି ଅନେକ ଦିନରୁ ଶୁଖି ଯାଇଛି । କେହି ସେମିତି ତା’ ଯତ୍ନ ନେଇ ନାହାନ୍ତି । ମୁଁ ଥିଲାବେଳେ ନିତି ପ୍ରତି ମାଳ ଗୁନ୍ଥି, ଧୂପ ଦେଇ ସନ୍ଧ୍ୟା, ସକାଳେ ଅପାର ଅମର ଆତ୍ମାର ସଦ୍‌ଗତି କାମନା କରୁଥିଲି । ହେଲେ ଏଇ କେଇଟା ଦିନରେ ସବୁ ଅଘଟଣ ଘଟି ଯାଇଛି ଯେମିତି ।

 

ମୁଁ ଧୀରେ ଧୀରେ ଉଠି ଅପା ଫଟୋ ପାଖକୁ ଗଲି । କାନ୍ଥରେ ମୁଣ୍ଡ ବାଡ଼େଇ ଅପା ନିକଟରେ ଆତ୍ମନିବେଦନ କରୁଥିଲି । ଅପା, ତୁ ମୋତେ ରାସ୍ତା ଦେଖା, ମୁଁ ଏବେ କ’ଣ କରିବି ? ମୋ ଜୀବନଟା କ’ଣ ଶେଷରେ ତୋରି ଭଳି ଅକାଳ ଝଡ଼ରେ ନଷ୍ଟ ଭ୍ରଷ୍ଟ ହୋଇଯିବ ?

 

ଭଗବାନଙ୍କ ନିକଟରେ ଅଭିମାନ କରି ଅନେକ କାନ୍ଦିଥିଲି । ହେ ପ୍ରଭୁ । ତମେ ତ ଏ ସୃଷ୍ଟିକୁ ସର୍ଜନା କରିଛି । ଏ ସାରା ସଚରାଚର ପୃଥିବୀରେ ଯାହା ସବୁ ଘଟଣା ଆଉ ଦୁର୍ଘଟଣା ଘଟିଯାଏ, ସବୁ ସେଇ ତମରି ଇଙ୍ଗିତରେ । କର୍ମ ଘେନି ଫଳ । କାହିଁ, ମୁଁ ତ କାହାରି ଆଖିରୁ ଲୁହ ଝରାଇ ନାହିଁ । କାହାରି ମନରେ ଅଶାନ୍ତିର ଝଡ଼ ବୁହାଇ ଦେଇ ନାହିଁ । କାହାରି ଘର ସଂସାର ଉଜାଡ଼ି ଦେଇନି ? ତା’ହେଲେ ମୋତେ ଏ ଦଣ୍ଡ କାହିଁକି ଦେଲ ପ୍ରଭୁ । ଯଦି ଦଣ୍ଡ ଦେଲ ତା’ହେଲେ କୁରୁସଭା ତଳେ ଦ୍ରୌପଦୀଙ୍କୁ ଉଦ୍ଧାର କଲା ଭଳି, ସତୀ ସାବିତ୍ରୀଙ୍କୁ ତାଙ୍କ ସତ୍ୟବାନ ଭଳି ସ୍ଵାମୀଙ୍କୁ ଜୀବନ୍ୟାସ ଦେଲା ଭଳି, ମୋତେ ଏ ମହା ବିପଦରୁ ଉଦ୍ଧାର କର ।

 

ନଈବଢ଼ିରେ ଭାସି ଗଲାବେଳେ କୁଟା ଖିଏ ବି ଆଶ୍ରା ଦେବ ବୋଲି ହାତ ବଢ଼ାଇଲା ଭଳି, ଅସମୟରେ ଏ ଧର୍ମ, ପୁରୁଷର କାହାଣୀ ଗୁଡ଼ାକ ମନକୁ ବୁଝାଏ । ସତେ କି ଦ୍ରୌପଦୀଙ୍କୁ ଭଗବାନ ଶ୍ରୀକୃଷ୍ଣ କୋଟି ବସ୍ତ୍ର ଦେବାର ଜ୍ଵଳନ୍ତ ପ୍ରମାଣ ଯେମିତି ଇତିହାସ ପୃଷ୍ଠାରେ ଲେଖା ହୋଇଯାଇଛି ?

 

ତଥାପି ଅବୁଝା ମନକୁ ବୁଝେଇବାକୁ ଚେଷ୍ଟା କରୁଥିଲି । ରାଇ ଭାଇ ମୋର ସ୍ଵାମୀ । ମୁଁ ତାଙ୍କ ସହଧର୍ମିଣୀ । ମୋର ତାଙ୍କ ପ୍ରତି ସମ ଧର୍ମ ଆଚରଣ କରିବା ଉଚିତ । ଦଶଦିଗପାଳଙ୍କୁ ସାକ୍ଷୀ ରଖି, ଅଗ୍ନିଙ୍କୁ ସାକ୍ଷୀ ରଖି ମୁଁ ତାଙ୍କ ହାତ ଧରିଛି । ତାଙ୍କ ପ୍ରତି ବିମୁଖ ହେଲେ ଭଗବାନ ଅସନ୍ତୁଷ୍ଟ ହେବେ । ତେଣୁ ସବୁ ଦୁଃଖ କଷ୍ଟକୁ ମଥା ପାତି ସହି ନେବା ଉଚିତ ବୋଲି ମନେ କରୁଥିଲି ।

 

ନା । ମୋତେ ଯେଉଁମାନେ ନଈ ସୁଅର ପ୍ରଖରତା ମଧ୍ୟକୁ ଠେଲି ଦେଇ ମୋ ସରଳ ଜୀବନକୁ ନଷ୍ଟ ଭ୍ରଷ୍ଟ କରି ଦେଇଛନ୍ତି । ମୁଁ ସେମାନଙ୍କୁ କ୍ଷମା ଦେବି ନାହିଁ । ମୋତେ ଜାଳି ପୋଡ଼ି କ’ଣ ପାଇଲେ ସେମାନେ ? ମୋ ଦେହରେ ଭରା ଯୌବନର ଦଧିଭାଣ୍ଡ । ଟିକିଏ ଦୋହଲି ଗଲେ ଚହଲି ପଡ଼ିବ । ମୁଁ କେମିତି ଜୀବନ ସାରା ପାଦ ଚିପି ଚିପି ଏ ଖସଡ଼ା ପଥ ଅତିକ୍ରମ କରିଯିବ ।

 

ମନ ମଧ୍ୟରେ ଉତ୍ସୃଙ୍ଖଳିତ ହୋଇ ଉଠୁଥିଲି । ରାଇ ଭାଇ ପଲଙ୍କ ଉପରେ ଏକ ହାତ ଗୋଡ଼ ବିହୀନ କବନ୍ଧ ଭଳି ଗଡ଼ୁଥିଲେ । ମୁଁ ଏକ ଅନ୍ତସତ୍ତ୍ଵା ହସ୍ତୀନି ଭଳି ଯନ୍ତ୍ରଣାରେ ଅତିଷ୍ଠ ହୋଇ ଭୂଇଁରେ ଲୋଟି ପଡ଼ିଥିଲି । ଦେହ ମୁଣ୍ଡରେ ମୋର ଲୁଗା ନଥିଲା । ମୁଁ ମୋର ଉନ୍ମୁଖ ଯୌବନକୁ ମାଟି ଉପରେ ଚାପି ଧରି ଭବିଷ୍ୟତ ପାଇଁ ବଞ୍ଚିବାର ରାସ୍ତା ଖୋଜି ବାହାର କରୁଥିଲି ।

 

ରାତି ପାହି ଆସୁଥିଲା । ମୋ ଦେହ, ମନ, ବିବେକ ମଧ୍ୟରେ ଅସମ୍ଭବ ଭାବେ ସଂଘର୍ଷ ଚାଲିଥିଲା । ମୁଁ କେତେବେଳେ ଜାପାନର ସୁପ୍ତ ଆଗ୍ନେୟଗିରି ଭଳି ଶାନ୍ତ ହୋଇ ଯାଉଥିଲି, ଅନ୍ୟ କେତେବେଳେ ପୂର୍ଣ୍ଣିମା ତିଥିରେ ବଙ୍ଗୋପସାଗର ଭଳି ଭୀଷଣ ହୋଇ ଉଠୁଥିଲି । ଅନ୍ୟ ଏକ ଅଭିସନ୍ଧି ମୁହୂର୍ତ୍ତରେ ବି ମୁଁ ଆତ୍ମହତ୍ୟା କରିବାକୁ ମନସ୍ତ କରି ନେଉଥିଲି ।

 

ଘରକୋଣରେ କୂଳଦୀପ ଜଳୁଥିଲା । ପ୍ରଦୀପଟି ଦେହରେ ଶିଖା ଲହ ଲହ ହୋଇ ଜଳି ଉଠି ସାରା ଘରଟିକୁ ଆଲୋକିତ କରୁଥିଲା । ଆଖିରେ ମୋର ଲୁହ ଶୁଖି ଯାଇଥିଲା । ମନ ମଧ୍ୟରେ ଅହେତୁକ ଯନ୍ତ୍ରଣାର କୋହ ସବୁ ଚାପି ହୋଇ ଯାଇଥିଲା । ମୁଁ ଭୀଷଣ ହୋଇ ଉଠୁଥିଲି । ରୁକ୍ଷ ହୋଇ ଉଠୁଥିଲି । ଆଜି ଭଳି ଦିନଟି ଶେଷରେ ମୋର ଜଳି ପୋଡ଼ି ପାଉଁଶ ହୋଇଗଲା । କୁଆଁରୀ ଜୀବନରେ ପ୍ରଥମ ଆଉ ଶେଷ ସମ୍ପତ୍ତି । ଆଉ କ’ଣ ତାହା କେବେ ଫେରି ଆସିବ ?

 

ମୁଁ ବିକଳରେ ଧାଇଁ ଯାଇ ରାଇ ଭାଇକୁ ଜାବୁଡ଼ି ଧରିଥିଲି । ହୁଏତ ଏ ରାତି ମୋ ପାଇଁ ଆଶୀର୍ବାଦ ହୋଇଯିବ । ମୋ ପ୍ରାଣର ଦେବତା ଅଦ୍ଭୁତ ଭାବେ ଯୌବନର ଆତ୍ମସତ୍ତା ଫେରି ପାଇବେ । ଏ ଚୌଧୁରୀ ବଂଶର କୂଳ ରକ୍ଷା ହେବ ।

 

ହେଲେ କାହିଁ ?

 

ସେଇ ଶିଥିଳତା । ବାହୁ ବନ୍ଧନରେ ଚାପି ଧରି ଯନ୍ତ୍ରଣା ବଢ଼ାଇବାର ଉପକ୍ରମ । ସିଂହ ଶିଶୁ ହୋଇ ରକ୍ତ ମାଂସକୁ ଖିନ୍ ଭିନ୍ କରି ନଖ ଦାନ୍ତରେ ବିଦାରି ରକ୍ତାକ୍ତ କରିବାକୁ ସାହାସ ନାହିଁ । ତା’ହେଲେ ରାଇ ଭାଇଙ୍କର ଏ ବିବାହ, ବଂଶ ରକ୍ଷାର ଅଭିଯାନ ସବୁ କ’ଣ ଏକ ବୃଥା ଆସ୍ଫାଳନ ?

 

ଆଜି ଭଳି ରାତିରେ ମୋ ସୁନ୍ଦର ଗୋରା ଦେହଟାର ନିଟୋଳ ଯୌବନକୁ ଧରି ମୁଁ ଏକାକିନୀ ଛିଡ଼ା ହୋଇଥିଲି । ଦେହରେ ମୋର ନଖ, ଦାନ୍ତରେ କ୍ଷତ ବିକ୍ଷୋଭର ଚିହ୍ନ ନାହିଁ । ଲୁଗାପଟା ଅସଂଯତ ହୋଇନି । ତା’ହେଲେ ବର୍ଷ ବର୍ଷ ଧରି ବଞ୍ଚିବି କେମିତି ? କେଉଁ ଆଶାରେ, କେଉଁ ଆକାଂକ୍ଷାରେ ମୁଁ ଭବିଷ୍ୟତ ପାଇଁ ବଞ୍ଚିବାର ସ୍ଵପ୍ନ ଦେଖିବି ?

 

ଆତ୍ମହତ୍ୟା କରିବା ବ୍ୟତୀତ ମୋର ଅନ୍ୟ ଉପାୟ ନାହିଁ । ହଁ, ମୁଁ ସାପୁଆ ଗଣ୍ଡକୁ ଡେଇଁ ସକାଳ ହେବା ପୂର୍ବରୁ ମରିସାରିଥିବି ।

 

ହେଲେ ପାଦ ଦୁଇଟା ମୋର ଅଟକି ଗଲା । ମୁଁ ମୁହୂର୍ତ୍ତକ ପାଇଁ ଠିଆ ହୋଇ ଯାଇଥିଲି-। ଯାହା ପାଇଁ ମୁଁ ଏତେବଡ଼ ପଦକ୍ଷେପ ନେଇ ଏ ଘରକୁ ବୋହୁ ହୋଇ ଆସିଲି, ସେ କ’ଣ ଭାବିବ ? ଯଦି ମୁଁ ମରିଥାଆନ୍ତି ତା’ହେଲେ ବିବାହ ପୂର୍ବରୁ ମରିଥାଆନ୍ତି । ପ୍ରଦୀପ ମନରେ ଅଶାନ୍ତ ଝଡ଼ର ଅୟମାରମ୍ଭ କରି ମୁଁ କି ଲାଭ ପାଇଲି । ସେ ଯେ ଆତ୍ମ ଦ୍ଵନ୍ଦ ମଧ୍ୟରେ ଜଳି ପୋଡ଼ି ମରୁଥିବ । କ’ଣ ମୁଁ ତାକୁ ସାନ୍ତ୍ଵନା ଦେଲି । ସେ ନିଶ୍ଚୟ ଭାବିବ ଶିଖାର ଭଲ ପାଇବାର କ’ଣ ଏଇ ଉପଯୁକ୍ତ ପ୍ରତିଦାନ । ଶିଖା ଏତେ ସ୍ଵାର୍ଥପର ହୋଇପାରେ ? ଏମିତି କେତେ କ’ଣ ସେ ଭାବୁଥିବ ନିଶ୍ଚୟ-। ଭଲ ପାଇବାର ଆଦର୍ଶତା ରହିଲା କେଉଁଠି ? ପ୍ରେମ ପରା ଶାଶ୍ୱତ, ଅମର, ଚିରଭାସ୍କର-

 

ତେଣୁ ଜୀବନଧାରଣ କରିବାର ଆଶ୍ଵାସନା ନେଇ ଚୌଧୂରୀ, ବଂଶର କୂଳଦୀପ ଦେହରେ ସାରା ଜୀବନ ଜଳି ଜଳି ପରିବାରରୁ ଆଲୋକିତ କରିବାକୁ ପ୍ରତିଜ୍ଞା ବଦ୍ଧ ହୋଇ ଉଠୁଥିଲି । ଭଲପାଇବାର ଆଦର୍ଶତା ପାଇଁ ମୁଁ ବଞ୍ଚିବି । କେହି ମୋତେ ପ୍ରବୋଧନା ନ ଦେଲେବି ମୁଁ ପ୍ରଦୀପ ପାଇଁ ସଳିତା ହୋଇ ଜଳିଯିବି ଯୁଗ ଯୁଗକୁ ।

 

ମୁଁ ପ୍ରଦୀପ ଲାଗି ଅପେକ୍ଷା କରି ଯାଉଥିଲି । ପ୍ରଦୀପ ହେଉଛି ମୋ ଜୀବନର ଆରମ୍ଭ ଆଉ ଶେଷ ପର୍ଯ୍ୟନ୍ତ ମଧ୍ୟ । ତା’ ବିନା ମୋର ଗତି ନାହିଁ, ମୁକ୍ତି ନାହିଁ, ତା’ର ସାନିଗ୍‌ଧ ବିନା ମୁଁ ମୁହୂର୍ତ୍ତେ ବଞ୍ଚିପାରିବି ନାହିଁ । ତାକୁ ପାଖେ ପାଖେ ଦେଖିଲେ ମୋ ଜୀବନ ସଳିତା ଭଳି ତେଜୀୟାନ ହୋଇ ଜଳି ଉଠିବ ।

 

ଏମାନେ ସମସ୍ତେ ମୋ ନିକଟରେ ଅଭିନୟର ସାମଗ୍ରୀ ହୋଇ ଉଠୁଥିଲେ । ମୁଁ ଯେମିତି ଏମାନଙ୍କ ନିକଟରେ ଚୌଧୁରୀ ବଂଶର କୂଳବଧୂ ହୋଇ ସବୁଦିନ ପାଇଁ ଏକ ଛଳନାର ଅଭିନୟ କରି ଚାଲିଥିବି । ପ୍ରଦୀପ ମୋର ଗେହ୍ଲା ପୁଅ ହୋଇ ସବୁ ଦିନ ପାଇଁ କୂଳ ଉଜ୍ଜ୍ୱଳ କରି ଚାଲିବ ।

 

ବିଚିତ୍ର ଏ ଦୁନିଆର ନୀତି ନିୟମ । ଅଦ୍‌ଦ୍ଭୁତ ତା'ର ଆଇନ୍‍କାନୁନ । ତାରି ମଧ୍ୟରେ କେତେ ଅସମୟର ଝଡ଼ ବତାସ ବହିଯାଏ । କେତେ ନିରୀହ ତରୁଣ ତରୁଣୀ କୂଳ କିନାରା ହରାଇ ବସନ୍ତି । ଫୁଲ ହୋଇ ଫୁଟିବା ଆଗରୁ ମଉଳି ପଡ଼ନ୍ତି । ସ୍ରୋତ ହୋଇ ବହିଯିବା ଆଗରୁ ହଜି ଯାଆନ୍ତି ।

 

ସେହି ଆଇନ୍‍କାନୁନର କର୍ଦ୍ଦମାକ୍ତ ରାସ୍ତାରେ ଅନେକ ଘଟଣା ଆଉ ଦୁର୍ଘଟଣା ଘଟିଯାଇଥାଏ, ତା’ର ହିସାବ କେହି ରଖିପାରନ୍ତି ନାହିଁ । ସେହି ଦୁର୍ଘଟଣାର କାହାଣୀ ଇତିହାସ ପୃଷ୍ଠା ପର୍ଯ୍ୟନ୍ତ ବି ଯାଇପାରେ ନାହିଁ । ତାହା ଖାଲି ଚାରୁକଳାର ପଥର ମୂର୍ତ୍ତି ଦେହରେ କିମ୍ବଦନ୍ତୀ ଭଳି ରହିଯାଏ ଯୁଗ ଯୁଗକୁ । ଯାହାକୁ ଚିପୁଡ଼ି ଦେଲେ ପ୍ରେମ ପ୍ରଣୟର ଅମୃତଧାରା ବହିଯାଏ । ଅବା ବିଷାଦର ରୁଧିର ଝରି ପଡ଼େ ।

 

ତା’ପରେ ମୁଁ ଟିକିଏ ଆଶ୍ଵସ୍ତି ବୋଧ କରୁଥିଲି । ଆଖିରେ ମୋର ଅଜସ୍ର ତନ୍ଦ୍ରାର ତରଙ୍ଗ-। ସର୍ବାଙ୍ଗରେ ଯନ୍ତ୍ରଣାର ଝଲକ । ତଥାପି ଶୁଭ ପ୍ରଭାତର ନୂତନ ସୂର୍ଯ୍ୟଙ୍କୁ ଏକ ଭିନ୍ନ ଆଭିମୁଖ୍ୟ ନେଇ ନିମନ୍ତ୍ରଣ କରୁଥିଲି । ଆଜି ମୋ ପାଇଁ ସୂର୍ଯ୍ୟଦେବ ଆବିର୍ଭାବ ହୁଅନ୍ତୁ ଏକ ଭିନ୍ନ ସ୍ୱାଦର-। ମୋ ଦେହରେ ଭରି ଦିଅନ୍ତୁ ଅଦ୍ଭୁତ ସଫଳତାର ବହ୍ନି । ମୁଁ ଆହୁରି ତେଜସ୍କ୍ରିୟ ହୋଇ ଉଠେ । ମୋ’ ଦେହର ଅଜସ୍ର ସଞ୍ଜମତା ଭରି ଯାଉ । ମୁଁ ମୋ ଜୀବନ ନାଟକର ଅଭିନୟରେ ସଫଳ ଭାବରେ ଉତ୍ତୀର୍ଣ୍ଣ ହୁଏ । ମୋ ପ୍ରାଣର ପ୍ରଦୀପ ପାଇଁ ସବୁଦିନ ଲାଗି ମୁଁ ଶିଖା ହୋଇ ଜଳୁଥାଏ ।

 

ରାତି ପାହି ସକାଳ ହୋଇଥିଲା । ଦେହ ମନର ଆଳସ୍ୟତା ମଧ୍ୟରେ କେତେ ଭାବନା, କେତେ ଚିନ୍ତା–ଅନୁଚିନ୍ତା, ଯୁକ୍ତି ତର୍କ ଲାଗିଥିଲା । ପୁଣି ବିଷାଦର ବହ୍ନି ବଳୟ ଦେହ ମନକୁ ଗ୍ରାସି ଯାଉଥିଲା । ଆଜି ପର୍ଯ୍ୟନ୍ତ ପ୍ରଦୀପ ଆସିଲା ନାହିଁ । ପ୍ରଦୀପକୁ ଦେଖିବା ପାଇଁ ମନ ଖାଲି ହାଇଁ ପାଇଁ ହେଉଥିଲା । ତା’ହେଲେ କ’ଣ ସେ ଅଭିମାନ କରି ଆସୁନାହିଁ ? ତାକୁ ଦେଖିଲେ ମନର ଅବ୍ୟକ୍ତ ଅଭିବ୍ୟକ୍ତି ଗୁଡ଼ିକୁ ବଖାଣି ଦେଲେ ହୁଏତ ଟିକିଏ ଆଶ୍ୱସ୍ତି ମିଳିବ ।

 

କାଦମ୍ବିନୀ ଭାଉଜ ମୋତେ ଦେଖି ଥଟ୍ଟା କରୁଥିଲେ–ଆଲୋ ଏତେ କ’ଣ ଭାବୁଚ ବା, ଗାଧୋଇବୁ ଚାଲ । ଭାଇ କେତେବେଳୁ ଗାଧେଇ ପାଧୋଇ ବାହାରି ଗଲାଣି । କ’ଣ, କାଲି ରାତି କଥା ଭୁଲି ପାରୁନି କିଲୋ ଶିଖା ?

 

ମୋ ଛାତି ଭିତରେ ପବନ ଦମକାଏ ପଶିଗଲା ଯେମିତି । ମୁଁ ଯନ୍ତ୍ରଣାରେ ଖାଲି ଛଟପଟ ହେଉଥିଲି । କିନ୍ତୁ ଉତ୍ତର ଦେଇ ପାରି ନ ଥିଲି । ଆଖିକୋଣରେ ଲୁହ ଦି' ଟୋପା ଜକେଇ ଆସିଥିଲା । କ’ଣ ମୁଁ କହି କାଦ ଭାଉଜଙ୍କୁ ଉତ୍ତର ଦେବି । କେମିତି ମୁଁ ବୁଝେଇବି ଯେ–ବଡ଼ ଭାଉଜ ତମେ, ମଦନ ଭାଇଙ୍କୁ ହରାଇ ବସି ଯେଉଁ ବିରହ ଯନ୍ତ୍ରଣାରେ ଝଟପଟ ହେଉଛ, ମୁଁ ମୋ ପ୍ରାଣର ଦେବତା ରାଇ ଭାଇଙ୍କୁ ବାହୁ ବନ୍ଧନରେ ଛନ୍ଦି ହୋଇ ମଧ୍ୟ ଯୌବନର ବିରହ ଯନ୍ତ୍ରଣାରେ ଜଳି ପୋଡ଼ି ଯାଉଛି ।

 

କିଛି ଉତ୍ତର ଦେଇ ପାରି ନ ଥିଲି । ଟୋପା ଟୋପା ଲୁହ ଓଢ଼ଣା ସନ୍ଧିରେ ଝରି ଯାଉଥିଲା । କିଛି ନ କହି ଆପେ ଆପେ ଉଠି ଯାଇଥିଲି ଗାଧୋଇବା ପାଇଁ । ଅପେକ୍ଷା କରୁଥିଲି ପ୍ରଦୀପର ଫେରିବା ପଥକୁ । ଭାବୁଥିଲି ରାଇ ଭାଇଙ୍କୁ କହି ଲୋକ ପଠାଇବି ।

 

ସବୁଦିନ ଭଳି ମୁହୂର୍ତ୍ତ ପରେ ମୁହୂର୍ତ୍ତ ବିଷାଦର ବଳୟ ମଧ୍ୟରେ ବହି ଯାଉଥିଲା । ସମସ୍ତେ ଯେଝା ମନରେ ଯେଝା ଖୁସି ଥିଲେ । ଆପଣା ସୁଖ, ଦୁଃଖ, ହର୍ସ ବିଷାଦରେ ଆପଣାରମାନେ ମଜି ରହିଥିଲେ । ସ୍ଵାର୍ଥପରର ଦୁନିଆ । ଏଠି କିଏ କାହାର ଯନ୍ତ୍ରଣାର ସ୍ଵରକୁ ବୁଝିବାକୁ ଚେଷ୍ଟା କରୁଛି ? କେହି ନୁହେଁ ।

 

ରାଇ ଭାଇ ଆପଣା ଧନ୍ଦାରେ ବ୍ୟସ୍ତ ରହୁଥିଲେ । ସେଇ ସବୁଦିନ ଭଳି ଚିରା ଚରିତ ପନ୍ଥାରେ । ଗାଁ କାମ, ସ୍କୁଲ କାମ କେଉଁଠି ରାସ୍ତା ଘାଟରେ ମାଟି ପଡ଼ିବ, କାହାର ସୁବିଧା ଅସୁବିଧା, ଏମିତି ଅନେକ ସମସ୍ୟା !

 

ଅଚାନକ ପୋଷ୍ଟ ପିଅନଟି ଆସି ଟେଲିଗ୍ରାମଟିଏ ନେଇ ଯାଇଥିଲା । ପ୍ରଦୀପର ଦେହ ଭୀଷଣ ଖରାପ । ରେଭେନ୍‌ସା କଲେଜ ହଷ୍ଟେଲରୁ ତା’ ସାଙ୍ଗମାନେ ଟେଲିଗ୍ରାମ କରିଛନ୍ତି ।

 

ଛାତିରେ ମୋର ଅତଡ଼ା ଖସି ପଡ଼ିଲା । ମୁଁ ବିଷାଦରେ ପରସ୍ତ ପରସ୍ତ ବଉଦମାନଙ୍କ ମଧ୍ୟରେ ଛନ୍ଦି ହୋଇ ପଡ଼ିଲି । ଘରୁ ବନ୍ଧୁବାନ୍ଧବ ସବୁ ଚାଲି ଗଲେଣି । ରାଇ ଭାଇ ଯାଇଛନ୍ତି କେଉଁ ଏକ ପାଖ ଗାଁକୁ । କାହା ହାତରେ ଖବର ପଠାଇବି ଭାବି ଭାବି ମୁଣ୍ଡ ବିଗିଡ଼ି ଗଲା । ତତ୍‌କ୍ଷଣାତ୍ ସୁରୁଜା ମା’କୁ କହି ସୁରୁଜାକୁ ପଠାଇଥିଲି ଶୀଘ୍ର ରାଇ ଭାଇଙ୍କୁ ଡାକି ଆଣିବା ପାଇଁ ।

 

ଧାଇଁ ଯାଇଥିଲି ଠାକୁର ଘର ରାଧା ମାଧବଙ୍କ ପାଖକୁ । ମୁଣ୍ଡ କୋଡ଼ି କୋଡ଼ି ରାଧାମାଧବଙ୍କ ନିକଟରେ ଅନୁନୟ, ବିନୟ ହୋଇ ମନ ଗହନର ଯନ୍ତ୍ରଣା ଗୁଡ଼ିକୁ ବଖାଣି ବସିଥିଲି–ଆଖିର ଲୁହରେ ମୁଁ ରାଧାମାଧବଙ୍କୁ କହୁଥିଲି–

 

ହେ ରାଧା ମାଧବ, ଏହି ସମସ୍ୟାରେ ମୋତେ ପୁଣି ପକାଇଲ । ଜୀବନ ସାରା ମୁଁ ତମକୁ ଡାକି ଡାକି ତମ ନିକଟରେ ମୁଁ କିଛି ଚାହିଁ ନ ଥିଲି । ଏ ଧନ, ଏ ବିଶାଳ ସମ୍ପତ୍ତିକୁ ମୁଁ ଆଖିକୋଣରେ ଅନାଇ ନ ଥିଲି । ବାତୁଳି ରାଧା ପରି ମୁଁ କେବଳ ଚାହିଁଥିଲି ମୋ ମନର ଶ୍ରୀକୃଷ୍ଣକୁ-। ମୋ ପ୍ରେମ, ପ୍ରଣୟକୁ ଉଦ୍‌ଜୀବିତ କରିବାକୁ । କାହିଁକି ମୋ ଉପରେ ଏତେ ଦାଉ ସାଜିଲ-? ମୁଁ ତ କାହାରି ଅପରାଧ କରିନାହିଁ । ତା’ହେଲେ ମୋ ପଇଁ ଏତଟା ନିର୍ଦ୍ଦୟ ହେଉଛି କାହିଁକି ପ୍ରଭୁ-। କିଛି ମୁଁ ମାଗୁ ନାହିଁ, ଧନ, ଜନ, ଗୋପଲକ୍ଷ୍ମୀ ସବୁ ମୋ ନିକଟରେ ତୁଚ୍ଛ । ମୁଁ ଖାଲି ଏତିକି ଚାହୁଁଛି ମୋ ପ୍ରାଣ ପ୍ରିୟର ଜୀବନ । ତା’ ଦେହରେ କଣ୍ଟା ଫୁଟିଲେ ମୋ ଦେହରୁ ରୁଧୀର ବହିବ-। ତା’ ଅଧରରୁ ହସ ଝରିଲେ ମୋ ଦେହରେ ଶତ କଦମ୍ବର ସ୍ଫରଣ ଘଟିକ । ମୁଁ କିଛି ଚାହୁଁନି ପ୍ରଭୁ-। କେବଳ ଏତିକି ମୋର ମିନତୀ, ମୋ ଜୀବନକୁ ବିପନ୍ନ କରି ତା’ ଦେହ ଭଲ କରିଦିଅ ।

 

ବାଇଆ, ବାତୁଳିଙ୍କ ପରି ଧାଇଁ ଯାଇଥିଲି ଅପା ଫଟୋ ନିକଟକୁ ମୁଣ୍ଡ କୋଡ଼ି କହିଥିଲି–

 

–ଏ କ’ଣ ହେଲା ଅପା, ତୋ ଜୀବନ ଧନ ପ୍ରଦୀପ ଆଜି ବିପଦ ମୁଖରେ । ତୋର ଗୁରୁ ଦାୟିତ୍ଵକୁ ମୁଁ ସମ୍ଭାଳି ପାରିଲି ନାହିଁ । ସେ ମୋ ନିକଟରୁ ଅଭିମାନ କରି ଦୂରେଇ ଯାଉଛି । ତୁ’ଏ ମହା-ବିପଦରୁ ମୋତେ ଉଦ୍ଧାର କର ଅପା । ପ୍ରଦୀପର ଦେହ ଭଲ ହୋଇଯାଉ । ତୁ ତୋ ଜୀବନ ଧନକୁ ମୋ ନିକଟରେ ଛାଡ଼ିଦେ ।

 

ବିଛଣା ଉପରେ ମୁହଁ ମାଡ଼ି କାନ୍ଦୁଥିଲି । ଛାତି ଭିତରେ ଅହେତୁକ କୋହର କମ୍ପନ ରକ୍ତ ମାଂସକୁ ବିଦୀର୍ଣ୍ଣ କରି ପକାଉଥିଲା । ଘରେ ତେଣେ ଯାବତୀୟ କାମ ପଡ଼ିଛି । ରୋଷେଇ ଆରମ୍ଭ କରିବାକୁ ଆଗ୍ରହ ବଳି ନ ଥିଲା । ମୁଁ ସେମିତି ପଲଙ୍କ ଉପରେ ତକିଆରେ ମୁହଁ ଗୁଞ୍ଜି କାନ୍ଦୁଥିଲି । ପୂର୍ବପରି ତକିଆଟା ମୋର ସବୁ ଲୁହକୁ ଶୋଷି ନେଉଥିଲା ।

 

ରାଇ ଭାଇ ଆସିବାରେ ଗେଟ୍ ଖୋଜିବା ଶବ୍ଦ ବାରି ଧାଇଁ ଯାଇଥିଲି ଦାଣ୍ଡ ଦୁଆର ମୁହଁକୁ ଆଖିରୁ ଲୁହ ପୋଛି, ମନ ମଧ୍ୟରେ କୋହର ସଂଯମତାକୁ ଚାପି ଧରି ତାଙ୍କ ହାତକୁ ଟେଲିଗ୍ରାମଟା ବଢ଼ାଇ ଦେଇଥିଲି । ଟେଲିଗ୍ରାମଟି ପଢ଼ି ସାରିଲା ମନ ମଧ୍ୟରେ ତାଙ୍କର ବିଷାଦର ଚିତ୍ରୋତ୍ପଳା ନଈ ବହି ଯାଇଥିଲା । କପାଳର ରେଖାଗୁଡ଼ିକ କୁଞ୍ଚିତ ହୋଇ ଉଠିଥିଲା । ସେ କାଳ ବିଳମ୍ବ ନ କରି କଟକ ବାହାରି ଯାଇଥିଲେ ।

 

ମନରେ ଅଜଣା ଉଦ୍‌ବେଗତାର ଝଲକ । କିଛି ଭଲ ଲାଗୁ ନ ଥିଲା । ପ୍ରତି ମୁହୂର୍ତ୍ତରେ ମନ–ବିବେକ–ପ୍ରକୃତିର ସଂଘର୍ଷ ଲାଗୁଥିଲା । କିଛି କରିବାକୁ ଇଚ୍ଛା ହେଉ ନ ଥିଲା । ସବୁବେଳେ ଶୋଇ ଶୋଇ ପ୍ରଦୀପ କଥାର ପୁନରାବୃତ୍ତି କରୁଥିଲି । ହେଲେ ପର ମୁହୂର୍ତ୍ତରେ ବିବେକ ଦଂଶନ କରୁଥିଲା । ଘରେ ଚୁଲି ନ ଲାଗିଲେ ସ୍ଵାମୀ ପୁତ୍ରମାନଙ୍କ ପ୍ରତି ବିପଦର ସୂଚନା । ତେଣୁ ରୋଷେଇ ଆରମ୍ଭ କରିବାକୁ ଧାଇଁ ଯାଇଥିଲି ! ଇଚ୍ଛା ନଥିଲା, ତଥାପି କର୍ତ୍ତବ୍ୟ ଦୃଷ୍ଟିରୁ ଯାହା ଯେମିତି କରିବାକୁ ହେବ ତାହା କରୁଥିଲି । ବାରମ୍ବାର ଦାଣ୍ଡ ଦୁଆର ଦୂର ରାସ୍ତାକୁ ଚାହୁଁଥିଲି । କାଳେ ଦୂର ଅଦୁର ରାସ୍ତାରେ ସେମାନେ ଆସୁଛନ୍ତି କି ?

 

ନାଁ…..?

 

ଆଘାତ ପାଇ ଫେରି ଆସୁଥିଲି । ଖାଇବାକୁ ଇଚ୍ଛା ହେଉ ନ ଥିଲା । ସୁରୁଜା ମା’ ମୂଲିଆ ଚାକିରିଆଙ୍କୁ ଖାଇବାକୁ ଦେଇ ଫେରି ଆସିଲାବେଳେ ମନ ମଧ୍ୟରେ ଦ୍ଵନ୍ଦ ଜାତ ହେଉଥିଲା-। ଘରର କୂଳବଧୂ ଓପାଷ ରହିଲେ ତା’ ପରିବାର ପ୍ରତି ବିପଦ ଘନେଇ ଆସେ । ତେଣୁ ବାଧ୍ୟ ହୋଇ ତୁଣ୍ଡରେ ଭାତ ଦି’ ଗୁଣ୍ଡା ଦେଇଥିଲି ।

 

ପୁଣି ମନରେ ସନ୍ଦେହର ଝଡ଼ । କିଛି ଦୁର୍ଘଟଣା ଘଟି ଗଲାକି ? ବିବେକ ମଧ୍ୟରେ ଅଜଣା ଆତଙ୍କ, ଅହେତୁକ ଶିହରଣ ସୃଷ୍ଟି କରୁଥିଲା । ଯଦି କିଛି ଅଘଟଣ ଘଟି ଯାଇଥାଏ ତା’ହେଲେ– ।

 

ଆପଣା ମନ ଅପଣାକୁ ଗାଳି ଦେଉଥାଏ । ଏଭଳି ପାପ କଥା ସବୁ ମନରେ ଧରନ୍ତି ? ରାଧାମାଧବ କରନ୍ତୁ ବାପ–ପୁଅ ଭଲରେ ଫେରି ଆସନ୍ତୁ । ଗାଡ଼ି ଘୋଡ଼ାର ରାସ୍ତା । କେତେବେଳେ କେଉଁ କଥା । ବାଟରେ ହୁଏତ ଗାଡ଼ି ଖରାପ ହୋଇପାରିଥାଏ । ନହେଲେ କିଛି ସୁବିଧା ଅସୁବିଧା ହୋଇ ପାରିଥାଏ । ଅବା ରାଇ ଭାଇ ସେଠାରେ ବଡ଼ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ପାରୁଥାଆନ୍ତି । କଥା ଦେଇ ଯାଇଥିଲେ–ଦେହ ଟିକିଏ ଭଲ ଥିଲେ ସାଙ୍ଗରେ ନେଇ ଆସିବେ ବୋଲି । ନ ହେଲେ ସେଠାରେ ବଡ଼ ଡାକ୍ତରମାନଙ୍କୁ ଦେଖାଇ ଚିକିତ୍ସା କରିବେ । ମୁଁ ତରବରରେ କହିଥିଲି–ଏତେ ଲୋକ ତ କଟକ ଯିବା ଆସିବା କରୁଛନ୍ତି ଯାହା ହାତରେ ହେଉ ଭଲ ମନ୍ଦ ଖବର ପଠାଇବ ।

 

ଏମିତି କେତେ ଭାବନାରେ ଝିଅ ମାଡ଼ି ଯାଉଥିଲା ସ୍ମୃତିର ପାହାଚ ଉପର ଦେଇ । ମୁଁ ସେମିତି ଚାହିଁ ରହିଥିଲି ଦୂର ରାସ୍ତାକୁ । ସେମାନଙ୍କ ଫେରିବା ପଥକୁ ଚାହିଁ ଚାହିଁ ଆଖିରୁ ପାଣି ନିଗିଡ଼ି ପଡ଼ୁଥିଲା ।

 

ସବୁ ଉତ୍କଣ୍ଠାକୁ–ସବୁ ପ୍ରତୀକ୍ଷାକୁ ପ୍ରତିହତ କରି ରାଇ ଭାଇ, ପ୍ରଦୀପକୁ ସାଙ୍ଗରେ ନେଇ ଫେରି ଆସିଥିଲେ । ମୁଁ ପ୍ରଦୀପରୁ ଦେଖି ଚମକି ପଡ଼ିଥିଲି ।

 

–ଇସ୍ କି ବୀଭତ୍ସ ରୁପ । ପ୍ରଦୀପକୁ ଚିହ୍ନି ହେଉ ନଥିଲା । ଏଇ କେଇଟା ଦିନ ଭିତରେ ଏମିତି ହୋଇଗଲା । କଳା ପାଣି ନିଗିଡ଼ି ପଡ଼ୁଛି । ଆଖିର କୋରଡ଼ର ପୋଷାଏ ଲେଖା ଚାଉଳ ଧରିବ । ହନୁହାଡ଼ ଦେଖା ଯାଉଛି । ଚାଲିବାର ତା’ର ଶକ୍ତି ନାହିଁ । ରାଇ ଭାଇଙ୍କୁ ଭରା ଦେଇ ଚାଲୁଛି । ହାତ ଗୋଡ଼ ଗୁଡ଼ାକ ସବୁ ସରୁ ହୋଇ ଯାଇଛି । ପନ୍ଦର ଦିନ ହେଲା ଖାଇ ନାହିଁ ଯେମିତି-?

 

ଦୁଆର ବନ୍ଧ ନିକଟରୁ ମୁଁ ଅଲାଜୁକ ଭାବରେ ପ୍ରଦୀପର ହାତ ଧରି ଧରି ନେଇ ଘର ଭିତରେ ବିଛଣା ଉପରେ ଶୋଇ ଦେଇଥିଲି । ପ୍ରଦୀପ ଆଖିବୁଜି ଦେଇଥିଲା । ସେ ଯେମିତି ମୋତେ ଏକ ବିବାହିତ ନାରୀ ଭୂମିକାରେ ଦେଖିବାକୁ ଚାହୁଁ ନ ଥିଲା । ସେ ଆଖି ବୁଜି ଦେଇ ଅନ୍ଵେଷଣ କରୁଥିଲା ଅତୀତରେ ହଜେଇ ଦେଇଥିବା ଅତି ଆପଣାର ଅନୁଢ଼ା କିଶୋରୀ ଶିଖାକୁ । ସେଦିନର ଚଳଚଞ୍ଚଳ ପ୍ରଜାପତିଟି ଆଜି ଯେମିତି ଅନ୍ଧ ହୋଇଯାଇଛି । ହାତ ଗୋଡ ତା’ର ଅଚଳ ହୋଇଯାଇଛି । ଘୂରି ବୁଲିବାର ଶକ୍ତି ନାହଁ ।

 

ରାଇ ଭାଇ ମୋତେ ଔଷଧ ଖାଇବାର ପ୍ରଣାଳୀ ବୁଝାଇ ଦେଉଥିଲେ । ଡାକ୍ତର ବାରମ୍ବାର ମନା କରିଛନ୍ତି, ବିଶେଷ କଥାବାର୍ତ୍ତା କରିବାକୁ ଦେବ ନାହିଁ । ସମ୍ପୂର୍ଣ୍ଣ ରୂପେ ବିଶ୍ରାମ ଆବଶ୍ୟକ । ଅତ୍ୟଧିକ ରାତି ଅନିଦ୍ରା ଏବଂ ପରିଶ୍ରମ ଫଳରେ ଏ ରୋଗ ଚଟ କରି ଧରି ପକାଇଛି-। ତା’ ସାଙ୍ଗକୁ ପୁଣି ଟାଇଫଏଡକୁ ଆଶ୍ରା କରୁଛି । ତେଣୁ ସମ୍ପୂର୍ଣ୍ଣ ରୂପେ ଜଗିକରି ଚଳିବାକୁ ହେବ-। ଏତକ କହିଦେଇ ରାଇ ଭାଇ ଚାଲି ଯାଇଥିଲେ ।

 

ଆଖି ଫେରେଇ ନେଇଥିଲି ପ୍ରଦୀପ ଉପରକୁ । ପ୍ରଦୀପ ଆଖିବୁଜି ଶୋଇବାକୁ ଚେଷ୍ଟା କରି ମଧ୍ୟ ଶୋଇ ପାରୁ ନ ଥିଲା । ଅବଶୋଷ ଆତ୍ମା ତା’ର ଆତ୍ମଦହନରେ ଛଟ ପଟ ହେଉଥିଲା । ସେ ମୁହୂର୍ତ୍ତେ ମୋତେ ଚାହିଁବାକୁ ଇଚ୍ଛା କରୁ ନ ଥିଲା ।

 

ମୁଁ ଦୋଷୀ ଭଳି ତା’ ବିଛଣା ପାଖରେ ବସି ରହିଥିଲି । ଚାଟଶାଳୀରେ ପାଠ ପଢ଼ା କରି ନ ଥିବା ଦୋଷୀ ଚାଟଟି ପରି । ଗୁରୁଜନଙ୍କ ନିକଟରେ ଦୋଷ କରିଥିବା ଲଘୁଜନଙ୍କ ପରି, ମୁଁ ପ୍ରଦୀପର ଦଣ୍ଡାଦେଶକୁ ଅପେକ୍ଷା କରିଥିଲି । ପ୍ରଦୀପ ଯେଉଁ ଦଣ୍ଡ ଦେବ ତାହାକୁ ମୁଁ ମଥା ପାତି ସହି ନେବି ।

 

ପ୍ରଦୀପର ଆଖିକୋଣ ଦେଇ ଅଭିମାନର ଝରଣା ବହି ଯାଇଥିଲା । ମୁଁ ନିଜ ଭିତରେ ଧୈର୍ଯ୍ୟହରା ହୋଇ ଉଠୁଥିଲି । ମନ ମଧ୍ୟରେ ବିଷାଦର ବନ୍ୟା । ବିବେକ ଯେମିତ କହୁଥିଲା–ମୁଁ ଲୋଟି ପଡ଼ନ୍ତି ପ୍ରଦୀପ ପାଦ ତଳେ । କାନ୍ଦି କାନ୍ଦି ତା’ ପବିତ୍ର ପାଦ ଦୁଇଟିକୁ ଧୋଇ ଦିଅନ୍ତି । ଯାହା ମୁଁ ଦୋଷ କରିଛି ତାହା ପ୍ରାୟଶ୍ଚିତ ପାଇଁ ଭୁଲ ମାଗି ନିଅନ୍ତି ।

 

ହେଲେ ପାରିପାର୍ଶ୍ୱିକ ଅବସ୍ଥା ଅନୁଯାୟୀ ମୁଁ ସଂଯମତାର ଶେଷ ସୀମାରୁ ଓହ୍ଲାଇ ଆସି ପାରୁ ନ ଥିଲି । ଚୌଧୂରୀ ବଂଶର କୂଳବଧୂ ନିକଟରେ ଏତଟା ଉତ୍ସୃଙ୍ଖଳାକୁ ହୁଏତ ଅନ୍ୟମାନେ ସହ୍ୟ କରି ପାରିବେ ନାହିଁ ।

 

ରାଇ ଭାଇ ନିତ୍ୟକର୍ମ ସାରି ଘରୁ ବାହାରି ଯାଇଥିଲେ । ଗଲାବେଳେ ମୋତେ ତାଗିଦ କରି କହି ଯାଇଥିଲେ ଠିକ୍ ଠିକ୍ ଔଷଧ ଦେଉଥିବ । ତାକୁ କିଛି ଫଳ ଖାଇବାକୁ ଦେବ । ମୁଁ ଟିକିଏ ବାହାରୁ ଆସୁଛି ।

 

ରାଇ ଭାଇ ଘରୁ ବାହାରି ଯିବା ପରକ୍ଷଣରେ ମୁଁ ପ୍ରଦୀପ ଉପରେ ଲୋଟି ପଡ଼ିଥିଲି । ଆକାଶ ଦେହରେ ଅସଂଖ୍ୟ ତାରା ଲୋଟି ପଡ଼ିଲା ପରି । ମୁଁ ନିର୍ବିକାର ଚିତ୍ତରେ ଆଖିରୁ ଲୁହ ଝରାଉଥିଲି । ହୁଏତ ମନର ମଣିଷ ନିକଟରେ ଦୁଃଖ, ଯାତନାକୁ ବଖାଣି ବସିଲେ କିଛିଟା ଯନ୍ତ୍ରଣାର ଉପଶମ ହୁଏ । ମୁଁ କାନ୍ଦି କାନ୍ଦି କହୁଥିଲି–

 

–ପ୍ରଦୀପ, ଏ କ’ଣ ହେଲା ପ୍ରଦୀପ । ଏ ଦେହ, ଏ ରୂପ, କ’ଣ ହୋଇ ଯାଇଛି । କାହିଁକି ଅଭିମାନରେ ଏ ଦେହଟା ଉପରେ ଏତେ ଦାଉ ସାଜିଲ । ଦିନ ଦିନ ଧରି ଭୋକ ଉପବାସରେ ଦେହଟା ଉପରେ ଅତ୍ୟାଚାର କରି କରି ଶେଷରେ ସୁନ୍ଦର ସ୍ଵାସ୍ଥ୍ୟକୁ ନଷ୍ଟ ଭ୍ରଷ୍ଟ କରି ଦେଇଛି । କାହିଁକି ?

 

–ବୋଉ ?

 

–ପ୍ରଦୀପ ?

 

–ଶେଷରେ କ’ଣ ମୋ ଭାଗ୍ୟରେ ଏଇଆ ଥିଲା । ଯାହାକୁ ନେଇ ମୁଁ ମୁହୂର୍ତ୍ତ ମୁହୂର୍ତ୍ତ ‌ସୁଖ ସ୍ଵପ୍ନରେ ଆତ୍ମବିଭୋର ହୋଇ ଉଠୁଥିଲି । ଭବିଷ୍ୟତ ଜୀବନ ପାଇଁ ମନର ଚୋରା ବାଲିରେ ଆଶା ଆକାଂକ୍ଷାର କୋଣାର୍କ ଗଢ଼ି ଚାଲୁଥିଲି ତା’ରି ନିକଟରେ ମୁଁ ଅସହ୍ୟ ଯନ୍ତ୍ରଣା ଆଉ ହା’ ହୁତାସରେ ଜଳି ପୋଡ଼ି ମରିବାକୁ ।

 

ପ୍ରଦୀପ ଥରିଲା ଥରିଲା କଣ୍ଠରେ କହୁଥଲା–

 

–ବୋଉ, ମୋର ବା ଉପାୟ କ’ଣ ଥିଲା । ମୁଁ ଦେବତା ନୁହେଁ, ରକ୍ତ ମାଂସର ମଣିଷ । ମୋ ଦେହରେ ବି ଧୈର୍ଯ୍ୟଶକ୍ତିର ସୀମା ଅଛି । ମୁଁ କେମିତି ସହି ପାରି ଥାଆନ୍ତି । କେହି କ’ଣ କେବେ ସହିପାରେ ।

 

ମନ ମଧ୍ୟରେ ଉପଲବ୍‌ଧିର ତରଙ୍ଗ ଚହଲି ଯାଉଥିଲା । ସତେ ତ ? ସ୍ନେହ, ପ୍ରେମ, ମମତାର ସ୍ପର୍ଶରେ ଏଇ ମଣିଷ କେତେ କୋମଳ, ଫୁଲ ଭଳି, ସବୁଜ ଘାସର ଗାଲିଚା ଭଳି, କେତେ ନରମ ସତେ ? ହେଲେ ସ୍ନେହ, ପ୍ରେମ, ମମତାର ଅଭାବରୁ କେତେ ରୁକ୍ଷା । ଦୂର ପାହାଡ଼ର ଦନ୍ତୁରୀତ ଶୀଳା ପରି, ବନ୍ଧୁର ଉପତ୍ୟକାର କର୍ଦ୍ଦମାକ୍ତ ବକ୍ଷଟା ପରି । ସବୁ ଭୀଷଣତା, ସବୁ ରୁକ୍ଷତା ଯେମିତି ଭରି ରହିଥାଏ ।

 

କେତେଟା ଦିନ ଅନ୍ତରରେ ଏଇ ପ୍ରଦୀପ ଭଳି ସରଳ, ସ୍ନେହୀ, ନିଷ୍କପଟ ମଣିଷଟି କେମିତି ରୁକ୍ଷ ପାଲଟି ଯାଇଥିଲା । ମନରେ ଅହେତୁକ ଝଡ଼ ତୋଫାନ ଦେହ ଉପରେ ଅଜସ୍ର ଅତ୍ୟାଚାର, କିମ୍ବୁତ କିମ୍ବାକାରରେ ପରିଣତ କରିଥିଲା । ହେଲେ ପ୍ରତିକ୍ଷଣରେ ଟିକିଏ ମମତାର ସ୍ପର୍ଶରେ ମହମବତୀଟି ପରି ତରଳି ପଡ଼ୁଛି । ହୃଦୟରୁ ଝରି ଯାଉଛି ଟୋପା ଟୋପା ଲୁହ ।

 

ମୁଁ ଆଖିରୁ ଲୁହ ପୋଛି କହୁଥିଲି–

 

–ମୁଁ ସବୁ ବୁଝୁଛି ପ୍ରଦୀପ, ସବୁ ଦୋଷ ମୋର । ଏ ସମୟ ମୋ ଉପରେ ଏମିତି ଦାଉ ସାଜିବ ବୋଲି କିଏ ଜାଣିଥିଲା । ମୋର କିଛି ଉପାୟ ନଥିଲା । ମୋର ସମସ୍ତ ଚିନ୍ତା ଚେତନା ସମାଜର ବନ୍ଧା ଆଇନ୍‍କାନୁନର ଗଣ୍ଡି ଦେହରେ ପେଶି ହୋଇଗଲା । ମୋ ପାଟିରେ ସ୍ଫୁରଣ ଘଟିଲା ନାହିଁ । ଅଚାନକ ବାପା ମୋତେ ନେଇଗଲେ ଆମ ଗାଁକୁ । ସେଠାରେ ଯାଇ ଶୁଣେ ତ ମୋ ବାହାଘର ରାଇ ଭାଇଙ୍କ ସହିତ ହେବ ବୋଲି ବାପା ରାଇ ଭାଇଙ୍କ ମାମୁଁକୁ ଜବାବ ଦେଇ ସାରିଛନ୍ତି । ମୁଁ ଉପାୟ କିଛି ଖୋଜି ପାଇଲି ନାହିଁ । ଅନେକ ଚିନ୍ତା କରିଲି ତମ ପାଖକୁ ଖଣ୍ଡେ ଚିଠି ଦେବି ବୋଲି, ହେଲେ ହାତ ମୋର ଅଟକିଗଲା । ପର ମୁହୂର୍ତ୍ତରେ ମୁଁ ବିଦ୍ରୋହୀ ହୋଇ ଉଠି ମନସ୍ଥ କଲି ଯେ ବାପା, ବୋଉଙ୍କୁ ରୋକ୍ ଠୋକ୍ ମନା କରିଦେବି । ଏ ବିବାହ ହୋଇପାରିବ ନାହିଁ-। ମୁଁ ବିବାହ କରି ଘର ସଂସାର ତୋଳିବି ପ୍ରଦୀପ ସହିତ । ମୋ ପାଇଁ ଉପଯୁକ୍ତ ପୁରୁଷ ହେଉଛି ପ୍ରଦୀପ, ବୃଦ୍ଧ ରାଇଚରଣ ନୁହେଁ ? ହେଲେ ପର ମୁହୂର୍ତ୍ତରେ ମୁଁ ପ୍ରତିହତ ହେଲି । ସମାଜର ଆଇନ୍‍କାନୁନକୁ କେହି କେବେ ଲଙ୍ଘନ କରି ପାରେ ନାହିଁ । ମୁଁ ବା କେମିତି କରିବି । ମୁଁ ତମ ମାଉସୀ–ତମେ ମୋ ପୁତ୍ର ଭଳି । ତମର ମୋର ବିବାହକୁ କ’ଣ ସମାଜ ଗ୍ରହଣ କରିବ-? ଲୋକହସା ହେବା ବ୍ୟତୀତ ଆଉ କିଛି ହୋଇ ନଥାନ୍ତା ।

 

ତା’ହେଲେ ଉପାୟ– ।

 

ପର ମୁହୂର୍ତ୍ତରେ ମନସ୍ଥ କଲି ଅତ୍ମହତ୍ୟା କରିବା ବ୍ୟତୀତ ମୋର ଅନ୍ୟ କୌଣସି ଉପାୟ ନାହିଁ । ହେଲେ ପାଦ ଦୁଇଟା ଅଟକି ଗଲା । ମନ–ବିବେକ ମଧ୍ୟରେ ତର୍ଜମା ଚାଲିଲା–ମୋ ପ୍ରାଣର ପ୍ରଦୀପ କ’ଣ ଭାବିବ, ଶିଖା ଏରେ ଭୀରୁ ? ମୋ ପର୍ଯ୍ୟନ୍ତ ବି ଟିକିଏ ଅପେକ୍ଷା କରି ପାରିଲା ନାହିଁ । ତେଣୁ ଆତ୍ମହତ୍ୟା କରି ପାରିଲି ନାହିଁ । ପୁଣି ମନରେ ସଂଘର୍ଷ । ଯେତେ ଯାହା ହେଲେବି ମୁଁ ରାଇ ଭାଇକୁ ବିବାହ କରି ପାରିବି ନାହିଁ । ଅନ୍ୟ ଏକ ପର ପୁରୁଷର ହାତ ଧରି ଅଜଣା ଗାଁକୁ ଚାଲିଯିବ ।

 

କିନ୍ତୁ ମୋ ନିକଟରେ ଏକମାତ୍ର ସମସ୍ୟା ହେଲା ମୁଁ ତମକୁ ଛାଡ଼ି ବଞ୍ଚି ପାରିବି ତ ?

 

ନା !

 

ତମ ବିହୁନେ ମୋ ପକ୍ଷେ ବଞ୍ଚିବା ଅସମ୍ଭବ । ଅନ୍ୟ କୌଣସି ଅପ ପୁରୁଷର ବାହୁ ବନ୍ଧନ ମଧ୍ୟରେ ଛନ୍ଦି ହୋଇ, ତମ ଠାରୁ ଦୁରେଇ ଯାଇ ମୁଁ ମୁହୂର୍ତ୍ତେ ସୁଦ୍ଧା ବଞ୍ଚି ପାରିବି ନାହିଁ । ଏକମାତ୍ର ସର୍ବଶେଷ ଉପାୟ ଥିଲା ରାଇ ଭାଇଙ୍କୁ ବିବାହ କରି ତମକୁ ସ୍ନେହ–ମମତାରେ ବାନ୍ଧି ରଖିବି ।

 

ମୁଁ ନିମିଷକରେ ପ୍ରଗଲ୍‍ଭା ନଦୀ ଭଳି ପ୍ରଦୀପ ନିକଟରେ ବଞ୍ଚି ଯାଇଥିଲି । ପ୍ରଦୀପ ଦେହରେ ଅଜସ୍ର ତାପର କମ୍ପନ । ସେ କ’ଣ କହିବାକୁ ଚାହିଁବି କହି ପାରୁ ନ ଥିଲା । ଆଖିରେ ଆଖିଏ ଲୁହ । ମୋ ହାତ ଦୁଇଟାକୁ ଛାତି ଉପରେ ଚାପି ଧରି କଅଁଳ ଶିଶୁ ପରି କଇଁ କଇଁ ହୋଇ କାନ୍ଦୁଥିଲା । ମୁଁ ପ୍ରବୋଧନ ଦେଇ ଆଖିକୋଣରୁ ଲୁହ ପୋଛି ଦେଉଥିଲି ।

 

ହଠାତ୍ ମୋର ମନେ ପଡ଼ିଲା, ପ୍ରଦୀପ ଔଷଧ ଖାଇବା ବେଳ ହୋଇଯାଇଛି । ଫଳ, ବିସ୍କୁଟ କିଛି ଖାଇବାକୁ ଦେବାକୁ ହେବ । ବିଚାରା ଭୋକ ଉପବାସରେ ଦେହଟାକୁ ଖିନ୍ ଭିନ୍ କରି ପକାଇଛି । ଡାକ୍ତର କହିଛି ବିଶ୍ରାମ ନେବାକୁ । ତା’ହେଲେ ମୋ ନିକଟରେ ଏତଟା ଦୁର୍ବଳତା, ଶୋଭା ପାଏନା । ମୁଁ ଉଠି ଆସିଥିଲି ଔଷଧ ଦେବାକୁ । ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ହେ ପ୍ରଭୁ, ପ୍ରଦୀପର ଦେହ ଶୀଘ୍ର ଆରୋଗ୍ୟ ହୋଇ ଉଠୁ । ମୋ ଦେହର ଅଜସ୍ର ସଂଯମତାର ସ୍ଫୁରଣ ଘଟୁ । ମୁଁ ଧୈର୍ଯ୍ୟର ସହିତ ସମସ୍ୟାକୁ ସମାଧାନ କରିପାରେ ।

 

ଆସ୍ତେ ଆସ୍ତେ ମୋ ସେବା ଶୁଶ୍ରୂଷାରେ ପ୍ରଦୀପ ରୋଗ ମୁକ୍ତ ହୋଇ ଉଠିଥିଲା । ଅବଶ୍ୟ ପୂର୍ବ ସ୍ଵାସ୍ଥ୍ୟର କ୍ଷୟ ପୂରଣ ହୋଇ ନ ଥିଲା । ତଥାପି ପ୍ରଦୀପ ବେଶ୍ ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଥିଲା ।

 

ପୁଣି ଆରମ୍ଭ ହୋଇ ଯାଇଥିଲା ମୋ ମନ ଗହନରେ ଜ୍ଵଳନ । ନିରୋଳାରେ ବସି ବସି ମୁଁ କାମନାର ଦାବାନଳରେ ଜଳି ଉଠୁଥିଲି । ପ୍ରତ୍ୟେକ ରାତ୍ରିର ନିଘଣ୍ଟ ଅନ୍ଧକାର ମଧ୍ୟରେ ବ୍ୟର୍ଥତାର ରାଗିଣୀ ତୋଳି ତୋଳି ମୋ ଯୌବନର ଫୁଲ ସଜ୍ୟାର ଉତ୍ସାହିତ ହୋଇ ଉଠୁଥିଲା । ମୁଁ ସ୍ଵପ୍ନ ସହରରେ ଭାସି ଯାଇଥିଲି ପ୍ରଦୀପ ନିକଟକୁ । ମୁଁ ଦେଖୁଥିଲି–ଯେମିତି ମୋ ଫୁଲ ସଜ୍ୟାର ନାୟକ ରାଇ ଭାଇ ନୁହଁନ୍ତି ପ୍ରଦୀପ ।

 

–ପ୍ରତ୍ୟେକ ରାତ୍ରିର ଅନ୍ଧକାର ମୋ ପାଇଁ ଅଭିଶାପର ପାହାଡ଼ ହୋଇ ଠିଆ ହେଉଥିଲା-। ମୁଁ ସେ ଶୁଖିଲାକାଠ ଗଡ଼ଟାକୁ ଜାବୁଡ଼ିଧରି ମନଭରି ଯୌବନର କାମନା ଉଦ୍‌ଯାପିତ କରିବାକୁ ଚାହିଁଲେ ବି ବ୍ୟର୍ଥ ହେଉଥିଲି । ପୌରୁଷତ୍ୱହୀନ ପୁରୁଷ ଯେ ନିର୍ଜୀବ କାଠଗଡ଼ ସହିତ ସମାନ । ଅଜସ୍ର ଇପ୍‌ସିତ କାମନା ଗୁଡ଼ାକ ମନ ଅରଣ୍ୟର ଆଗ୍ନେୟଗିରୀରେ ଉଦ୍‌ଗୀରଣ ସୃଷ୍ଟି କରୁଥିଲେ ।

 

ପୌରୁଷତ୍ୱ ହୀନ ପୁରୁଷ । ଯୌବନ ହୀନା ନାରୀର ମୂଲ୍ୟ ବା ଏ ଦୁନିଆରେ କ’ଣ ଥାଏ । ସେମାନେ ଗୋଟିଏ ଗୋଟିଏ କାଠ କଣ୍ଢେଇ ଭଳି । ଯାହାକୁ ନେଇ ଡ୍ରଇଂ ରୁମ୍‌ର କାଚ ଆଲମାରୀ ମଧ୍ୟରେ ଥୋଇ ଘର ସଜେଇ ହୁଏ, ହେଲେ ଘର ସଂସାର ତୋଳି ହୁଏନା ।

 

ଦିନଟି ବେଶ ପ୍ରଦୀପର ସେବା ଯତ୍ନରେ ଆରାମରେ କଟି ଯାଉଥିଲା । ହେଲେ ରାତ୍ରି, ଅନ୍ଧକାରରେ ଦୁଇଟି ଅବଶୋଷ ଆତ୍ମା ପାଇଁ କାମନାର ଜ୍ଵଳନ ସୃଷ୍ଟି କରୁଥିଲା । ଆର ଘରେ ପ୍ରଦୀପ, ଏ ଘରେ ମୁଁ ଏବଂ ରାଇ ଭାଇ । ମଝିରେ ଖାଲି କାନ୍ଥଟିର ବ୍ୟବଧାନ । ମୋତେ ଯେମିତି ମନେ ହୁଏ ମୁଁ ପ୍ରଦୀପର ହୃଦୟର ସ୍ପନ୍ଦନ ଶୁଣି ପାରୁଛି । ତା’ର ଖୁଁ..... ଖୁଁ... ଖଣ୍ଡି କାଶ ମୋତେ ଚେତେଇ ଦିଏ ଯେ, ପ୍ରଦୀପ ସାରା ରାତି କାମନାର ଜ୍ଵାଳାରେ ସିଝି ସିଝି ବ୍ୟତିବ୍ୟସ୍ତ ହୋଇ ଉଠୁଛି-। ତେଣୁ ସେ ପ୍ରାୟ ସବୁଦିନ କହୁଛି ମୋ ଦେହ ଏବେ ଭଲ ହୋଇଗଲାଣି ମୁଁ କଟକ ଚାଲିଯିବି । ହେଲେ ମୁଁ ଜୋର କରି ଅଟକାଇ ଦେଉଥିଲି । ମୋ ଅଭିମାନିଆ ନିବେଦନକୁ ସେ ଏଡ଼ାଇ ପାରୁ ନ ଥିଲା । କିଛି ଦିନ ଅଟକି ଯାଇଥିଲା । ସେ ଉପଲବ୍‌ଧି କରୁଥିଲା ଯେ ତା’ ବ୍ୟତୀତ ମୋ ଜୀବନ ଦୁର୍ବିସହ ହୋଇ ଉଠିବ ।

 

କିନ୍ତୁ ପର ମୁହୂର୍ତ୍ତରେ ମୋ ଚେତନାର ସ୍ଵରଭଙ୍ଗ ଘଟୁଥିଲା । ମୁଁ ଭାବୁଥିଲି ମୁଁ ଜାଣି ଜାଣି କେମିତ ଜଳନ୍ତା ନିଆଁରେ ପାଦ ଦେଇଛି । ହୁଏତ ଅନ୍ୟ କେଉଁ ଦୂର ରାଇଜକୁ ଅଜଣା ପୁରୁଷର ହାତ ଧରି ନୂଆ ରଙ୍ଗର ସଂସାରଟିଏ ତୋଳି ବସିଥିଲେ ଅତୀତର ସମସ୍ତ ଅଘଟଣାକୁ ମନ ମଧ୍ୟରୁ ପୋଛି ଦେଇ ଥାଆନ୍ତି । ଭାବିଥାଆନ୍ତି ଏକ ଦୁଃସ୍ଵପ୍ନ ମୋ ମାନସ ରାଜ୍ୟକୁ ପଶି ଆସିଛି । କିଛି ନୂତନ ସୁଖ ସ୍ଵପ୍ନରେ ଆତ୍ମବିଭୋର ହୋଇ ଉଠଲେ ତାହା ଆପେ ଆପେ ଦୂରେଇ ଯିବ । ହେଲେ ଏ ଯେଉଁ ଦୁର୍ବିଶହ ଘଟଣାରେ ପାଦ ଦେଇଛି ତାହା ମଧ୍ୟରୁ ମୋର ନିସ୍ତାର ନଥିଲା-। ଜଳନ୍ତା ନଆଁକୁ ଜାଣି ଜାଣି ପାଦ ବଢ଼ାଇଲେ ଜଳା ପୋଡ଼ାର ଯନ୍ତ୍ରଣାକୁ ନିଜେ ନ ଭୋଗି ଆଉ କିଏ ସେ ଭୋଗିବ ।

 

ତୃଷାର୍ତ୍ତ ପଥିକ ପରି, ବିଶାଳ ଜଳ ସମୁଦ୍ର ନିକଟରେ ମଥା ପିଟି ପିଟି ଆତ୍ମ ନିବେଦନ କଲେ ବି ପଥିକର ତୃଷ୍ଣା ଅପନୋଦନ ହୁଏନା । ବରଂ ଶୋଷର ଜ୍ଵାଳା ଆହୁରି ତୀବ୍ରତର ହୋଇ ଉଠେ । ଯନ୍ତ୍ରଣାରେ ଛଟପଟ ହୋଇ ମରିବାକୁ ହୁଏ । ଠିକ ସେମିତି ପ୍ରଦୀପକୁ ପାଖରେ ପାଇ ଦେହ ମନର ଯନ୍ତ୍ରଣାକୁ ଉପଶମ କରିବା ପରିବର୍ତ୍ତେ ଆହୁରି ଯନ୍ତ୍ରଣା, ଆତ୍ମଦହନର ସରହଦ ମଧ୍ୟକୁ ଠେଲି ହୋଇ ଯାଉଥିଲି । ସେ ଯନ୍ତ୍ରଣାର ତୀବ୍ରତାକୁ ମୁଁ ସହ୍ୟ କରି ପାରୁ ନ ଥିଲି ।

 

ସବୁ ଦିନ ରାତିରେ ଚେଇଁ ଚେଇଁ ଅନେକ ସ୍ଵପ୍ନ ଦେଖେ । ସ୍ୱପ୍ନରେ ପ୍ରଦୀପ ନିକଟକୁ ଧାଇଁ ଯାଏ । ମନ ମଧ୍ୟରେ ବିଦ୍ରୋହ ଜାଗେ । ବାସ୍ତବରେ ପ୍ରଦୀପ ନିକଟିକୁ ଉଠିଯିବାକୁ ମନ ବଳାଏ । ହେଲେ ମନର ସମସ୍ତ କାମନାର ଜ୍ୱାଳାକୁ ବିବେକ ପ୍ରତିହତ କରେ । ମଥାର ସୋହାଗ ସିନ୍ଦୂର, ହାତର ଶଙ୍ଖାର ପ୍ରତୀକ ସ୍ଵାମୀ ଶୋଇଛନ୍ତି ମୋ ନିକଟରେ ଏବଂ ମଥା ଉପରେ ଓଢ଼ଣା ସାଦୃଶ୍ୟ ଚୌଧୂରୀ ବଂଶର ପରମ୍ପରା, ଅତୀତ ଇତିହାସ ମୋତେ ଚାପି ଧରିଛି । ଏ ସମସ୍ତ ବନ୍ଧନକୁ ଏଡ଼ି ଦେଇ ଧାଇଁଗଲେ ଜୀବନରେ ଅନନ୍ତ ଦୁଃଖ ବ୍ୟତୀତ ଆଉ କ’ଣ ଥାଇପାରେ । ଭୟ ଲାଗେ, ସାହାସ ବାନ୍ଧି ପାରେନା ମନ ମଧ୍ୟରେ । ତେଣୁ ଅଟକି ଯାଏ । ସମସ୍ତ କାମନାର ଜ୍ଵାଳା ମନକୁ ନିର୍ବାପିତ ହୋଇଯାଏ । ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହିଯାଏ, କାନ ମୁଣ୍ଡ ଝାଇଁ ଝାଇଁ ହୋଇଯାଏ । ମୁଁ ପୁଣି ସେଇ କାଠ ପାଷାଣଟି ଦେହରେ ନିଜକୁ ଜଡ଼ାଇ ଧରେ । ତା’ରି ମଧ୍ୟରେ ଖୋଜି ବୁଲେ ମେଞ୍ଚା ମେଞ୍ଚା ଯୌବନରେ ଉଷ୍ମତାକୁ ।

 

ହେଲେ ଉଷ୍ମତା କାହିଁ ?

 

ପ୍ରତିହତ ହୁଏ । ଫେରି ଆସେ ତକିଆଟି ନିକଟକୁ । ମୁହଁ ଗୁଞ୍ଜି ଅନେକ କାନ୍ଦେ । କିଛି ଲୁହ ଆଖିରୁ ବୋହିଗଲେ ଟିକିଏ ଶାନ୍ତି ଲାଗେ । ଆଶ୍ୱସ୍ତି ବୋଧ ହୁଏ ।

 

ମୁଁ ଯେମିତି ଲକ୍ଷ୍ୟ କରୁଥିଲି ପ୍ରଦୀପ ଆସ୍ତେ ଆସ୍ତେ ବିମୁର୍ଷ ହୋଇ ଉଠୁଥିଲା । ଯନ୍ତ୍ରଣାର ଉତ୍ପୀଡ଼ନ ମଧ୍ୟରେ ଖାଲି ଡହଳ ବିକଳ ହେଉଥିଲା । ସେ ଯେମିତି ଚାହୁଁଛି ମୋ ନିକଟରେ ରହି କାମନାର ଜ୍ଵଳନରେ କଲବଲ ହେବା ଅପେକ୍ଷା, ମୋ ଠାରୁ ଦୂରରେ ରହିବା ଭଲ-। ତେଣୁ ମୋ ନିକଟରେ ବାରମ୍ବାର ପଢ଼ା ପଢ଼ିର ଆଳ ଦେଖାଇ କଟକ ବାହାରୁଥିଲା-। କିନ୍ତୁ ତା’ର ନିବେଦନକୁ ମୁଁ ବାସ୍ତବତା ଦୃଷ୍ଟିରୁ ଏଡ଼ି ପାରି ନ ଥିଲି । ହୁଏତ ପାଠପଢ଼ାରେ କ୍ଷତି ହୋଇପାରେ । ଜୀବନରେ ମୁଁ ତା’ ଅଧର କୋଣରେ ହସ ଟିକିଏ ଝରାଇ ପାରିଲି ନାହିଁ, ହେଲେ ମୋର କି ନ୍ୟାର୍ଯ୍ୟ ଅଧିକାର ଅଛି ତା’ ସରସ ସୁନ୍ଦର ଜୀବନଟିକୁ ନଷ୍ଟ ଭ୍ରଷ୍ଟ କରି ଦେବାକୁ ।

 

ସେ କଟକ ଚାଲି ଯାଇଥିଲା ।

 

ମୁଁ ତାକୁ ଅଟକାଇ ପାରି ନ ଥିଲି । ଆଖିର ଅମାନିଆ ଲୁହକୁ ସେ ଅନୁଭବ କରୁଥିଲା । ମୁଁ କି ଯନ୍ତ୍ରଣାରେ ଛଟପଟ ହେଉଛି । ସେ କିଛି କହି ପାରି ନ ଥଲା । ହେଲେ ତା’ ଛଳ ଛଳ ଆଖିର ଚାହାଣୀ ମନର ଚିତ୍ରପଟ୍ଟକୁ ପ୍ରଦର୍ଶିତ କରୁଥିଲା । ମୁହଁ ଦେଖି ହୃଦୟର ପ୍ରତିଛବିକୁ ଦେଖିବା ସୂତ୍ରରେ ମୁ ଦେଖି ପାରୁଥିଲି ପ୍ରଦୀପ କେମିତି ଦୁଃଖରେ, ଯନ୍ତ୍ରଣାରେ ଭାଙ୍ଗି ପଡ଼ୁଥଲା । ଖାଲି ମୁଁ ଏତିକି କହିଥିଲି–କଟକରେ ପହଞ୍ଚି ଚିଠି ଦେବ । ଦେହ ପ୍ରତି ଯନ୍ନ ନେଉଥିବ । ପରୀକ୍ଷା ସରିଗଲେ ଘରକୁ ଫେରି ଆସିବ । ମୋ ରାଣ ଅମାନିଆ ହେବନି ।

 

ମୋ ଅଭିମାନର କଥା ଗୁଡ଼ାକ ଅଚାନକ ଝଡ଼ ବତାସ ପରି ତା’ ଦେହ ମନରେ ଧକ୍‌କା ଖାଉଥିଲା । ସେ ହୃଦୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲା । ତା’ର ଯେମିତି ମୋତେ ଛାଡ଼ି ଯିବାକୁ ମୋଟେ ଇଚ୍ଛା ହେଉ ନଥିଲା । ଖାଲି କର୍ତ୍ତବ୍ୟ ଦୃଷ୍ଟିରେ ବାଧ୍ୟରେ ଯାଇଥିଲା ।

 

ପ୍ରଦୀପ ଚାଲିଯିବା ପରେ ମୁଁ ଏକୁଟିଆ ଅସହାୟ ହୋଇ ପଡ଼ିଥିଲି । ସେତେବେଳେ ରାଇଭାଇ ଘର କଥାରେ ମୋଟେ କାନ ଦେଉ ନ ଥିଲେ । ଆଗରେ ଚେୟାରମ୍ୟାନ ନିର୍ବାଚନ ପାଖେଇ ଆସୁଥିଲା । ତେଣୁ ସେ ସବୁବେଳେ ବାହାରେ ଲୋକ ସମ୍ପର୍କରେ ଆସୁଥିଲେ । ଘରର ସମସ୍ତ କାର୍ଯ୍ୟ ମୋତେ ତଦାରଖ କରିବାକୁ ପଡ଼ିଥିଲା । ଘରର କୂଳବୋହୂ ହିସାବରେ ଘରର ସମସ୍ତ ଧନ ସମ୍ପତ୍ତିର ଚାବି କାଠି ରାଇ ଭାଇ ମୋ କାନିରେ ବାନ୍ଧି ଦେଇଥିଲେ । ତେଣୁ ମୋ ନିକଟରେ ଧନ–ସମ୍ପତ୍ତି, ଗୋପ–ଲକ୍ଷ୍ମୀରେ ଅଭାବ ନ ଥିଲା । କେବଳ ଅଭାବ ଥିଲା ଯୌବନକୁ ଚରିତାର୍ଥ କରିବା ପାଇଁ ପୁରୁଷଟିଏ ।

 

ଅନେକ ସମୟରେ ମୁଁ ଭବିଷ୍ୟତର ଭାବାନ୍ତରରେ ହଜି ଯାଉଥିଲି । ନାରୀ ଜନ୍ମ ହୋଇଥାଏ ମା’ ହେବା ପାଇଁ । ମା’ ହେଲେ ତା’ ଜୀବନର ସମସ୍ତ ସତ୍ତା ଚରିତାର୍ଥ ହୁଏ । ସେ ନିଜକୁ ଧନ୍ୟ ମନେ କରେ । ଦେହ ମନରେ ସ୍ଫୁରଣ ଘଟେ । ହେଲେ ମୋ କ୍ଷେତ୍ରରେ ଏହା ଏକ ବ୍ୟତିକ୍ରମର ଝଡ଼ ଭଳି ବହି ଯାଉଥିଲା । ମୁଁ ତ ମା’ ହେବା ଦୂରର କଥା । ନିଜ ଜୀବନର ବହଳ ଯୌବନରୁ ମଧ୍ୟ ଚରିତାର୍ଥ କରି ପାରିନି । ମାଂସପେଶୀର ମେଞ୍ଚା ମେଞ୍ଚା ଉଷ୍ମତାକୁ ପର ପୁରୁଷ ଦେହରେ ଖେଳାଇ ଦେଲନି । ତା’ହେଲେ ମୋ ନାରୀ ଜୀବନର ସାର୍ଥକତା ରହିଲା କେଉଁଠି ?

 

ଗାଁ ମାଇପେଙ୍କ ଟାଉଲି କଥା ଗୁଡ଼ାକ ଅଧ୍ୱକାଂଶ ସମୟରେ ମନ ମଧ୍ୟରେ ପ୍ରତିଧ୍ୱନିତ ହୁଏ ।

Unknown

 

–ଶିଖା ଦିନେ ନିଶ୍ଚୟ ବୁଝିବ, ଚୌଧୂରୀ ବଂଶର ଅଚଳାଚଳ ସମ୍ପତ୍ତିକୁ ନେଇ ଘର କରି ହୁଏନା । ସୁନ୍ଦର ଘରଟିଏ ତୋଳିବାକୁ ହେଲେ ନାରୀ ନିକଟରେ ସୁନ୍ଦର, ସରସ ମନଲାଖି ପୁରୁଷଟିଏ ଆବଶ୍ୟକତା ରହିଛି…

 

ସେମାନେ ସେଦିନ ଠିକ୍ କହିଥିଲେ, ଚୌଧୂରୀ ବଂଶର ଅଚଳାଚଳ ସମ୍ପତ୍ତି ମୋ ପାଇଁ ଆଜି କାଳ ହୋଇ ଉଠିଛୁ । ସେହି ସମ୍ପତ୍ତି ପାଇଁ ଅପା ଝୁରି ଝୁରି ଶେଷରେ ମାନସିକ ରୋଗାଗ୍ରସ୍ତା ହୋଇ ଇହଧାମ ତ୍ୟାଗ କଲା । ମୋତେ ହିଁ ଶେଷରେ ସେଇ ରାସ୍ତା ଦେଇ ଯିବାକୁ ହେବ ।

 

ବାପା, ବୋଉ, ସାଇ, ଭାଇ, ଭାଉଜ ସମସ୍ତେ ଜାଣୁଥିଲେ ଶିଖା ବେଶ ଆରାମରେ ଅଛି । କ’ଣ ତା’ର ଅଭାବ । ସୁନା ଗହଣାରେ ତ ଛାଇ ହୋଇଛି । ଶାଶୁ ତା’ର ଏତେ ଵନାରସୀ ପାଟ ସାଇତି ଦେଇ ଯାଇଛି ଯେ, ଶିଖାର ନାତୁଣୀ ବୋହୂ ପର୍ଯ୍ୟନ୍ତ ପିନ୍ଧିବେ ।

 

ହେଲେ ସେ ସବୁ ମୋ ନିକଟରେ ଦୁର୍ବିଶହ ହୋଇ ଉଠୁଥିଲା । ଏ ଧନ ସମ୍ପତ୍ତି ମୋର ଲୋଡ଼ା‌ ନାହିଁ । ମୁଁ ଚାହେଁ ଖାଲି ଟିକିଏ ସାନିଗ୍‌ଧ । ମା’ ହେବା ପାଇଁ ଯୋଗ୍ୟତା ହାସଲ । ପିଲାଟିଏ ହେଲେ ତାକୁ କାଖେଇ କୋଳେଇ ମଣିଷ କରିବି । ସେ ହିଁ ହେବ ମୋ ଜୀବନର ଚରମ ସାର୍ଥକତା ଆଉ ମୋର ଦୁନିଆରେ କିଛି ଆବଶ୍ୟକତା ନାହିଁ ।

 

ବାହାରର ଚାକଚକ୍ୟକୁ ଦେଖି ମନ ଗହୀରର ଯନ୍ତ୍ରଣାକୁ ଉପଲବ୍‌ଧି କରି ହୁଏନା । ପୂର୍ଣ୍ଣିମା ରାତ୍ରିର ସ୍ଵଚ୍ଛ ଜୋତ୍ସ୍ନାକୁ ଆଞ୍ଜୁଳା ଆଞ୍ଜୁଳା ଭରି ପିଇ ଗଲାବେଳେ ଅନୁଭବ କରି ହୁଏନା । ଅମାବାସ୍ୟା ରାତ୍ରିର କଠୋରତାକୁ । ଗାଁ, ସାଇ ନଣନ୍ଦମାନେ ଆସି ବେଳେ ବେଳେ ଆଡ଼୍‌ଡ଼ା ଜମାନ୍ତି । କେହି କେହି ତାଙ୍କ ମଧ୍ୟରୁ ଛଳେଇ ଛଳେଇ କୁହନ୍ତି–ଏ ଘିଅ ରଙ୍ଗର ବନାରସୀ ପାଟଟି ଶିଖା ଭାଉଜଙ୍କୁ ବଢ଼ିଆ ମାନୁଛି । ତା’ ସାଙ୍ଗକୁ ଏ ସୁନାର ଗହଣା ସବୁ ଚକ୍ ଚକ୍ କରୁଛି । ସତରେ ଭାଉଜ ତମେ କି ସୁନ୍ଦର ଦେଖା ଯାଉଛ ମ ? ରାଇ ଭାଇଙ୍କ ସ୍ଥାନରେ ଆମେ ଯଦି ତମ ସ୍ଵାମୀ ହୋଇ ଥାଆନ୍ତୁନା ତା’ହେଲେ ତମକୁ ମୋଟେ ପାଖରୁ ଛାଡ଼ନ୍ତୁ ନାହିଁ ।

 

ଆଉ କେହି କେହି ଅଭିମାନ କରି କୁହନ୍ତି–ଛାଡ଼ ଆମ ଭାଗ୍ୟରେ କାହିଁ ଚୌଧୂରୀ ଘରର ରାଜ ଦୁଲାଳି ସହିତ ସମାନ ହେବାରୁ ? ଶିଖା ଭାଉଜ ଭାଗ୍ୟରେ ଥିଲା, ସେ ଏଠି ରାଜରାଣୀ ହୋଇ ରହିବାକୁ । କାହା ଭାଗ୍ୟକୁ ଆଉ କେହି କ'ଣ ଛଡ଼େଇ ଆଣି ପାରିବ ?

 

ସେମାନେ ଚାଲି ଗଲା ପରେ ମୋ ମନ ଭିତରଟା ଅହେତୁକ ଯନ୍ତ୍ରଣାରେ ଭରି ହୋଇ ଯାଉଥିଲା । ଆଖିର ପୋ’ଡୋଳାରେ ଭବିଷ୍ୟତର ଅନ୍ଧକାରମୟ ଜୀବନଟା ଭାସି ଉଠୁଥିଲା । ମୁଁ ପର ମୁହୂର୍ତ୍ତରେ ଭୀଷଣ ହୋଇ ଉଠୁଥିଲି । ମୁଁ ଚିତ୍କାର କରି କହି ଉଠୁଥିଲି–

 

ନା….. ।

 

ମୁଁ ମୋ ସୁନ୍ଦର ଦେହଟାକୁ ଏମିତି ଅସମୟର ଝରା ଶ୍ରାବଣ ଦେହରେ ହଜେଇ ଦେବିନି । ମୁଁ ନାରୀ । ମୋ ଦେହରେ ରୂପ, ଯୌବନ ଅଛି । ମୋ ଯୌବନାକ୍ତ ମାଂସପେଶୀରେ ଉଷ୍ମତା ଅଛି । ମୋ ମନ ଗହନରେ ଭବିଷ୍ୟତ ବଂଶଧର ପାଇଁ ବଞ୍ଚିବାର ସ୍ଵପ୍ନ ଅଛି । ମୁଁ ଏମିତି ଜଳି ପୋଡ଼ି ଯିବିନି । ମୁଁ ବଞ୍ଚିବି ଆଗାମୀ ବଂଶଧରକୁ କୋଳରେ ଧରି ।

 

ଦେହ ମନ ଆହୁରି ରୁକ୍ଷ ହୋଇ ଉଠୁଥିଲା । ମୁଁ ନାକପୁଡ଼ାରେ ଦୀର୍ଘ ଶ୍ଵାସ ଚାଲୁଥିଲା । ମୁଁ କାମନାର ଜ୍ୱାଳାରେ ଅନ୍ଧ ମହୁମାଛି ଭଳି ଚେତନା ଶକ୍ତି ହରାଇ ବସୁଥିଲି । କାମନାର ମୋହିନୀ ଶକ୍ତି ଆଖିରେ ଚନ୍ଦ୍ରାର ବଳୟ ଭରି ଦେଉଥିଲା ।

 

ଏକୁଟିଆ ଖରାବେଳ । ସୁରୁଜା ମା’ ଢିଅବାଡ଼ି ପଟ ତା’ ଝାଟି ମାଟିର କୁଡ଼ିଆ ଘରଟିକୁ ଚାଲିଯାଇଛି ତା’ଦେହ–ମନର ଅବସାଦ ମେଣ୍ଟାଇବା ପାଇଁ । ମୁଁ ଉଠି ଯାଇଥିଲି କାନ୍ଥରେ ଟଙ୍ଗା ଯାଇଥିବା କେଉଁ ପୁରାତନ କାଳରୁ କଲିକତାରୁ ଆସିଥିବା ବେଲଜିୟମ କାଚରେ ତିଆରି ଦର୍ପଣଟି ସମ୍ମୁଖକୁ ।

 

ଦର୍ପଣ ସମ୍ମୁଖରେ ଠିଆ ହୋଇ ମୋ ନିଜ ଦେହକୁ ଦେଖି ମୁଁ ଚମକି ପଡ଼ୁଥିଲି । ଇସ୍ କି ସୁନ୍ଦର ରୂପ ମୋର । ଗୋରା ତକତକ ଦେହଟା ମୋର ସଫେଦ ଚନ୍ଦ୍ରକିରଣ ଭଳି ଜଳୁଛି । କାମନାର ଉତ୍ତାପ ତା’ ମଧ୍ୟରେ ଭରି ହୋଇଯାଇଛି । କେଉଁ ମୁହୂର୍ତ୍ତରେ ହୁଏତ ବିସ୍ଫୋରଣ ଘଟିପାରେ । ମୁଁ ନିଜ ଦେହର ଏଭଳି ସୁନ୍ଦର ରୂପର ମାଧୁର୍ଯ୍ୟ ଆଉ କେବେ ଆବିଷ୍କାର କରି ନ ଥିଲି । ନିଜ ରୂପକୁ ଦେଖି ନିଜେ ବିମୋହିତ ହୋଇ ଉଠୁଥିଲି । ଦେହ ମନରେ ଯୌବନର ପରଦା ଆସ୍ତେ ଆସ୍ତେ ଖୋଲି ଯାଉଥିଲା । ମୋତେ ଦର୍ପଣ ସମ୍ମୁଖରେ ଉଲଗ୍ନ ହେବାକୁ ଖୁବ୍‌ ଭଲ ଲାଗୁଥିଲା । ମୁଁ ଧୀରେ ଧୀରେ ମୋ ଦେହରେ ପରିହିତ ସମସ୍ତ ପରିଧାନକୁ ଗୋଟି ଗୋଟି କରି ଖୋଲି ଦେଉଥିଲି I ମୋ ତନୁ, ମନ, ପ୍ରକମ୍ପିତ ହେଉଥିଲା । ସର୍ବାଙ୍ଗରେ ଭରି ଯାଉଥିଲା ଅସଂଖ୍ୟ କାମୋତ୍ତେଜନାର ରାଗିଣୀ ।

 

ଇସ୍ କି ସୁନ୍ଦର ମୋ ତନୁ ବଲ୍ଲରୀ । ଏଭଳି ସୁନ୍ଦର ରୂପ ମୋର ଅକାଳରେ ଭାସିଯିବ । କୌଣସି କାମୁକ ପୁରୁଷ ମୋତେ ନଖ, ଦାନ୍ତରେ ଝୁଣି ପକାଇବେ ନାହିଁ । ଆଃ, ପ୍ରଦୀପ ତମେ କି ଭୀରୁ । ତମ ଠାରେ କ’ଣ ରାଇ ଭାଇ ଭଳି ପୁରୁଷତ୍ଵ ନାହିଁ ? ତମେ କ’ଣ ନପୁଂସକ, କ୍ଲିବ, ଅଥର୍ବ, ପଙ୍ଗୁ । ତମ ଆଦରର ଶିଖାକୁ କେମିତି ତମେ ଜଳି ପୋଡ଼ି ମରିବାକୁ ଦୂରକୁ ଠେଲି ଦେଇଛ । ତମେ କ’ଣ ଜାଣିନା, ପ୍ରେମ ଶାଶ୍ୱତ, ସେ ବାପ, ଭାଇ, ଆଇନ୍‍କାନୁନ ସମାଜ କିଛି ମାନେନା । ମଣିଷ ଜୀବନର ମୂଳମନ୍ତ୍ର ଯୌବନତ୍ତ୍ଵରେ ସୃଷ୍ଟି ହୋଇଛି । ନାରୀ–ପୁରୁଷର ମିଳନ ନ ଘଟିଲେ ସୃଷ୍ଟିର ସର୍ଜନା ଅସମ୍ଭବ । ତେଣୁ ତମେ ଆଉ ଅପେକ୍ଷା କରନା ପ୍ରଦୀପ । ଧାଇଁ ଆସି ମୋତେ ବାହୁ ବନ୍ଧନ ମଧ୍ୟରେ ଛନ୍ଦି ଦେଇ ପାଗଳ ଭ୍ରମର ଭଳି ଦଂଶନ କରିଯାଅ । ମୁଁ ଆତ୍ମତୃପ୍ତି ଲାଭ କରେ ।

 

ପାଗଳୀଙ୍କ ଭଳି ଆଖି ବୁଜି ଦେଇ ଇଆଡ଼ୁ ସିଆଡ଼ୁ ଗପି ଚାଲୁଥିଲି । ହଠାତ୍ ମୋ ଚେତନା ଶକ୍ତି ଉଦ୍ରେକ ହେବା ମାତ୍ରେ ମୁଁ ଦେଖିଲି ମୁଁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଦର୍ପଣଟା ସମ୍ମୁଖରେ ଠିଆ ହୋଇଛି । ସାରା ଘର ଖଞ୍ଜାଟା ଖାଁ..... ଖାଁ….ଗୋଡ଼ାଉଛି । ଘରଟା ଶୁନ୍… ଶାନ୍…। କେହି ନାହାନ୍ତି ।

 

ଅଭିମାନରେ ଚିଡ଼ି ଉଠିଲି । ଦେହରେ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାରକୁ ଛିଡ଼ାଇ ଘର ସାରା ଫୋପାଡ଼ି ଦେଇଥିଲି । କାନ୍ଦି କାନ୍ଦି ଘର ସାରା ଲୋଟି ପଡ଼ି ଗଡ଼ୁଥିଲି । ମୋର ଏ ସୁନା ଅଳଙ୍କାର ଦରକାର ନାହିଁ । ମୋର ଏ ଧନ, ସମ୍ପତ୍ତିର ଆବଶ୍ୟକତା ନାହିଁ । ପ୍ରଦୀପ–ତମେ ମୋତେ ଆଉ ଜଳାଅନା । ତମେ ଆସ, ଆମେ ଏ ଗାଁ ଛାଡ଼ି ଚାଲିଯିବା ବଣ ଜଙ୍ଗଲକୁ । ଯେଉଁଠି ରାକ୍ଷସ ଭଳି ସମାଜର ଆଇନ୍‍କାନୁନ ନ ଥବ । ସେଇଠି ଆମେ ଜୀବିକା ଅତିବାହିତ କରିବା । ଏତେ ବଡ଼ ବିଶାଳ ସଂସାରଟାରେ ଆମ ଭଳି ଦୁଇଟା ଛୋଟିଆ ଜୀବନର ସନ୍ଧାନ କେହି ପାଇବେ ନାହିଁ । ଆମେ ବେଶ ସେଇଠି ଶାନ୍ତିରେ ବଞ୍ଚିବା । ଅଗାମୀ ଭବିଷ୍ୟତ ପାଇଁ ସୃଷ୍ଟି କରିଥିବା ଅଲିଭା ସନ୍ତକ ।

 

ପର୍ବତ ନିକଟରେ ଚିତ୍କାର କଲେ ତାହା ପ୍ରତିଧ୍ୱନିତ ହୋଇ ଫେରି ଆସିଲା ଭଳି, ମୋ ହୃଦୟର କଥା, ମୋ ମନର ଅସହ୍ୟ ଯନ୍ତ୍ରଣା, କାହାରି ନିକଟରେ ପହଞ୍ଚି ପାରୁ ନ ଥଲା । ମୋର ସମସ୍ତ ଆବେଦନ ନିବେଦନ ସବୁ ବୃଥାରେ ଯାଉଥିଲା I ମୁଁ ଭାବୁଥିଲି ମୁଁ ଏମିତି ଦିନେ ନିଜ ଭିତରେ ଜଳି ଜଳି ଶେଷରେ ପାଗଳୀ ହୋଇଯିବି ।

 

ପୁଣି ପର ମୁହୂର୍ତ୍ତରେ ପ୍ରଜ୍ଞାରେ ଉନ୍ନତି ଘଟିଲେ ମୁଁ ସଜାଡ଼ି ହୋଇ ଯାଉଥିଲି ଏବଂ ନିଜର କୃତକର୍ମ ପାଇଁ ଅନୁତାପ କରୁଥିଲି, ଦୁଃଖ ମଧ୍ୟ କରୁଥିଲି । ଅନୁଭବ କରୁଥିଲି ମୁଁ ନିଜ ଭିତରେ ସମ୍ଭାଳି ହୋଇ ରହି ପାରୁନାହିଁ । ଦେହରେ ଯୌବନର ଅମାନିଆ ସ୍ରୋତ–କୁଳ ଲଙ୍ଘି ଉଛୁଳି ପଡ଼ୁଛି । ତା’ହେଲେ ମୁଁ କ’ଣ ସମସ୍ତଙ୍କ ଦୃଷ୍ଟିରେ ଏକ ନଷ୍ଟ ଚରିତ୍ରା ନାରୀରେ ପରିଣତ ହୋଇଯିବି ?

 

ମନେ ମନେ ଶଙ୍କି ଯାଉଥିଲି । ଏ ଦୁଷ୍ଟ ସମାଜରେ ଲୋକଗୁଡ଼ାଙ୍କୁ ଚିହ୍ନିବା ବହୁତ କଷ୍ଟ ସାଧ୍ୟ । ପାନରୁ ଚୁନ ଖସିଗଲେ, ତିଳକୁ ତାଳ କରି ଥୋଇବେ । ଦୁନିଆ ବଦନାମ ଚାରିଆଡ଼େ ରାଷ୍ଟ୍ରକରି ବୁଲିବେ । କୁଆ ଉଡ଼ିଗଲେ କହିବେ ଛୁଆ ଉଡ଼ିଗଲା ବୋଲି । ତେଣୁ ସମାଜର ପିଛିଳ ରାସ୍ତାରେ ପାଦ ଚିପି ଚିପି ଚାଲିବାକୁ ପଡ଼ିବ । ନ ହେଲେ କେଉଁ ମୁହୂର୍ତ୍ତରେ ପାଦ ଖସିଯିବାର ସମ୍ଭାବନା ମଧ୍ୟ ଅଛି । ସେଥିପାଇଁ ନିଜକୁ ସତର୍କ ରହିବା ଉଚିତ ମନେ କରୁଥିଲି ।

 

ଏଣେ ପଞ୍ଚାୟତ ସମିତି ନିର୍ବାଚନ ଆହୁରି ପାଖେଇ ଆସୁଥିଲା । ରାଇ ଭାଇ ବ୍ୟସ୍ତ ରହୁଥିଲେ ନିର୍ବାଚନ ପ୍ରଚାରରେ । ଗାଁ ଗାଁ, ସାଇ ସାଇ, ବୁଲି ଲୋକମାନଙ୍କୁ ବୁଝାଉଥିଲେ । ବଂଶର ପରମ୍ପରା ଅଛି ଲୋକମାନେ ମଧ୍ୟ ଜାଣନ୍ତି ରାଇ ଚରଣ ଭାରି ପରୋପକାରୀ ଲୋକ । ତାଙ୍କ ବାପ ବୈରୀଗଞ୍ଜନ ଚୌଧୂରୀ ମଧ୍ୟ ସାରା ଜୀବନ ଲୋକମାନଙ୍କର ଉପକାର କରି କରି ଶେଷରେ ଇହଧାମ ତ୍ୟାଗ କରିଥିଲେ । ତେଣୁ ଲୋକମାନେ ପ୍ରାୟ ରାଇ ଭାଇଙ୍କୁ ସହଯୋଗ କରୁଥିଲେ । ବେଳେ ବେଳେ ରାଇଭାଇ ଅନ୍ୟ ଗାଁ–ମାନଙ୍କର ରାତିରେ ମଧ୍ୟ ସଭାକରି ରହି ଯାଉଥିଲେ ।

 

ଅପର ପକ୍ଷରେ ମୁଁ ତାଙ୍କୁ ଅପେକ୍ଷା କରି କରି ବ୍ୟତିବ୍ୟସ୍ତ ହୋଇ ଉଠୁଥିଲି । ସମୁଦ୍ରର ଲୁଣିଆ ପାଣିରେ ପଥିକର ଶୋଷ ମେଣ୍ଟିବ ନାହିଁ, ହେଲେ ତା’ ନୀଳ ଢେଉଗୁଡ଼ିକୁ ଦେଖି ଦେଖି ହୁଏତ ଆତ୍ମତୃପ୍ତି ଲାଭ କରି ହେବ । କିନ୍ତୁ ସେଥିରୁ ବି ବିରତ ହେଉଥିଲି । ମନ ମଧ୍ୟରେ ତାଙ୍କ ପ୍ରତି ଘୃଣା, ଅସୂୟାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିଲା । ସେ ଜଣେ ରକ୍ତ ମାଂସର ମଣିଷ ହୋଇ ଅନ୍ୟର ଜୀବନ ଦର୍ଶନକୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଆଉ ସେ କ’ଣ ଗରିବମାନଙ୍କ ଦୁଃଖ, ଦୁର୍ଦ୍ଦଶା ବୁଝି ଦେଶସେବାରେ ମନ ବଳାଇଛନ୍ତି । ଯେ ନିଜ ଦେହ ମନର ମଣିଷକୁ ବୁଝିବାକୁ ଅକ୍ଷମ, ସେ କ’ଣ ଅନ୍ୟର ହୃଦୟର କଥାକୁ ତନଖି ଦେଖିବେ ।

 

ଏମିତି ଯନ୍ତ୍ରଣାରେ ସ୍ଵର ମଧ୍ୟରେ ଅନେକ ଦିନ ବହି ଯାଇଥିଲା । ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା, ଆତ୍ମ ଦହନରେ ସିଝି ସିଝି ଗନ୍ଧହୀନ, ବର୍ଣ୍ଣହୀନ ପାଉଁଶ ହୋଇ ଉଠୁଥିଲି । କିନ୍ତୁ ମୋ ସରସ ସୁନ୍ଦର ଗୋରା ଦେହଟା ସୁନା ପରି ଆତ୍ମ–ଦହନର ଅଗ୍ନିରେ ଜଳି ଜଳି ଆହୁରି ଉଜ୍ଜ୍ୱଳ ହୋଇ ଉଠୁଥିଲା ।

 

ସମସ୍ତେ ମୋତେ ଚୌଧୂରୀ ଘରର ବୋହୁ ସାଆନ୍ତାଣୀ ବୋଲି ସମ୍ମାନ କରୁଥିଲେ । ମୁଁ ମଧ୍ୟ ସମସ୍ତଙ୍କ ସହିତ ଚଳ ଚଞ୍ଚଳ ଢେଉଟି ପରି ମିଶି ଯାଉଥିଲି । ଗାଁ ମାଇପେ ସବୁ ନଈତୁଠକୁ ଗଲେ । ମୋତେ ସାଙ୍ଗରେ ନେଇ ଯିବାକୁ ସୁଖ ପାଉଥିଲେ । ମୁଁ ଗଲେ ବେଶ ଗାଧୁଆ ତୁଠରେ ଆଳାପ ଜମେ । ମୋ କଥାରେ ସମସ୍ତେ ହସି ହସି ଗଡ଼ି ଯାଆନ୍ତି ।

 

ହଠାତ୍ ଦିନେ ଆମେ ନଈତୁଠକୁ ଯାଉ ଯାଉ କେହି ଜଣେ ଦୁଷ୍ଟ ଯୁବକ ଆର ସାଇର ମୋତେ ଦେଖି ଚୁଗୁଲେଇ ତା’ ସାଙ୍ଗକୁ କହୁଥିଲା–ଆବେ ଦେଖିଲୁ ଚୌଧୂରୀଙ୍କ ଘରର ବୋହୁକୁ, ଶଳା ପାଚିଲା ଆମ୍ବ ପରି ହୋଇଛି ମ ? ହେଲେ କ’ଣ ହେବ ରାଇଚରଣ ଭାଇ ତ ବୁଢ଼ାଠାରୁ ମଧ୍ୟ ଆହୁରି ହିନ । ବଡ଼ ସାଆନ୍ତାଣୀକୁ ବାହା ହୋଇଥିଲେ ଯେ ପିଲା ବକଟର ମୁହଁ ଚାହିଁଲେ ନାହିଁ । ଏ ବୟସରେ କେଉଁ ଅବା ତାଙ୍କର ପିଲା ହେବ ? ହେଲେ ଏ ସାଆନ୍ତାଣୀ ଜୀବନ ଦି’ କଡ଼ା । ଛାଡ଼ ଭାଗ୍ୟରେ ଦଇବ ଯାହା ଲେଖନରେ ଲେଖିଛି ତା ହିଁ ତ ଭୋଗିବାକୁ ହେବ ?

 

ପୂରବୀକୁ ପଚାରିବାର ମୋର ଧୈର୍ଯ୍ୟ ନ ଥିଲା ଯେ–ସେ ବନିଶ ଖଡ଼ା ଧରି ଯାଉଥିବା ଟୋକା ଦି’ଟା କିଏ ସେ ବୋଲି । ମୁଁ ମର୍ମେ ମର୍ମେ ଦହି ହୋଇ ଯାଉଥିଲି । ସେମାନଙ୍କ ଉପରେ ବିରକ୍ତ ହେବା ପରିବର୍ତ୍ତେ ବରଂ ସେମାନଙ୍କ ତୀକ୍ଷଣ ବୁଦ୍ଧିକୁ ତାରିଫ କରୁଥିଲି । ସେମାନେ ମୋତେ ଥରେ ମାତ୍ର ଦେଖି ମୋ ଜୀବନ ଦର୍ଶନକୁ ତର୍ଜମା କରି ପାରୁଥିଲେ, ଅଥଚ ରାଇ ଭାଇ ? ସେମାନେ କେବଳ ମୋ ଦର୍ଶନ ବୁଝୁ ନ ଥିଲେ, ମୋ ଭବିଷ୍ୟତ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରୁଥିଲେ ।

 

ପୂରବୀ ସେମାନଙ୍କ ସହିତ ଝଗଡ଼ା କରିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲା ହେଲେ ମୁଁ ତାକୁ ସେଥିରୁ ନିବୃର୍ତ୍ତାଇଥିଲି । ତାକୁ ବୁଝାଇ ଦେଇଥିଲି–ପିଲା ବୟସ ସେମାନଙ୍କର, ଦୁନିଆ ସମ୍ପର୍କରେ କ’ଣ ବା ସେମାନଙ୍କର ଧାରଣା ଅଛି । ତତଲା ପାଣିରେ ଘର ପୋଡ଼ି ଯାଏନା । ତେଣୁ କ’ଣ ଅଛି ପ୍ରତିବାଦ କରିବାରେ । ବରଂ ପ୍ରତିବାଦ କଲେ କଥା ରାଷ୍ଟ୍ର ହୁଏ । କଂସା ମାଜିଲେ ସରୁ, କଥା ମାଜିଲେ ମୋଟା ।

 

ପୂରବୀ ମୋ କଥାର ସାରମର୍ମ ବୁଝି ପାରିଥିଲା । ତେଣୁ ସେ ତୁନି ପଡ଼ି ରହି ଯାଇଥିଲା-। ଆମେ ଯାଇ ନଇତୁଠରେ ପହଞ୍ଚିଲା କ୍ଷଣି ମାଇପି ସଭା ବସିଗଲା । ଯାହାର ଯାହା ସୁବିଧା ଅସୁବିଧା ସବୁ ମୁଁ ତାଙ୍କର ସାଆନ୍ତାଣୀ ବୋଲି ମୋ ପାଖରେ ବଖାଣି ବସନ୍ତି । ସମସ୍ତଙ୍କର ଦରଦ ମୋ ପ୍ରତି ଥାଏ । କାରଣ ଯିଏ ମୋ ପାଖକୁ ସୁବିଧା ଅସୁବିଧାରେ ଯାଇଛି ମୁଁ କାହାରିକୁ ଖାଲି ହାତରେ ଫେରାଇ ନ ଥିଲି । ତେଣୁ ସେମାନଙ୍କର ସହାନୁଭୂତି ମୋ ଉପରେ ରହିବା ସ୍ୱାଭାବିକ-। କାଳକ ତାଙ୍କର ଚୌଧୂରୀ ଘରୁ ନେଉଟିଆ କିଆରି ପରି ଭଲ ମନ୍ଦ ପାଇଟି କରି ଖାଇ ଆସିଛନ୍ତି-

 

ତେଣୁ ମୁଁ କୌଣସି କଥାରେ ପ୍ରତିବାଦ କରେ ନାହିଁ । କ’ଣ ଅବା ଧନ ସମ୍ପତ୍ତି ହେବ ?

 

ତଥାପି ମୋର ସମସ୍ତ ସହାନୁଭୂତିର ପ୍ରତୀକ ସ୍ଵରୂପ ସମ୍ମୁଖରେ ପ୍ରଦୀପର ପ୍ରତିଛବି ଉଭା ହୁଏ । ମୁଁ ସବୁ ଧନ ସମ୍ପତ୍ତି ତା’ରି ପାଇଁ ସାଇତି ରଖେ । ସେ ମୋର ସମାଜ ଆଖିରେ ପୁଅ-। ସେ ହିଁ ହେବ ପ୍ରକୃତରେ ଉତ୍ତରାଧିକାରୀ ।

 

ବେଙ୍ଗମା’ କଥାର ଲଥା ଯୋଡ଼ି କହିଲା–ଶୁଣିଲେଣି ସାଆନ୍ତାଣି, ତମ ସୁରୁଜା ମା’ ପରା ଏ ବୁଢ଼ୀକାଳେ ମା’ ହେବାକୁ ଯାଉଛି ।

 

ମୁଁ ଚମକି ପଡ଼ିଥିଲି । ସୁରୁଜା ମା’ ବୁଢ଼ୀ ହେଲାଣି । ଅଧା ବାଳ ତା’ର ପାଚିବାକୁ ବସିଲାଣି । ବଡ଼ ଝିଅ ବାହା ହୋଇ ଛୁଆ, ପିଲାର ମା’ ହେଲାଣି । ପୁଅ ଆସି ଭେଣ୍ଡିଆ ଟୋକାଟା-। କାଲି ପରି ବାହା ହୋଇ ପିଲା ଝିଲାର ବାପା ହେବ । ସେ ପୁଣି ମା’ ହେବାକୁ ଯାଉଛି । ଅଥଚ ମୁଁ.... ?

 

ମୋ ଛାତିରେ ରକା ପଶି ଯାଇଥିଲା । ମୁଁ ମୁହୂର୍ତ୍ତେ ଅଟକି ଯାଇଥିଲି । ତା’ପରେ ସମସ୍ତ ଯନ୍ତ୍ରଣାକୁ ଛାପି ଦେଇ ସେମାନଙ୍କ କଥା ସହିତ ଅଂଶଗ୍ରହଣ କରିଥିଲି । ସେମାନେ ଅନେକ ଇଆଡ଼ୁ ସିଆଡ଼ୁ କଥା ହେଉଥିଲେ । କିନ୍ତୁ ସେ କଥା ଗୁଡ଼ାକ ମୋ କାନ ଭିତରେ ଏ ପଟରେ ପଶି ସେପଟରେ ବାହାରି ଯାଇଥିଲା । ମୁଁ କେବଳ ଭାବୁଥିଲି, ସୁରୁଜା ମା’ଟା ସତରେ କେଡ଼େ ଭାଗ୍ୟବାନ । ଏ ବୟସରେ ପୁଣି ଶିଶୁ ସନ୍ତାନକୁ କୋଳରେ ଧରିବା ପାଇଁ ଯୋଗ୍ୟତା ହାସଲ କରିଛି । ମୁଁ ତାକୁ ଏତେ କାମରେ ଲଗାଇବା ଠିକ୍ ନୁହେଁ । ତାକୁ କିଛିଟା ସେ ବାବଦରେ ସାହାଯ୍ୟ କରିବା ଉଚିତ । ମୁଁ ସିନା ମା’ ହୋଇ ପାରୁନାହିଁ, ତା’ ପ୍ରତି ଅବିଚାର କରିବା ଉଚିତ ନୁହେଁ । ତେଣୁ ତା’ପ୍ରତି ସହାନୁଭୂତିଶୀଳ ହୋଇ ଉଠୁଥିଲି ।

 

କିନ୍ତୁ ସୁରୁଜା ମା’କୁ ପ୍ରତିକ୍ଷଣରେ ଦେଖିଲେ ମୁଁ ଦୁଃଖରେ ଭାଙ୍ଗି ପଡ଼ୁଥିଲି । ନାରୀ ମନ ମୋର ମା’ହେବା ପାଇଁ ବ୍ୟାକୁଳ ହୋଇ ଉଠୁଥିଲା । କେଉଁ ନାରୀ ଅବା ନ ଚାହେଁ ଜନନୀ ହେବାକୁ । ପୁତ୍ର ସନ୍ତାନଟିଏ କୋଳରେ ଧରି ଭବିଷ୍ୟତ ବଂଶଧର ପାଇଁ–ବଳିଷ୍ଠ ସ୍ଵାକ୍ଷର ଲେଖିଦେବା ପାଇଁ । ଆଉ କେଇଦିନ ପରେ ସୁରୁଜା ମା’ କୁନି ପୁଅଟିଏ କୋଳରେ ଧରି ଧେଇ ଧେଇ କରିବ । ଅଥଚ ମୁଁ ଏକ ନିଃସନ୍ତାନୀ ଡାଆଣୀ ହୋଇ ତା’ ପୁଅର ରକ୍ତ ଶୋଷୁଥିବି । ନିଜ ଭିତରେ ଜଳି ଉଠୁଥିଲି ।

 

ତାହା ମଧ୍ୟରେ ପ୍ରଦୀପକୁ ବାରମ୍ବାର ଚିଠି ଲେଖିଲେ ବି ସେ ଉତ୍ତର ଦେଉ ନ ଥାଏ । କେତେବେଳେ କେମିତି କାଁ........ଭାଁ....... ଖଣ୍ଡେ ଅଧେ ଚିଠି ଲେଖେ ପଦେ ଅଧେ । ସେଥିରେ ପୁଣି ଗୁରୁଜନ ଭଳି ସମ୍ମାନ ଦେଇଥାଏ । ମୁଁ ବହୁତ ଅନୁନୟ ହୋଇ ଲେଖିଲେ ବି ସେ ଘରକୁ ଆସିବାକୁ ମନ ବଳାଉ ନ ଥାଏ । ମୁଁ କେତେଦିନରୁ ଦେଖି ନ ଥିବା ଯୋଗୁଁ ତାକୁ ଦେଖିବା ପାଇଁ ମନ ମୋର ହାଇଁ ପାଇଁ ହେଉଥାଏ ।

 

ସେତେବେଳକୁ ରାଇ ଭାଇ ଚେୟାରମେନ, ନିର୍ବାଚନରେ ଜିତି ଯାଇଥାଆନ୍ତି । ମନ ତାଙ୍କର ଗଗନ ପବନରେ ଉଡ଼ୁଥାଏ । ମୋ ଉପରେ ତାଙ୍କର ଅଗାଧ ବିଶ୍ଵାସ, ତେଣୁ ଘରର ସମସ୍ତ ଦାୟିତ୍ଵ ମୋ ଉପରେ ନ୍ୟସ୍ତ କରିଦେଇ ସେ ବେଶ ଆରାମରେ ବୁଲୁଥାଆନ୍ତି । ତା’ ସାଙ୍ଗକୁ ପୁଣି ଚେୟାରମେନ ହେଲା ପରେ ରିତିମତ ପଞ୍ଚାୟତ ଅଫିସରେ ଅଫିସ କରିବାକୁ ପଡ଼ୁଥିଲା । ଅଧିକାଂଶ ସମୟରେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ତାଙ୍କର କାର୍ଯ୍ୟବ୍ୟସ୍ତତା ଆଗ ଅପେକ୍ଷା ଆହୁରି ବଢ଼ି ଯାଇଥିଲା । ସେ ଅଧିକାଂଶ ଦିନ କଟକ ବିଭିନ୍ନ କାର୍ଯ୍ୟ ପାଇଁ ଯା’ ଆସ କରୁଥିଲେ । ଏବଂ ଅନେକ ସମୟରେ ରାଜନୈତିକ ନେତାମାନଙ୍କ ଗହଣରେ କଟାଇବାକୁ ପଡ଼ିଥିଲା । ତା’ ନ ହେଲେ ଏ ଅଞ୍ଚଳରେ କାମ କରି ଲୋକମାନଙ୍କୁ ଖୁସି କରିବାକୁ ହେବ । ନ ହେଲେ ଯେଷାକୁ ତେଷା ନୀତିରେ ଆର ନିର୍ବାଚନକୁ ଗଡ଼ିବାକୁ ପଡ଼ିବ ।

 

ପରୀକ୍ଷା ସରିଲା ପରେ ପ୍ରଦୀପ ଘରକୁ ଆସିଥାଏ । ମୁଁ ତାକୁ ଦେଖି ବିବ୍ରତ ହୋଇ ପଡ଼ିଥିଲି । ଅତି କମରେ ସେ ଦୁଇ ଅଢ଼େଇ ମାସ ଘରେ ରହିବ । ଏବେ ତା’ର ଖାମଖିଆଲି ଢଙ୍ଗ ଯେମିତ ଖୁବ୍ ଜୋରରେ ବଢ଼ି ଯାଇଥିଲା । ନିଜ ପ୍ରତି ଯେତଟା ଅବହେଳା କରାଯାଇପାରେ ତାହା ହିଁ ସେ କରି ଚାଲୁଥିଲା । ଲୁଗାପଟା ସଫା ନ ଥିଲା । ମୁହଁରେ ମେଞ୍ଚାଏ ରୂଢ଼ । ସବୁବେଳେ ବସି ବସି କ’ଣ ଦାର୍ଶନିକ ଭଳି ଏଣୁ ତେଣୁ ଭାବିବା ଯେମିତି ତା’ର ପ୍ରବୃତ୍ତି ହୋଇ ଯାଇଥିଲା ।

 

ପ୍ରଦୀପର ଏତାଦୃଶ ପରିବର୍ତ୍ତନକୁ ମୁଁ ମୋଟେ ସହି ପାରୁନଥିଲି । ମୁଁ ଧାଇଁ ଯାଇଥିଲି ତା’ ପାଖକୁ । ତା’ ହାତ ଦୁଇଟାକୁ ଧରି ବହୁତ ଅନୁନୟ ହୋଇ କହିଥିଲି–

 

–ପ୍ରଦୀପ ଶେଷରେ ମୁଁ ତମକୁ ଏଇ ଅବସ୍ଥାରେ ଦେଖିବାକୁ ପାଇଲି । ବଡ଼ ଭାଗ୍ୟ ମୋର ପ୍ରଦୀପ । ଭାବିଥିଲି ତମ ପାଖରେ ଜୀବନ ସାରା ରହି ସଳିତା ଭଳି ଜଳି ଜଳି ତମକୁ ଆଲୋକିତ କରିବି । ମୋ ଜୀବନ ଧନ୍ୟ ହେବ, ହେଲେ ଏ କ’ଣ ଦେଖୁଛି ?

 

ପ୍ରଦୀପ ମୋ କଥାରେ ପ୍ରତିବାଦ କରି ନ ଥିଲା । ବାଧ୍ୟ ଶିଶୁଟି ଭଳି ସବୁ କଥାକୁ ମାନି ଯାଉଥିଲା । ମୁଁ ବାରିକ ଡକାଇ ଖିଅର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲି । ତା’ର ସମସ୍ତ ଲୁଗାପଟା ନିଜେ ନିଜେ ସଫାକରି ବସିଥିଲି । ବିଛଣା, ଘର, ବହି ପତ୍ର ସବୁ ସଜାଡ଼ି ଦେଇଥିଲି ।

 

ପ୍ରଦୀପ ବେଶ ଏବେ ସୁନ୍ଦର ଦେଖା ଯାଉଥିଲା । ଠିକ୍ ମନର ପୁରୁଷ ଭଳି । ତାକୁ ପାଖରୁ ମୁହୂର୍ତ୍ତେ ଛାଡ଼ିବାକୁ ଇଚ୍ଛା ହେଉ ନ ଥିଲା । ତାର ବୋଉ ଡାକକୁ ମୁଁ ବିରୋଧ କରିଥିଲି । କହିଥିଲି–ଦେଖ ପ୍ରଦୀପ ତମେ ମୋତେ ବୋଉ ବୋଲି ଡାକିଲେ ମୁଁ ଯନ୍ତ୍ରଣାରେ ଶଢ଼ି ଯିବି ପଛେ ହେଲେ ଟିକିଏ ଶାନ୍ତି ପାଇବି ନାହିଁ । ପ୍ରଦୀପ ନୀରବ ରହୁଥିଲା । ଶିଖା ବୋଲି ସମ୍ବୋଧନ କରିବାକୁ ତା’ର ଯେମିତି ସାହସ ହେଉ ନ ଥିଲା ।

 

ବେଶ ହସ ଖୁସିରେ ଦିନ ଗୁଡ଼ାକ କଟି ଯାଉଥିଲା । ପ୍ରଦୀପ ବିଶେଷ କଥାବାର୍ତ୍ତା ନ କଲେ ବି ମୁଁ ସବୁବେଳେ ପାଖରେ ବସି ଗପ ଆରମ୍ଭ କରି ଦେଉଥିଲି । ପ୍ରଦୀପକୁ ଖାଇବାକୁ ଦେଇ ପାଖରେ ବସି ପଙ୍ଖା କରି ଦେଉଥିଲି । ଏଇଟା ଖାଇଦିଅ, ସେଇଟା ଖାଇଦିଅ ବୋଲି ନିର୍ଦ୍ଦେଶ ଦେଉଥିଲି । ଖାଇ ସାରିବା ପରେ ମୁହଁ ଧୋଇବା ପାଇଁ ପାଣି ନୋଟା ଏବଂ ତଉଲିଆ ଧରି ଛିଡ଼ା ହେଉଥିଲି । ପ୍ରଦୀପର ସେବା କରିବା ପାଇଁ ଯେ ମୋର କେତେ ଆନନ୍ଦ । ପ୍ରତି ମୁହୂର୍ତ୍ତରେ ତା’ର ନିର୍ଦ୍ଦେଶକୁ ଅପେକ୍ଷା ନ କରି ତା’ ସେବା ଯତ୍ନ କରି ଚାଲୁଥିଲି ।

 

ଏଣେ ସୁରୁଜା ମା’କୁ ଦେଖିଲେ ମୋ ଦେହ, ମନ, ବିବ୍ରତ ହୋଇ ଉଠୁଥିଲା । ମୁଁ ମା’ହେବା ପାଇଁ ବିକଳରେ ହାଇଁ ପାଇଁ ହୋଇ ଉଠୁଥିଲି । ଭାବୁଥିଲି ଅଉ କେଇଟା ଦିନ ପରେ ସୁରୁଜା ମା’ର ସେଇ ଅନାଗତ ଭବିଷ୍ୟତର ବଳିଷ୍ଠ ସ୍ଵାକ୍ଷରକୁ ସ୍ଵୀକୃତି ଦେଇ ଜନ୍ମ ହେବ କଅଁଳା ଶିଶୁଟି । ଡଉଲ ଡାଉଲ ହେଇଥିବ । ତା’ର କୁନି କୁନି ପାଦ, ଟିକି ଟିକି ଆଖି, ଛୋଟିଆ ପାଟିଟିରେ ଦୋହରି ହସ କେଡ଼େ ସୁନ୍ଦର ସାଜିବନି ସତେ । ମୁଁ ସୁରୁଜା ମା’କୁ ତା’ ପିଲାଟିକୁ କୋଳେଇବା ପାଇଁ ମାଗିବି । ହେଲେ ସେ ମୋତେ ଦେଖିଲେ ତା’ ପିଲାଟିକୁ ପଣତ କାନି ତଳେ ଲୁଚାଇ ଦେବ-। କାରଣ ମୁଁ ପିଲା ରଙ୍କୁଣୀ । ମୋ ଦୃଷ୍ଟିରେ ପିଲାଟି ପଡ଼ିଲେ ମୁଁ କୁଆଡ଼େ ସେ ପିଲାଟିକୁ ଗ୍ରାସିଯିବି-

 

ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ମୋତେ ଯେମିତି ସମସ୍ତେ ପରି ଭଳି ମନେ ହେଉଥିଲେ । କେହି ଯେମିତି ଏ ଦୁନିଆରେ ମୋର ଆପଣାର ନାହାନ୍ତି । କେବଳ ଆପଣାର ଏଇ ପ୍ରଦୀପ । ଯିଏ ମୋ ମନର ଯନ୍ତ୍ରଣାକୁ–ଦୁଃଖକୁ–ଅବସାଦକୁ ତନ୍ନ ତନ୍ନ କରି ବୁଝିପାରେ ।

 

ପ୍ରଦୀପ ଘରେ ନ ଥିଲା । ଗାଁ ମୁଣ୍ଡ କ୍ଲବ ଘର ଆଡ଼େ ବୁଲି ଯାଇଥିଲା । ମୁଁ ଅଖିରୁ ଲୁହ ପୋଛି ତା’ ଘର ଭିତରକୁ ପଶି ଯାଇଥିଲି । କାନ୍ଥରେ ଟଙ୍ଗା ହୋଇଥିବା ମହା ମାନବ ମହାନ ଆତ୍ମା ଗୋପବନ୍ଧୁଙ୍କ ଫଟୋଟି ଆଡ଼କୁ ଚାହିଁଲି । ପ୍ରଦୀପ ଏବେ ଏଇଥର ଫଟୋଟି ଆଣି ଟାଙ୍ଗିଛି । ତା’ ତଳେ କେଇ ଧାଡ଼ି ପଂକ୍ତି ଲେଖା ଯାଇଥିଲା–

 

“ଜୀବନଟା ଖାଲି ନିରାଶର ବାଲି

ମରୁ ମରିଚିକା ସେନହ ପ୍ରୀତି ।

ତେବେ କି ଆଶାରେ କହ ଏ ସଂସାରେ

ପର ଲାଗି ନର ମରୁଛି ନିତି ।”

 

ସତେ ଯେମିତି ମୋ ଜୀବନର ପ୍ରତ୍ୟେକ୍ଷ ଦର୍ଶନକୁ ଗୋପବନ୍ଧୁ ତାଙ୍କ ପଦ୍ୟରେ ଲେଖି ଦେଇଛନ୍ତି । ମୋ ଜୀବନଟା ଯେମିତି ଖାଲି ମରୁଭୂମିରେ ନିରାଶାର ବାଲି ଭଳି । ଜୀବନ ଯାକ ଧାଇଁ ଧାଇଁ କେଉଁଠାରେ ମୁଁ ମରୁଦ୍ୟାନର ସନ୍ଧାନ ପାଇ ନାହିଁ । ଖାଲି ଯାଯାବର ଭଳି, ବେଦୁଇନ ଭଳି ଅସ୍ଥିର ମନ ନେଇ ଜୀବନ ଯାତ୍ରାର ମରୁଭୂମିର ନିରାଶା ବାଲିରେ ଧାଇଁଛି ।

 

କେହି ମୋର ଆପଣାର ନୁହନ୍ତି । ସମସ୍ତେ ପର ହୋଇଯାଇଛନ୍ତି । କେବଳ ସ୍ନେହ, ମମତା, ପ୍ରୀତିର କଲ୍ଲୋଳ ପାଇଁ ମୁଁ ବନ୍ଧା ହୋଇ ପଡ଼ିଛି । ପ୍ରଦୀପ ମୋର କିଏ ? କେହି ନୁହେଁ । କେବଳ ମନର ମମତା ପାଇଁ ମୁଁ ଜୀବନ ସାରା ତାକୁ ଝୁରି ହେଉଛି । ତା’ର ସ୍ମୃତି ସମୟର ଛାଇ ଭଳି ମୋତେ ଗ୍ରାସ କରିଯାଉଛି ଯେମିତି । ମୁଁ ତାରି ଛାଇର ବାହୁତଳେ ଆଶ୍ରୟ ନେବାକୁ ଆଶ୍ରା ଖୋଜୁଛି । ଡହଳ ବିକଳ ହେଉଛି ଟିକିଏ ସାନିଗ୍‌ଧ ପାଇଁ ।

 

ଯୌବନର ଶୋଷରେ ମୋ ତଣ୍ଟି ଶୁଖି ଯାଉଥିଲା । ମୁଁ ବିଦ୍ରୋହୀ ହୋଇ ଉଠୁଥିଲି । ମନେ ମନେ ନିଜ ଉପରେ ଚିଡ଼ି ଉଠୁଥିଲି । ମୁଁ କୌଣସି ନାରୀର ଜୀବନ ଦର୍ଶନ ସହିତ ନିଜକୁ ସାମିଲ କରି ପାରିନାହିଁ । ଖାଲି ଏକ ଊତ୍ସୋସିତ ଉନ୍ମାଦନା ପଛରେ ମରିଚିକା ଦେଖି ଧାଇଁଲା ଭଳି ଧାଇଁ ଚାଲିଛି । ଟିକିଏ ଶାନ୍ତି, ଟିକିଏ ଆଶ୍ୱସ୍ତି ପାଇଁ । ହେଲେ କାହାରି ପ୍ରଶାନ୍ତି ବକ୍ଷ ତଳେ ମୁହଁ ଗୁଞ୍ଜିବାକୁ ସ୍ଥାନ ପାଇ ନାହଁ । ସବୁଠି ଅଶାନ୍ତିର ସ୍ରୋତ । ସବୁଠି ଘୃଣା, ଅସୂୟାର ଆର୍ତ୍ତନାଦ । ତଥାପି ତା’ରି ମଧ୍ୟରେ ମଣିଷ ବଞ୍ଚି ରହେ ଯୁଗ ଯୁଗକୁ ।

 

ସବୁ କ୍ଷେତ୍ରରେ ନାରୀମାନେ କଷ୍ଟ ସହନ୍ତି ସତ ହେଲେ ନାରୀର ମନସ୍ତତ୍ତ୍ୱକୁ ପୁରୁଷ ଏତେ ସହଜରେ ବୁଝିପାରେ ନାହିଁ । ନାରୀ ତା’ ଯୌବନର ଛଟା ଖେଳାଇ, ଆଖିର ଚାହାଣୀର ଲାସ୍ୟ ଝରାଇ ଅଧର ନିକୋଣରୁ ମଧୁର ଭାଷା ଝରାଇ ପୁରୁଷର ମନ ପ୍ରାଣକୁ ମୋହି ଦିଏ । ତରଳି ଯାଏ ପୁରୁଷର ପଥର ଭଳି ରୁକ୍ଷ ହୃଦୟଟା । ସେ ନାରୀର ଛଳନା ନିକଟର ନିଜର ସମସ୍ତ ସତ୍ତାକୁ ହଜାଇ ବସେ । ସେଇ ଜୟ ଜୟକାର ଧ୍ଵନୀ ମଧ୍ୟରେ ନାରୀ ମନର ଆଭ୍ୟନ୍ତରଣରେ ଲୁଚି ରହିଥିବା ଇପ୍‌ସିତ ଇଚ୍ଛାମାନଙ୍କର କାମନାର ସ୍ଫୁରଣ ଘଟେ । ସେଇଠି ନାରୀ ଜୀବନର ଚରମ ସାର୍ଥକତା ଘଟେ । ସେ ଆତ୍ମତୃପ୍ତି ଲଭେ ।

 

ନାରୀ ମାନଙ୍କର ମୁହଁର ଭାଷା ସହିତ ମନର ଭାଷା ମେଳ ଖାଏ ନାହିଁ । ତେଣୁ ଯେ କୌଣସି ନାରୀକୁ ସୂକ୍ଷ୍ମ ଦୃଷ୍ଟି ନ ହେଲେ ଚିହ୍ନିବା ବଡ଼ କଷ୍ଟସାଧ୍ୟ ହୋଇ ପଡ଼େ । ମୁହଁକୁ ଦେଖି ଜୀବନ ଦର୍ଶନ ଚିହ୍ନିବା ସେମାନଙ୍କ କ୍ଷେତ୍ରରେ ସଫଳ ହୋଇ ନ ଥାଏ । ତେଣୁ ମୋ କ୍ଷେତ୍ରରେ ଏତଟା ସରଳ ହେବା ବୋକାମିର ପରିଚୟ ହେଉଥିଲା । ଏମିତି ହାଲୁକା ନଈର ସୁଅରେ ଭାସି ଭାସି ଗଲେ ଜୀବନ ଦର୍ଶନର ମୋଡ଼ ପରିବର୍ତ୍ତନ ହୁଏ ନାହଁ । ତେଣୁ ନିଜକୁ ଯୌଗିକ ମନୋବୃତ୍ତିର ବୁଢ଼ୀଆଣୀ ଜାଲରେ ଛନ୍ଦି ହୋଇ ଯାଉଥିଲି । ମନ ହୃଦୟକୁ ପାହାଡ଼ ଦେହରେ ଥିବା ସ୍ଥିତିହୀନ ଶୀଳାଖଣ୍ଡ ଭଳି କଠିନ କରୁଥିଲି ।

 

ପୃଥିବୀ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର ସମସ୍ତେ ନିଜ ନିଜର ସ୍ଥିତିରେ ଥାଆନ୍ତୁ । ରାଇ ଭାଇ ସ୍ଵାମୀ ହିସାବରେ ଦୁନିଆ ଆଗରେ କାଚ ଦର୍ପଣରେ ଚିକ୍ ଚିକ୍ କରୁଥାଆନ୍ତୁ । ପ୍ରଦୀପ ପୁଅ ହୋଇ ସମାଜ ଆଖିରେ ସ୍ନେହ, ପ୍ରେମର ମନ୍ଦାକିନୀ ଧାରାରେ ଭାସି ଯାଉ । ମୁଁ ପରମ୍ପରାର ଆଦର୍ଶ ହୋଇ ଚୌଧୂରୀ ଘରର କୂଳବୋହୂ ହୋଇଥାଏ । ହେଲେ ମୋ ଦେହ ମନରେ ଖନ୍ଦି ହୋଇଥିବା ଯୌବନର ଉତ୍ତାପକୁ, ବୟସର କ୍ଷୁଧାକୁ ଚାରିତାର୍ଥ କରିବାରେ ମୁଁ କାହିଁକି ପଛେଇ ଯିବି ।

 

ଏ ଦୁନିଆରେ ସମସ୍ତେ ସ୍ଵାର୍ଥପର । ନିଜର ସାମାନ୍ୟତମ ସ୍ଵାର୍ଥ ପାଇଁ ଅନ୍ୟ ତଣ୍ଟିରେ ଛୁରୀ ଲଗାଇ ଦେବାକୁ ପଛଉ ନାହାନ୍ତି । ନିଜର କିଞ୍ଚିତ ସୁଖ ସାମଗ୍ରୀ ପାଇଁ କେତେ ନିରୀହ ପ୍ରାଣ ଅସହାୟରେ ଛଟ ପଟ ହୋଇ ମରୁଛନ୍ତି । ମୁଁ ବା କାହିଁକି ଅନ୍ୟକୁ ଆଲୋକିତ କରି ଶେଷରେ ଛଟ ପଟ ହୋଇ ଜୀବନ ସାରା ମରିବି । କେଉଁ ଇତିହାସର ପୃଷ୍ଠାରେ ମୋ ଆଦର୍ଶବାଦୀତା ସମ୍ପର୍କରେ କାହାଣୀ ଲେଖା ହୋଇ ରହିବ । ଅନେକ ଲୋକ ଅତି ଅସହାୟ ଭାବରେ, ଅତି କରୁଣ ଭାବରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ମା’ ହରାଇଥିଲା ପୁଅକୁ । ସ୍ତ୍ରୀ ହରାଇଥିଲା ସ୍ଵାମୀକୁ, ଉଉଣୀ ହରାଇଥିଲା ଭାଇକୁ । କାହିଁ ସେମାନଙ୍କ ନାଁ ତ ଇତିହାସ ପୃଷ୍ଠାରେ ଲେଖା ହେଲା ନାହଁ । ହୁଏତ ଇଂରେଜମାନଙ୍କର ଗୋଡ଼ାଣିଆ ହୋଇଥିଲେ ପଦ ପଦବୀ ଧରି ଆଜି ବେଶ ସେମାନେ ଶାନ୍ତିରେ ଥାଆନ୍ତେ ।

 

ମୁଁ ନିଜ ଉତ୍ସୃଙ୍ଖଳିତ ମନକୁ ସଙ୍ଗଠିତ କରୁଥିଲି । ସବୁ ଆଦର୍ଶର ସ୍ଥିତିକୁ ବଜାଇ ରଖି ମୁଁ ମୋ ଯୌବନକୁ ଚରିତାର୍ଥ କରିବି ମୋ ମନର ମାନସ ନିକଟରେ । ସୁରୁଜା ମା’ଭଳି ମୁଁ ବି ମା’ ହେବି । କୁନି ପୁଅକୁ କୋଳରେ ଧରି ଗେଲ କରିବି । ତାକୁ କାଖେଇ କୋଳେଇ ମଣିଷ କରିବି । ତେବେ ଯାଇ ମୋ ମନ ହୃଦୟ ଶାନ୍ତି ହେବ ।

 

ରାଇ ଭାଇ ଜରୁରୀ କାର୍ଯ୍ୟରେ କଟକ ଯାଇଥିଲେ । ସେଦିନ ସେ ଫେରିବାକୁ ମନା କରିଦେଇ ଥାଆନ୍ତି । ଅଚାନକ ବର୍ଷାଟା କେଉଁଠି ଥିଲା ସେଦିନ ସକାଳଠାରୁ ଝିପ୍ ଝିପ୍ ଆରମ୍ଭ କରି ଦେଇଥିଲା । ପାଗଟା ବେଶ ଥଣ୍ଡା । ବେଳେବେଳେ ଏମିତି ଅସ୍ତ ବୈଶାଖରେ ଅନକ କୂଆପଥର ବୃଷ୍ଟି ହୋଇ ଲଗାଣ ବର୍ଷା ହୁଏ । ସେ ବର୍ଷା ଖରା ଦିନଟାରେ ଭାରି ଉପଭୋଗ୍ୟ । ଦେହ, ମନକୁ ଥଣ୍ଡା କରିଦିଏ । ଛାତି ଭିତରେ ଅଜଣା ଶୀତର ଆତଙ୍କ ବିବ୍ରତ କରିପକାଏ । ସେ ଶୀତକୁ ଉପଶମ କରିବା ପାଇଁ ପ୍ରିୟ ଖୋଜେ ପ୍ରିୟାକୁ । ସ୍ତ୍ରୀ ଖୋଜେ ସ୍ଵାମୀର ପ୍ରଶସ୍ତ ଛାତିରେ ବହଳ ମାଂସପେଶୀର ଉତ୍ତାପକୁ । କିଛି ସମୟ ନିଜକୁ ଜଡ଼ାଇ ଧରିଲେ ବେଶ ଦେହ, ମନ ସମତାକୁ ଆସିଯାଏ ।

 

ସେଦିନ ସକାଳଟା ଭାରି ବିରକ୍ତିକର ଲାଗୁଥାଏ । ରେଷେଇ ବାସ କରିବାକୁ ମୋଟେ ଭଲ ଲାଗୁ ନ ଥାଏ । ସବୁବେଳେ ଏମିତି ଶୋଇ ଶୋଇ ତକିଆଟିକୁ ଛାତି ଉପରେ ଚାପି ଧରି ଅତୀତକୁ ସ୍ଵପ୍ନ ଦେଖିବାକୁ ଭାରି ଭଲ ଲାଗୁଥାଏ । ଆଜିର ଏ ଥଣ୍ଡା ପାଗରେ ରାଇ ଭାଇଙ୍କର ଅନୁପସ୍ଥିତିକୁ ମୁଁ ମନେ ମନେ ବିରକ୍ତି ପ୍ରକାଶ କରୁଥିଲି । କାଠ ପାଷାଣ ଦେହରେ ଅନ୍ତତଃ କିଛି ସମୟ ନଜକୁ ଜଡ଼ାଇ ଧରିଲେ ଦେହରେ କିଛି ପରିବର୍ତ୍ତନ ନ ହେଲେ ବି, ମନରେ କିଛିଟା ପରିବର୍ତ୍ତନ ଆସିପାରେ ।

 

ଆର ଘରେ ପ୍ରଦୀପ ।

 

ଆଉ ଏ ଘରେ ମୁଁ ।

 

ଦୁଇଟି ଅତୃପ୍ତ ଆତ୍ମା ଆତ୍ମ ଦହନର ଅନ୍ତର୍ଦ୍ଦାହରେ ଛଟପଟ ହେଉଥିଲୁ । ହେଲେ ମୁହଁ ଖୋଲି କେହି କାହାକୁ କିଛି କହି ପାରୁ ନ ଥିଲୁ । ସମାଜର ଆଇନ୍‍କାନୁନ ଆମ ଦୁଇଜଣଙ୍କ ମଧ୍ୟରେ ଏକ ବିରାଟ ରୁକ୍ଷ ପାହାଡ଼ ତିଆରି କରି ଦେଇଥିଲା । ମୁଁ ମା’ ଆଉ ସେ ପୁଅ । ତେଣୁ ଆମେ ଯେଝା ମନରେ ଯେଝା ଚୁପ୍ ଚାପ୍ ।

 

ମୁଁ ପ୍ରଦୀପ ପାଇଁ ବାଧ୍ୟ ହୋଇ ରୋଷେଇ କରିଥିଲି । ହୁଏତ ପ୍ରଦୀପ ନ ଥିଲେ ମୁଁ ସେମିତି ଓପାସ ଶୋଇଯାଇ ଥାଆନ୍ତି । ଓପର ଓଳି ସୁରୁଜା ମା’ କାମ କରିବାକୁ ଆସିନି । ଆଜିର ଏ ଥଣ୍ଡା ପାଗରେ ନିଜ ବୃଦ୍ଧ ସ୍ଵାମୀକୁ ଧରି ତୃଷ୍ଣା ଅପରୋଦନ କରୁଛି । ବିଚାରୀ ଆଉ ଦିନ କେଇଟାରେ ଆଉ ଗୋଟିଏ ସନ୍ତାନର ମା’ ହେବ, ତେଣୁ ଆଜିର ଏ ପାଗ ତାକୁ ବିଶ୍ରାମ ଦେଇଛି । ତେଣୁ ମୁଁ ଇଚ୍ଛା କରି ବି ଡକାଇ ପାରି ନ ଥିଲି । ବାସନ କୁସନ ନିଜେ ଧୋଇ ଦେଇଥିଲି । ଘର ବାହାର ନିଜେ ଓଳେଇ ଦେଇଥିଲି ।

 

ବର୍ଷାର ପ୍ରକୋପ ଆହୁରି ଜୋରରେ ବଢ଼ି ଚାଲୁଥିଲା । ତା’ ସାଙ୍ଗକୁ ପବନ, ବିଜୁଳି, ଘଡ଼ଘଡ଼ିରେ ଚଉଦିଗ କମ୍ପି ଉଠୁଥିଲା । ଆଉ ରାତିକି ରୋଷେଇ କରିବା ଦରକାର ନ ଥିଲା । ପ୍ରଦୀପ ରାତିରେ ଭାତ ଖାଏ ନାହିଁ । କ୍ଷୀର ପି’ ଦେଇ ଶୋଇ ପଡ଼ିବ । ମୁଁ କ’ଣ ଏଣୁ ତେଣୁ ପାଟିରେ ଦି’ଟା ଦେଇ ଶୋଇ ପଡ଼ିବି ବୋଲି ସ୍ଥିର କରିଥିଲି ।

 

ଘର ଖଞ୍ଜାଟା ଶୁନ୍ ଶାନ୍ । ଅଦିନ ପବନ ଚକା ଉଉଁରୀ ଖେଳୁଥିଳା । ଆର ଘରେ ପ୍ରଦୀପ । ଆଉ ଏ ଘରେ ମୁଁ, ଏକା ଏକା । ମୁଁ ଶୋଇ ଶୋଇ ଅତୀତକୁ ଫେରି ଯାଉଥିଲି । ଅତୀତର ବିତି ଯାଇଥିବା ସାବଲୀଳ ସ୍ମୃତିକୁ ଜାବୁଡ଼ି ଧରି ରୋମାଞ୍ଚିତ ହୋଇ ଉଠୁଥିଲି । ଏଇ ପ୍ରଦୀପକୁ ନେଇ କେତେ ହସ ଖୁସିର ଦିନ ବିତି ଯାଇ ନଥିଲା ସତେ ? ସେଇ ପିଲାଦିନର ପରୀକ୍ଷା ବେଳର କଥା । ପ୍ରଦୀପର ସେଇ କାନ୍ଦ କାନ୍ଦ ମୁହଁ । ନଈପଠାରେ ସାଙ୍ଗ ହୋଇ ବୁଲିବାର ପ୍ରୀତିଭରା ସ୍ମୃତି । ଅପା ନିକଟରେ ବସି ଦୁଇ ଜଣଙ୍କର କେଡ଼େ ଅଳି ଅର୍ଦ୍ଦଳୀ । ଆମ ଦୁଇ ଜଣକୁ ପାଇଲେ ଅପା କେତେ ଖୁସି ହେଉ ନ ଥିଲା ସତେ ?

 

ସବୁ ଅତୀତ ଏକାକାର ହୋଇ ଯାଉଥିଲା । ହେଲେ ଅତୀତ ଆଉ ବର୍ତ୍ତମାନର ଦୂରତ୍ଵ ଯେମିତି ଆକାଶ ପାତାଳର ଦୂରତ୍ଵ ପରି ଆଖି ପାଉ ନ ଥିଲା । ସେଦିନର ପ୍ରଦୀପ କେତେ ଚଳଚଞ୍ଚଳ । ଉଛୁଳା ବନ୍ୟ ଝରଣାଟି ପରି ସବୁଜ, ଆଉ ସତେଜ । ହେଲେ ଆଜି ଯେମିତି ସେ ନିଷ୍ଠୁର, ରୁକ୍ଷ ହୋଇ ଉଠୁଛି । ଗମ୍ଭୀରତା ତା’ ଦେହ ମନରେ ଛାଇ ହୋଇ ଯାଇଛି । ପାଞ୍ଚ ଦଶ ପଦ କଥା ପଚାରିଲେ ପଦୁଟିଏ ପାଟିରୁ ବାହାରୁ ନାହିଁ ।

 

ଏହା ମଧ୍ୟରେ କେତେବଳେ ସନ୍ଧ୍ୟା ହୋଇ ଯାଇଥିଲା ତାହା ମୁଁ ଜାଣି ପାରି ନ ଥିଲି । ଝଡ଼ ବର୍ଷାର ପ୍ରକୋପ ଆହୁରି ବଢ଼ି ଯାଇଥିଲା । ମୁଁ ସେ ଥଣ୍ଡା ପାଗରେ ଶୀତରେ କାତର ହୋଇଯିବା ପରିବର୍ତ୍ତେ ଯୌବନର ଉତ୍ତାପରେ ଉତ୍ତପ୍ତ ହୋଇ ଉଠୁଥିଲି । ମାଂସପେଶୀରେ ଅଜସ୍ର ଯନ୍ତ୍ରଣାର ସ୍ଵର ଅନୁଭବ କରୁଥିଲି । ରକ୍ତ କଣିକା ଗୁଡ଼ାକ ଯେମିତି ଟକ୍ ମକ୍ ହୋଇ ଫୁଟି ଉଠୁଥିଲେ । ଦେହ ଆଉ ମନର ଆୟତ୍ତରେ ନ ଥିଲା ।

 

ବିବେକ–ମନ ଦେହ ମଧ୍ୟରେ ଦ୍ଵନ୍ଦର ସଘର୍ଷ । ମନ କହୁଥିଲା–

 

–ଶିଖା ଏ ସୁଯୋଗକୁ ଯଦି ସଦ୍‌ଉପଯୋଗରେ ଲଗାଇ ନ ପାରିବୁ ତା’ହେଲେ ଜୀବନ ତୋର ବ୍ୟର୍ଥ ହୋଇଯିବ । ଆଉ କେବେ ଜୀବନରେ ତୁ ଏହି ସୁବର୍ଣ୍ଣ ସୁଯୋଗ ପାଇବୁ ନାହିଁ । ଆଜିର ଏ ଝଡ଼ ବର୍ଷାର ରାତି । ପୁଣି ତୋ’ ମନର ମଣିଷ ଏତେ ନିକଟରେ ଥାଉଁ ଥାଉଁ ତୁ ଯୌବନର ଅନଳରେ ଜଳି ପୋଡ଼ି ମରିବୁ । ଥରେ ପ୍ରଦୀପର ବାହୁ ବନ୍ଧନ ମଧ୍ୟରେ ଛନ୍ଦି ହୋଇଗଲେ ଜୀବନର ସବୁ ସାର୍ଥକତା ମେଣ୍ଟିଯିବ । ଏପର୍ଯ୍ୟନ୍ତ ତୁ ନାରୀ ହୋଇ ପୁରୁଷ ସହିତ ମିଳିତ ହୋଇ ସଂଭୋଗ ସୁଖ କ’ଣ ଜାଣି ପାରିଲୁ ନାହିଁ । ତା’ହେଲେ ତୋ’ ନାରୀ ହୋଇ ଜନ୍ମ ହେବାରେ କି ଆବଶ୍ୟକତା ଥିଲା । ତେଣୁ ଏ ସୁଯୋଗ ଥରେ ହରାଇଲେ ତୁ ପାଇବୁନି ଶିଖା । ଘରେ ଚନ୍ଦ୍ରଶେଣା ସ୍ଵରୂପ ରାଇ ଭାଇ ତୋର ନାହିଁ । କେହି ଏ ଘଟଣାର ସତ୍ତା ସୁଦ୍ଧା ପାଇ ପାରିବେ ନାହିଁ । ତେଣୁ ତୁ କାଳ ବିଳମ୍ବ ନ କରି ଆଗେଇଯା ଶିଖା ?

 

ବିବ୍ରତ ହୋଇ ଉଠୁଥିଲି । ମୋ ଦେହ ମଧ୍ୟରେ ଯେମିତି ଅଜସ୍ର ଝଡ଼ର ପ୍ରକୋପ । ତନୁ ମନ କମ୍ପି ଉଠୁଥିଲା । କାନ ମୁଣ୍ଡ ଝାଁଏ ଝାଁଏ ହୋଇ ଉଠୁଥିଲା । କ’ଣ କରିବି, କ’ଣ ନ କରିବି, କିଛି ଚିନ୍ତା କରି ପାରୁ ନ ଥିଲି । ଚିନ୍ତା, ଚେତନା ଶକ୍ତି ମୋର ଯେମିତି ଲୋପ ପାଇ ଯାଉଥିଲା ।

 

ମୁଁ ପଲଙ୍କ ଉପରୁ ଉଠି ଠିଆ ହେଲି । ଦେହ ମୁଣ୍ଡ ଥରୁଥିଲା । ମନକୁ ଦୃଢ଼ କରୁଥିଲି । ରାତି କେତେ ଗୁଡ଼ାଏ ଆସି ହେଲାଣି । ପ୍ରଦୀପ ପାଖକୁ ପାଣି ଗ୍ଲାସ ନେଇ ଯିବି । ମୋ କଥାକୁ ସେ କେବେ ଅମାନ୍ୟ କରି ନାହିଁ । ମୋ ଆତ୍ମ ନିବେଦନ କେବେ ହେଲେ ବ୍ୟର୍ଥ ହୋଇନାହିଁ । ପ୍ରଦୀପର ମନ ହୃଦୟକୁ କେହି ନ ବୁଝିଲେ ବି ବେଶ୍ କରି ବୁଝିଥିଲି ।

 

ସେ ମୋ ପ୍ରଦୀପ ।

 

ଏକାନ୍ତ ଭାବେ ମୋର ।

 

ମୋ ପ୍ରାଣର–ମୋ ହୃଦୟର, ମୋ ମନ ଗହନର ପ୍ରଦୀପ ।

 

ହେଲେ ମନ ମଧ୍ୟରେ ଆଶାର ସମୁଦ୍ର ତିଆରି କରି ବସିଲେ ବିବେକ ତାହାକୁ ପ୍ରତିହତ କରୁଥିଲା । ବିବେକ ଯେମିତି ମୋତେ ଚେତେଇ ଦେଉଥିଲା–

 

ଶିଖା, ପ୍ରଦୀପ ଆଉ ତୋ ମଧ୍ୟରେ ଯାହା ସ୍ନେହ, ପ୍ରେମର ସମ୍ପର୍କ ଥିଲେ ବି ଦୁନିଆ ଦୃଷ୍ଟିରେ ସେ ତୋର ପୁଅ । ଅତୀତରେ ଦିନେ ତୁ ତା’ର ମାଉସୀ ଥିଲୁ । ଆଜି ହୁଏତ ମା’ ହୋଇଛୁ-। ମା’ ଆଉ ମାଉସୀ ମଧ୍ୟରେ ପ୍ରଭେଦ ବା କେତେ ? ହେଲେ ସମାଜ କ’ଣ କହିବ । ପୁଅ ସହିତ ମା’ର ଅବୈଧ ଯୌନ ସମ୍ପର୍କକୁ କ’ଣ ସମାଜ କ୍ଷମା ଦେବ । ତୁ ଧର୍ମ ଦ୍ରୋହୀ ହେବୁ । ନର୍କରେ ପଡ଼ିବୁ । ଅଧର୍ମ, ମିଥ୍ୟା, ଅସତ କାର୍ଯ୍ୟ କେବେ ହେଲେ ଲୁଚି ରହିବ ନାହିଁ । ଦିନେ ନା ଦିନେ ତୁ ଦୁନିଆର ଦରବାରରେ ଦଣ୍ଡିତ ହେବୁ । ଏ ପାପ କଥା ସମସ୍ତେ ଜାଣିବେ । ସେତେବେଳେ ଏ ସମାଜରେ ତୋତେ ସ୍ଥାନ ମିଳିବ ନାହିଁ । ବରଂ ପ୍ରଦୀପକୁ ମାତୃ ସ୍ନେହରେ ବାନ୍ଧିରଖିଲେ ତୁ ଜୀବନ ସାରା ଖୁସି ହେବୁ । ପ୍ରଦୀପ କାଲି ପରି ବାହା ଚୋରା ହେବ । ଘରକୁ ନାଲି ଟୁଁ....ଟୁଁ....ସାଧବ ବୋହୁଟିଏ ଆଣିବ । ତୋ’ ଘର ହସି ଉଠିବ । ପିଲା ଛୁଆରେ ଏ ଚୌଧୂରୀ ବଂଶ କଲ୍ଲୋଳିତ ହୋଇ ଉଠିବ ।

 

ନା ।

 

ମୁଁ ବିବ୍ରତ ଭାବରେ, ଅତି ଭାବପ୍ରବଣ ହୋଇ ଚିତ୍କାର କରି ଉଠିଲି । ପ୍ରଦୀପ ବାହା ହୋଇ ଘର ସଂସାର କରିବ । ଆଉ ଗୋଟିଏ ଝିଅ ଆସି ପ୍ରଦୀକୁ ବାହୁ ବନ୍ଧନ ମଧ୍ୟରେ ଛନ୍ଦି ହେଇ ତା’ ଉପରେ କତୃତ୍ଵ ଜାହିର କରିବ । ମୁଁ ଏହା ମୋଟେ ସହି ପାରିବି ନାହିଁ । ପ୍ରଦୀପ ମୋର, ଏକାନ୍ତ ଭାବେ ମୋର । ପ୍ରଦୀପ ମୋ ହାତରେ ମାଟି ଖେଳନା, ମୁଁ ତା’ ହାତରେ ସକି କଣ୍ଢେଇ । ଯେଝା ଇଙ୍ଗିତରେ ପରସ୍ପର ନାଚି ଶିଖିବୁ । କେହି କାହାଠାରୁ ମୁହୂର୍ତ୍ତେ ଅନ୍ତରରେ ଦୂରେଇ ଯାଇ ପାରିବୁ ନାହିଁ ।

 

ପର ମୁହୂର୍ତ୍ତରେ ମନ କହୁଥିଲା–

 

ଶିଖା, ପୁରାଣ ଶାସ୍ତ୍ର, ଧର୍ମଗ୍ରନ୍ଥ ମାନଙ୍କରେ ଏମିତି ମଧ୍ୟ ପ୍ରବାଦ ଅଛି ଯେଉଁ ପାପ କରି ମଧ୍ୟ ସତୀ ନାରୀମାନେ ଅସତୀ ହୋଇ ନାହାନ୍ତି । ନିଜର ସ୍ଵାର୍ଥସିଦ୍ଧି ତଥା ଅନ୍ୟକୁ ଆଲୋକିତ କରିବାକୁ ଯାଇ ଯେଉଁ ପାପ ଅର୍ଜନ କରାଯାଏ ତାହା ପାପ ନୁହେଁ । ତା’ରା, ବାଳୀ ବଦ୍ଧ ପରେ ସୁଗ୍ରୀବଙ୍କୁ ସ୍ଵାମୀ ରୂପେ ବରଣ କରି ନେଇଥିଲା । ମନ୍ଦୋଦୋରୀ ରାବଣ ନିହତ ପରେ ବିଭୀଷଣଙ୍କୁ ପତି ରୂପେ ବରଣ କରିଥିଲା, ସତୀ ଦୌପଦୀ ଏକା ଧାରରେ ପାଞ୍ଚଗୋଟି ସ୍ଵାମୀ ବରଣ କରିଥିଲେ । ସତୀ ସାବିତ୍ରୀ ତାଙ୍କ ବାପ ମା’ଙ୍କ କଥାକୁ ଅମାନ୍ୟ କରି ନିଜ ଇଚ୍ଛାରେ ପତି ବରଣ କରିଥିଲେ ।

 

ଏହା କ’ଣ ପାପ ନୁହେଁ ?

 

ତଥାପି ସେମାନେ ସତୀ ?

 

ତା’ହେଲେ ତୁ କାହିଁକ ଅସତୀ ହେବୁ । ତୁ ଯଦି ନାରୀ ହୋଇ ଜୀବନର ସ୍ଵାଦ ଚାଖି ପାରିଲୁ ନାହଁ ତା’ ହେଲେ ଚୌଧୂରୀ ବଂଶ ନିଃସନ୍ତାନ ହୋଇଯିବ । ପାଳକ ପୁଅ ଦ୍ଵାରା କ’ଣ କେବେ ବଂଶରକ୍ଷା ହେଲାଣି । ସମାଜ ଦୃଷ୍ଟିରେ ଚୌଧୂରୀ ବଂଶର କୁଳଦୀପ ଜାଳିବାକୁ ହେଲେ ତୋରି ଗର୍ଭରେ ସନ୍ତାନ ଜାତ ହେବା ଆବଶ୍ୟକ । ତୁ ଯାହାକୁ ଅଘଟଣ ବୋଲି ଭାବୁଛୁ, ସେ ଅଘଟଣ ନୁହେଁ ବରଂ ବୁଦ୍ଧିମାନର କାର୍ଯ୍ୟ ହେବ । ସମାଜର ଆଭ୍ୟନ୍ତରଣରେ ଏମିତି ଅନେକ ଘଟଣା, ଦୁର୍ଘଟଣା, ଅଘଟଣମାନ ଘଟିଯାଏ । ହେଲେ କେହି ତା’ର ସତ୍ତା ବି ପାଆନ୍ତି ନାହିଁ । ଇତିହାସ ବର୍ଣ୍ଣିତ ଚାରୁକଳା କିର୍ତ୍ତିସ୍ତମ୍ଭ କୋଣାର୍କର କିମ୍ବଦନ୍ତୀକୁ ପାଠ କଲେ ଜଣା ପଡ଼େ ବାରବର୍ଷର ବାଳୁତ ଧର୍ମପଦ କୋଣାର୍କର ମୁଣ୍ଡିମାରି ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଥିଲା । ହେଲେ ବାରଶହ ବଢ଼େଇଙ୍କର ଅପାରଗତା ରଜା ଜାଣିବେ ବୋଲି ଧର୍ମପଦକୁ ସେ ମାରି ଦିଆଯାଇଥିଲା, ଏ କଥା କେଉଁ ଇତିହାସ ଲେଖି ରଖିଥିଲା । ଜୀବନରେ ଥରେ ଭୁଲ କଲେ ଆଉ ଥରେ ସୁଧାରି ହୁଏନା । ସୁରୁଜା ମା’ ବୁଢ଼ୀ ହୋଇ ଏ ବୟସରେ ମା’ ହେଲା, କାଲି ପୁଣି ପ୍ରଦୀପ ବାହା ହୋଇ ଏ ଘରେ ପିଲା ଛୁଆରେ ସଂସାର ହସି ଉଠିବ । ଅଥଚ ତୁ..... ?

 

ମନ ଆଉ ବିବେକର ଘମାଘୋଟ ସଂଘର୍ଷ ପରେ ବିବେକ ପରାସ୍ତ ହୋଇ ଯାଇଥିଲା । ପ୍ରକୃତି, ମନ, ଜୟ ଜୟକାର ଧ୍ଵନୀରେ ଗଗନ ପବନ ମୁଖରିତ କରିଥିଲେ । ମୁଁ ମନ ମଧ୍ୟରେ ପାଷାଣ ଭଳି ଦୃଢ଼ ହୋଇ ଉଠିଥିଲି । ବେଶଭୂଷା ଅସଞ୍ଜତ । ମୁଣ୍ଡର କେଶ ଗୁଛ ମୁକୁଳା । ବାହାରେ ବର୍ଷାର ରିମ୍ ଝିମ୍ ଗୀତ । ମୁହୂର୍ତ୍ତ ମୁହୂର୍ତ୍ତ ଧରି ବିଜୁଳି ଘଡ଼ଘଡ଼ିମାନଙ୍କର ଗର୍ଜନ ତର୍ଜନ । ପବନର କ୍ରମାଗତ ସୁ.....ସୁ......ଶବ୍ଦ ମଧ୍ୟରେ ମୁଁ ହାତରେ କ୍ଷୀର ଗ୍ଲାସଟିଏ ଧରି ପାଦ ବଢ଼ାଇଥିଲି ପ୍ରଦୀପର ଘର ଆଡ଼କୁ ।

 

ରାତି ସେତେବେଳକୁ ଅନେକ ହେଲାଣି । ପ୍ରଦୀପ ନିର୍ବିକାର ଚିତ୍ତରେ ଶୋଇ ଯାଇଥିଲା । ପଲଙ୍କ ପାଖକୁ ଲଣ୍ଠନଟି ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ପଢ଼ୁଥିବା ବହିଟି ପେଟ ଉପରେ ଥୁଆ ହୋଇଥିଲା । ପଢ଼ୁ ପଢ଼ୁ ପ୍ରଦୀପ ଶୋଇ ଯାଇଥିଲା । ମୁଁ ଟେବୁଲଟି ପାଖରେ ଯାଇ ଅଟକି ଗଲି । ଦେହ ମୁଣ୍ଡ ଅଜଣା ଆତଙ୍କରେ ଥରୁଥିଲା । ପାଦ ଦୁଇଟି ଆଗକୁ ବଢ଼ାଇବା ପାଇଁ ସାହାସ ହଉ ନ ଥିଲା । ତଥାପି ? ତଥାପି ମନରେ ଦମ୍ଭଧରି ଟେବୁଲ ଉପରେ ଦୁଧ ଗ୍ଲାସଟି ଥୋଇଥିଲି ।

 

ତା’ପରେ ?

 

ତା’ପରେ ଆସ୍ତେ ଆସ୍ତେ ଯାଇ ପ୍ରଦୀପର ପଲଙ୍କ ଧାରରେ ବସି ରହିଲି । ସେତେବେଳେ ମୁଁ ଅନୁଧ୍ୟାନ କରୁଥିଲି ପଦୀପ ମୋତେ ଆହୁରି ସୁନ୍ଦର ଦେଖା ଯାଉଥିଲା । ପ୍ରଦୀପର ବଳିଷ୍ଠ ଦେହଟା କେଡ଼େ ସୁନ୍ଦର, ସତେଜ ସତେ । ଗୋରା ଦେହଟାର ବଳିଲା ବଳିଲା ମାଂସପେଶୀ ଲଣ୍ଠନର କ୍ଷୀଣ ଆଲୋକରେ ଚିକ୍ ଚିକ୍ କରିଉଠୁଥିଲା । ତା’ ଅପରୂପ ସୌନ୍ଦର୍ଯ୍ୟ, ବଳିଷ୍ଠ ପୌରୁଷତ୍ଵ, ଗାମ୍ଭୀର୍ଯ୍ୟପୁର୍ଣ୍ଣ ନୈତିକତା ଯେମିତ ପ୍ରଜ୍ଜ୍ୱୋଳିତ ହୋଇ ଉଠୁଥିଲା । ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ଥାକଦିଆ ବାଳ । ନାକତଳରେ ସେ ବହଳ ସରୁ ନିଶ ହଳକ ବେଶ୍ ଗୋଲ ମୁହଁକୁ ସୁନ୍ଦର ମାନୁଥିଲା । ଉଲଗ୍ନ ଛାତିଟାରେ ଯେମିତି ତା’ର ମେଞ୍ଚା ମେଞ୍ଚା ଯୌବନ ଖୁନ୍ଦି ହୋଇଥିଲା ।

 

ମୁଁ ପ୍ରଦୀପର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କାମନାର ଜ୍ଵଳନରେ ଅନ୍ଧ ହୋଇ ଉଠୁଥିଲି । ନାକପୁଡ଼ାରେ ଘନ ଘନ ଦୀର୍ଘଶ୍ଵାସ ଚାଲୁଥିଲା । ହୃତପିଣ୍ଡରେ ଅଜସ୍ର କମ୍ପନର ସ୍ଵର ଉତ୍ତୋଳନ ହେଉଥିଲା । ଥଣ୍ଡା ପାଗଟାରେ ବି ମୋ ଦେହରେ ଝାଳ କଞ୍ଚି ଆସୁଥିଲା । ଦେହ, ମନ ମୋର ଅମାନିଆ ହୋଇ ମୋ ଆୟତର ସୀମା ବାହାରକୁ ଚାଲି ଯାଉଥିଲେ । ଅସଞ୍ଜତ ଭାବରେ ଛାତିରୁ, ମୁଣ୍ଡରୁ ଲୁଗା ଖସି ଯାଇଥିଲା ମୁଁ ଆସ୍ତେ କରି ପ୍ରଦୀପ ଛାତି ଉପରୁ ବହିଟିକୁ ଆଣି ଟେବୁଲ ଉପରେ ଥୋଇ ଦେଇଥିଲି ।

 

ମୋ କଅଁଳ ହାତର ପରଶରେ ପ୍ରଦୀପ ଧଡ଼ କରି ଉଠିପଡ଼ିଥିଲା । ମୋତେ ସେ ଅସମୟରେ ଏ ଦେଶରେ ଦେଖି ବିସ୍ମୟରେ ଚକିତ ହୋଇ ଯାଇଥିଲା । ବିବେକ ତାକୁ ପ୍ରତିହତ କଲେ ବି ପ୍ରକୃତି ତା’ ଆଖି ଦୁଇଟାକୁ ଅଟକାଇ ପାରି ନ ଥିଲା । ତା’ ଆଖିରେ ଥିବା ପୋ’ଡୋଳାର ଦୃଷ୍ଟିଶକ୍ତି ନିମିଷକ ମଧ୍ୟରେ ମୋ ଛାତିର ଅସୁସ୍ଥ ସଭ୍ୟତା ଉପରେ ଘୂରି ଯାଇଥିଲା ।

 

ପ୍ରଦୀପର ଦୁର୍ବଳତାକୁ ଲକ୍ଷ୍ୟକରି ମୁଁ ମୁହୂର୍ତ୍ତଟିଏ ଅପେକ୍ଷା ନ କରି ତାଙ୍କୁ ଜାବୁଡ଼ି ଧରିଥିଲି । ବିକଳରେ ତାକୁ କହିଥିଲି–

 

ପ୍ରଦୀପ ତମେ ମୋତେ ବଞ୍ଚାଅ । ମୁଁ ଆଉ ସାହି ପାରୁନି । ନିଜ ଦେହର ମାଂସପେଶୀରେ ତିଆରି ଆବଦ୍ଧ କୋଠରୀ ମଧ୍ୟରେ ମୋର ବହଳ ଯୌବନକୁ ମୁଁ ସାଇତି ରଖି ପାରୁନି । କେତେ ଦିନ ମୁଁ ଏମିତି କାଠ, ପାଷାଣଟା ନିକଟରେ ଚୌଧୂରୀ ବଂଶର କୂଳବଧୂ ରୂପେ ମାଟି କଣ୍ଢେଇ ଭଳି ଅଭିନୟ କରି ଚାଲୁଥିବି । ମୁଁ ଜଣେ ସମସ୍ତଙ୍କ ଭଳି ନାରୀ । ମୋର ମନ ଅଛି, ଯୌବନ ଅଛି, ଦେହର କ୍ଷୁଧା ଅଛି । ରକ୍ତ ମାଂସରେ ତିଆରି ଦେହଟାରେ ଉନ୍ମୁଖ ଯୌବନର, ଦୈହିକ କାମନାର, ଉତ୍ତାପ ଅଛି । ବଳିଷ୍ଠ ଯୌବନର ଯନ୍ତ୍ରଣାକୁ ମୁଁ ଆଉ ମୋଟେ ସହି ପାରୁନାହିଁ-। କାମନାର ରୁକ୍ଷ ଅନଳ ଦେହରେ ଶୋଷରେ ମୁଁ ଜଳି ପୋଡ଼ି ପାଉଁଶ ହୋଇଯିବି । ମୋତେ ବଞ୍ଚାଅ ପ୍ରଦୀପ....ମୋତେ ବଞ୍ଚାଅ । ମୁଁ ଆଉ ପାରୁନି ।

 

ପ୍ରଦୀପ ବିସ୍ମୟରେ ତଟସ୍ଥ ହୋଇ ଯାଇଥିଲା । ସେ ଆଶା କରି ନ ଥିଲା ଅଚାନକ ଏମିତି ଏକ ଦୁର୍ଘଟଣା ଘଟିଯିବ ବୋଲି । ତେଣୁ ସେ ପ୍ରତିହତ ହୋଇ ଦୃଢ଼ ଗଳାରେ କହିଲା–

 

–ଶିଖା ?

 

–ହଁ ପ୍ରଦୀପ, ମୁଁ ଆଉ ପାରୁନି ମୋତେ ତମେ ବଞ୍ଚାଅ । ତମେ ଜାଣି ଜାଣି ମୋତେ ଅସମୟର ସୁଅ ମୁହଁକୁ ଠେଲି ଦେଲ । ପୁରୁଷ ହୋଇ ନୀରବ ରହିଲ । ତମ ବାପ ରାଇଚରଣ ଜଣେ ନପୁଂସକ, ଯୌନ ଅକ୍ଷମ ପୁରୁଷ । ଯାହାକୁ ନେଇ ଘରସଂସାର କରି ହୁଏ, କିନ୍ତୁ ନିଜ ଯୌବନକୁ ଚରିତାର୍ଥ କରି ହୁଏନାହିଁ । କି ବଂଶ ରକ୍ଷା କରି ହୁଏ ନାହିଁ । ବାହା ହେବାର ଏତେ ଦିନ ପରେ ବି ମୁଁ ନାରୀ ହୋଇ ନାରୀତ୍ଵ କ’ଣ ଜାଣି ପାରିଲି ନାହିଁ । ମୋର ଏ ଉନ୍ମୁଖ ଯୌବନ ଆଜି ମୋ ପାଇଁ ନିରର୍ଥକ । ମୋ ପ୍ରେମ ପ୍ରଣୟ, ଅବେଗ ସବୁ ଆଜି ମୋ ପାଇଁ ଯନ୍ତ୍ରଣାର କୁହୁଡ଼ି ଭଳି ଚାରିଆଡ଼ୁ ମାଡ଼ି ବସିଛି । ମୁଁ ଆସ୍ତେ ଆସ୍ତେ କ୍ଲିବ, ପଙ୍ଗୁ, ଅଥର୍ବ ପାଲଟି ଯାଉଛି ।

 

ପ୍ରଦୀପ ବିସ୍ମୟରେ ବୋକା ପାଲଟି ଯାଇଥିଲା । ଏମିତି ଅଚାନକ ବିପର୍ଯ୍ୟୟକୁ ସେ ଯେମିତି ଆଶା କରୁ ନ ଥିଲା । ସେ ଭାବିଥିଲା–ଶିଖା ଯଦି ତା’ର ସୁଖରେ ରୁହେଁ । ତା’ହେଲେ ସେ ଖୁସି ହେବ । କିନ୍ତୁ ଏ କ’ଣ ହେଲା । ତା’ ପାଟିରୁ ଅତି ଅସ୍ପଷ୍ଟ ଭାବରେ ବାହାରି ପଡ଼ିଥିଲା–

 

ଶିଖା ?

 

–ଏଠି ଜଳି ଜଳି ମରିବା ବ୍ୟତୀତ ଆଉ ବା କ’ଣ ଅନ୍ୟ ଉପାୟ ଅଛି ପ୍ରଦୀପ । ଅପା ମୋର ଚୌଧୂରୀ ବଂଶର ଦୁର୍ବଳତାକୁ ପଦାରେ ପକାଇ ଦେବନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇ ନିଜ ଭିତରେ ଶେଷରେ ଜଳି ପୋଡ଼ି ମଲା । କିନ୍ତୁ ମୁଁ ମୁଁ ପାରୁନି ପ୍ରଦୀପ । ଭାବିଥିଲି ତମ ପାଖେ ପାଖେ ଥାଇ ଜୀବନ ସାରା ସୁଖ ସ୍ୱାଚ୍ଛନ୍ଦ୍ୟରେ କଟାଇ ଦେବି । ହେଲେ ମୋଟେ ସହି ପାରୁନି । ଏ ରୂପ, ଏ ଯୌବନ, ଏ ବୟସର ସବୁଜିମା ମୋତେ ପ୍ରତି ମୁହୂର୍ତ୍ତରେ ଦଂଶନ କରୁଛି । ମୁଁ ସଂଭୋଗ ସୁଖ ଲାଳସାରେ ଖାଲି ଦିନରାତି ଛଟପଟ ହେଉଛି । ଅବଶୋଷ ଆତ୍ମା ମୋର ଖାଲି ଆତ୍ମା ଦହନରେ ଡହଳ ବିକଳ ହେଉଛି । ମୋତେ ତମେ ବଞ୍ଚାଅ ପ୍ରଦୀପ । ମୁଁ ଚାହେଁ ଏ ଯନ୍ତ୍ରଣାରୁ ମୁକ୍ତି-। ମୁଁ ଚାହେଁ ତମର ପ୍ରଶସ୍ତ ଛାତି ଉପରେ ମୁହଁ ଗୁଞ୍ଜି କିଛିଟା ଆଶ୍ୱସ୍ତି । ତମେ କ’ଣ ଚାହଁ ତମ ଆଦରର ଶିକ୍ଷା ତମରି ଆଗରେ ଏମିତି ଜଳି ଜଳି ମରିଯାଉ । ତମେ ମୋତେ ଏ ବିଷମ କପଟରୁ ବଞ୍ଚାଅ ପ୍ରଦୀପ । ମୁଁ ଆଉ ମୁହୂର୍ତ୍ତେ ତମ ବିହୁନେ ବଞ୍ଚି ପାରିବି ନାହିଁ ।

 

ମୁଁ‌ ବିକଳରେ ପ୍ରଦୀପର ପାଦ ଉପରେ ଲୋଟି ପଡ଼ିଥିଲି । ସକଳ ଆଖି ଦୁଇଟାରେ ଲୁହ ନିଗାଡ଼ି ପ୍ରଦୀପର ପବିତ୍ର ପାଦ ଦୁଇଟାକୁ ଧୋଇ ଦେବାକୁ ଚେଷ୍ଟା କରୁଥିଲି । ପ୍ରଦୀପ ଅତି ସନ୍ତର୍ପଣରେ ଦୁଇ ହାତରେ ମୋତେ ଉଠାଇ ଆଣି ଆଖିରୁ ଲୁହ ପୋଛିଦେଇ କହିଥିଲା ।

 

–ଛି ଶିଖ, ସମାଜ ଦୃଷ୍ଟିରେ ତମେ ମୋର ମା’ ମୁଁ ତମର ପୁଅ । ମା’ପୁଅର ଅବୈଧ୍ୟ ଯୌନ ସମ୍ପର୍କ କ’ଣ କେବେ ଚିନ୍ତା କରିହୁଏ ?

 

ମୁଁ ଆଖିରୁ ପଣତ କାନିରେ ଲୁହ ପୋଛି କହିଥିଲି–

 

–ପ୍ରଦୀପ, ଆଜି ହୁଏତ ଦୁନିଆ ଆଖିରେ ତମେ ମୋର ପୁଅ । ହେଲେ କାଲି ତ ତମେ ମୋର ପ୍ରେମିକ ଥିଲ । ତମକୁ ନେଇ ମୁଁ କେତେ ସ୍ଵପ୍ନ ଦେଖି ନ ଥଲି । ତମେ ହେବ ମୋର ମନ, ପ୍ରାଣ ହୃଦୟର କାମଦେବ ଭଳି ସୁନ୍ଦର ପୁରୁଷ । ମୁଁ ହେବି ତମ ମନ ମାନସର ରତି ଭଳି ସୁନ୍ଦରୀ ସ୍ତ୍ରୀ । ତାରୁଣ୍ୟର ସବୁଜିମାରୁ ମେଞ୍ଚା ମେଞ୍ଚା ଯୌବନର ରଙ୍ଗ ନେଇ ଆମେ କେତେ ହସି ଖେଳିବା-। ଭବିଷ୍ୟତ ପାଇଁ ସ୍ଵପ୍ନ ଦେଖିଯିବା । ତମେ ମୋ ଉତ୍‌ଥିତ ଯୌବନକୁ ନଖ, ଦାନ୍ତରେ ବିଦୀର୍ଣ୍ଣ କରି ପକାଇବ । ଧନ୍ୟ ହେବ ମୋର ପ୍ରେମ, ପ୍ରଣୟ । ଧନ୍ୟ ହେବ ମୋର ନାରୀ ଜୀବନ-। ଆମକୁ ଏ ସମାଜରେ ଆଇନ୍‍କାନୁନ ପ୍ରଶୟ ନଦେଲେ ଆମେ ଧାଇଁ ଯିବା ଅନ୍ୟ ଏକ ପୃଥିବୀକୁ-। ଯେଉଁଠି ଏ ଛନ୍ଦ କପଟିଆ ମଣିଷ ଗୁଡ଼ାକ ନଥିବେ । ଥିବେ ଶାନ୍ତ, ସରଳ, ସୁନ୍ଦର ମଣିଷମାନେ-। ସେମାନଙ୍କ ସମାଜରେ ଏତେ ସ୍ଵାର୍ଥପରତାର ଆଇନ୍‍କାନୁନ ନ ଥିବ । ସେଇଠି ଆମେ ଛୋଟିଆ ପତ୍ର କୁଡ଼ିଆଟିଏ ତିଆରି କରି ବସତି ସ୍ଥାପନ କରିବା । ଦିନଯାକ ମୂଲ ମଜୁରୀ ଲାଗି ଜୀବିକା ନିର୍ବାହ କରିବା । ତମେ ଆଙ୍କି ଦେବ ବଳିଷ୍ଠ ସ୍ୱାକ୍ଷର ମୋ ଦେହରେ । ମୁଁ ମା’ର ସମ୍ମାନ ପାଇବି-। ଧନ୍ୟ ହେବ ମୋର ନାରୀ ଜୀବନ ।

 

ମୁଁ ଅତି ମାତ୍ରାରେ ଭାବପ୍ରବଣ ହୋଇ ପଡ଼ୁଥିଲି । ହେଲେ ପ୍ରଦୀପ ମନ ମଧ୍ୟରେ ବିଚଳତା ସୃଷ୍ଟି ହେଉଥଲା । ସେ ମନକୁ ଦୃଢ଼ କରି କହିଥିଲା–

 

–ଶିଖା, କାହିଁକି ତମେ ପୁଣି ସେ ଦୁର୍ଘଟଣାମୟ ଅତୀତକୁ ଫେରିଯାଉଛ ? ମଣିଷ କ’ଣ କେବେ ଅତୀତକୁ ନେଇ ବଞ୍ଚେ ? ମଣିଷ ବଞ୍ଚି ରହେ ବର୍ତ୍ତମାନକୁ ନେଇ ଭବିଷ୍ୟତ ପାଇଁ । ଅତୀତ ଖାଲି ମୁହୂର୍ତ୍ତକର ସ୍ଵପ୍ନ । ବିତି ଯାଇଥିବା ସ୍ମୃତିର ପାଉଁଶ ।

 

–ମୁଁ କିନ୍ତୁ ବଞ୍ଚିଛି ଅତୀତକୁ ନେଇ ପ୍ରଦୀପ ? ମୋ ପାଇଁ ବର୍ତ୍ତମାନ–ଦୁଃଖ, କ୍ଲିଷ୍ଟ, ଯନ୍ତ୍ରଣାମୟ । ଆଉ ଭବିଷ୍ୟତ–ସମ୍ପୂର୍ଣ୍ଣ ଅନ୍ଧକାରମୟ । ଅତୀତ ହିଁ ମୋର ସର୍ବସ୍ଵ । ସେଇ ଅତୀତର ସ୍ମୃତି ହିଁ ମୋ ପାଇଁ ବଞ୍ଚିବାର ମୃତସଞ୍ଜିବନୀ । ସବୁଦିନେ ତମେ ମୋର ମନର ମଣିଷ ହୋଇ ରହିଯାଇଛ ଯୁଗ ଯୁଗକୁ । ତମକୁ ନେଇ ମୁଁ କେତେ ସ୍ଵପ୍ନ ଦେଖେ । କୌଣସି ରାତ୍ରିରେ ମୁଁ ନିଶ୍ଚିନ୍ତରେ ଶୋଇ ପାରିନି । ସ୍ଵପ୍ନରେ ଧାଇଁ ଯାଇଛି ତୁମ ନିକଟକୁ । କିନ୍ତୁ ବାସ୍ତବରେ ପ୍ରତିହତ ହୋଇ ଯନ୍ତ୍ରଣାରେ ସଢ଼ି ଯାଇଚି । ଭବିଷ୍ୟତ କଥା ଚିନ୍ତା କରି କରି ଅନ୍ଧ ହୋଇଯାଇଛି । ହେଲେ ତମେ ମୋର ଆଖିର ଜ୍ୟୋତି । ସେ ଜ୍ୟୋତିକୁ ମୋ ନିକଟରୁ କେହି ଛଡ଼ାଇ ନେଇ ପାରିବେ ନାହିଁ-। ପ୍ରତ୍ୟେକ ତରୁଣ ତରୁଣୀ ତାରୁଣ୍ୟର ସବୁଜିମାରେ ଭଳି ଭଳି ଯୌବନର ପହିଲି ପାହାଚରେ ଜଣେ ଜଣକୁ ଭଲପାଇ ବସି ଥାଆନ୍ତି । ମନ, ହୃଦର ଆଦାନ ପ୍ରଦାନ କରି ଥାଆନ୍ତି । ତାଙ୍କ ଭଲ ପାଇବାକୁ ଆଉ କୌଣସି ପରିପ୍ରେକ୍ଷୀରେ କେହି କାହାଠାରୁ ଛଡ଼ାଇ ପାରନ୍ତି ନାହିଁ । ସେ ପ୍ରେମ, ପ୍ରଣୟ, ଶାଶ୍ୱତ, ଚିର ଅମର । ଚିର ଭାସ୍ୱର ।

 

–ମୁଁ ସବୁ ବୁଝୁଛି ଶିଖା । ହେଲେ ସମାଜ କ’ଣ କହିବ ? ଦୁନିଆ କ’ଣ ଭାବିବ । ପାପ ପ୍ରଣୟ କେବେ ଲୁଚି ରହିବ ନାହିଁ । ଦିନେ ନା ଦିନେ କାହା ଦୁନିଆ ଆଖିରେ ଧରା ପଡ଼ିବ । ସମାଜର ଆଇନ୍‍କାନୁନ ଦୃଷ୍ଟିରୁ ମୁଁ ଦୋଷୀ ହେବି । ମୁଁ ପାପି ବୋଲି ପରିଗଣିତ ହେବି ।

 

–ମଣିଷମାନଙ୍କର ସୁଖ, ସ୍ଵାଚ୍ଛନ୍ଦ, ଭଲ ମନ୍ଦ ପାଇଁ ସମାଜର ଆଇନ୍‍କାନୁନ ତିଆରି ହୋଇଛି । ସବୁ ଲୋକମାନଙ୍କର ଭଲ ପାଇଁ ଆଇନ ଶୃଙ୍ଖଳା ରହିଛି, କାନୁନ୍ କଟକଣା ରହିଛି । ମଣିଷ ପାଇଁ ଆଇନ୍ । କିନ୍ତୁ ଆଇନ ପାଇଁ ମଣିଷ ସୃଷ୍ଟି ହୋଇ ନାହିଁ ।

 

–ଶିଖା ?

 

–ଆସ ପ୍ରଦୀପ । ଆଜିର ଏ ଅଦିନ ବର୍ଷା ତନୁ ମନରେ ଅଜସ୍ର କାମନାର ସ୍ଵର ବହି ଆଣିଛି । ତା’ର ରିମ୍‌ ଝିମ୍ ସଙ୍ଗୀତ ଦେହରେ ଅଜଣା ଶିହରଣରେ କମ୍ପନ ସୃଷ୍ଟି କରୁଛି । ଏତେ ବଡ଼ ଘରଟାରେ ତମ–ମୋ ପ୍ରେମ କାହାଣୀ ଶୁଣିବା ପାଇଁ ଆଉ କେହି ନାହାନ୍ତି । ଆମେ ଦୁଇ ପ୍ରେମିକ–ପ୍ରେମିକା । ଏକା ଏକା । ତା’ସାଙ୍ଗକୁ ଏ ଝଡ଼ ବର୍ଷାର ରାତି । ଶିତଳ ପବନର ଚକା ଭଉଁରୀ । ଅତୀତର ସ୍ମୃତି ଭଳି ଆଜିର ଏ ଘଟଣାଦି ଆମ ମନ ଗହନରେ ସ୍ମୃତି ହୋଇ ରହଯିବ ସବୁ ଦିନକୁ ।

 

ଆସ….ଆସ….ପ୍ରଦୀପ ?

 

ପ୍ରଦୀପକୁ ମୁଁ ନିମନ୍ତ୍ରଣ କରୁଥିଲି । ପ୍ରଦୀପ ମୋର ଅର୍ଦ୍ଧନଗ୍ନ ରୂପ ଦେଖି ବିମୋହିତ ହୋଇ ଉଠୁଥିଲା । କିନ୍ତୁ ପର ମୁହୂର୍ତ୍ତରେ ଉକ୍ଷିପ୍ତ ହୋଇ ବିବ୍ରତ ହୋଇ ପଡ଼ୁଥିଲା । ଦେହରେ ଅଜସ୍ର ଶିହରଣକୁ ଚାପି ଧରି କହିଥିଲା–

 

–ଶିଖା, କାହିଁକି ତମେ ମୋର ଆଦର୍ଶ ପ୍ରେମକୁ କଳଙ୍କିତ କରୁଛ । ମୋ’ର ପବିତ୍ର ଆସନରେ ବସି କଳଙ୍କମୟ ଇତିହାସ ସୃଷ୍ଟି କରିବାକୁ ଯାଉଛ ?

 

–କଳଙ୍କମୟ ଇତିହାସ ?

 

ହୁଁ ।

 

ସମାଜର ଆଇନ୍‍କାନୁନ. ପୁରାଣ ଶାସ୍ତ୍ରର ନୀତି ନିୟମରେ ଯଦି ଦୁନିଆଯାକର ନାରୀମାନେ ଖାଲି ମା’ ଆଉ ଭଉଣୀ ଆସନରେ ବସନ୍ତି ତା’ହେଲେ ଏ ସୃଷ୍ଟି ସର୍ଜନା ହେବ କେମିତି ? ତମେ କୁହ ପ୍ରଦୀପ–ଯେଉଁ ସମାଜର ଆଇନ୍‍କାନୁନକୁ ତମେ ଏତେ ସମ୍ମାନ ଦେଉଛ, ସେଇ ଆଇନ୍‍କାନୁନର ରଥଚକ ତଳେ ମୋ ଭଳି କେତେ ଅସହାୟା ତରୁଣୀ, ତମ ଭଳି କେତେ ନିରୀହ ତରୁଣ, ଅସମୟର ବାଲି ଝଡ଼ରେ ହଜି ଯାଆନ୍ତି । ସେମାନଙ୍କ କଥାକୁ ତ ସମାଜ ଦିନେ ଚିନ୍ତା କରିନି ? ସେମାନଙ୍କୁ ତ ରାସ୍ତା କଡ଼ରୁ ଗୋଟାଇ ଆଣି ସମାଜ ଉପଯୁକ୍ତ ସମ୍ମାନ ଦେଇ ନାହିଁ, ସେବା କାହିଁକି ସମାଜ ପ୍ରତି ଯଥାଯଥ ସମ୍ମାନ ପ୍ରଦର୍ଶନ କରି ଶିଖିବ ?

 

–ଶିଖା ?

 

–ସେଇ ଧର୍ମ ଶାସ୍ତ୍ର ପୁରାଣରେ ଅଛି ପ୍ରଦୀପ, ଅଭିମାନିନୀ ରାଧା ଯେତେବେଳେ ନଂପୁସକ । ଚନ୍ଦ୍ରଶେଖର ହାତ ଧରି ଡହଳ ବିକଳ ହେଉଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ ମୁକ୍ତି କରି ଯମୁନା କୂଳରେ, କଦମ୍ବ ମୂଳରେ କେଳୀ ରଚନା କରିଥିଲେ । ଆସ……ଆସ…..ପ୍ରଦୀପ…ତମେ ମୋ ମନର ଶ୍ରୀକୃଷ୍ଣ । ତମେ ମୋତେ ଏ ଚନ୍ଦ୍ରଶେଣା କବଳରୁ ଉଦ୍ଧାର କର ।

 

–ଶିଖା ?

 

ମୋ ରୂପ ଲାବଣ୍ୟ, କାମନାର ଅନଳରେ ଜଳି ଜଳି ଆହୁରି ତେଜୀୟାନ ହୋଇ ଉଠୁଥିଲା । ପ୍ରଦୀପ ମନ, ବିବେକ, ପ୍ରକୃତି ମଧ୍ୟରେ ଘୋର ସଂଘର୍ଷ ହୋଇ ଶେଷରେ ମୋର ଅର୍ଦ୍ଧନାଗ ରୂପ ଦେଖି ସେ ନିଜ ଭିତରେ ଉତ୍ସୃଙ୍ଖଳିତ ହୋଇ ଉଠୁଥିଲା । ପ୍ରଦୀପ ତ ଦୂରର କଥା କୌଣସି ପୁରୁଷ କ’ଣ ଏ ଅବସ୍ଥାରେ ନିଜର ସ୍ଥିତିକୁ ଦୃଢ଼ ରଖିପାରେ । ମୁଁ ପ୍ରଦୀପର ଆହୁରି ନିକଟକୁ ଘୁଞ୍ଚି ଯାଇଥିଲି । ତା’ଦେହର ଅଜଣା କମ୍ପନ, ନାକପୁଡ଼ାର ଦୀର୍ଘ ଶ୍ଵାସର ସ୍ଵର ମୁଁ ସ୍ପଷ୍ଟ ଭାବରେ ଶୁଣି ପାରୁଥିଲି । ମୁଁ ତାକୁ ଆହୁରି ଉତ୍ସାହିତ କରିବା ପାଇଁ କହିଥିଲି–

 

–ପ୍ରଦୀପ, ତମ ଭଳି ପୁରୁଷକୁ ମୁଁ ଦିନେ ଏମିତି କାପୁରୁଷ ଭଳି ଦେଖିବି, ଏହା କେବେ ହେଲେ ଜୀବନରେ ଭାବି ନ ଥିଲି । ଆସ ପ୍ରଦୀପ....ଆସ.....ତମେ ପୁରୁଷ ସିଂହ । ତମ ନଖ ଦାନ୍ତରେ ମୋତେ ବିଦୀର୍ଣ୍ଣ କରି ପକାଅ ।

 

ପ୍ରଦୀପ……ଆସ…ଆସ ନା ?

 

ପ୍ରଦୀପ ମୋତେ ଆଉ ମୁହୂର୍ତ୍ତେ ଅପେକ୍ଷା ନ କରି ଜାବୁଡ଼ି ଧରିଥିଲା । ମୁଁ ଲକ୍ଷ୍ୟ କରିଥିଲି ପ୍ରଦୀପ ମୋ ଛାତିରେ ମୁହଁ ଗୁଞ୍ଜି କଇ କଇଁ ହୋଇ କାନ୍ଦୁଥିଲା । ପ୍ରଦୀପର ଏ ଦୁର୍ବଳ ମୁହୂର୍ତ୍ତକୁ ମୁଁ ସଦ୍‌ବ୍ୟବହାରରେ ଲଗାଇବା ପାଇଁ ବ୍ୟଗ୍ର ହୋଇ ଉଠିଥିଲି । ଆଖିରୁ ଲୁହ ପୋଛି ଦେଇ କୋଳ ଉପରକୁ ଟାଣି ନେଇଥିଲି । କହିଥିଲି–ତମ ଭଳି ପୁରୁଷ ସିଂହ ନିକଟରେ ଏତାଦୃଶ୍ୟ ଦୁର୍ବଳତା ଶୋଭା ପାଏନା ପ୍ରଦୀପ ?

 

ବାହାରେ ଭୀଷଣ ଝଡ଼ ତୋଫାନର ବେଗ ବଢ଼ି ଯାଇଥିଲା । ସୁ...ସୁ....ଗର୍ଜନ କରି ପବନ ଲହଡ଼ି ଭାଙ୍ଗୁଥିଲା । ଘଡ଼ଘଡ଼ି, ଚଡ଼ଚଡ଼ିରେ ଚଉଦିଗ କମ୍ପି ଉଠୁଥିଲା । ସେହି ମୁହୂର୍ତ୍ତରେ ମୋତେ ଚଡ଼ଚଡ଼ି ଗୁଡ଼ାକ ଭାରି ଭୟ ଲାଗୁଥିଲା । ମୁଁ ପ୍ରଦୀପକୁ ନିଜ ଦେହ ଉପରେ ଖୁବ୍ ଜୋରରେ ଚାପି ଧରିଥିଲି । ପ୍ରଦୀପ ବି ମୋ ଦେହରେ ତା’ ପୌରୁଷତ୍ଵ ହଜାଇ ବସିଥିଲା ।

 

ଅଚାନକ ଦଲକାଏ । ପବନରେ ଦପ୍ କରି ଲଣ୍ଠନଟି ଲିଭି ଯାଇଥିଲା । ଘରଟା ଭିତରେ ନିରନ୍ନ ଅନ୍ଧକାର ଛାଇ ହୋଇ ଯାଇଥିଲା । କେହି କାହାର ମୁହଁ ଦେଖିପାରୁ ନ ଥିଲୁ । ଦୁହେଁ ଦୁହିଁଙ୍କର ସତ୍ତା ହଜାଇ ଦେଇ ଖୋଜିବାରେ ଲାଗିଥିଲୁ । ସେଇ ଖୋଜିବାରେ ଯେମିତି ଅନେକ ରୋମାଞ୍ଚ ଭରି ରହିଥିଲା । ଅନେକ ଆବେଗ ଭରି ରହିଥିଲା । ଅନେକ ଶିହରଣ ଭରି ରହିଥିଲା ।

 

ଅନ୍ଧାର ।

 

ଖାଲି ମେଞ୍ଚା ମେଞ୍ଚା ଅନ୍ଧାରର ସଂଘର୍ଷ ।

 

ମୁଁ ଯେମିତି ଅନୁଭବ କରୁଥିଲି ଯୌବନର ସମୁଦ୍ରରେ ପହଁରୁ ପହଁରୁ ଅଚାନକ ଅକ୍ଟୋପସ କବଳରେ ପଡ଼ି ଯାଇଛି । ତା’ କବଳରୁ ମୁକ୍ତି ପାଇବା ପାଇଁ ମୁଁ ଘମାଘୋଟ ସଂଘର୍ଷ କରୁଛି । ହେଲେ ଉଧରି ପାରୁ ନାହିଁ । ଆସ୍ତେ ଆସ୍ତେ ହାଡ଼ ଗୋଡ଼ ସବୁ ମୋର ଚୁନା ହୋଇ ଯାଉଛି । ମୁଁ କ୍ରମେ କ୍ରମେ ସମୁଦ୍ର ଗଭୀରକୁ ଚାଲି ଯାଉଛି । ଆକାଶ ପାତାଳ ଏକାକାର ହୋଇ ଯାଉଛି । ପୃଥିବୀ ବକ୍ଷରେ ଭୂମିକମ୍ପ ସୃଷ୍ଟି ହେଇଛି । ଆଗ୍ନେୟଗିରିରେ ଅଚାନକ ଉଦ୍‍ଗାରଣ ଯୋଗୁ ଉତ୍ତପ୍ତ ଲାଭାରେ ମୋ ଦେହ ମୁଣ୍ଡ ପୋଡ଼ି ଯାଉଛି । ମୁଁ ବିକଳରେ ଚିତ୍କାର କରୁଛି, ହେଲେ କେହି ମୋର ଚିତ୍କାର ଶୁଣି ପାରୁ ନାହାନ୍ତି । ମୁଁ ସମୁଦ୍ରର ଅଥଳ ଗର୍ଭରେ ହଜି ଯାଉଛି । ମୋ ଆଖି ଆଗରୁ ସୂର୍ଯ୍ୟ ଚନ୍ଦ୍ର, ଗ୍ରହ ନକ୍ଷେତ୍ର ସବୁ ଲିଭି ଯାଉଛନ୍ତି । ତଥାପି ମୁଁ ବଞ୍ଚିବାକୁ ସଂଘର୍ଷ କରୁଛି । ହେଲେ ପରାସ୍ତ ସୈନିକ ଭଳି ଅକ୍ଟୋପସର ବିରାଟ ବାହୁଛାୟା ତଳୁ ମୁକୁଳି ପାରୁନି । ନିଜ ସତ୍ତା ହରାଇ ବସୁଛି ।

 

ତା’ପରେ ସବୁ ସ୍ଥିର ହୋଇ ଯାଇଥିଲା । ଝଡ଼ ପରେ ପୃଥିବୀ ଶାନ୍ତ ହେଲା ପରି, ସୁପ୍ତ ଆଗ୍ନେୟଗିରି, ଅବା ଶାନ୍ତ ସମୁଦ୍ର ପରି । ସବୁ ସ୍ଥିର । ମେଘ ବାଟରେ ମେଘ ବର୍ଷି ଯାଇଥିଲା । ପବନ ରାସ୍ତାରେ ପବନ ବହି ଯାଇଥିଲା । କେତେ ଫୁଲ, ଫଳ, ଡାଳ ପତ୍ର ଗଛରୁ ଲୋଟି ପଡ଼ିଥିଲା ଭୂଇଁ ଉପରେ । କପୋତ କପୋତୀଙ୍କର ବସା ଭାଙ୍ଗି ଯାଇଥିଲା ଝଡ଼ ତୋଫାନରେ । ପୁଣି ନୂତନ ନିଡ଼ ତିଆରି ପାଇଁ ସେମାନେ କାଠି କୁଟା ସଂଗ୍ରହ କରୁଥିଲେ । ନୂତନ ଆଶା, ନୂତନ ଆଲୋକ, ନୂଆ ଆଭିମୁଖ୍ୟ ନେଇ ସେମାନେ ଜୀବନ ଗଢ଼ିବା ପାଇଁ ଶପଥ ନେଉଥିଲେ ।

 

ରାତିର ଝଡ଼ ତୋଫାନ ଯୋଗୁ ସକାଳର ପରିବେଶ ଭାରି ଶୀତୁଆ ଶୀତୁଆ ଲାଗୁଥିଲା-। ଆମେ ବେଶ୍‍ ଆରାମରେ ଶୋଇ ଯାଇଥିଲୁ । ସୁରୁଜା ମା’ ଡାକରେ ମୋ ନିଦ ଚଟ୍‌କରି ଭାଙ୍ଗି ଯାଇଥିଲା । ମୁଁ ଧଡ୍ ପଡ଼୍ ହୋଇ ଉଠି ପଡ଼ିଥିଲି । ମନରେ ଅହେତୁକ ଭୟର ଶିହରଣ । ଦେହ ଭିତରେ ଯୌବନ ଚାପା ହସ ହସୁଥିଲା । ଦେହ, ମନ, ଯୌବନ ନିକଟରୁ ବିବେକ ଏତେ ଦିନ ପରେ ହାରି ଯାଇଛି ।

 

ମୁଁ ପରମୁହୂର୍ତ୍ତରେ ମନର ଆଭିମୁଖ୍ୟ ବଦଳାଇ ଦେଇଥିଲି । ସୁରୁଜା ମା’କାଲି କାମ କରିବାକୁ ଆସି ନ ଥିଲା ବୋଲି ନିଜକୁ ଦୋଷୀ ବୋଲି ମନେ କରି ବଢ଼ି ସକାଳୁ ଉଠି ଆସିଛି । ତେଣୁ ତା’ ଆଖିରେ ମୁଁ ସେମିତି ଧରା ନ ପଡ଼ିବି, ସେଥିପାଇଁ ପରିବେଶ ପ୍ରତି ଦୃଷ୍ଟି ଦେଉଥିଲି ।

 

ଇସ୍‌ କି ବୀଭତ୍ସ ହୋଇ ଯାଇଥିଲା ସମଗ୍ର ପରିବେଶଟା । ମଥାରେ ସିନ୍ଦୂର ଲେସି ହୋଇ ଯାଇଥିଲା । ହାତରେ କେତେ ପଟ ଶଙ୍ଖା ତୁଟି ଯାଇ ପଲଙ୍କ ଉପରେ ବିଚ୍ଛୁରିତ ହୋଇ ପଡ଼ିଥିଲା । ଆଲୁଳାଇତ କେଶ । ମୁଁ ଚଟ୍‌କରି ପଲଙ୍କ ଉପରୁ ଭଙ୍ଗା ଶଙ୍ଖାଗୁଡ଼ିକ ତୋଳି ନେଇଥିଲି-। ପ୍ରଦୀପ ସେମିତି ନିର୍ବିକାର ଚିତ୍ତରେ ଶୋଇ ରହିଥିଲା । ପରାସ୍ତ ହୋଇ କ୍ଷତ ବିକ୍ଷତ ସୈନିକଟି ଭଳି, ଆହତ ସିଂହ ପରି, ନିସ୍ତେଜ । ନିର୍ବିକାର । ଚେତନାର ହୁଏତ ସଂହତି ଘଟି ନ ଥିଲା-। ମୁଁ ଚାଦରଟି ଟାଣି ଦେଇଥିଲି ବେକ ପର୍ଯ୍ୟନ୍ତ ।

 

କ୍ଷୀର ଗ୍ଲାସଟି ସେମିତି ଟେବୁଲ ଉପରେ ଥୁଆ ହୋଇଥିଲା । ପ୍ରଦୀପ ରାତିରେ କ୍ଷୀର ପିଇବାକୁ ଭୁଲି ଯାଇଥିଲା । ମୁଁ ପ୍ରଦୀପର ମା’ଆସନରୁ ଓହ୍ଲାଇ ଯାଇଥଲି ପ୍ରେମିକାର ସିଂହାସନକୁ-। ହୁଏତ ମା’ ଆସନରେ ଥିଲେ କ୍ଷୀର ପେଇବାକୁ ଭୁଲି ଯାଇ ନ ଥାନ୍ତି । ତେଣୁ ମୁଁ ଅନୁତପ୍ତର ଅନଳରେ ହଜି ଯାଉଥିଲି ।

 

ସୁରୁଜା ମା’ର ଆଉ ଏକ ନିଦୁଆ ଡାକରେ ମୁଁ ଚଟ୍ କରି କବାଟ ଆଉଜେଇ ଦେଇ ବାହାରି ଯାଇଥିଲି ବାହାରକୁ । ମୁହଁଟିକୁ ଭଲ ଭାବରେ ଧୋଇ ନେଇ କବାଟ ଖୋଲିବାରୁ ଚାଲି ଯାଇଥିଲି । ମଥାର ଓଢ଼ଣା ଦେହରେ ଆଲୁଳାୟିତ କେଶଗୁଚ୍ଛ ଲୁଚି ଯାଇଥିଲା । ସୁରୁଜା ମା’ର ସରଳ, ନିଷ୍କପଟ ପ୍ରାଣର ଚିନ୍ତାଧାରା ଏତେ ଗହୀରକୁ ଯିବ ନାହିଁ ବୋଲି ଭାବି ନେଇଥିଲି । ସମାଜ ଆଖିରେ ମା’ ପୁଅର ସମ୍ପର୍କକୁ କେହି କେବେ କ’ଣ ଭିନ୍ନ ଦୃଷ୍ଟିରେ ନେଇପାରେ ?

 

ସୁରୁଜା ମା’ ଦୋଷୀଟି ପରି, ଅବାଧ୍ୟ ଶିଶୁଟି ଭଳି ତା’ କାମରେ ଲାଗି ଯାଇଥିଲା । ମୁଁ ପୁଣିଥରେ ମୋ ଶୋଇବା ଘରକୁ ଫେରି ଆସି ପଲଙ୍କ ଉପରେ ଗଡ଼ି ପଡ଼ିଥିଲି । ଚନ୍ଦ୍ର ବହୁଳ ଆଖି ଦୁଇଟା ମୋର ମାଡ଼ି ମାଡ଼ି ପଡ଼ୁଥିଲା । ତଥାପି ମୁଁ ପରସ୍ଥିତି ପ୍ରତି ସଜାଗ ରହୁଥିଲି । ଯେମିତି ସୁରୁଜା ମା’ ଏ ଦୁର୍ଘଟଣାର ସୁରାକ ନ ପାଉ । କେହି ଯେମିତି ଏ କଳଙ୍କମୟ ଇତିହାସର ପୃଷ୍ଠାକୁ ନ ପଢ଼ନ୍ତୁ ।

 

କେତେ ସମୟ ପରେ ସୁରୁଜା ମା’ ମୋ ଘର ଦୁଆର ପାଖକୁ ଆସି ଅପେକ୍ଷା କରିଥିଲା ଅନ୍ୟ କୌଣସି କାମର ନିର୍ଦ୍ଦେଶ ପାଇଁ । ପ୍ରଦୀପ ସେମିତି ଶୋଇ ରହିଥାଏ । ପ୍ରଦୀପ ଏମିତି ରାତିରେ ପଢ଼ା ପଢ଼ି କଲେ ଅନେକ ସମୟ ଧରି ସେ ଶୋଇ ରହେ । ତେଣୁ ତାକୁ ସନ୍ଦେହ ଦୃଷ୍ଟିରେ କେହି ଦେଖିବେ ନାହିଁ । ତଥାପି ମୋ ମନରେ ପାପ ଛୁଁ ଥାଏ । ତେଣୁ ସୁରୁଜା ମା’କୁ କହିଲି–ସୁରୁଜା ମା’ ରଥିଆ ଗଉଡ଼ ନାହିଁ । ତା’ ପୁଅ ଗାଈ ଦୁଇଁବାକୁ ଆସିବାରେ ଡେରି କରୁଛି । ଗଲୁ ତାକୁ ଡାକି ଆଣିବୁ ।

 

ସୁରୁଜା ମା’ ଗଉଡ଼ ସାଇକୁ ଚାଲିଗଲା ପରେ ମୁଁ ଆଉ ଥରେ ପ୍ରଦୀପ ଘରକୁ ଯାଇ ସମସ୍ତ ପରିବେଶକୁ ଲକ୍ଷ୍ୟ କରିଥିଲି । ବେଶ ଠିକ୍ ଅଛି । ପ୍ରଦୀପ ଯେତେବେଳେ ଉଠୁଛି ଉଠୁ । ଦର୍ପଣ ନିକଟକୁ ଯାଇ ପ୍ରସାଧନୀ ସଜାଡ଼ିଲା ବେଳେ ଲକ୍ଷ୍ୟ କରୁଥିଲି ଅଧରରେ ଅଜସ୍ର ଚୁମ୍ବନର ଚିହ୍ନ ଏବେ ବି ଲିଭିନି । କାଲି ରାତି କଥା ଭାବି ଭାବି ବିମୋହିତ ହୋଇ ଉଠୁଥିଲି । ବିତି ଯାଇଥିବା ରାତିଟି ଯେମିତି ଶତାବ୍ଦୀ.......ଶତାବ୍ଦୀ.....ର ଆଶା ଆକାଂକ୍ଷାକୁ ମୋର ପୂରଣ କରିଥିଲା । କେତେ ସ୍ଵପ୍ନ, କେତେ ଆବେଗର ପରିସମାପ୍ତି ଘଟିଥିଲା । ଆଃ, ସେଦିନ ଭଳି ମଧୁଚନ୍ଦ୍ରିକାର ରାତ୍ରି ମୋ ପାଇଁ ସବୁ କାମନାର ପ୍ରଜ୍ୱୋଳିତ ଅଗ୍ନିକୁ ନିର୍ବାପିତ କରିଥିଲା । ମୁଁ ଆଶ୍ଵସ୍ତି ବୋଧ କରୁଥିଲି । ସତରେ ନାରୀ, ପୁରୁଷର ସାନିଧ୍ୟରେ ଆସିଲେ ଏତେ ପ୍ରଶାନ୍ତି ଏତେ ଆନନ୍ଦର ଉଚ୍ଛୋସିତ ଉଦ୍‌ଗୀରଣ ? ଜୀବନରେ ଏକଥା ଚିନ୍ତା କରି ନ ଥିଲି । ଦେହ ମନରେ ହସି ହସି ଉଠିଥିଲି । ଯୌବନ ଦେହରେ ଯେମିତି ଉତ୍‌ଫୁଲତାର ଝରଣା କଳ କଳ ନାଦ କରି ବହିଯାଉଥିଲା । ଯୌବନରେ ନଦୀମାନେ ସେମିତି ଉତ୍ସୃଙ୍ଖଳିତ ହୋଇ ଉଠିଥାନ୍ତି । ସମୁଦ୍ରର ସନ୍ଧାନ ପାଇଲେ ସେମାନେ ଯେମିତି ଆନନ୍ଦ, ଆଧାରରେ ବ୍ୟାକୁଳ ବସନ୍ତ ପରି ହିଲ୍ଲୋଳିତ ହୋଇ ଉଠନ୍ତି । ଭୁଲି ଯାଆନ୍ତି ସେମାନଙ୍କ ଆତ୍ମସତ୍ତା । ଶିକ୍ତ ଶୀଳା ବକ୍ଷରୁ ସେମାନେ ବହି ଆସିଛନ୍ତି ସତ, ହେଲେ ସାଗରର ସଙ୍ଗମରେ ସେମାନେ ନିଜର ବ୍ୟକ୍ତିତ୍ଵ ହରାଇ ମଧୁରତରୁ ଲବଣାକ୍ତ ହୋଇ ଉଠନ୍ତି ।

 

ଏହି କଳଙ୍କିତ ଇତିହାସ ଶବ୍ଦଗୁଡ଼ିକୁ କେହି କେବେ ପଢ଼ି ପାରି ନ ଥିଲେ । ସତ, ହେଲେ ପ୍ରଦୀପର ମନ ଗହନରେ ଏକ ନୀରବତାର ସ୍ରୋତ ପ୍ରବାହମାନ ହୋଇ ଉଠିଥିଲା । ସେ ଆଗ ଅପେକ୍ଷା ଆହୁରି ଗମ୍ଭୀର ହୋଇ ଉଠୁଥିଲା । ମୁଁ ଲକ୍ଷ୍ୟ କରୁଥିଲି, ସେ ଯେମିତି ମନ, ବିବେକର ସଂଘର୍ଷରେ କ୍ଷତ ବିକ୍ଷତ ହୋଇ ଉଠୁଥିଲା । ସେ ଯେମିତି ଅନୁଭବ କରୁଥିଲା ସେ ଏକ ବିରାଟ ପାପ କରି ପକାଇଛି । ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୋଠାରୁ ଦୂରେଇ ରହିବାକୁ ଚାହୁଁଥିଲା । ସବୁ ସମୟରେ କ୍ଳବ ଘରେ, ପାଠାଗାରରେ ଦିନ କଟାଇ ଖାଲି ଖାଇବା ସମୟତକ ଘରକୁ ଆସୁଥିଲା ।

 

ପ୍ରଦୀପର ଏତାଦୃଶ୍ୟ ନୀରବତାକୁ ମୁଁ ସହ୍ୟ କରି ପାରୁ ନ ଥିଲି । ତେଣୁ ତାକୁ ନିକଟରେ ପାଇଲେ ମୁଁ ଅନେକ ସାବଲୀଳ, କଉତୁକିଆ କଥା କହି ତା’ମନଟାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲ । ହେଲେ ପ୍ରଦୀପର ସେମିତି କିଛିଟା ପରିବର୍ତ୍ତନ ମୁଁ ଲକ୍ଷ୍ୟ କରି ପାରୁ ନ ଥିଲି । ସେଇ ଗମ୍ଭୀରତା, ମୌନତା, ତା’ଦେହ ମନରେ ଛାଇ ହୋଇ ଯାଇଥିଲା । ପାଞ୍ଚ ପଦରେ ପଦଟିଏ କଥା, ହଁ, କିମ୍ବା ନା’ । ଅନେକ ବୁଝାଇଥିଲି, ଅନେକ ଯୁକ୍ତି ଦର୍ଶାଇ ତା’ମନର ବିକୃତତାକୁ ଦୂରେଇ ଦେବାକୁ ଚାହିଁଥିଲି । ହେଲେ ଫଳ କିଛି ହୋଇ ନ ଥିଲା । ସବୁବେଳେ ସେ ନିର୍ଜନତାରେ ବସି ରହିଲେ କ’ଣ ଯେମିତି ଦାର୍ଶନିକ ଭଳି ଭାବୁଥିଲା ।

 

ରାଇ ଭାଇ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଆମ ପ୍ରତି ଭ୍ରୂକ୍ଷେପ ନ ଥିଲା । ଆମ ଜୀବନ ଦର୍ଶନରୁ ତାଙ୍କର ମିଳିବ ବା କ’ଣ ? ବାଞ୍ଝି କି ଜାଣିବ ସନ୍ତାନ ଜନ୍ମ ହେବା ବେଳର ପ୍ରସବ ଯନ୍ତ୍ରଣାର ମାଦକତା । ଯୌନ ଅକ୍ଷମ ମଣିଷ ସେ । ତାଙ୍କ ନିକଟରେ ଯୌବନର ରସଗୋଲା ଭାଣ୍ଡ ନେଇ ଥୋଇଲେ ତା’ର ବା ମୂଲ୍ୟ କ’ଣ ଥାଇ ପାରେ ? ଖାଲି ଦେଖି ଦେଖି ପେଟ ପୁରିବା ବ୍ୟତୀତ ଆଉ ବା କ’ଣ ସେ ଆଶ୍ଵସନା ଉପଲବ୍‌ଧି କରି ପାରିବେ । ଯୌବନର ଯନ୍ତ୍ରଣା, ମାଦକତା, ସାବଲୀଲତା, ମିଳନର ଅଧୀରତା, ବିଚ୍ଛେଦର ଦୁଃଖକୁ କେବଳ ଯୌବନବତୀ ତରୁଣ ତରୁଣୀମାନେ ଅନୁଭବ କରନ୍ତି ଏବଂ ତା’ର ସ୍ଵାଦ ଚାଖି ପାରନ୍ତି ।

 

କିଛି ଦିନ ପରେ ପ୍ରଦୀପ କଲେଜରେ ପଢ଼ା ପଢ଼ି ହେବାର ଆଳ ଦେଖାଇ ମୋ ନିକଟରୁ ଦୂରେଇ ଯାଇଥିଲା । ମୁଁ ତା’ର ଅନୁପସ୍ଥିତିକୁ ମୋଟେ ସହି ପାରୁ ନ ଥିଲି । ବିଗତ ଦିନର ସ୍ମୃତିର ଇତିହାସକୁ ଛାତି ଉପରେ ଚାପି ଧରି କାମନାର ଉପନଦୀରେ ଭାସି ଯାଉଥିଲି । ଯୌବନର ସ୍ଵାଦ ଚାଖି ନ ଥିବା ବେଳର ଯନ୍ତ୍ରଣାଠାରୁ ଏବେର ଯନ୍ତ୍ରଣା ଆହୁରି ବଳି ପଡ଼ୁଥିଲା । ଯୌବନର ମଧୁ ଚାଖିଲା ପରେ ଦେହ ମନ କାମନାରେ ପଳ ପଳ ହୋଇ ଦଗ୍‍ଧିଭୁକ୍ତ ହୋଇ ଉଠୁଥିଲା । ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଦୀପର ସାନିଗ୍‌ଧକୁ ଅନୁଭବ କରୁଥିଲି । ସେଇ ଗୋଟିଏ ଦିନର ସ୍ମୃତି ମୋ ପାଇଁ ଅଥଳ ସମୁଦ୍ରରୁ ହୀରା–ଲୀଳା–ମୋତି–ମାଣିକ୍ୟ ଗୋଟାଇଲା ଭଳି ଦୁର୍ମୂଲ୍ୟ ମନେ ହେଉଥିଲା । ତେଣୁ ସେ ସ୍ମୃତିର ସାବଲୀଳତାକୁ ଦେହ ମନରେ ଧରି ରଖି ଭବିଷ୍ୟତ ପାଇଁ ରେଖାଚିତ୍ର ଅଙ୍କନ କରୁଥିଲି ।

 

କେତେ ଅସମର୍ଥ ମୁହୂର୍ତ୍ତ ମଧୁରତାରୁ ଲବଣାକ୍ତ ହୋଇ ଉଠୁଥିଲା । କେତେ ସାବଲୀଳ ସ୍ମୃତି ମନ ମଧ୍ୟରେ ଆନ୍ଦୋଳିତ ହୋଇ ଶେଷରେ ଲୁହରେ ପରିଣତ ହୋଇଥିଲା ତା’ର ଠିକ୍ ହିସାବ ମୁଁ ରଖି ପାରି ନ ଥିଲି । ହେଲେ ଖାଲି ଏକ ଖରସ୍ରୋତା ନଦୀ ଭଳି ପଡ଼ି ରହିଥିଲି ଯନ୍ତ୍ରଣାକୁ ଆପଣାର ସାଥୀ କରି ।

 

ସେଇ ଖରସ୍ରୋତା ନଦୀ ?

 

ତା’ ମନର ଅସହ୍ୟ ଯନ୍ତ୍ରଣାକୁ, ତା’ଛାତି ତଳର ଅକୁହା ବେଦନାକୁ, କେହି ବୁଝନ୍ତନି ଯେମିତି । ତା’ ଦେହରେ ବନ୍ୟା ଆସେ ସେଇ ମୁହୂର୍ତ୍ତକ ପାଇଁ । ସେଇ ମୁହୂର୍ତ୍ତକରେ ତା’ ତନୁ, ମନ, ପ୍ରକମ୍ପିତ ହୋଇଉଠେ । ଦେହ, ମନରେ ନୂତନ ଉନ୍ମାଦନ ଜଗାଏ । ମାଂସପେଶୀରେ ଭରିଯାଏ କେତେ ଆବେଗର ରୋମାଞ୍ଚ । ହେଲେ ପର ମୁହୂର୍ତ୍ତରେ ନଦୀ ଶୁଖିଯାଏ । ବନ୍ୟା ଚାଲିଯାଏ ବନ୍ୟା ବାଟରେ । ଖାଲି କ୍ଷଣିକ ମୁହୂର୍ତ୍ତକୁ ଜାବୁଡ଼ି ଧରି ଛଟପଟ ହେବା ହିଁ ତା’ ପକ୍ଷରେ ସାର ହୁଏ ।

ଏହି ଖରସ୍ରୋତା ନଦୀର ଜୀବନ ଦର୍ଶନକୁ ଚାପି ଧରି ମୁଁ ଧାଇଁ ଚାଲୁଥିଲି ମୋ କର୍ଦ୍ଦମାକ୍ତ ଚଲା ପଥ ଉପରେ । ଅପେକ୍ଷା କରି ଯାଉଥିଲି ସବୁ ବର୍ଷ ପରି ବନ୍ୟା ଆସିବାର ମୁହୂର୍ତ୍ତକୁ ।

ହେଲେ କାହିଁ ?

ସମସ୍ତେ ମୋ ପାଇଁ ନିର୍ଦ୍ଦୟ ହୋଇ ଉଠୁଥିଲେ । ହେଲେ ସେଇ ମୁହୂର୍ତ୍ତକ ମଧ୍ୟରେ ପ୍ରଦୀପ ମୋ ଦେହରେ ଯେଉଁ ବଳିଷ୍ଠ ସ୍ଵାକ୍ଷର ଆଙ୍କି ଦେଇଥଲା, ତା’ପାଇଁ ମୁଁ ବିବ୍ରତ ହୋଇ ଉଠୁଥିଲି ।

ଧୋବଣୀ ନିକଟରୁ ମୁଁ ମା’ହେବାକୁ ଯାଉଥିବାର ଖବର ପାଇ ରାଇ ଭାଇ ସେଦିନ ଆନନ୍ଦରେ ଅଧୀର ହୋଇ ନାଚି ଉଠିଥିଲେ । ସେଦିନ ତାଙ୍କ ମନର ଖୁସିକୁ କଳନା କରି ହେଉ ନ ଥିଲା । ଏତେ ଦିନ ପରେ ଚୌଧୂରୀ ବଂଶର ପ୍ରକୃତ ଉତ୍ତରାଧିକାରୀକୁ ଜନ୍ମ ଦେବାର ସୁଯୋଗ ଲାଭ କରିଛନ୍ତି । ଲେକେ ତାଙ୍କ ନାଁରେ ଯେଉଁ ଯୌନ ଅକ୍ଷମ ବୋଲି ଅପପ୍ରଚାର କରୁଥିଲେ, ସେମାନଙ୍କୁ ସେ ରୋକ୍‌ଠୋକ୍‌ ଜବାବ ଦେଇ ପାରିଥିଲେ । ଅତି ଆନନ୍ଦରେ ଉତ୍‌ଫୁଲିତ ହୋଇ ତୋଟା ପଡ଼ିଆରେ ଥିବା ହରିସା, ରାଧୁସା, ନାଲୁଆ ଗୁଡ଼ିଆ ଦୋକାନରେ ଯେତେ ମିଠେଇ ଥିଲା ସବୁ ଆଣି ବାଣ୍ଟି ଦେଇଥିଲେ ।

ଏ କଥା ଚାରିଆଡ଼େ ରାଷ୍ଟ୍ର ହୋଇ ଯାଇଥିଲା । ସମସ୍ତେ ଆଶ୍ୱସ୍ତିରେ ନିଶ୍ଵାସ ମାରିଥିଲେ । ଯାହାହେଉ ଏତେ ଦିନ ପରେ ଚୌଧୁରୀ ବଂଶର କୂଳଚନ୍ଦ୍ରମା ଏଇ ନୂଆ ସାଆନ୍ତାଣୀଙ୍କ କୋଳରେ ଆସନ ଗ୍ରହଣ କରି ନୂତନ ସୂର୍ଯ୍ୟାଲୋକରେ ଆଲୋକିତ ହେବେ । ସମସ୍ତଙ୍କ ମନରେ ମୋ ପ୍ରତି ଉଚ୍ଛ୍ଵସିତ ପ୍ରଶଂସା । କେହି କେହି କହୁଥିଲେ–ସାଆନ୍ତେ ବୁଦ୍ଧିମାନର କାର୍ଯ୍ୟ କରି ସାନ ସାଆନ୍ତାଣୀଙ୍କୁ କୂଳବୋହୁ କଲେ ବୋଲି ସିନା ଆଜି କୂଳ ଉଜ୍ଜଳ ହୋଇ ଉଠିଲା-

ରାଇ ଭାଇ ମୋତେ ଆନନ୍ଦରେ ଉନ୍ମାଦିତ ହୋଇ କେତେ ଗେଲ କରିଥିଲେ, କୋଳରେ ପୁରାଇ ଚୂମା ଦେଇଥିଲେ । ମୋତେ ହସାଇବା ପାଇଁ ମୋ କାଖ ତଳେ କୁତୁ କୁତୁ କରିଥିଲେ । ମୁଁ ହସିଥିଲି କାଗଜ ଫୁଲ ପରି, ହେଲେ ମନ ମଧ୍ୟରେ ଜଳି ଉଠୁଥିଲା ଯନ୍ତ୍ରଣାର ନିଆଁ-

ଏ ଦୁନିଆଟା ବଡ଼ ଅଜବ ଗତିର । ମୁହୂର୍ତ୍ତ ମୁହୂର୍ତ୍ତରେ ତା’ଗତିର ବେଗ କେଉଁ ମୋଡ଼ ନିଏ ତା’ଅନୁଧ୍ୟାନ କରି ହୁଏନା । ବରଂ ଭାଗ୍ୟକୁ ଦ୍ଵାହି ଦେଇ ନୀରବ ରହିବା ସାର ହୁଏ । ମୋ ଗର୍ଭରେ ଗଢ଼ି ଉଠୁଥିବା ସନ୍ତାନର ଜନକ କିଏ ଅଥଚ, ବାପ ହେବାର ଗୌରବରେ ଗୌରବାନ୍ୱିତ ହୋଉଛନ୍ତି କିଏ ସେ । ବିଚିତ୍ର ଏ ଦୁନିଆଁ । ଏମିତି ସମୟର ଆଭ୍ୟନ୍ତରଣ ସ୍ରୋତରେ କେତେ କ’ଣ ଘଟଣା ଆଉ ଦୁର୍ଘଟଣା ଘଟିଯାଏ, କେହି ତା’ର ପତ୍ତା ପାଆନ୍ତି ନାହିଁ । ଅଙ୍ଗେ ଲିଭାଇଥିବା ବ୍ୟକ୍ତିଟି କେବଳ ଆପଣା ମନ ମଧ୍ୟରେ ଘାରି ହୋଇ ଜଳି ପୋଡ଼ି ମରିବା ହିଁ ସାର ହୁଏ । ଏ ଦୁନିଆର ଆଭ୍ୟନ୍ତରଣୀୟ ଅନ୍ଧକାରକୁ ଅନୁଧ୍ୟାନ କରିବା ମଣିଷ ନିକଟରେ ଦୁଃସାଧ୍ୟ ବେପାର ହୋଇ ଉଠେ-। ତେଣୁ ସମସ୍ତେ ଉପରେ ଉପରେ ଭାସି ଯାଆନ୍ତି ।

ସମସ୍ତଙ୍କ ଖୁସି ସହିତ ମୁଁ ନିଜକୁ ମିଶାଇ ପାରୁ ନ ଥିଲା । ଯେହେତୁ ଅନ୍ୟ କେହି ସନ୍ଦେହ କରି ପାରନ୍ତି ତେଣୁ ଲୋକଲୋଚନରେ ଆଖିରୁ ଲୁହ ନିଗାଡ଼ିବାକୁ ଭୟ କରୁଥଲି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ରାଇ ଭାଇଙ୍କର ଆନନ୍ଦର ଉନ୍ମାଦତା ଦେଖି । ଆଗରୁ ଏତାଦୃଶ୍ୟ ରସିକ ପଣିଆ ମୁଁ କେବେ ଦେଖି ନ ଥିଲି । ଆଗରୁ ମୋ ପ୍ରତି ତାଙ୍କର ସଚେତନତା ମୁଁ କେବେ ଅନୁଭବ କରି ନ ଥିଲି । ମୁଁ ଯାହା ଚାହେଁ ଅବା ନ ଚାହେଁ ସେ ସବୁ ଜିନିଷ ଖଞ୍ଜେଇ ରଖିଥିଲେ । ମୁଁ ଖୁସି ହେଉଥିଲି ତାଙ୍କର ଏତାଦୃଶ୍ୟ ପରିବର୍ତ୍ତନ ଦେଖି । ହେଲେ ସେତେବେଳେ ଭାବୁଥିଲି ପ୍ରଦୀପର ସ୍ଥିତି ସମ୍ପର୍କରେ ।

ତାହା ମଧ୍ୟରେ ପ୍ରଦୀପ ଅନେକ ଦିନ ଧରି ଗାଁକୁ ଫେରି ନ ଥିଲା । ପାଠପଢ଼ାର ଆଳ ଦେଖାଇ ସେ ମୋ ସମ୍ମୁଖକୁ ଆସିବାକୁ ଘୃଣା କରୁଥିଲା । ମୁଁ ସେତେବେଳେ ଉପଲବ୍‌ଧି କରୁଥିଲି–ମୁଁ ଗୋଟିଏ ଜୀବନକୁ ମୋ କୋଳରେ ସ୍ଥାନ ଦେଇ ଆଉ ଗୋଟିଏ ଜୀବନକୁ ଦହଗଞ୍ଜ କରି ନିଶ୍ଚିନ୍ନ କରିଦେବାକୁ ଯାଉଛି ।

ଠିକ୍ ସମୟରେ ପ୍ରଦୀପ ଚିଠି ଲେଖେ ରାଇ ଭାଇଙ୍କ ପାଖରୁ ଟଙ୍କା ପାଇଁ । ହେଲେ ରାଇ ଭାଇ ଚିଡ଼ି ଉଠନ୍ତି । ସେ ଯେମିତି ଟଙ୍କା ଦେବାକୁ ନାରାଜ । ସବୁବେଳେ ବିରକ୍ତ ହୋଇ ଯାହା ତାହା ଗପନ୍ତି । ହେଲେ ମୁଁ ଅନୁନୟ ହୋଇ ଅନୁରୋଧ କଲେ ସେ ଟଙ୍କା କାଣ୍ଟ ଛାଣ୍ଟ କରି ପଠାନ୍ତି ।

ମୁଁ ପରମୁହୂର୍ତ୍ତରେ ବିବ୍ରତ ହୋଇ ଉଠୁଥିଲି । ରାଇ ଭାଇଙ୍କର ଏତାଦୃଶ୍ୟ ପରିବର୍ତ୍ତନକୁ ମୁଁ ମୋଟେ ସହି ପାରୁ ନ ଥିଲି । ରାଇ ଭାଇ ଆଜି ସନ୍ତାନର ଜନକ ହେବାକୁ ଯାଉଛନ୍ତି ବୋଲି ପ୍ରଦୀପକୁ ଘୃଣା କରିବା ଆରମ୍ଭ କରି ଦେଇଥିଲେ । ମୋର ବି ପ୍ରତିବାଦ କରିବାର ଉପାୟ ନ ଥିଲା । ମୁଁ ମୋ ସ୍ଥିତିର କୂଳ କିନାରା ଖୋଜି ପାଉନଥିଲି । ନିଜ ପ୍ରତି ମୋର ଅସୂୟା ଜାତ ହେଉଥିଲା । ସେଦିନର ସେଇ ଝଡ଼ ବର୍ଷାର ରାତି ପର୍ଯ୍ୟନ୍ତ ସବୁ ଠିକ୍ ଥିଲା ହେଲେ ତା’ ପରଠାରୁ ସବୁ ଗୋଳମାଳ ହୋଇଗଲା ଯେମିତି । ମୁଁ ମାତୃତ୍ଵର ସମ୍ମାନ ପାଇ ସୁଦୃଢ଼ ହେବାବେଳେ ପ୍ରଦୀପର ସ୍ଥିତି ଟଳମଳ ହୋଇ ଉଠୁଥିଲା । ମୋର କ୍ଷଣିକ ଉତ୍ତେଜନା ପାଇଁ ଏସବୁ ଅଘଟଣ ଘଟିଗଲା । ମୁଁ ହୁଏତ ଜୀବନ ସାରା ଜଳି ଥାଆନ୍ତି ମୋର ପ୍ରାଣର ପ୍ରଦୀପ ପାଇଁ । ତା’ର ମୁହଁରେ ହସର ଝଲକ ଫୁଟାଇବା ପାଇଁ ମୁଁ ଅଙ୍ଗାର ପାଲଟି ଯାଇଥାନ୍ତି । ହେଲେ ଏ କ’ଣ ହେଲା ?

ମୁଁ ଭାବି ପାରୁ ନଥିଲି ଆସନ୍ନ ଝଡ଼ର ରୂପରେଖ ସମ୍ପର୍କରେ । ଆସ୍ତେ ଆସ୍ତେ ମୁଁ ଶିଥିଳ ପାଲଟି ଯାଉଥିଲି । ରାଇ ଭାଇ ମୋ ପାଇଁ କବିରାଜ ଡାକ୍ତର ଖଞ୍ଜି ରଖିଥଲେ । କୌଣସିଥିରେ ମୋର ଯେମିତ ଅସୁବିଧା ନ ହୁଏ । ମୁଁ ବେଶ୍ ପାଟରଣୀ ପରି ଅୟସରେ ଥିଲି । ହେଲେ ମୋ ମନର ସରସତା ନ ଥିଲା । ପ୍ରଦୀପକୁ ଦେଖିବା ପାଇଁ ମୋ ମନ ବ୍ୟାକୁଳରେ ହାଇଁ ପାଇଁ ହୋଇ ଉଠୁଥିଲା । ଲୁଚି ଛପି ଅନେକ କାକୁତି ମିନତୀ ହୋଇ ଚିଠି ଲେଖିଲେ ବି ପ୍ରଦୀପ ଆସି ନ ଥିଲା । ଚିଠିର ଉତ୍ତରରେ ସେଇ ପଦୁଟିଏ ଲେଖେ–ପରୀକ୍ଷା ପାଖେଇ ଆସୁଛି । ପଢ଼ା ପଢ଼ିରେ ବ୍ୟସ୍ତ ଅଛି-। ଏବେ ଯିବା ସମ୍ଭବ ନୁହେଁ ।

ପ୍ରଦୀପ ରକ୍ତ ମାଂସରେ ତିଆରି ସନ୍ତାନଟି ମୋ ଦେହ ମଧ୍ୟରେ ଡହଳ ବିକଳ ହେଉଥିଲା । ମୋର ଯେମିତି ମନେ ହେଉଥିଲା ସେ ସନ୍ତାନଟି ମୋ ପେଟ ଚିରି ଭୂପୃଷ୍ଠରେ ପାଦ ଥୋଇବାକୁ ବ୍ୟଗ୍ର ହୋଇ ଉଠୁଛି । ମୁଁ ମଧ୍ୟ ମା’ ହେବା ପାଇଁ ବିଚଳିତ ହୋଇ ଉଠୁଥିଲି ହୃଦୟରେ ଶତ ସହସ୍ର ଅନୁକମ୍ପାର ପ୍ରକମ୍ପ ।

ଦିନୁ ଦିନ ମୁଁ ଆହୁରି ଶିଥିଳ, ସ୍ଥାଣୁ ପାଲଟି ଯାଉଥିଲି । ଦେହର ମାଂସପେଶୀରେ ଯନ୍ତ୍ରଣାର ସ୍ରୋତ ବହୁଥିଲା । ସର୍ବାଙ୍ଗ ଅବଶ । ଡାକ୍ତର, କବିରାଜମାନେ ମୋତେ ଫୂର୍ତ୍ତି ହେବାକୁ କହୁଥିଲେ । ଅଥଚ ମୁଁ ସ୍ଥବିର ପାଲଟି ଯାଉଥିଲି । ମୁହୂର୍ତ୍ତର ମୁହୂର୍ତ୍ତକୁ ମନର ମଣିଷଟିକୁ ଦେଖିବା ପାଇଁ ବ୍ୟାକୁଳ ବସନ୍ତ ପରି ଅଦିନରେ ଫଗୁଣ ହୋଇ ଧରାପୃଷ୍ଠରେ ଲେପି ହୋଇ ଯାଉଥିଲି । ହେଲେ ନିରାଶ ହୋଇ ଫେରି ଆସୁଥିଲି ଅଭିଶପ୍ତ ଢେଉଟି ପରି । ଉପକୂଳରେ ଧକ୍‌କା ଖାଇ ଖାଇ ଢେଉଟିର ଓରିମାନା ମେଣ୍ଟି ଯାଏ ଯେମିତି ।

ବିଷାଦର ବହ୍ନି ଦେହରେ କେତେ ଦିନ ଏମିତ ବହି ଯାଇଥିଲା । ଦୁଃଖ ନଦୀରେ ବନ୍ୟା ଆସିଲା ପରି–ବିଷାଦ, ଆତ୍ମଗ୍ଳାନିରେ ମୁଁ ଭଙ୍ଗି ପଡ଼ୁଥିଲି । ଭାବୁଥିଲି, କାହିଁକି ମୁଁ ଏମିତି ଅଭିଶପ୍ତ ଜୀବନ ନେଇ ଜନ୍ମ ହୋଇଥିଲି । ଅପା ବି ଏମିତି ହନ୍ତ ସନ୍ତ ହୋଇ ମଲା । ଶେଷରେ କ’ଣ ମୋତେ ବି ସେହି ପଥ ଧରିବାକୁ ପଡ଼ିବ ?

ଜନ୍ମ ହୋଇଥିଲେ, ଦିନେ ନା ଦିନେ ମରିବାକୁ ହୁଏ । ଏଭଳି ଦହଗଞ୍ଜ ହୋଇ ବଞ୍ଚିବା ଅପେକ୍ଷା ଜୀବନ ହରାଇ ଦେବା ବେଶ୍‍ ଶ୍ରେୟସ୍କର । କିନ୍ତୁ ମନ ମଧ୍ୟରେ ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଥିଲା । ମଣିଷ ଜନ୍ମ ହୁଏ କାହିଁକି ? ମୃତ୍ୟୁ ଅନିର୍ବାଯ୍ୟ ଜାଣି ସୁଧା ଏତେ ମାୟା ମମତା ଦେହରେ ଛନ୍ଦି ହୋଇଯାଏ କାହିଁକି ? ସେହି ସ୍ନେହ, ମମତା ପାଇଁ ମୁଁ ମନ ମଧ୍ୟରେ ଅଟକି ଯାଉଥିଲି ।

ମୋର ସବୁ ଉତ୍କଣ୍ଠା, ସବୁ ଆବେଗକୁ ପ୍ରତିହତ କରି ସେଦିନ ପ୍ରଦୀପ ଆସି ପହଞ୍ଚିଥିଲା-। ପୂର୍ବପରି ଦେହ ଅବଶନ୍ନ, ଲୁଗାପଟା ଅଳିଆ ଅସନା ପରି ମଳି ହୋଇ ଯାଇଥିଲା । ଦେହ ପ୍ରତି ତା’ର ଯେମିତି ତିଳେ ହେଲେ ଲକ୍ଷ୍ୟ ନାହିଁ । ମୁଁ ବିବ୍ରତ ହୋଇ ପଚାରିଥିଲି ।

–ପ୍ରଦୀପ, ଏ କ’ଣ ହୋଇଛି । ଏତେ କହିଲା ପରେ ବି ଦେହ ପ୍ରତି ଯତ୍ନ ନେବା ଶିଖିଲନି ?

ପ୍ରଦୀପ ସେମିତି ଗମ୍ଭୀର ହୋଇ ନୀରବ ରହିଥିଲା ।

–ମୁଁ ଜାଣେ ତମେ ମୋ ପାଇଁ ଆଜି ନିଜ ଉପରେ ପ୍ରତିଶୋଧ ନେଇ ଚାଲିଛ । ମୁହୂର୍ତ୍ତକର ଦୁର୍ଘଟଣାରେ ଯାହା ସବୁ ଘଟିଗଲା ସେଥିପାଇଁ ଦୋଷୀ ହେବି ମୁଁ, ତମେ ନୁହଁ ? ତମ ରକ୍ତର ସ୍ଵାକ୍ଷରକୁ ଦେହ ମଧ୍ୟରେ ସ୍ଥାନ ଦେଇ ଗର୍ଭିଣୀ ହସ୍ତିନୀ ଭଲି ଆଜି ଗଡ଼ୁଛି । ଉଠି ପାରିବାର ଶକ୍ତି ନାହିଁ । ଏଭଳି ମୁହୂର୍ତ୍ତରେ ତମକୁ ଏ ଅବସ୍ଥାରେ ଦେଖିଲେ ?

ମୁଁ ଜାଣେ ଶିଖା, ଦୋଷ ତୁମର ନୁହେଁ, କି ମୋର ନୁହେଁ, ହେଲେ ସମୟର ସବୁ ଦୋଷ-। ବୟସର ସବୁ ଦୋଷ । କିନ୍ତୁ ସେଇ ସମୟ ପାଇଁ ଆମକୁ ଉପଯୁକ୍ତ ଶାସ୍ତି ଭୋଗିବାକୁ ପଡ଼ିବ-

–ପ୍ରଦୀପ, ତମର ଅଲିଭା ସନ୍ତକ ମୋ ଦେହରେ ଧାରଣ କରି ସମୟଠାରୁ ମୁଁ ଶାସ୍ତି ଭୋଗିବି, ଭୋଗୁଛି ମଧ୍ୟ, ହେଲେ ତମର ଏ ଅବସ୍ଥା ? ତମକୁ ଏମିତି ଅସହାୟ ଭାବେ ଦେଖିଲେ ମୋ ଦେହ ସହିବ ନାହିଁ । ତମେ ସୁନ୍ଦର । ତମେ ସରସ । ତମେ ପୁରୁଷ ସିଂହ ।

–ସେ କିଛି ନୁହେଁ, ପାଠ ପଢ଼ା ପ୍ରତି ବିଶେଷ ଲକ୍ଷ୍ୟ ଦେଉଥିଲି ତ, ତେଣୁ ଦେହ ପ୍ରତି ଯତ୍ନ ନେଇ ହୋଇ ନ ଥିଲା । ପରୀକ୍ଷା ପରେ ସବୁ ଠିକ୍ ହୋଇଯିବ ।

ପ୍ରଦୀପ ମୋତେ ପାଠପଢ଼ାର ଆଳ ଦେଖାଇ ଭୁଲେଇ ଦେଇଥିଲା । କିନ୍ତୁ ଠିକ୍ ଲକ୍ଷ୍ୟ କରୁଥିଲି ପ୍ରଦୀପ ନିଜ ମନ ଆଉ ବିବେକର କଟକଣା ମଧ୍ୟରେ ଛନ୍ଦି ହୋଇ ପଡ଼ିଛି । ତେଣୁ ସେ ଆସ୍ତେ ଆସ୍ତେ ଅନୁତାପର ଅନ୍ଧକାର ମଧ୍ୟରେ ହଜି ଯାଉଥିଲା । ମୁଁ କଥାର ମୋଡ଼ ବଦଳେଇ ଦେଇ କହିଥିଲି–

–ସେ ସବୁ ଅତୀତକୁ ଭୁଲିଯାଅ ପ୍ରଦୀପ । ଯେଉଁ ଅତୀତର କଳଙ୍କମୟ କାହାଣୀ ଇତିହାସର ପୃଷ୍ଠା ମଣ୍ଡନ କରିଛି ତାହା ଆମ ଦୁଇଟି ଆତ୍ମା ମଧ୍ୟରେ ସୀମାବଦ୍ଧ ରହୁ । ତମ–ମୋ ବ୍ୟତୀତ କୌଣସି ଜୀବଜନ୍ତୁ ଏ ଘଟଣାର ସନ୍ଧାନ ସୁଦ୍ଧା ପାଇବେ ନାହିଁ ।

ପ୍ରଦୀପ ନୀରବ ରହିଥିଲା । କିଛି ଉତ୍ତର ଦେବାକୁ ଯେମିତି ତା’ର ଆଉ ଧୈର୍ଯ୍ୟ ନ ଥିଲା । ରାଇ ଭାଇ ଗେଟ୍‌ ଖୋଲିବାର ଶବ୍ଦ ଶୁଣି ସେ ଦୂରେଇ ଯାଇଥିଲା ।

ଖଜୁରୀ ଗଛ ପରି ମୋ ଜୀବନର ଗତି ମୂଳରୁ ପାହାଚ ପାହାଚ ହୋଇ ଖାଲି ଦୁର୍ଘଟଣାମାନ ଘଟି ଯାଉଥିଲା । ମୁଁ କେଉଁ କୂଳରେ ହେବି । କାହାକୁ ପର, କାହାକୁ ଆପଣାର କରିବି ତାହା ଭାବି ପାରୁ ନ ଥିଲି । ସେ ସମୟରେ ଆସନ୍ନ ସନ୍ତାନ ପ୍ରସବର ଯନ୍ତ୍ରଣା ମୋତେ ବ୍ୟତିବ୍ୟସ୍ତ କରି ପକାଉଥିଲା ।

ଅଚାନକ ରାଇ ଭାଇ ପ୍ରଦୀପ ଦେଖି ଚିଡ଼ି ଉଠିଥିଲେ । ମୁଁ ଆଗରୁ ଲକ୍ଷ୍ୟ କରୁଥିଲି ସେ ଯେମିତି ପିତା ହେବାର ସୁଯୋଗରେ ଉନ୍ନୁକ୍ତ ହୋଇ ମତୁଆଲା ହୋଇ ଉଠୁଥିଲେ । ତାଙ୍କ ନିକଟରେ ପ୍ରଦୀପର ନାଁ, ମୁଁ ଧରିଲେ ସେ ବିରକ୍ତ ହୋଇ ଉଠୁଥିଲେ । ଯେମିତି ଆଉ ପ୍ରଦୀପକୁ ପୁତ୍ରତ୍ଵର ସମ୍ମାନ ଦେବାକୁ ସେ ନାରାଜ ।

ପ୍ରଦୀପ ଆସିଥିଲା ଏଠି ହସ ଖୁସିରେ ଦିନ କଟାଇବାକୁ ନୁହେଁ, ଆଗରେ ଶେଷ ବର୍ଷର ପରୀକ୍ଷା । ତେଣୁ ପରୀକ୍ଷା ଫିସ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ କିଛି ଅଧିକା ଟଙ୍କା ଲାଗି । ଟଙ୍କା ଦେଇଥିଲେ ସେ ଚାଲିଯାଇଥାଅନ୍ତା ।

କିନ୍ତୁ କିଛି କାରଣ ନ ଥାଇ ଅଚାନକ ଏକ ଦୁର୍ଘଟଣାର ଝଡ଼ ମୁହୂର୍ତ୍ତକ ମଧ୍ୟରେ ବହି ଯାଇଥିଲା । ବିନା ଯୁଦ୍ଧରେ ଯେମିତ ରକ୍ତର ନଦୀ ବହି ଗଲା ଭଳି, ରାଇ ଭାଇ ଟଙ୍କା ନାଁ ଶୁଣିଲା ମାତ୍ରେ ହିଂସ୍ର ହୋଇ ଉଠି, ଯା’ଇଚ୍ଛା ତାହା ପ୍ରଦୀପ ଉପରେ ଗାଳି ବର୍ଷଣ କରି ଚାଲିଥିଲେ । ପ୍ରଦୀପ ତାଙ୍କ କଥାରେ କିଛି ପ୍ରତିବାଦ କରି ନଥିଲା, କିନ୍ତୁ ରାଇ ଭାଇ ପାଗଳ ହୋଇ ଯାଇଥିଲେ ଯେମିତି । ପ୍ରଦୀପ ନିକଟକୁ କୁଦିଯାଇ ଠୋ......ଠୋ......କରି ବିଧା, ଚାପୁଡ଼ା, ବର୍ଷଣ କରି ଚାଲିଥିଲେ । ସଙ୍ଗେ ସଙ୍ଗେ ଏ ଘରୁ ବାହରି ଯା ବୋଲି ଧମକ ଦେଇଥିଲେ । ତୁ ପାଠ ପଢ଼ିଲେ ମୋ କୂଳ ଉଜ୍ଜ୍ୱଳ ହେବ ନାହିଁ । ତୁ ମୋର କେହି ନୁହେଁ । ତୁ ଶୀଘ୍ର ମୋ ଘରୁ ବାହାର । ନ ହେଲେ ମୁଁ ଧକ୍‌କା ଦେଇ ବାହର କରିଦେବି ।

ମୁଁ ପ୍ରାଣ ବିକଳରେ ଘୁଷୁରି ଘୁଷୁରି ଆସି ରାଇ ଭାଇଙ୍କୁ ଜାବୁଡ଼ି ଧରି କାନ୍ଦି କାନ୍ଦି କେତେ ଅନୁନୟ କରିଥିଲି । ରାଇ ଭାଇ, ତମେ ଏ କ’ଣ କରୁଛ, ଯାହାକୁ ଅପା ପାଳି ପୋଛି ମଣିଷ କରିଥିଲା ତମେ ତାକୁ ଗୋଡ଼ରେ ଆଡ଼େଇ ଦେଉଛ । ସେହି ଧସ୍ତା ଧସ୍ତି ମଧ୍ୟରେ ମୁଁ ଯେମିତି ଦେଖୁଥିଲି ପ୍ରଦୀପ ଭୋ….ଭୋ……ହୋଇ କାନ୍ଦୁଥିଲା । ଦୋଷୀ ଭଳି ସବୁ ସହି ନେଉଥିଲା । ସମସ୍ତେ ଠିଆ ହୋଇଥିଲେ ହେଲେ କେହି ସାହାସ କରି ରାଇ ଭାଇଙ୍କ ପାଖକୁ ଆସି ନ ଥିଲେ ।

ତା’ ପରେ ମୁଁ ସଜ୍ଞା ହରାଇ ବସିଥିଲି । ରାଇ ଭାଇଙ୍କର କ୍ରୋଧ ଶାନ୍ତି ହୋଇ ଯାଇଥିଲା-। ସମସ୍ତେ ମୋ ପାଖକୁ ଧାଇଁ ଆସି ପଲଙ୍କ ଉପରକୁ ଟେକି ନେଇଥିଲେ । କବିରାଜ, ଡାକ୍ତରଙ୍କୁ ଡାକିବା ପାଇଁ ଦଉଡ଼ି ଯାଇଥିଲେ ।

କେତେ ସମୟ ଅତିବାହିତ ହେବା ପରେ ମୋ ଚେତନା ଶକ୍ତି ମୁଁ ଫେରି ପାଇଥିଲି । ଝଡ଼ର ପରମୁହୂର୍ତ୍ତରେ ପୃଥିବୀ ଶାନ୍ତ ହେଲା ପରି ସବୁ ଶାନ୍ତ, ସ୍ଥିର । ହେଲେ ମୁଁ ସେହି ଲୋକମାନଙ୍କ ଗହଣରେ ଖୋଜୁଥିଲି ପ୍ରଦୀପର ସେହି ଅଶ୍ରୁଳ ମୁହଁଟିକୁ ।

ହେଲେ ପ୍ରଦୀପ କାହିଁ ?

କେଉଁଠି ?

ଅତି ଧୀର ଗଳାରେ କହିଥିଲି–ସୁରୁଜା ମା’ ପ୍ରଦୀପକୁ ଟିକଏ ମୋ ପାଖକୁ ଡାକ । ପିଲାଟା ମନରେ ଆଘାତ ଲାଗିଛି, ଆଗରେ ତା’ର ପରୀକ୍ଷା । ତାକୁ ଟିକିଏ ବୁଝାଇ ନ ଦେଲେ ସେ ମନ ମଧ୍ୟରେ ଭାରସାମ୍ୟ ରଖିବ କେମିତି ?

ସେତେବେଳକୁ ପ୍ରଦୀପ–ଚୌଧୂରୀ ଘରର ସମସ୍ତ ମାୟା, ମମତାକୁ ସବୁଦିନ ପାଇଁ ଆଡ଼େଇ ଦେଇ ଅନେକ ଦୂରକୁ ଚାଲି ଯାଇଥିଲା । ଆପଣା ମନରେ ଅନେକ ଦ୍ଵନ୍ଦର ପ୍ରଶ୍ନ ଆଉ ଉତ୍ତର ମଧ୍ୟରେ ଛନ୍ଦା ଛନ୍ଦି ହୋଇ ଶେଷରେ ସିଦ୍ଧାନ୍ତ ନେଇଥିଲା । ଯୁଦ୍ଧ ଭୂଇଁରେ ଜଣେ ଲେଙ୍ଗଡ଼ା ସୈନିକ ଭଳି ପଡ଼ିରହି କ୍ଷତବିକ୍ଷତ ହେବା ଅପେକ୍ଷା ସଂଘର୍ଷ ଭୁଇଁରୁ ଦୂରରେ ରହିବା ବେଶ୍ ଭଲ ।

ଅନେକ ଖୋଜିଥିଲି । କ୍ଲବ, ବଜାର, ବନ୍ଧୁଘର, କଲେଜ । ହେଲେ କେଉଁଠାରେ ସନ୍ଧାନ ମିଳିଲା ନାହିଁ । କାନ୍ଦି କାନ୍ଦି ଅପା ଫଟୋ ନିକଟକୁ ଧାଇଁଗଲାବେଳେ ଦେଖିଥିଲି କାନ୍ଥରେ ଟଙ୍ଗା ହୋଇଥିବା ଅପା ଏବଂ ମୋର, ଦୁଇଟିଯାକ ଫଟୋ ନାହିଁ । ଅଉ ସବୁ ପ୍ରଦୀପ ଘରେ ଠିକ୍ ଥିଲା । ପ୍ରଦୀପ ତା’ ଘରୁ କୌଣସି ଜିନିଷ ନେଇ ନାହିଁ, କେବଳ ସେଇ ଫଟୋ ଦୁଇଟି ନେଇ ଯାଇଥିଲା । ମୁଁ ମୁହଁ ବୁଲାଇ ଚାହିଁଥିଲି ଆରପଟ କାନ୍ଥରେ ଟଙ୍ଗା ହୋଇଥିବା ପ୍ରଦୀପର ଫଟୋଟିକୁ । ଧାଇଁଯାଇ ଫଟୋଟିକୁ ତୋଳି ଆଣି ଛାତି ଉପରେ ଚାପି ଧରିଥିଲି । କାନ୍ଦି କାନ୍ଦି କହିଥିଲି–ପ୍ରଦୀପ, ତମେ ଏମିତି ଅସହାୟର ସୁଅ ମୁହଁରେ ମୋତେ ଠେଲି ଦେଇ ଚାଲିଗଲ ଅନେକ ଦୂରକୁ । ଏବେ କୁହ, ମୁଁ କେମିତ ବଞ୍ଚିବି । ଚୌଧୂରୀ ଘରର ବୋହୂ ହୋଇଥିଲି ତମ ପୌରୁଷତ୍ଵ ଗଛର ଛାଇରେ ଆଶ୍ରୟ ଟିକିଏ ନେଇ ଜୀବନ ସାରା ଆଶ୍ୱସ୍ତି ବୋଧ କରିବି ବୋଲି । ହେଲେ କୁହ, ମୁଁ କେମିତି ବଞ୍ଚିବି । କାନ୍ଦି କାନ୍ଦି ଲୋଟି ଯାଇଥିଲି ।

ରାଇ ଭାଇ ସବୁ କାର୍ଯ୍ୟ ନିର୍ବିକାର ଚିତ୍ତରେ କରି ଚାଲିଥିଲେ । ପ୍ରଦୀପର ବାପା ମା’ ଆସି ମୋ ପାଖରେ ମୁଣ୍ଡ କୋଡ଼ି କାନ୍ଦିଥିଲେ । ସେମାନଙ୍କୁ ମୁଁ ସାନ୍ତ୍ୱନା ଦେଇ ଫେରାଇ ଦେଇଥିଲି-। କହିଥିଲି–ଅପା ତା’ ଆଦରର ପୁଅକୁ ମୋ’ ଦାୟିତ୍ୱରେ ଛାଡ଼ି ଦେଇଥିଲା । ମୁଁ ତାକୁ ଠିକ ରୁପେ ସୁନା ଫରୁଆ ଦେହରେ ସାଇତି ରଖି ପାରିଲି ନାହିଁ । ସେ ଏ ଚୌଧୂରୀ ଘର ଛାଡ଼ି ଉଡ଼ି ଯାଇଛି । ସେ ଯେଉଁଠି ଥାଉନା କାହିଁକି ମୁଁ ତାକୁ ଶୋଳ ଥାନା ହୁଲିଆ କରି ଖୋଜି ବାହାର କରିବି । ସେ କେବେ ହେଲେ ତା’ ଆଦରର ବୋଉର ସ୍ନେହ, ପ୍ରେମ, ମମତାକୁ ଛାଡ଼ି ମୁହୂର୍ତ୍ତେ ରହି ପାରିବ ନାହିଁ-

ମୁଁ ରାଇ ଭାଇଙ୍କ ପାଖରେ କାକୁତି ମିନତି ହୋଇ ଅନୁନ୍ଵୟ କରିଥିଲି ବୋଲି ସେ ଶୋଳ ଥାନା ହୁଲିଆ କରିଥିଲେ । ହେଲେ ତାଙ୍କର ସେମିତି ଆଗ୍ରହ ନ ଥିଲା । ଫଳ କିଛ ହୋଇ ନ ଥିଲା । ପ୍ରଦୀପର କେହି ସନ୍ଧାନ ପାଇ ନ ଥିଲେ । ତା’ ଗତି ସମ୍ପର୍କରେ କେହି ଚିହ୍ନବର୍ଣ୍ଣ ସୁଦ୍ଧା କହି ପାରୁ ନ ଥିଲେ ।

ପ୍ରଦୀପ ମୋର ସ୍ମୃତି, ଚେତନା, ସଂହତି ହୋଇ ମୋ’ ଦେହ ମନଟାକୁ ବିବ୍ରତ କରି ପକାଉଥିଲା । ମୋତେ ଚଉଦିଗ ଅନ୍ଧକାର ଦେଖା ଯାଉଥିଲା । ମୁଁ ଚିନ୍ତା କରି ପାରୁ ନ ଥିଲି । ମୁଁ ପ୍ରଦୀପ ବିହୁନେ ବଞ୍ଚିବି କେମିତି । ସେ ମୋର ଜୀବନ, ଯୌବନ, ମୋ ବଞ୍ଚିବାର ଏକମାତ୍ର ସ୍ଥାବକ ଥିଲା । ତାରି ପାଇଁ ମୁଁ ଚୌଧୂରୀ ପରିବାରରେ ଫୁଲ ହୋଇ ଫୁଟିଥିଲି । ସେଇ ଅତୀତ ସ୍ମୃତିର ଇତିହାସ ମୋ ପାଇଁ ଏକ ସାବଲୀଳ ଉପନ୍ୟାସର କାହାଣୀ ପରି । ତା’ ଯନ୍ତ୍ରଣାର ସ୍ଵର ମୋ ପାଇଁ କବିତାର ଛନ୍ଦ ଭଳି ଆଲୁଳାୟିତ ଲଗୁଥିଲା । ହେଲେ ମୁଁ ରୁକ୍ଷ ପାହାଡ଼ ଦେହରେ ଧକ୍‌କା ଖାଇ ବଞ୍ଚିବି କେମିତି । କର୍ଦ୍ଦମାକ୍ତ ଉପତ୍ୟକା ଉପରେ ଦଉଡ଼ି ଦଉଡ଼ି ବଞ୍ଚିବାର ସାହସ ସଞ୍ଚୟ କରିବି କେମିତି । ଛନ୍ଦି ହୋଇ ପଡ଼ିବା ହିଁ ସାର ହେବ ।

ଜୀବନଟା ଯେମିତି ମୋତେ ଦୁର୍ବିସହ ମନେ ହେଉଥିଲା । ମୁଁ ଅତୀତର ଯୋଜନାକୁ ସଙ୍ଗଠିତ କରୁଥିଲି । ପ୍ରଦୀପ ବିହୁନେ ସେଦିନ ମୁଁ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ଥିଲି, ତେଣୁ ଆଜି କାହିଁକି ପଛେଇଯିବି । ମୁଁ ମରି ସାରିଲା ପରେ ରାଇ ଭାଇ ବୁଝିବେ–ଯେଉଁ ସାମାନ୍ୟ ସ୍ଵାର୍ଥ ପାଇଁ ସେ ଦୁଇଟି ଆତ୍ମାକୁ ଛଟପଟ କରି ମାରିଦେଲେ, ତା’ ପ୍ରତିଦାନରେ କେତେ ଲାଭବାନ ହେଲେ ।

ମଣିଷ ଜୀବନ ପୁଣ୍ୟ ଦ୍ରବ୍ୟ ନୁହେଁ । ଯାହାକୁ ଟଙ୍କା ପଇସାର ତରାଜୁରେ ଲାଭ କ୍ଷତିର ବିଚାର କରାଯାଇ ସମ୍ପର୍କ ସ୍ଥାପନ କରାଯାଏ । ମଣିଷ ସହିତ ମଣିଷ ସମ୍ପର୍କ ସ୍ନେହ, ମମତାର, ଟଙ୍କା ପଇସାର ଲାଭ କ୍ଷତିରେ ନୁହେଁ । ସ୍ନେହ–ପ୍ରେମ–ମମତାକୁ ନେଇ ଅମୃତର ସମ୍ପର୍କ ସ୍ଥାପନ କରଯାଇପାରେ । ପର ଲାଗି ନର ଆତ୍ମବଳୀ ଦେଇପାରେ; ହେଲେ ବ୍ୟବସାୟ ବାଣିଜ୍ୟ କରି ହୁଏନା । ତାହା ସ୍ଵତ । ଇଚ୍ଛା କରି ଅନ୍ୟ ଦେଇ ହୁଏନା କି ଅନ୍ୟଠାରୁ ଛଡ଼େଇ ନେଇ ହୁଏନା ।

ମୁଁ ଆତ୍ମହତ୍ୟା କରିବି ।

ଅତୀତର ସ୍ମୃତିର ପାଉଁଶକୁ ନେଇ ଦହନ ଜ୍ଵାଳାରେ ଜଳି ପୋଡ଼ି ଖିନ୍‌ଭିନ୍ ହୋଇ ମରିବା ଅପେକ୍ଷା, ମୁହୂର୍ତ୍ତକର ଜ୍ଵଳନରେ ସବୁ ଶେଷ ହୋଇଯିବା ବେଶ୍ ଭଲ ।

କିନ୍ତୁ ପର ମୁହୂର୍ତ୍ତରେ ପ୍ରତିହତ ହେଉଥିଲି । ପ୍ରଦୀପ କ’ଣ ଭାବିବ । କାଲି ହୁଏତ ପ୍ରଦୀପ ଫେରି ଆସିବ ଏଇ ଗାଁକୁ । ଆସି ଦେଖିବ ତା’ ଆଦରର ଶିଖା ଆତ୍ମହତ୍ୟା କରିଛି । ସେ ନିଶ୍ଚୟ ଭାବିବ, ଶିଖା ଏତେ ଭୀରୁ । ଯେଉଁ ସନ୍ତାନଟିକୁ ତା’ କୋଳରେ ଟେକି ଦେଇଥିଲି ବଳିଷ୍ଠ ସ୍ଵାକ୍ଷରର ନିଦର୍ଶନ ସ୍ଵରୂପ, ତାକୁ ସେ ଭୂମିଷ୍ଠ ହେବାକୁ ଦେଲାନି । ଏଇ କ’ଣ ତା’ର ଭଲପାଇବାର ନିଦର୍ଶନ

ସତେ ତ ?

ପ୍ରଦୀପ ଦିନେ ନିଶ୍ଚୟ ଫେରି ଆସିବ ତା’ର ଏଇ କୁନି ପ୍ରଦୀପଟି ପାଖକୁ । ରକ୍ତ–ରକ୍ତର ଆକର୍ଷଣକୁ ଟାଣି ଆଣିବ ବହୁ ଦୂରରୁ । ସେଦିନ ହୁଏତ ପ୍ରଦୀପ ମୁହଁଟେକି ମୋତେ ଚାହିଁ ପାରିବ ନାହିଁ । ଭୀରୁ ଭଳି, କାପୁରୁଷ ଭଳି, ମୋ ନିକଟରେ । ଅନୁଗତ୍ୟ ସ୍ଵୀକାର କରି ଆଶ୍ରୟ ଖୋଜି ବସିବ । ସେହିଦିନ ହୁଏତ ମୁଁ ପ୍ରଦୀପକୁ କହିବି–ପ୍ରଦୀପ, ପୁରୁଷ ତା’ ପୌରୁଷତ୍ଵର ଅଧିକାରରେ ନାରୀକୁ ଜୟ କରି ବସେ, କିନ୍ତୁ କାପୁରୁଷ ଭୂମିକାରେ ନୁହେଁ ।

ଅପେକ୍ଷା କରିଗଲି ସମୟୁରୁ ସମୟକୁ ।

ସେ ଫେରିବ ନିଶ୍ଚୟ ।

ଦିନେ ନା ଦିନେ ।

ମୋ ଦେହରେ ସେ ଯେଉଁ ଗୁରୁଦାୟିତ୍ଵ ଟିକକ ଲୁଚାଇ ଦେଇ ଯାଇଛି, ତାକୁ ଭୂପୃଷ୍ଠରେ ଜନ୍ମ ଦେଇ ମଣିଷ କରିବାର କର୍ତ୍ତବ୍ୟ ମୋର । ତେଣୁ ସମସ୍ତ ଯନ୍ତ୍ରଣା ଦୁଃଖ, ଅବସାଦକୁ ମନ ଭିତରେ ଚାପି ଧରି ପିଲାଟିକୁ ମଣିଷ କରିବାର ଶପଥ ନେଇଥିଲି । ଆଖିରେ ଲୁହ ପଣତ କାନିରେ ପୋଛି ଦେଇଥିଲି । ମନର କୋହକୁ ଛାତି ଭିତରେ ଚାପି ଦେଇଥିଲି । ଚାହିଁ ବସିଥିଲି ତା’ ଫେରିବା ପଥକୁ । ଭାବୁଥିଲି–ଦୁନିଆ ପଛେ ନ ବୁଝୁ, ସମାଜ ପଛେ ନ ଜାଣୁ, ହେଲେ ବନସ୍ତରେ ହାତୀ ବଢ଼ିଲେ ରଜାଙ୍କର ତ ?

ସବୁ ସମୟରେ, ସବୁ ମୁହୂର୍ତ୍ତରେ ଚାହିଁଥିଲି ସେଇ ଦୂର ରାସ୍ତାକୁ ।

ସେ ଫେରିବ ।

ନିଶ୍ଚୟ ।

ଆଖିରୁ ଲୁହ ଶୁଖି ଯାଇଥିଲା । ମନରୁ କୋହ ହଜି ଯାଇଥିଲା । ତଥାପି ଚାହିଁଛି । ସେ ଚାହିଁବାରେ ଯେମିତି ଶେଷ ନାହଁ । ଅଚାନକ ଦୁର୍ଘଟଣା ଭଳି ସେହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲି–କେଉଁ ଦିନ ଆସି ପ୍ରଦୀପ ଆମ ସମସ୍ତଙ୍କୁ ଚମକାଇ ଦେବ ?

ତାରି ମଧ୍ୟରେ କେତେ ବୈଶାଖ–ଫଗୁଣ, ଶୀତ, ହେମନ୍ତ, ଶରତ, ବସନ୍ତ ବହି ଯାଇଛି ଗାଁଦାଣ୍ଡ ଧୂଳି ମାଟିରେ, ତୋଟା ମାଳ ଗଛ ଲତାରେ, ନଇ ତୁଠ ପଥରେ କେତେ ଶିଉଳି ଜମି ଯାଇଛି । ଡେଙ୍ଗା ବଉଳ ଗଛରୁ କେତେ ପତ୍ର ଝରି ଯାଇଛି । ବାଡ଼ିପଟ ଦେଢ଼ ହାତର ପିଜୁଳି ଗଛଟା କେଡ଼େ ବଡ଼ ହୋଇ ଡାଳ ପତ୍ର ମେଲି ପିଜୁଳିର ନଦି ହୋଇ ଯାଇଥିଲା, ହେଲେ ସେ ଫେରି ନ ଥିଲା ।

ଯେଉଁଦିନ ଦୀପକ ଜନ୍ମନେଲା ସେଦିନର କଥା ମନେ ପଡ଼ିଲେ ଦେହ ମୁଣ୍ଡ ଆତଙ୍କରେ ଥରି ଉଠେ ଯେମିତି । ପିଲାଟା ଜନ୍ମ ହେଲା ବେଳେ ଆଡ଼ା ପଡ଼ିଯାଇଥିଲା ପେଟରେ । କବିରାଜେ ଆସ୍ଥା ହରାଇ ବସିଥିଲେ । କେହି କେହି ପରାମର୍ଶ ଦେଇଥିଲେ କଟକ ବଡ଼ ଡାକ୍ତରଖାନାକୁ ନେଇ ଚାଲ, ନ ହେଲେ ଛୁଆ ମା’ ଉଭୟଙ୍କ ଜୀବନ ସଙ୍କଟାପର୍ଣ୍ଣ । ରାଇ ଭାଇ ଅହେତୁକ ଭୟରେ ଶିହରି ଉଠୁଥିଲେ । ସେତେବେଳେ ହୁଏତ ସେ ଅନୁଭବ କରୁଥିଲେ ମୁଁ ପ୍ରଦୀପ ପ୍ରତି ଯେଉଁ ଅନ୍ୟାୟ କରିଛି ତାହାକୁ ମୋତେ କ’ଣ ଏତେ ଶୀଘ୍ର ଭେଗିବାକୁ ପଡ଼ିଲା କି ?

ଭଗବାନଙ୍କ କୃପାରୁ ବଞ୍ଚି ଯାଇଥିଲି । ପିଲାଟା ଜନ୍ମ ହେବାକ୍ଷଣି ସମସ୍ତଙ୍କର ଆନନ୍ଦ କହିଲେ ନ ସରେ । ରାଇ ଭାଇଙ୍କ ମନ ଉତ୍‌ଫୁଲତାରେ ନର୍ତ୍ତି ଉଠୁଥିଲା । ଗାଁ ସାରା ରାଷ୍ଟ୍ର ହୋଇଯାଇଥିଲା । ସାନ ସାଆନ୍ତାଣୀଙ୍କର ପୁଅ ହୋଇଛି ବୋଲି । ଏତେ ଦିନ ପରେ ଚୌଧୁରୀ ବଂଶର ଉପଯୁକ୍ତ ଉତ୍ତରାଧିକାରୀ ଜନ୍ମ ନେଇଛି ବୋଲି ଆନନ୍ଦ ମହୋତ୍ସବରେ ଗାଁ ସାରା କମ୍ପି ଉଠୁଥିଲା । ରାଇ ଭାଇ ଏତେଦିନ ପରେ ବାପ ହୋଇଛନ୍ତି ବୋଲି ଗାଁ ଦାଣ୍ଡରେ ଛାତି ଫୁଲାଇ ଚାଲୁଥିଲେ । ପୁଅ ଏକୋଇଶିଆକୁ ବହୁ ଅର୍ଥ ବ୍ୟୟ ହେବ ବୋଲି ଅସରନ୍ତି ଭଣ୍ଡାର ମେଲି ଦେଇଥିଲେ ।

ହେଲେ ପ୍ରଦୀପ କଥା ଭାବିଲା ବେଳେ ମୋ ଅଖିରୁ ଅଜାଣତରେ ଧାର ଧାର ଅମାନିଆ ଲୁହ ବୋହି ଯାଉଥିଲା । ଆଜି ଭଳି ଦିନରେ ସେ ଯଦି ଥାଆନ୍ତା ତା’ହେଲେ କେତେ ଖୁସି ହେଉ ନଥାନ୍ତା ସତେ ? ପୁଅର ବାପ ସିଏ । ଖୁସି ହେବାର ସମ୍ପୂର୍ଣ୍ଣ ଅଧିକାର ତା’ର । କେହି ବାପ ବୋଲି ସମ୍ମାନ ନ ଦେଲେ ମୁଁ ତ ଏକାନ୍ତରେ କହି ବସି ଥାଅନ୍ତି–ଦେଖୁଛ ପ୍ରଦୀପ, ଦୀପକର କାନ, ନାକ, ମୁହଁ କେମିତି ଅବିକଳ ତମର ମୁହଁକୁ ଛଡ଼େଇ ଆଣିଛି ?

ପୁଅ ଏକୋଇଶିଆ । ମହୋତ୍ସବରେ ସମସ୍ତେ ମାତି ଉଠିଥିବାବେଳେ ମୋ’ ଆଖିର କାଚ ଦର୍ପଣରେ ପ୍ରଦୀପର ସେହି ଶେଷ ମୁହୂର୍ତ୍ତରେ କାନ୍ଦରା ମୁହଁଟି ନାଚି ଉଠୁଥିଲା । ଆଜିର ଏହି ଦିନରେ ସମସ୍ତେ ଆନନ୍ଦ ଉତ୍ସବରେ ମାତି ଉଠିଛନ୍ତି । ପ୍ରଦୀପ ଥିଲେ କ’ଣ ସେମାନଙ୍କ ସହିତ ନାଚୁ ନଥାନ୍ତା ?

ହେଲେ କେଉଁଠି ଥିବ ସେ । ପାଖରେ ତ କିଛି ପଇସା ନ ଥିଲା । ଲୁଗାପଟା କିଛି ନେଇ ନଥିବ । ଏତେଦିନ ଧରି ଖାଉଥିବ କ’ଣ, ଶୋ‍ଉଥିବ କେଉଁଠି । ଆହା ବୋଲି ପଦେ କହିବାକୁ ତା’ର କେହି ଭରସା ନ ଥିବେ । ଅପା ତାକୁ କେତେ ଆଦର ଯତନରେ କୋଳେଇ କାଖେଇ, ପଣତ କାନିର ଆଢ଼ୁଆଳରେ ଅସହାୟ ଅବସ୍ଥାରୁ ତୋଳି ଆଣି ମଣିଷ କରିବାର ଶପଥ ନେଇଥିଲା । ହେଲେ ମୁଁ ହତଭାଗିନୀ ତାକୁ ଧରି ରଖି ପାରିଲି ନାହିଁ ।

ପୁଣି କେହି କେହି ଅପପ୍ରଚାରର ଆରମ୍ଭ–କରି ଦେଇଥିଲେ । ତୁଣ୍ଡ ବାଇଦକୁ କ’ଣ କେହି ହାତ ଦେଇ ଅଟକାଇ ହୁଏ ? ଯିଏ ଯାହା ମନକୁ ଆସିବ କହିବେ । ଅନେକ ଏ କଥାର ଏକମତ ହେଉଛନ୍ତି ଯେ–ରାଇଚରଣଙ୍କର ପିଲା ହେବାର ଜାଣି ପାରିବାରୁ ସ୍ଵାମୀ–ସ୍ତ୍ରୀ ଉଭୟେ ତାକୁ ଘରୁ ବାହାର କରିଦେଲେ । କାରଣ, ସେ ରହିଲେ ହୁଏତ ପୋଷ୍ୟପୁତ୍ର ହିସାବରେ ଉତ୍ତରାଧିକାରୀ ନିକଟରୁ ଭବିଷ୍ୟତରେ ଭାଗ ଦାବି କରିପାରେ ? ଏ ବୁଦ୍ଧି ସାଆନ୍ତଙ୍କର ନ ହେଲେ ବି ସାଆନ୍ତାଣୀଙ୍କର ନିଶ୍ଚୟ । ପଛ ସ୍ତ୍ରୀର କଥା କ’ଣ କେବେ ଅନ୍ୟଥା ହୁଏ ।

ଏ କଥା ଶୁଣିଲା ପରେ ଦେହ, ମନ ବିଦାରି ହୋଇ ଉଠୁଥିଲା । ହାଡ଼, ମାଂସ, ରକ୍ତ ସବୁ ଏକାକାର ହୋଇ ଯାଉଥିଲା । ଶୁଖିଲା ଭୁଇଁରେ ମୁଣ୍ଡ ବାଡ଼େଇ ବାଡ଼େଇ ରକ୍ତାକ୍ତ ହୋଇଯିବାକୁ ଇଚ୍ଛା ହେଇଥିଲା ।

ପ୍ରଦୀପକୁ ମୁଁ ଏ ଘରୁ ତଡ଼ି ଦେଲି । ଏ କଥା ଲୋକେ କହି ପାରୁଛନ୍ତି । ଧନ୍ୟ ଏ ସମାଜ । ଆହୁରି ଆଶ୍ଚର୍ଯ୍ୟ ଲାଗେ ଏ ଲୋକ ଗୁଡ଼ାକଙ୍କର ଗତିବିଧି । ଦିନ ରାତି ଚବିଶି ଘଣ୍ଟା ପର ଛିଦ୍ରରେ ରହିଥାଅନ୍ତି । ପରର କୁତ୍ସାରଟନା କରିବା ପାଇଁ ଏମାନେ ଭାରି ସୁଖ ପାଆନ୍ତି । ହେଲେ କିଏ ବୁଝିବାକୁ ଚେଷ୍ଟା କରିଛି ମୋ ଦୁଃଖର ସୀମାରେଖା ମାପିବା ପାଇଁ । କେହି ନୁହେଁ ? ମୁଁ ଯେ ଏଠି ରାବଣରେ ଅଶୋକ ବନରେ ହାତ ପାଦ ବନ୍ଧା ହୋଇ ପଡ଼ିଛି । ଖସି ପଳାଇ ଯିବାର ରାସ୍ତା ଅବରୁଦ୍ଧ ।

ଅତୀତରେ ମୋର କେତେ ସାବଲୀଳ ସ୍ଵପ୍ନ ଥିଲା ପ୍ରଦୀପକୁ ନେଇ ମୁଁ ପ୍ରେମର ତାଜମହଲ ଗଢ଼ି ବସିବି । ବଞ୍ଚିବାକୁ କେତେ ଆକାଂକ୍ଷା ଥିଲା । ମୁଁ ପ୍ରଦୀପକୁ ନେଇ ଛୋଟିଆ ଘର ସଂସାରଟି ଏ ତୋଳିବି । ଠିକ୍ ଯେମିତି ଘରଚଟିଆ ଚଢ଼େଇମାନଙ୍କ ପରି । ହେଲେ ମୋର ସବୁ ସ୍ଵପ୍ନ, ସବୁ ଆଶା ଆକାଂକ୍ଷା ବିକଳାଙ୍ଗ ହୋଇ ଧୂଳିରେ ମିଶିଗଲା । ସବୁଜ ସ୍ମୃତିର ଇତିହାସରେ ପୁର୍ଣ୍ଣଚ୍ଛେଦ ପଡ଼ିଲା । ଏବେ ଖାଲି ଦୁଃଖ ଯନ୍ତ୍ରଣାର ଅୟମାରମ୍ଭ ମାତ୍ର । ଏ ରକ୍ତ ମାଂସର ଦେହଟାକୁ ଆତ୍ମାଟ ସମ୍ପୂର୍ଣ୍ଣ ରୂପେ ଭିନ୍ନ ହୋଇଗଲେ ଯାଇ ଏ ଯନ୍ତ୍ରଣାର ପରିଚ୍ଛେଦରୁ ମୁକ୍ତି ମିଳିବ ।

ଯେଝା ରାସ୍ତାରେ ସବୁ ଲୋକ ଆଗକୁ ମାଡ଼ି ଚାଲିଛନ୍ତି । ଆପଣା ସ୍ଵାର୍ଥ । ଆପଣାର ବଞ୍ଚିବା ପାଇଁ ଉପକ୍ରମ । ଭବିଷ୍ୟତ ବଂଶଧରମାନଙ୍କ ପାଇଁ କେତେ ଯୋଜନା, କେତେ ଆଶା ଆକାଂକ୍ଷା । ହେଲେ ମୁଁ ଅପେକ୍ଷା କରି ଯାଉଥିଲି ଦୂର ରାସ୍ତାକୁ ଚାହିଁ ଚାହିଁ ।

ସେ ଫେରିବ ।

କେବେ ?

ଏତିକି ହିଁ ମୋ ମନର ପ୍ରଶ୍ନ ।

କିନ୍ତୁ ଉତ୍ତର ଆଜିଯାଏ ଖୋଜି ଖୋଜି ପାଇ ନାହିଁ । ଖାଲି ଏତିକି ଆଶ୍ଵାସନା, ପ୍ରଶ୍ନ ଉତ୍‌ଥାପକ ହେଲେ ଉତ୍ତର ଯେମିତି ଆପଣା ଛାଏଁ ସଂଯୋଗ ହୋଇଯାଏ । ପ୍ରଦୀପ ସେମିତି ଦିନେ ସମସ୍ତଙ୍କୁ ବିସ୍ମିତ କରି ଫେରି ଆସିବ ।

ଏହା ମଧ୍ୟରେ କେତେ ଖରା, ବଷାର, ଅନ୍ଧକାର, ଆଲୋକର, ଲୁଚକାଳି ଖେଳ ହଜି ଯାଇଛି । ବସନ୍ତ–ଫଗୁଣର ସବୁଜ ବତାସ ଲିଭି ଯାଇଛି । ତା’ର ହିସାବ କେହି ନ ରଖିଲେ ବି ମୁଁ ରଖି ବସିଛି । ଦୀପକକୁ ଏବେ ଚବିଶି ବର୍ଷ ପୁରିଯାଇ ପଚିଶ ଚାଲିବ । ଦିନ–ଦିନ, ମାସ–ମାସ, ବର୍ଷ–ବର୍ଷ ମୁଁ ଅପେକ୍ଷା କରି ବସିଛି । ସେଇ ଦୂର ରାସ୍ତାକୁ ।

ହେଲେ କାହିଁ ?

ଏପର୍ଯ୍ୟନ୍ତ ସେ ଫେରି ନାହିଁ ?

କିନ୍ତୁ ସେ ଫେରିବ ।

ଦିନେ ନା ଦିନେ ।

ଦୀପକକୁ ଦେଖିଲେ ପ୍ରଦୀପର ସମସ୍ତ ସ୍ମୃତି ଆଖି ଆଗରେ ଛଳ ଛଳ ହୋଇ ଉଠେ । ଅବିକଳ, ଅବିକଳ ପ୍ରଦୀପ ଭଳି । ବିଗତ ପଚିଶ ବର୍ଷର ପ୍ରତିଛବି ସମସ୍ତଙ୍କ ମନ ମଧ୍ୟରୁ ଉଭେଇ ଗଲେବି ମୋ ମନ ମଧ୍ୟରେ ଚିକ୍ ଚିକ୍ କରି ଉଠୁଛି । ସେଇ ନାକ, ସେଇ କାନ, ଅବିକଳ ଦୀପକ ଯେମିତି ତା’ ମୁହଁକୁ ଛିଣ୍ଡେଇ ଆଣିଛି । ପ୍ରଦୀପର ସମସ୍ତ ସ୍ମୃତି ଦୀପକ ଦେହରେ ପ୍ରତିବିମ୍ବିତ ହୋଇ ଉଠେ । ସେଇ ଅତୀତ ପୁଣି ବର୍ତ୍ତମାନ ହୋଇ ଆଖି ସାମ୍ନାରେ ଉଭା ହୁଏ । ହେଲେ ମଣିଷର ମନରେ ଅସରନ୍ତି ଆଶାର ଯେମିତି ଶେଷ ନାହିଁ । ସେ ପ୍ରତୀକ୍ଷାରେ ଯେମିତି ବିରାମ ନାହିଁ ।

ମୋ ମନର ଅଭିସାରକୁ–ମୋ ଯୌବନର ଫୁଲ ଫଗୁଣର ରଙ୍ଗକୁ ବୟସ ରାହୁ କେତୁ ହୋଇ ଗ୍ରାସି ଯାଉଛି । ତଥାପି ମୋ ମନର ଯୌବନରେ ଏବେ ବି ବାର୍ଦ୍ଧକ୍ୟ ସ୍ପର୍ଶ କରି ନାହିଁ । ମୁଁ ଅନେକ ବସନ୍ତର ମହୋତ୍ସବ ନେଇ ପ୍ରତୀକ୍ଷା କରିଛି । ଏ ଦେହଟା ସିନା ବାର୍ଦ୍ଧକ୍ୟର କସାଘାତରେ ମଳିନ ପଡ଼ି ଗଲାଣି, ହେଲେ ମନଟା ଏବେ ବି ଚାହିଁ ବସିଛି ପ୍ରଦୀପର ଆସିବା ରାସ୍ତାକୁ ।

ପ୍ରଦୀପ ମୋ ଉପରେ ଦେଇଥିବା କର୍ତ୍ତବ୍ୟଟିକକୁ ମୁଁ ଆଜିପର୍ଯ୍ୟନ୍ତ ଲୁହ, ଲହୁ ଦେଇ ପାଳନ କରି ଆସିଛି । ମୁହୂର୍ତ୍ତଟିଏ ମୁଁ ଦୀପକ ପ୍ରତି ଅବହେଳା କରି ନାହିଁ । ସେତିକି ହିଁ ପ୍ରଦୀପର ମୋ ପ୍ରତି ଶେଷ ମୁହୂର୍ତ୍ତରେ ଦାନ । ଅମୂଲ୍ୟ ନିଧିକୁ ମୋର ସାଇତି ରଖିଛି । ପାଠ ଶାଠ ପଢ଼େଇ ମଣିଷ କରିଛି । ଏବେ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ରସାୟନ ବିଭାଗରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଦିଲ୍ଲୀରେ ଗବେଷଣା କରୁଛି । ରାଇ ଭାଇ ଏବେ ସମ୍ପୂର୍ଣ୍ଣ ବୃଦ୍ଧ । ଜୀର୍ଣ୍ଣ ଶୀର୍ଣ୍ଣ ଶରୀର-। ଅବଶ, କ୍ଳାନ୍ତ । ତଥାପି ତାଙ୍କର ରାଜନୀତି ଜୀବନର ପରିସମାପ୍ତି ଘଟି ନାହିଁ, ଏ ବୟସରେ ବି ସେ ବିଧାନସଭାକୁ ପ୍ରାର୍ଥୀ ହେବା ପାଇଁ ଘମାଘୋଟ ଉଦ୍ୟମରେ ମାତିଛନ୍ତି ।

ଏବେ ବି ଚୌଧୁରୀ ଘରର ସମ୍ପତ୍ତିରୁ କାଣିଚାଏ କମି ନାହିଁ । ଆଗ ପରି ରାଇ ଭାଇ କିଛି ବୁଝନ୍ତି ନାହିଁ । ସବୁ ଚାକର ବାକରଙ୍କ ଦ୍ଵାରା କାମ ହୁଏ । ଦୀପକ ପାଖରେ ଥିଲେ ହସି ଖୁସିରେ ଦିନ ଚାଲିଯାଏ । କିନ୍ତୁ ପାଠ ପଢ଼ିବା ପାଇଁ ସେ ଦୂରକୁ ଚାଲିଗଲେ ପୁଣି ମୋତେ ରାହୁ ଭଳି ଗ୍ରାସିଯାଏ ଭାବନାର ଝିଅ । ଛନ୍ଦି ହୋଇଯାଏ ଅତୀତ ଦେହରେ । ବିଷାଦର ବହ୍ନିରେ ଦେହ ମନ ଜଳିଯାଏ । ହେଲେ ମନରୁ ଭୁଲାଇ ଦେବା ପାଇଁ ମୋର ଏକମାତ୍ର ଖୋରାକ ହେଉଛି ବହି । ବହି ପଢ଼ିବାରେ ମନ ନିବେଶ କରି ବସିଲେ ମନଟା ଟିକିଏ ହାଲୁକା ଲାଗେ ।

ଏହା ମଧ୍ୟରେ ମୁଁ ବହି କିଣି କିଣି ଗୋଟିଏ ଲାଇବ୍ରେରୀ ନିଜ ଘରେ ତିଆରି କରିଛି । ଯେତେ ସବୁ ନୂଆ ଉପନ୍ୟାସ ବାହାରେ ଦୀପକ ହାତରେ ତାହା ମଗାଇ ପଠାଏ । ଅନେକ ସମୟରେ ରାଇ ଭାଇ ମଧ୍ୟ କଟକରୁ ପୁଳା ପୁଳା ବହି ମୋ’ ପାଇଁ ମଗାଇ ଦିଅନ୍ତି । ବହି ପଢ଼ିବା ଗୋଟିଏ ଏମିତି ଅଭ୍ୟାସ ହୋଇ ଯାଇଛି ସେ, ବେଳେବେଳେ ଭୋକ ଶୋଷ ଭୁଲିଯାଏ । “ସୂର୍ଯ୍ୟ–ଚନ୍ଦ୍ର’’ଙ୍କ ଦ୍ଵାରା ଲିଖିତ ଉପନ୍ୟାସଟିଏ ହାତରେ ପଡ଼ିଲେ ରାତିରେ ବି ନିଦ ହୁଏନା । ଭୋକ ଶୋଷତ ଦୂରର କଥା । ଆଖିରେ ପଲକ ପଡ଼େନା । ଜାଣେନା କିଏ ସେ ସେହି ମହାପୁରୁଷ ଛଦ୍ମ ନାମରେ ଏମିତି ସୁନ୍ଦର ଉପନ୍ୟାସ ସବୁ ଲେଖୁଛନ୍ତି । ହେଲେ ତାଙ୍କର ପ୍ରତ୍ୟେକ ଉପନ୍ୟାସର ନାରୀ ଚରିତ୍ର ଯେମିତି ମୋ ଜୀବନ ଦର୍ଶନ ସହିତ ସାମିଲ ହୋଇଯାଏ । ଅନେକ ସମୟରେ ନାୟିକା ଚରିତ୍ରର ବର୍ଣ୍ଣନା ବେଳେ, ନାୟିକାର ଦୁଃଖ, ଯନ୍ତ୍ରଣା ଏବଂ ଅବସାଦର ଦୃଶ୍ୟ ମୋ ଆଖି ଆଗରେ ନାଚି ଉଠିଲେ, ଧାର, ଧାର ହୋଇ ଲୁହ ନିଗିଡ଼ି ପଡ଼େ । ‘ସୂର୍ଯ୍ୟଚନ୍ଦ୍ର’ଙ୍କର ପ୍ରତ୍ୟେକ ଉପନ୍ୟାସକୁ ମୁଁ ସ୍ଵତନ୍ତ୍ର ଭାବେ ସାଇତି ରଖିଛି । ମନ ଖରାପ ହେଲେ ବାରମ୍ବାର ସେହି ବହିଗୁଡ଼ିକୁ ପଢ଼ି ବସେ । ଯେତେ ପଢ଼ିଲେ ଯେମିତି ତୃଷ୍ଣା ମେଣ୍ଟେ ନାହିଁ ।

ମୋର ଏତାଦୃଶ୍ୟ ଆଗ୍ରହ ଦେଖି ଦୀପକ ‘ସୂର୍ଯ୍ୟଚନ୍ଦ୍ର'ଙ୍କର ନୂଆ ଉପନ୍ୟାସ ବାହାରିଲେ ଆଗ ମୋ ପାଖକୁ ପଠାଇ ଦିଏ । ତାଙ୍କର ଉପନ୍ୟାସ ‘ଦୀପ ଲାଗି ଶିଖା ଝୁରେ’ ମୋତେ ସବୁଠାରୁ ଭଲ ଲାଗେ । ଶହ ଶହ ଥର ମୁଁ ତାକୁ ପଢ଼ିଛି । ଉପନ୍ୟାସର ନାୟିକା ମାନସୀର ଜୀବନ ଦର୍ଶନକୁ ନିଜ ସହିତ ହଜେଇ ଦେଇଛି । ଏକା ପରି ମିଳିଯାଏ । ତାହା ମାନସୀର ଜୀବନ ଦର୍ଶନ ନୁହେଁ, ତାହା ମୋର ଜୀବନ ଦର୍ଶନ ପରି । ମୋ ଭଳି ଅନେକ ସମାଜର ଆଇନ୍‍କାନୁନ୍‌ର ଅତ୍ୟାଚାର ତଳେ ଅତି ଅସହାୟ ଭାବରେ ପେଷି ହୋଇ ଯାଉଥିବା ଫୁଲମାନଙ୍କ ଭଳି । କିଏ ସେ ବା ଆଦର କରିଛି ଆମ ଭଳି ଅସମୟରେ ଝରି ଯାଉଥିବା ଅପଚୟ ଫୁଲମାନଙ୍କୁ ?

କେହି ନୁହେଁ ?

ହେଲେ ବହୁତ ଆଦର୍ଶର କାହାଣୀ ସବୁ ବକ୍ତବ୍ୟରେ କୁହାଯାଇଛି ।

ଦୀପକ ପିଲା ନୁହେଁ । ମୋ ଦୃଷ୍ଟିରେ ସେ ପିଲାଟିଏ, ହେଲେ ସାମାଜିକ ଦୃଷ୍ଟିକୋଣରୁ ସେ ଏକ ବୋଧା ଶକ୍ତିର ଯୁବକ । ତେଣୁ ସେ ବେଳେବେଳେ ପଚାରେ ବୋଉ, ଆଜିପର୍ଯ୍ୟନ୍ତ ତୋ’ ଅଧରରେ ହସ ଟିକିଏ ଦେଖିଲି ନାହିଁ । ସବୁବେଳେ ଖାଲି ଚିନ୍ତାମଗ୍ନ ଭବନାରେ ବୁଡ଼ି ରହୁଛୁ । ଅନେକ ସମୟରେ ଲକ୍ଷ୍ୟ କରିଛି ସମସ୍ତଙ୍କ ଅଗୋଚରରେ ଆଖିରୁ ଲୁହ ପୋଛିବାର ଦୃଶ୍ୟ । ତୋର କ’ଣ ହୋଇଛି ବୋଉ ?

କିଛି ଉତ୍ତର ଦେଇ ପାରେନା । ଆଖି ଛଳ ଛଳ ହୋଇ ଉଠେ । ଲୁହ ଟୋପା ସବୁ ଆଖିକୋଣରେ ମିଚ୍ ମିଚ୍ ହୋଇ ଉଠନ୍ତି । ମୁଁ କଥା ବୁଲେଇ ଦେଇ କୁହେ–ସେ କିଛି ନୁହେଁରେ ଟୁକୁନା, ତୁ’ ପାଠ ପଢ଼ିବା ପାଇଁ ବାହାରକୁ ଚାଲି ଯାଉଛୁନା ? ସେଇଥି ପାଇଁ ଦୁଃଖ ଲାଗେ । ଆମ ବୁଢ଼ା ବୁଢ଼ୀ ଦୁଇଟାଙ୍କର କିଏ ସେ ଆଉ ଅବା ସାହା ଭରସା ଅଛି କହିଲୁ ? ତୁ’ପା ଆମର ନୟନ ପିତୁଳା । ତୋତେ ଆଖି ଆଗରୁ ଦୂରେଇ ଦେଇ ଆମେ କ’ଣ ମୁହୂର୍ତ୍ତେ ବଞ୍ଚି ପାରିବୁ ?

ହେଲେ ଦୀପକ ମୋ କଥାରେ ସନ୍ତୁଷ୍ଟ ହୁଏନା । କିନ୍ତୁ ଆଉ ପ୍ରତିଦାନ କରେ ନାହିଁ । ନୀରବ ରହିଯାଏ । ସେ ଜାଣେ ବୋଉକୁ ଅଧିକ କିଛି ପ୍ରଶ୍ନ କଲେ ହୁଏତ ସେ ଆଘାତ ପାଇବ ।

ଦୀପକର ପ୍ରଫେସର ତାକୁ ପୁଅ ଭଳି ଦେଖନ୍ତି । ତେଣୁ ସେଠାରେ ତା’ର କୌଣସି ଅସୁବିଧା ହୁଏ ନାହିଁ । ସେ ଖୁସି ହୋଇ କୁହେ–ବୋଉ, ମୋ ପ୍ରଫେସର କେତେ ଭଲ ଲୋକ । ଆଜିପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି । ବ୍ୟାଚଲର ଜୀବନ ଅତିବାହିତ କରୁଛନ୍ତି । କେତେ ଭଦ୍ର କେତେ ନମ୍ର । ଇନ୍‌ଭର୍‌ସିଟ୍‌ର ସମସ୍ତେ ତାଙ୍କୁ ଆଦର କରନ୍ତି । ସାଙ୍ଗମାନେ ସବୁ କୁହନ୍ତି–ତୋର ବଡ଼ ଭାଗ୍ୟରେ ଦୀପକ, ତୁ ପ୍ରଫେସର ସାମନ୍ତରାୟଙ୍କ ଅଧିନରେ ରିସର୍ଚ୍ଚ କରୁଛୁ । ବ୍ୟାଚଲର ଲୋକ ହୋଇ ବି କି ଉଦାରତା ତାଙ୍କ ମନ ମଧ୍ୟରେ । ସାକ୍ଷାତ ଦେବତା ଯେମିତି ସ୍ଵର୍ଗରୁ ଓହ୍ଲାଇ ଆସିଛନ୍ତି ।

ଆଶ୍ଵସ୍ତି ବୋଧ କରୁଥିଲି । ମନେ ମନେ କେତେ ଦେବତାମାନଙ୍କୁ ମନାସୁଥିଲି । ମୋ ଜୀବନର ଅପଚୟରେ ମୋ’ ପ୍ରାଣନିଧି ଦୀପକର ଚଲାପଥରେ ପୁଷ୍ପବୃଷ୍ଟି ହେଉ । ସେ ଭଲରେ ଭଲରେ ତା’ ପାଠ ପଢ଼ା ଶେଷ କରି ମୋ କୋଳକୁ ଫେରି ଆସୁ । ମୁଁ ତା’ ବିହୁନେ ମୁହୂର୍ତ୍ତେ ବି ବଞ୍ଚି ପାରିବି ନାହିଁ ।

ରାତି ପାହି ପାହି ଆସୁଛି । ଆକାଶରେ ଚୂନା ଚୂନା ତାରା ସବୁ କେଉଁ ଆଡ଼େ ଲୁଚି ଗଲେଣି । କାଉ ରାବିବା ଆରମ୍ଭ କରି ଦେଲେଣି । କୁମ୍ଭାଟୁଆମାନେ ଏକତ୍ର ମିଶି ଶେଷ ପ୍ରହରର ସ୍ଵର ଉତ୍ତୋଳନ କଲେଣି । ପୂର୍ବ ଦିଗରେ ଫର୍ଚ୍ଚା ଦେଖା ଗଲାଣି । ପଶ୍ଚିମ ଦିଗରେ ଚନ୍ଦ୍ର ନଇଁ ଗଲେଣି । ସେଇ ଛାଇ ଛାଇଆ ଅନ୍ଧକାର ମଧ୍ୟରେ କାହାର ପାଦ ଶବ୍ଦ ଶୁଣି ମୁଁ ଚମକି ପଡ଼ିଥିଲି ।

–କିଏ ?

–ଆରେ ଟୁକୁନା, ଏତେ ଭୋରୁ ଉଠି ପଡ଼ିଲୁ ?

–ବୋଉ, ଆଜି କାଲି ଭୋରୁ ଉଠିବା ଗୋଟିଏ ଅଭ୍ୟାସ ହୋଇ ଗଲାଣି । ପ୍ରତ୍ୟେକ ଦିନ ଭୋରୁ ପ୍ରଫେସର ମୋତେ ଉଠେଇ ଦିଅନ୍ତି । ମୁଁ ଉଠି ପଡ଼ି ପଢ଼ାପଢ଼ି କରେ । ପ୍ରଫେସର ମଧ୍ୟ କ’ଣ ସବୁ ଲେଖାଲେଖି କରନ୍ତି । ମଝିରେ ମଝିରେ ମୁଁ ତାଙ୍କଠାରୁ ସାହାଯ୍ୟ ଖୋଜେ । ସେ ମୋତେ ବୁଝାଇ ଦିଅନ୍ତି । ବଡ଼ ମଣିଷ ହେବା ପାଇଁ କେତେ ଆଦର୍ଶ ଉପଦେଶ ସବୁ କୁହନ୍ତି । ନିଦ ହିଁ ମଣିଷର ବଡ଼ ଶତ୍ରୁ । ତେଣୁ ସେ କାଳ ନିଦ୍ରାକୁ ପରିହାର କଲେ ଯାଇ ଦୁନିଆରେ ବଡ଼ ମଣିଷ ହେବ । ତାଙ୍କର କଥା ଅନୁସାରେ ମୁଁ ପ୍ରତ୍ୟେକ ଦିନ ଭୋରୁ ଉଠିବାର ଅଭ୍ୟାସ ହୋଇ ଯାଇଛି । ସତରେ ବୋଉ, ମଣିଷ ପୁଣି ଏମିତି ଦେବତା ଭଳି ଥାଆନ୍ତି ମୁଁ କେବେ ଜୀବନରେ ସୁଦ୍ଧା ଭାବି ନ ଥିଲି । ପ୍ରଫେସର କେତେ ଭଲ ଲୋକ । ନିଜର ପୁଅକୁ ବି କେହି ଏତେ ଶ୍ରଦ୍ଧା କରିବେନି ।

ମନେ ମନେ ପ୍ରଭୁଙ୍କୁ ଡାକୁଥିଲି–କେହି ମୋର ଏ ଦୁନିଆରେ ସାହା ଭରସା ନାହିଁ । ମନର ମଣିଷକୁ ମୁଁ ଅନେକ ଦିନରୁ ହଜେଇ ଦେଇଛି । ବୃଦ୍ଧ ସ୍ଵାମୀ କେବେ ମୋ ଜୀବନ ଦର୍ଶନକୁ ବୁଝିବାକୁ ଚେଷ୍ଟା କରିନାହାନ୍ତି । ତାଙ୍କର ରାଜନୀତି ଭଲ ତ ସେ ଭଲ । ମୋ’ ଭବିଷ୍ୟତର କୂଳଦୀପ ଏଇ ଏକମାତ୍ର ଦୀପକ । ତମେ ହିଁ ତା’ର ଶେଷ ଭରସା ପ୍ରଭୁ ।

ମୁଁ ଘର ଭିତରକୁ ଫେରି ଆସିଥିଲି । ରାଇ ଭାଇ ଏବେ ବି ଶୋଇ ରହିଛନ୍ତି । ନର୍ବିକାର, ନର୍ଲିପ୍ତ ଚିତ୍ତରେ । ଚିନ୍ତା ନାହିଁ ଅନୁଶୋଚନା ନାହିଁ । ତାଙ୍କର ମୋ ଉପରେ ଅଶେଷ ଭରସା । ମୁଁ ହିଁ ଚୌଧୂରୀ ପରିବାରର ଉଦ୍ଧାର କର୍ତ୍ତା । ଯାହା ସବୁ ମୁଁ ଚାହିଁଛି କୌଣସି କଥାରେ ମୋତେ ସେ ବାଧା ଦେଇ ନାହାନ୍ତି । ମୋର ଇଙ୍ଗିତରେ ସେ ହିଁ ଆଜି ଖେଳନା ହୋଇ ଯାଇଛନ୍ତି । ସମୟର ଉତ୍‌ଥାନ ପତନରେ ସବୁ ଯେମିତି ଓଲଟପାଲଟ ହୋଇ ଯାଇଛି ।

ଦୀପକ ବାହାରୁ ଫେରି ନାହିଁ । ମୋତେ ତା’ପାଇଁ ଚାହା କରିବାକୁ ହେବ । ସେ ମୋ ହାତ ତିଆରି ଚାହା ଖାଇବାକୁ ଖୁବ୍ ଭଲ ପାଏ । ମୁଁ ରୋଷେଇ ଘର ଭିତରକୁ ଆଗେଇ ଯାଇଥିଲି-

ମୁହୂର୍ତ୍ତ କେଇଟାର ବ୍ୟବଧାନ ମାତ୍ର ।

ହାତରେ ଖବର କାଗଜଟିଏ ଦୀପକ ଧରି ଦଉଡ଼ି ଦଉଡ଼ି ଧାଇଁ ଆସିଥିଲା ଘର ଭିତରକୁ । ଧଇଁ ସଇଁ ହୋଇ କହୁଥିଲା–

ବୋଉ ଦେଖିଲୁ–ତୋ’ ପ୍ରିୟ ଲେଖକ ‘ସୂର୍ଯ୍ୟଚନ୍ଦ୍ର’ଙ୍କର ‘ଦୀପ ଲାଗି ଶିଖା ଝୁରେ’ ଉପନ୍ୟାସଟି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଉପନ୍ୟାସ ରୂପେ ପୁରସ୍କୃତ ହୋଇଛି । ତୋର ପ୍ରିୟ ଲେଖକଙ୍କର ପ୍ରକୃତ ନାମ ହେଉଛି ପ୍ରଦୀପ କୁମାର ସାମନ୍ତରାୟ । ସେ ହେଉଛନ୍ତି ମୋର ସେଇ ପ୍ରିୟ ପ୍ରଫେସର । ତାଙ୍କରି ନିକଟରେ ଏତେ ଦିନ ରହି ମଧ୍ୟ ମୁଁ ଜାଣିପାରି ନ ଥିଲି ସେ ହେଉଛନ୍ତି ପ୍ରଖ୍ୟାତ ଔପନ୍ୟାସିକ ‘ସୂର୍ଯ୍ୟଚନ୍ଦ୍ର’ ବୋଲି ।

ଚମକି ପଡ଼ିଥିଲା ଶିଖା ।

ପ୍ରଦୀପ କୁମାର ସାମନ୍ତରାୟ ନାଁଟା ଶୁଣିଲାମାତ୍ରେ ସର୍ବାଙ୍ଗରେ ତା’ର ଅପ୍ରତ୍ୟାସିତର ବିଜୁଳି ଖେଳିଗଲା । ସେ ପ୍ରଦୀପ ହାତରୁ କାଗଜଟି ଟାଣି ନେଇ ଦେଖିଲାମାତ୍ରେ ଆଖିକୁ ବିଶ୍ଵାସ କରି ପାରିଲା ନାହିଁ । ତା’ ପାଟିରୁ ଅସ୍ପଷ୍ଟ ଭାବରେ କଥା କେଇ ପଦ ବାହାରି ପଡ଼ିଲା–ପ୍ରଦୀପ...ତମେ ଜିତିଗଲ ପ୍ରଦୀପ । ମୁଁ ଆଜି ତମ ନିକଟରୁ ହାରି ଯାଇଛି । ତମେ ଏଇ ପଚିଶ ବର୍ଷ ମଧ୍ୟରେ ମୋତେ ଜଳି ଜଳି ମରିବାଠାରୁ ଯଦି ଆହୁରି କିଛି ଦଣ୍ଡ ଦିଅ ତା’ହେଲେ ବି ମୁଁ ମଥା ପାତି ସହିନେବି ।

ଶିଖା ଆଖିରୁ ଧାର ଧାର ହୋଇ ଲୁହର ଝରଣା ବହି ଯାଉଥିଲା । ସେ ସେହି ଖବର କାଗଜରେ ବାହାରିଥିବା ଫଟୋଟାକୁ ଛାତି ଉପରେ ଚାପି ଧରି ମୁହୂର୍ତ୍ତକ ପାଇଁ ଅନ୍ୟ ଏକ ରାଜ୍ୟକୁ ଚାଲି ଯାଇଥିଲା ।

ଏସବୁ ଘଟଣା ଦେଖି ଦୀପକ କିଛି ବୁଝିପାରୁ ନ ଥିଲା । ସେ ଶିଖାକୁ ହଲାଲ ଦେଇ କହିଲା–ବୋଉ, କ’ଣ ହେଲା । କ’ଣ ଏମିତି ବାୟାଣୀଙ୍କ ଭଳି ଗପି ଯାଉଛୁ ?

ଶିଖାର ଚେତନାରେ ଉନ୍ମାଦନାର ଢେଉ ଖେଳିଗଲା । ସେ ଖବର କାଗଜଟିକୁ ଧରି ଧାଇଁଗଲା । ରାଇଚରଣ ପାଖକୁ । ଏବଂ ତାଙ୍କୁ ହଲାଇ ଦେଇ କହିଲା–ଦେଖୁଚ, ଦେଖୁଚ ରାଇ ଭାଇ, ତମ ପ୍ରଦୀପକୁ ଦେଖୁଚ । ସେ ଆଜି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଔପନ୍ୟାସିକ ରୂପେ ସମ୍ମାନିତ ହୋଇ କୂଳ ଉଜ୍ଜ୍ୱଳ କରିଛି । ଅମାବାସ୍ୟାର ଅନ୍ଧକାର ରାତ୍ରିରେ ସେ ଆଜି କୁଆଁତାରା ଭଳି ଝଲସି ଉଠିଛି । ମୁଁ ଯିବି ରାଇ ଭାଇ, ମୁଁ ଯିବି । କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆମେ ଯେଉଁ ଭୁଲ କରି ବସିଥିଲେ ତା’ ପାଇଁ କ୍ଷମା ମାଗିନେବି । ପ୍ରଦୀପ ଏକାନ୍ତଭାବେ ଆମର । ଏ ଘରର ପୁଅ ସେ, ଏ ବଂଶର ଗୌରବ ସେ ନ ହେଲେ ଅପାର ଆତ୍ମା କ’ଣ ଶାନ୍ତି ପାଇବ ?

ସେହି ମୁହୂର୍ତ୍ତକ ମଧ୍ୟରେ ଶିଖା ଯେମିତି ପାଗଳ ହୋଇ ଯାଇଥିଲା । ଆର ଘରକୁ ପଶିଯାଇ ଲୁଗାପଟା ପିନ୍ଧି ବାହାରି ପଡ଼ିଥିଲା ଦିଲ୍ଲୀ ଯିବାପାଇଁ । ଭାଇ ଭଉଣୀ ପ୍ରତିବାଦ କରିପାରି ନ ଥିଲେ । ବରଂ ନିଜର କୃତକର୍ମ ପାଇଁ ଅନୁତପ୍ତ ହେଉଥିଲେ । ଦୀପକକୁ ପାଖକୁ ଡାକି କହିଥିଲେ–ବୋଉକୁ ସାଙ୍ଗରେ ନେଇଯା, ଯେମିତି ହେଉ ତୋ’ ଭାଇକୁ ତୁ ଫେରାଇ ଆଣିବୁ ।

ମା’ ପୁଅ ସାଙ୍ଗ ହୋଇ ବାହାରି ଯାଇଥିଲେ ଦିଲ୍ଲୀ ଅଭିମୁଖେ ।

ଶିଖା ମନ ମଧ୍ୟରେ କେତେ ବ୍ୟାକୁଳତାର ଲହରୀ ଖେଳି ଯାଉଥିଲା । ପ୍ରଦୀପ ତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବ ନିଶ୍ଚୟ । ତା’ ଛଡ଼ା ତା’ ନିଜ ରକ୍ତରେ ତିଆରି ଦୀପକର ପରିଚୟ ଯେତେବେଳେ ପାଇବ ସେତେବେଳେ ସେ ଖୁସିରେ ବିହ୍ୱଳ ହୋଇ ଉଠିବ । ମଣିଷ ଜୀବନରେ ଅନେକ ଦିନର ବ୍ୟବଧାନର ବିଚ୍ଛେଦ ମୁହୂର୍ତ୍ତକ ପାଇଁ ଆନନ୍ଦର ଢେଉ ତୋଳି ଥୋଇବ । ଏହାହିଁ ତ ମହାମିଳନର ପର୍ବ ।

ଶିଖା ଏମିତି କେତେ କ’ଣ ଅହେତୁକ ମିଳନର ସ୍ଵପ୍ନ ଦେଖି ଚାଲୁଥିଲା । ସତରେ ଅନେକ ବର୍ଷର ବିଚ୍ଛେଦ ଆଜି ଯେମିତି ଯନ୍ତ୍ରଣାର ପରିସମାପ୍ତି ଘଟେଇଛି । ମନ ପକ୍ଷୀଟା ଯେମିତି ମନେ ମନେ ଭାବୁଥିଲା ଏ ଦେହଟାକୁ ଛାଡ଼ି ଦେଇ ଉଡ଼ି ଯାଉଛି ଦିଲ୍ଲୀ ମହାନଗରୀର ଉପକଣ୍ଠକୁ । ଆଜି ଯେମିତି ଦୂର ରାସ୍ତାକୁ ଚାହିଁବାରେ ଶେଷ ହୋଇଛି । ଦେହରୁ ଯୌବନ ବିଦାୟ ନେଲେ ବି ମନଟା ଯେମିତି ଅଭିସାର ତୋଳି ବସୁଛି । ମଧୁମିଳନର ଶୁଭ ରାତ୍ରି ପାଇଁ ଆହ୍ୱାନ ଦେଉଛି । ଦୂର ଗଗନରେ ସତେ ଅବା ମିଳନର ସାହନାଇ ବାଜି ଉଠୁଛି ।

ଶିଖାର ମନ, ହୃଦୟ, ଚେତନାରେ କେତେ ଯେ ଅକୁହା ବେଦନା ସବୁ ଅଭିମାନର ଜୁଆର ତୋଳି ବସିଛନ୍ତି । ମନର ମଣିଷକୁ ଦେଖିଲେ ସବୁ ଯେମିତି ସେ ଅଜାଡ଼ି ଦେବ ତାଙ୍କର ପାଦତଳେ । ମୁଠା ମୁଠା ଲୁହର ସ୍ମୃତିକୁ ନେଇ ସେ ପୁଷ୍ପାଞ୍ଜଳି ଦେବ ।

ଅତୀତର କେତେ ପ୍ରତିଛବି ସବୁ ମନ ଗହନରେ ଉଙ୍କି ମାରୁଥିଲା । ଅନେକ ଦିନରୁ ଅତୀତ ହଜି ଗଲାଣି ସତ, ହେଲେ ମନ ମଧ୍ୟରେ ସ୍ମୃତିର କାଳିରେ ଲେଖା ହୋଇ ଯାଇଛି ଆତ୍ମାର ପରିସମାପ୍ତି ପର୍ଯ୍ୟନ୍ତ । ମଣିଷ ମରିଗଲେ ଯାଇ ତା’ ଗହନ ଇତିହାସ ଦେହରେ ଜୁଇ ଜଳିବ ।

ମନର ବେଗ ସହିତ ତାଳ ମିଳାଇ ରେଳ ଗାଡ଼ିଟା ଧାଇଁ ଚାଲିଥିଲା ଆଗକୁ ଆଗକୁ ।

ଦିଲ୍ଲୀ ଷ୍ଟେସନରେ ଓହ୍ଲାଇ ପଡ଼ି ଦୀପକ ଟ୍ୟାକ୍‌ସିଟିଏ ଡାକି ପ୍ରଫେସରଙ୍କ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସେ ଅନୁଭବ କରୁଥିଲା । ଏମିତି ବେଳେ ବେଳେ ସମୟର ଦୁର୍ଘଟଣା ଘଟେ ନିଜର ଲୋକ ଏତେ ପାଖରେ ଥାଇ ବି କେହି କାହାକୁ ସ୍ପର୍ଶ କରି ପାରନ୍ତି ନାହିଁ ହେଲେ ପ୍ରଫେସରଙ୍କ ଭଳି ଦେବତୁଲ୍ୟ ଲୋକ ଯେ ତା’ର କେତେ ଆପଣାର ଅଥଚ କେତେ ପର ହୋଇ ରହିଯାଇଥିଲେ । ସେତ ମଣିଷ ନୁହନ୍ତି, ତା’ ପାଇଁ ସାକ୍ଷାତ ସ୍ଵର୍ଗରୁ ଓହ୍ଲାଇ ଆସିଥିବା ଦେବତା । ବେଳେବେଳେ ଏ ପୃଥିବୀପୃଷ୍ଠରେ ଦେବତାମାନେ ବି ମଣିଷ ରୂପରେ ଜନ୍ମ ହୋଇ ଥାଆନ୍ତି । ତା’ ମଧ୍ୟରୁ ସେ ଜଣେ ।

ଟ୍ୟାକ୍‌ସିର ଗତିର ବେଗକୁ ପ୍ରତିହତ କରି ଶିଖାର ମନର ବେଗ ଆହୁରି ଆଗେଇ ଯାଉଥିଲା । ପ୍ରଦୀପ ଏଇକ୍ଷଣି କ’ଣ କରୁଥିବ । ମୁଁ ହଠାତ୍ ଯାଇ ତାଙ୍କୁ ଚମକାଇ ଦେବି । କିନ୍ତୁ ମନଟା ବେଳେବେଳେ ବିଦ୍ରୋହ କରି ଉଠେ । ନାଁ, ତାଙ୍କୁ ମୁଁ କିଛି କହିବି ନାହିଁ । ପଚିଶ ବର୍ଷ ମଧ୍ୟରେ ଜମାଟ ବାନ୍ଧିଥିବା ଅଭିମାନର ଲୁହକୁ ମୁଁ ତାଙ୍କ ଛାତିରେ ମୁହଁ ଗୁଞ୍ଜି ଅଜାଡ଼ି ଦେବି । କାନ୍ଦି କାନ୍ଦି ଖାଲି ପଦୁଟିଏ କହିବି–

–ପ୍ରଦୀପ, ମୁଁ ରକ୍ତ ମାଂସର ମଣିଷ, ଦେବତା ନୁହେଁ । କେମିତି ସହି ଥାଆନ୍ତି । ମୋର ତ ପୁଣି ମନ ଅଛି, ବୟସର କ୍ଷୁଧା ଅଛି । ମୋ ରକ୍ତ ମାଂସରେ ଉତ୍ତାପ ଅଛି । ଯଦି ମୁଁ କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ତମ ପ୍ରତି ଅନ୍ୟାୟ କରିଥାଏ ତା’ହେଲେ ତମ ମହନୀୟତାରୁ କାଣିଚାଏ ଦେଇ ମୋର କଳୁଷିତ ଜୀବନକୁ ପବିତ୍ର କରିଦିଅ ପ୍ରଦୀପ । ମୁଁ ଚାହେଁ ମୋ ପାପର ପ୍ରାୟଶ୍ଚିତ । ମୋ ଅଭିଶପ୍ତ ଜୀବନର ମୁକ୍ତି ।

ଶିଖା ଆସନ୍ନ ଆନନ୍ଦ, ଉତ୍‌ଫୁଲତାର ଯମୁନା କୂଳରେ ପଦ ଥୋଇବା ପୂର୍ବରୁ ମନ ଭିତରେ ଅନେକ ପ୍ରଶ୍ନ ତୋଳି ବସୁଥିଲା । କେତେ ପ୍ରଶ୍ନ, କେତେ ଉତ୍ତର ମନର ସମୁଦ୍ର ଦେହରେ ଉତ୍‌ଥିତ ହୋଇ ପୁଣି ଉପକୂଳ ପର୍ଯ୍ୟନ୍ତ ଆସିବାକୁ ବି ସାହସ ପାଉ ନ ଥିଲା । ପ୍ରଦୀପ ନିଶ୍ଚୟ ଶିଖାକୁ କହିବ–ଶିଖା, ଯାହା ସବୁ ଘଟଣା ଆଉ ଦୁର୍ଘଟଣାମାନ ଘଟିଗଲା ସେ ସବୁ କ’ଣ ମୋର ଦୋଷ ?

–ନା, ପ୍ରଦୀପ, ଦୋଷ ଗୁଣ ବାଛିବାକୁ ମଣିଷର ବା ସାହସ କାହିଁ ? ମଣିଷ ଏକ ଅନୁଷ୍ଠାନ ଗତ ପଶୁ । ଯେଉଁ ମୁହୂର୍ତ୍ତରେ ତା’ଠାରୁ ସାମାଜିକତା ଲୋପ ପାଇଯାଏ, ସେହି ମୁହୂର୍ତ୍ତଠାରୁ ସେ ପଶୁ ହୋଇଯାଏ । ପଶୁର ବା ଦୋଷଗୁଣ ବିଚାର କରିବାର ଶକ୍ତି କାହିଁ ? ଆଜିର ବୋଧାଶକ୍ତି ସେତେବେଳେ ହୁଏତ ଆମ ଦେହ ମନରେ ଉଦ୍ରେକ ହୋଇ ନ ଥିଲା । ଅମେ ପଶୁ ପାଲଟି ଯାଇଥିଲେ । ହେଲେ ପୃଥିବୀର ବିବର୍ତ୍ତନବାଦ ଗତିର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷରୁ ପଶୁ, ପଶୁରୁ ମଣିଷକୁ ପରିବର୍ତ୍ତନ ଚାଲିଛି । ସେହି ପରିବର୍ତ୍ତନର ସୁଅରେ ଆମେ ହୁଏତ ଆଜି ପଶୁରୁ ମଣିଷକୁ ରୂପାନ୍ତରିତ ହୋଇଯାଇଛେ । ହେଲେ ସେ ଦୋଷ ତ ଆମର ନୁହେଁ । ସେ ଦୋଷ ସମୟର–ସମାଜର । ସମାଜ ତ ଆମ ପ୍ରତି କମ ବଡ଼ ଅନ୍ୟାୟ କରିନାହିଁ ?

ଏମିତି କେତେ କ’ଣ ପ୍ରଶ୍ନ ଉତ୍ତର ଦେହରେ ଶିଖା ଛନ୍ଦି ହୋଇ ପଡ଼ୁଥିଲା । ହୁଏତ ପ୍ରଶ୍ନ ତିଆରି କରି ଉତ୍ତର ଖୋଜିବାର ମୁହୂର୍ତ୍ତ ତା’ ନିକଟରେ ଲୋପ ପାଇ ଯାଉଥିଲା । ବିଗତ ପଚିଶ ବର୍ଷ ମଧ୍ୟରେ ସେ ଆପଣା ମନରେ ଅନେକ ପ୍ରଶ୍ନ ତୋଳିଛି ଏବଂ ତା’ର ଉତ୍ତର ଖୋଜି ଖୋଜି ତିଆରି କରିଛି । ହେଲେ ପ୍ରଶ୍ନ–ଉତ୍ତରକୁ ନେଇ ମଣିଷ ବଞ୍ଚେନା । ଏମିତି ମଣିଷ ଜୀବନ ଥିଲେ ଅନେକ ପ୍ରଶ୍ନ, ଉତ୍ତରର ତରଙ୍ଗ ଆପେ ଆପେ ଆସି ଛନ୍ଦି ହୋଇ ଯାଆନ୍ତି । ବଞ୍ଚିବାର ଚଲାପଥକୁ ଆହୁରି ମାର୍ଜିତ କରନ୍ତି ।

ଶିଖା ମନର ସମସ୍ତ ପ୍ରଶ୍ନ, ଆଉ ଉତ୍ତରକୁ ପ୍ରତିହତ କରି ଟ୍ୟାକ୍‌ସିଟି ଯାଇ ପହଞ୍ଚିଲା ପ୍ରଫେସରଙ୍କ କ୍ଵାଟର ସମ୍ମୁଖରେ । ଟ୍ୟାକ୍‌ସିଟିକୁ ବିଦା କରି ମା’ପୁଅ ଆଗେଇ ଯାଇଥିଲେ ଘର ଆଡ଼କୁ । ଶିଖା ଦାଣ୍ଡ ଦୁଆର ଲନ୍‌ଟିକୁ ଦେଖି ବିମୋହିତ ହୋଇ ଉଠିଥିଲା । ଭାବିଥିଲା, ପ୍ରଦୀପ ତା’ ହାତରେ ଏ ସୁନ୍ଦର ବଗିଚାଟିଏ ତିଆରି କରିଛି । ସେ ମଣିଷ । ତା’ର ରୁଚି ଅଛି । ସେ ରାଇ ଭାଇ ପରି କାଠ ପାଷାଣ ନୁହେଁ ।

ଦୀପକ ଦୁଆର ମୁହଁରେ ଆଟାଚିଟିକୁ ରଖିବାକୁ ଉପକ୍ରମ କଲା ପୂର୍ବରୁ ଶିଖା ରୁମ୍ ଭିତରକୁ ପଶି ଯାଇଥିଲା । ଡ୍ରଇଂ ରୁମ୍‌ଟି ଚମତ୍କାର ଭାବରେ ସଜା ହୋଇଛି । ହେଲେ ପ୍ରଦୀପ କାହିଁ ? ଧାଇଁଗଲା ଭିତର ବେଡ୍ ରୁମ୍‌କୁ । ପ୍ରଦୀପ ବୀଭତ୍ସ ଅବସ୍ଥାରେ ଶୋଇଛି । ଚମକି ପଡ଼ିଲା ଶିଖା । ଦଉଡ଼ି ଗଲା ତା’ ନିକଟକୁ । ହେଲେ ଆଉ ସମ୍ଭାଳି ପାରିଲା ନାହିଁ । ମୁଣ୍ଡ ତା’ର ଘୂରେଇ ଦେଲା । ସେ ପ୍ରଦୀପ ବୋଲି କହି ଚିତ୍କାର କରି ଉଠିଲା । କାନ୍ଦି କାନ୍ଦି ଲୋଟି ପଡ଼ିଲା ପ୍ରଦୀପ ଉପରେ । ଅସହାୟ ଭାବରେ କାନ୍ଦି କାନ୍ଦି କହୁଥିଲା–

–ଏ କ’ଣ କଲ ପ୍ରଦୀପ । ମୋତେ ତୁମେ ଅନ୍ଧ କରି ଦେଇ ଚାଲିଗଲ । କେତେ ଆଦରରେ ସାଇତି ରଖିଥିବା ଅମୁଲ୍ୟ ଧନଟିକୁ ତମ ନିକଟରେ ଭେଟି ଦେବାକୁ ଆଣିଥିଲି । ତମେ ଦେଖିଥିଲେ କେତେ ଖୁସି ହୋଇ ନ ଥାନ୍ତ ସତେ ? ହେଲେ କ’ଣ ହେଲା ଏସବୁ । ଶେଷରେ କ’ଣ ମୋ ଭାଗ୍ୟରେ ଏଇଆ ଦେଖିବାକୁ ଥିଲା ।

କାନ୍ଦି କାନ୍ଦି ମୁଣ୍ଡ ବାଡ଼ଉଥିଲା ଶିଖା ।

ଦୀପକ ସେମିତି ନିର୍ବାକ, ନିସ୍ତେଜ ହୋଇ ଛିଡ଼ା ହୋଇଥିଲା । ପାଦ ତଳର ପୃଥିବୀଟା ତା’ର ଯେମିତି ଧସି ହୋଇ ଯାଉଛି । ପୃଥିବୀରେ ଯେମିତି ଅଚାନକ ଭୂମିକମ୍ପ ସୃଷ୍ଟି ହୋଇଛି । ସାଗର, ଆକାଶ, ପୃଥିବୀ ଏକାକାର ହୋଇ ଯାଉଛନ୍ତି । ଆକାଶରୁ ବଉଦ ଛିଣ୍ଡି ପଡ଼ୁଛି । ଅଚାନକ ମେଘ ଘଡ଼ଘଡ଼ିରେ ଖଣ୍ଡପ୍ରଳୟ ସୃଷ୍ଟି ହୋଇଛି ଯେମିତି । ତାହା ସେ ଅନୁଭବ କରୁଥିଲା ।

ଦୀପକ ନିଜ ମନ ମଧ୍ୟରେ ପରସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲା । ଟୋପା ଟୋପା ତତଲା ଲୁହ ତା’ ଆଖିକୋଣରୁ ଝରି ଯାଉଥିଲା । ସମ୍ମୁଖରେ ତା’ର ପ୍ରିୟ ପ୍ରଫେସର ନାଇଟ୍ରିକ୍ ଏସିଡ଼୍ ଖାଇ ଆତ୍ମହତ୍ୟା କରିଛନ୍ତି । ସେ ଆଉ ଟିକିଏ ଅଗେଇ ଯାଇଥିଲା ତା’ ପ୍ରଫେସରର ମୃତ ଦେହ ନିକଟକୁ । ନାଇଟ୍ରିକ୍ ଏସିଡ୍‌ର ପ୍ରଭାବରେ ମୁହଁଟା ବିକୃତ ହୋଇ ଯାଇଛି । ଖଣ୍ଡେ ଦୂରରେ ସେଲ୍‌ଫ ଉପରେ ତାଙ୍କ ଡାଏରୀ, କଲମ ଏବଂ ଚିଠି ଖଣ୍ଡିଏ ଲେଖା ହୋଇ ଥୁଆ ହୋଇଛି । ଦୀପକ ସେ ଚିଠିଟାକୁ ପଢ଼ିବାକୁ ଚେଷ୍ଟା କରୁଥିଲା–

ଆଦର ଶିଖା,

ଜୀବନର ଏଇ ଶେଷ ମୁହୂର୍ତ୍ତରେ ମୋର ସ୍ନେହ ନେବୁ ।

ଦୀପକକୁ ମୋର ଆଶୀର୍ବାଦ ଦେବ । ଏବଂ ଅନ୍ୟମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ତଥା ଅଭିନନ୍ଦନ ଜଣାଇ ଦେବ ।

ମୁଁ ଜାଣେନା ଏ ଚିଠିଟି ତମ ନିକଟରେ ପହଞ୍ଚିବ କି ନାହିଁ, ତଥାପି ଲେଖୁଛି । ଦୀର୍ଘ ପଚିଶ ବର୍ଷର ବ୍ୟବଧାନ ମଧ୍ୟରେ ମୁଁ ଅନେକ ଏହି ଥର ଚେଷ୍ଟା କରିଛି ଚିଠି ଲେଖି ତମ ପାଖରେ କ୍ଷମା ମାଗି ନେବାକୁ, ହେଲେ ପାରିନି । ହାତ ମୋର ଅଟକି ଯାଇଛି । ମୁଁ ଆଜି ବି ଅନୁଭବ କରୁଛି ତମକୁ ମୁଁ କି କଷ୍ଟ ଦେଇଛି, ଦୁଃଖ ଦେଇଛି, ଯନ୍ତ୍ରଣାର ଶତଦ୍ରୁ ନଦୀରେ ଅସମୟରେ ଭସେଇ ଦେଇଛୁ । ଦୁନିଆରେ ଆଜି ପର୍ଯ୍ୟନ୍ତ ମୁଁ କାହାରି ଓଠରେ ଝଲକାଏ ହସ ଝରାଇ ପାରିନି । କି ନୈତିକ ଅଧିକାର ମୋର ଅଛି ତମ ଆଖିରେ ଲୁହର ଝରଣା ଝରାଇ ଦେବାକୁ ?

ତମେ ଆଜି ବାଜି ଜିତି ଯାଇଛ ଶିଖା । ତମ ନିକଟରୁ ମୁଁ ପରାସ୍ତ ହୋଇ ଯାଇଛି । ଅପଣା ମନର ଦ୍ୱନ୍ଦ ଦେହରେ ମୁଁ ଛନ୍ଦି ହୋଇ ପଡ଼ୁଛି । ଆପଣା ହାତ ତିଆରି ରାସ୍ତାରେ ମୁଁ ଝୁଣ୍ଟି ପଡ଼ୁଛି । ଏ ସମାଜ କାହାରି ଜୀବନ ଯନ୍ତ୍ରଣାକୁ ଉପଲବ୍‌ଧି କରେନା । ତମେ ମୋ ଜନ୍ମ ଜନ୍ମାନ୍ତରକୁ ରକ୍ତରେ ଲେଖି ଦେଇଥିବା ବଳିଷ୍ଠ ସ୍ଵାକ୍ଷରଟିକକୁ ସ୍ଵୀକୃତି ଦେଇଥିବାରୁ ମୁଁ ତମ ନିକଟରେ ଚିର ଋଣି । ତମେ ତମ ସମସ୍ତ ଆଦର୍ଶକୁ ପ୍ରତିହତ କରି ମୋ ଭବିଷ୍ୟତ ବଂଶଧରକୁ ବଡ଼ ଦାଣ୍ଡରେ ସମସ୍ତଙ୍କ ମଧ୍ୟରେ ଜଣେ ବୋଲି ସ୍ଥାନ ଦେଇ ପାରିଛି ଏହା ମୋ ପାଖରେ କମ ବଡ଼ ଗୌରବର କଥା ନୁହେଁ ।

ତମରି ପାଇଁ ମୁଁ ଆଜି ଦୁନିଆ ଆଗରେ ଏତେ ବଡ଼ ଲେଖକ ଭାବରେ ସମ୍ମାନିତ ହୋଇପାରିଛି । ତମର ସ୍ନେହ, ପ୍ରେମ, ମମତା ହିଁ ମୋ ଉପନ୍ୟାସ ଲେଖିବାର ଏକମାତ୍ର ପ୍ରେରଣା-। ଏବେବି ଅତୀତର ସ୍ମୃତି ମୋ ନିକଟରେ ଅମ୍ଳାନ । ସେଇ ତୋଟାମାଳ, ସେଇ ନଇପଠାର ସାବଲୀଳ ସ୍ମୃତି ଏବେ ବି ମୋ ସ୍ମୃତି ଗହରରେ ପ୍ରତିଧ୍ଵନିତ ହୋଇ ଉଠୁଛି । ଅନେକ ସ୍ମୃତିର ତରଙ୍ଗ-। ଅନେକ ଅସମର୍ଥ ମୁହୂର୍ତ୍ତର ଦୃଶ୍ୟପଟ ମୋତେ ବ୍ୟତିବ୍ୟସ୍ତ କରି ପକାଉଛି ।

ମୁଁ ଜାଣେ ଏ ପୁରସ୍କୃତ ସମ୍ବାଦ ପ୍ରଚାରିତ ହେଲା ପରେ ତମେ ନିଶ୍ଚୟ ଧାଇଁ ଆସିବ ତମ ପ୍ରାଣର ପ୍ରଦୀପ ପାଖକୁ । ତମେ ତୁମ ପ୍ରଦୀପକୁ ପାଇବ । ହେଲେ ମୁଁ କ’ଣ ପାଇବି । ମୋ ଆଦରର ଶିଖା ଅନେକ ଦିନରୁ, ଦୂର ବନସ୍ତରେ ହଜି ଯାଇଛି । ଆଜି ପର୍ଯ୍ୟନ୍ତ ମୁଁ ତାକୁ ବିବ୍ରତ ଭାବରେ ଖୋଜି ଆସିଛି ହେଲେ ପାଇନାହିଁ । ଖୋଜି ଖୋଜି ପାଦ ମୋର ଅବଶ ହୋଇ ପଡ଼ିଲାଣି-। ଦେହ ଅବଶୀର୍ଣ୍ଣ । ବାର୍ଦ୍ଧକ୍ୟର ତୀବ୍ର କଷାଘାତ ଏ ଦେହଟାକୁ ଚାବୁକ ପ୍ରହାର କଲାଣି । ତଥାପି ମୋ ଦୌଡ଼ିବାରେ ଶେଷ ନାହିଁ । ମୋ ଯନ୍ତ୍ରଣାର ବରାମ ନାହିଁ । ମୁଁ ଖୋଜୁଥିଲି ଦୁଃଖର ସୀମା କେଉଁଠି, ତାହାର ବି ସୀମା ନିର୍ଦ୍ଧାରଣ କରି ପାରିନାହିଁ । ମୁଁ ଖାଲି ମୋ ଅକ୍ଷାଂଶ ଦ୍ରାଘିମା ଦେହରେ ଘୂରି ବୁଲୁଛି । ହେଲେ ଶାନ୍ତି କାହିଁ ?

ଶିଖା, ସମୟ ସବୁ ଓଲଟ ପାଲଟ କରିଦିଏ । ମୁହୂର୍ତ୍ତରୁ ମୁହୂର୍ତ୍ତକୁ ଭିନ୍ନମୁଖୀ ତା’ର ଗତିପଥ । ସବୁଜ ବୟସରେ ଆମେ ଯେତେବେଳେ ବିହଙ୍ଗ ବିହଙ୍ଗୀ ହୋଇ ଦୂର ଆକାଶରେ ଉଡ଼ି ବୁଲୁଥିଲେ, କିଏ ସେ ଅବା ଜାଣିଥିଲା ଅଚାନକ ଝଡ଼ ବତାସ ଆମ ଦୁହିଁଙ୍କୁ ଦୁଇଟି ଭିନ୍ନ ଦିଗରେ ରାସ୍ତା ଦେଖାଇ ଦେବ ବୋଲି । ତମେ ପ୍ରଣୟିନୀରୁ ମା’ ରୂପରେ ଶେଷରେ ମୋ ସମ୍ମୁଖରେ ଠିଆ ହେଲା । ମୋର ବା କ’ଣ ଉପାୟ ଥିଲା । ପାଳକ ପୁଅ ମୁଁ । ଝଡ଼ ବତାସ ଆଗରେ ଶିମିଳି ତୁଳା ଭଳି ମୋର ସ୍ଥିତି । ମୁଁ ବା’ କେମିତି ପ୍ରତିବାଦ କରି ଥାଆନ୍ତି ।

ହେଲେ ସେ ଦୋଷ ତମର ନୁହେଁ, ଯାହା ଘଟିବାର ଥାଏ ତାହା ଆପେ ଆପେ ଘଟିଯାଏ । ନା’ ତମର ଦୋଷ । ବେଦିକ ଯୁଗରେ ନାରୀମାନଙ୍କର ଏତିକି ସ୍ଵାଧୀନତା ଥିଲା ଯେ ସେମାନେ ସ୍ଵୟଂମ୍ବର ସଭାରେ ନିଜ ମନ ମୁତାବକ ପୁରୁଷଟିଏ ବାଛି ପାରୁଥିଲେ । ହେଲେ ଆମେ ଆଜି ସ୍ଵାଧୀନତାର ଚରମ ସୀମାରେ ପହଞ୍ଚି ମଧ୍ୟ ନିଜର ମନର ଭାଷାକୁ ତୁଣ୍ଡ ଖୋଲି କହି ପାରିନୁ-। ହୁଏତ ତମ ମନର ସେ ପଦୁଟିଏ ଅବ୍ୟକ୍ତ ସଂଳାପକୁ ତମେ ଆଜି ବଖାଣି ବସିଥିଲେ ସମାଜ ବକ୍ଷରେ ଅସତୀ ହୋଇ ଯାଇଥାଅନ୍ତ । ଦୁନିଆ ଲୋକ ଦୁନିଆ କଥା କହି ଥାଆନ୍ତେ । କଳଙ୍କିନୀ ଜୀବନ ନେଇ ତମେ କେତେ ଦିନ ବଞ୍ଚି ପାରିଥାଆନ୍ତ ।

ଆମେ ହେଲେ ସାମାଜିକ ମଣିଷ । ଆମ ସମାଜର ନିତି ନିୟମକୁ ଏଡ଼ାଇ ଦେଲେ ଆମେ ହୁଏତ ସମାଜ ଦ୍ରୋହୀ ଭାବରେ ଚିହ୍ନିତ ହେବା । ଦୁନିଆର ଦରବାରରେ ସମାଜ ଦ୍ରୋହୀର କ୍ଷମା ନାହିଁ । ତେଣୁ ଆପଣା ମନରେ ଭୟ ପାଇ ତମେ ନୀରବ ରହିଗଲ ।

କିନ୍ତୁ ମୋର ବା ଉପାୟ କ’ଣ ଥିଲା । ତମେ ଯେତେବେଳେ ପ୍ରେମିକାର ଆସନରୁ ଏକାବେଳେକେ ମା’ର ଆସନକୁ ଉଠିଗଲ, ସେତେବେଳେ ମୁଁ ବିବ୍ରତ ହୋଇ ଉଠିଥିଲି । ଭଲପାଇବାର ସାବଲୀକ ସ୍ନେହ, ପ୍ରେମ, ମମତା, ମା’ ର ସ୍ନେହ, ଶ୍ରଦ୍ଧା, ମମତା ଠାରୁ ଭିନ୍ନମୁଖୀ ନଦୀର ଦୁଇଟି ସ୍ଵତନ୍ତ୍ର ବିପରୀତ ସ୍ରୋତ ପରି । ତେଣୁ ତମକୁ ମା’ର ଆସନରେ ସମ୍ମାନ ଦେବାକୁ ଚାହିଁଲା ବେଳେ ମୋ ମନରେ ଦୁର୍ବଳତାର ଝଡ଼ ସୃଷ୍ଟି ହେଉଥିଲା । ରକ୍ତ ମାଂସର ମଣିଷଟିଏ ମୁଁ । କେତେ ବା ମୋର ଧୈର୍ଯ୍ୟର ସୀମା । ଏଣେ ଯୌବନର ଉତୁଙ୍ଗ ପାହାଚରେ ପଦାର୍ପଣ କରିଥାଏ । ସବୁଜ ବୟସରେ ସବୁ ଋତୁ ବସନ୍ତ ଭଳି ମନେ ହୁଅନ୍ତି, ସବୁ ମାସ ବି ଫଗୁଣ ଲାଗନ୍ତି । ତେଣୁ ନିଜ ଭିତରେ ନିଜ ସ୍ନାୟୁ ଉପସ୍ନାୟୁର ଯନ୍ତ୍ରଣାକୁ ସହି ପାରୁ ନ ଥିଲି । ତମ ପାଖରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିଲି । ଅସହ୍ୟ ଯନ୍ତ୍ରଣାରେ ନିଜ ଭିତରେ ଜଳି ଉଠୁଥିଲି ।

ସେଦିନ ସେଇ ଅପ୍ରତ୍ୟାସିତ ରାତିରେ ତମେ ମା’ର ଆସନରେ ବସି ମଧ୍ୟ ତମର ଅଚାନକ ସ୍ଖଳନ ଘଟିଥିଲା । ଅବଶ୍ୟ ସେ ଦୋଷ ତମର ନୁହେଁ । ତମେ ବି ତ ଦେବତା ନୁହଁ–ମଣିଷ । ତାହା ମଧ୍ୟରେ ତମର ଯନ୍ତ୍ରଣା ମୋର ଯନ୍ତ୍ରଣାକୁ ବଳେଇ ପଡ଼ିଥିଲା ବୋଲି ମୁଁ ଜାଣି ପାରି ନ ଥିଲି । ଯାହା ଫଳରେ ଏତେ ସବୁ ଦୁର୍ଘଟଣା ଘଟିଗଲା ।

ହେଲେ ସମାଜ ସିନା ଏ ଦୁର୍ଘଟଣା ସମ୍ପର୍କରେ କିଛି ସନ୍ଧାନ ପାଇଲା ନାହିଁ ହେଲେ ଭଗବାନଙ୍କ ଦରବାରରେ ମୁଁ ପାପୀଟିଏ ହୋଇ ଯାଇଛି । ମୋର ମୁକ୍ତି ନାହିଁ । ମୁଁ ମା’ କୁ ସଂଭୋଗ କରି ଯେଉଁ ମହାପାପ ଅର୍ଜନ କରିଛି ତାହାର କ୍ଷମା ନାହିଁ । ତପ୍ତ ବୈତରଣୀ ଦେହରେ ସିଝି ସିଝି ମରିବା ବ୍ୟତୀତ ଆଉ ବା ମୋର ଉପାୟ କ’ଣ ଅଛି । ମୋର ସମସ୍ତ ମୁକ୍ତିର ପଥ ଅବରୁଦ୍ଧ । ଆଉ ଦୁନିଆର ଦରବାରରେ ସେମିତି କୌଣସି ମୁକ୍ତିର ପଥ ନାହିଁ, ଯେଉଁ ପଥ ଧରିଲେ ଏ ପାପ ଗ୍ରସ୍ତ ଜୀବନରୁ ମୁକ୍ତି ପାଇବି । ସ୍ଵର୍ଗ ପୁରକୁ ଯିବା ପାଇଁ ତପ୍ତ ବୈତରଣୀ ପାର ହୋଇ ପାରିବି ।

ମୁଁ ଜାଣେ ତମେ ନିଶ୍ଚୟ ଧାଇଁ ଆସିବ । ତମର ପ୍ରାଣର, ହୃଦୟର ପ୍ରଦୀପ ପାଖକୁ, ହେଲେ ମୁଁ ଦ୍ଵନ୍ଦରେ ତ୍ରି ଛକି ରାସ୍ତା ଉପରେ ଠିଆ ହୋଇ କେଉଁ ପଥ ଉପରେ ପାଦ ଦେବି ନିର୍ଦ୍ଧାରିତ କରି ପାରୁ ନାହିଁ । ତମକୁ କେଉଁ ରୂପରେ ଦେଖିବି ପ୍ରେମିକା ଅବା ମା', ମା’ ଅବା ପ୍ରେମିକା । ମନ କହେ ତମେ ମୋର ପ୍ରଣୟିନୀ, ଶାଶ୍ୱତ ପ୍ରେମର ପ୍ରତୀକ । ହେଲେ ବିବେକ କୁହେ, ତମେ ମୋର ମା’ ଗୁରୁଜନ, ପୁଜ୍ୟ । ହେଲେ ତମେ କୁହ ମୁଁ କେଉଁ ପଥ ବାଛି ନେବି । ବିବେକ ଆଉ ମନର ଅନ୍ତଦ୍ୱନ୍ଦ ମଧ୍ୟରେ ମୁଁ ଛନ୍ଦି ହୋଇ ପଡ଼ୁଛି । ତୋ ପାଇଁ ଆଉ କୌଣସି ଚଲାପଥ ପୁଷିତ ନୁହେଁ । ସବୁ ପଥ କଣ୍ଟକଯୁକ୍ତ । ମୋ ପାଇଁ ଏକମାତ୍ର ପଥ ହେଉଛି ତମମାନଙ୍କଠାରୁ ଅନେକ ଦୂରକୁ ଚାଲିଯିବା । ଯେଉଁ ରାଜ୍ୟକୁ ମଣିଷ ଥରେ ଗଲେ ଆଉ ଫେରେନା । ମୁଁ ଜାଣେ ତମେ ଧାଇଁ ଆସିଥିବ ଅନେକ ଅଶାର ସମୁଦ୍ରକୁ କୋଳରେ ଧରି । ତମ ଆଦରର ପ୍ରଦୀପକୁ ଏ ଅବସ୍ଥାରେ ଦେଖି ଧୈର୍ଯ୍ୟ ଧରି ପାରିବି ନାହିଁ, କିନ୍ତୁ ଜୀବନ ଥିଲେ ଦିନେ ମରିବାକୁ ହୁଏ । ମୁଁ ବଞ୍ଚି ରହିଲେ ହୁଏତ ତମ ଜୀବନରେ ପୁଣି ଥରେ ଅଦିନ ଝଡ଼ ସୃଷ୍ଟି ହେବ । ଯେଉଁ ଝଡ଼ର ପ୍ରକୋପରେ ତମେ ହୁଏତ ଏ ବୟସରେ ଆଉ ସହ୍ୟ କରି ପାରିବ ନାହିଁ । ମୁଁ ଚାହୁଁ ନାହିଁ ଆଉ ଥରେ ତମ ସୁନାର ସଂସାର କାରଘର ଭଳି ଭାଙ୍ଗିରୁଜି ଚୂରମାର ହୋଇ ଯାଉ । ତମେ ତ ଜୀବନର ଚଲା ପଥରେ ସ୍ଵାମୀ, ପୁତ୍ର, ଧନ, ସମ୍ପତ୍ତି, ଗୋପ ଲକ୍ଷୀ ସବୁ ପାଇଛ । ମୁଁ କ’ଣ ପାଇଛି । ମେଞ୍ଚାଏ ସ୍ମୃତି, ମୁଠା ମୁଠା ଶୂନ୍ୟତା । ଯାହାକୁ ନେଇ ଘର ସଂସାର କରି ହୁଏନା, ଅନ୍ତର୍ଦ୍ୱଦରେ ମରିବା ହିଁ ସାର ହୁଏ ।

ଶେଷରେ ମୋର ଅନୁରୋଧ ରଖିବ ଶିଖା । ତମ ଦାୟିତ୍ଵରେ ଦେଇଥିବା ଶେଷ ସ୍ମୃତି ଦୀପକକୁ ଦୁନିଆର ବଡ଼ଦାଣ୍ଡରେ ମଣିଷ କରି ଥୋଇବ । ସେହି ହେଉଛି ମୋ ଜନ୍ମ ଜନ୍ମାନ୍ତରର ସାର୍ଥକତା । କେତୋଟି ଦିନ ସେ ମୋ ପାଖରେ ରହିଛି ହେଲେ ପରିଚୟ ଦେବାକୁ ସାହାସ ପାଇ ନ ଥିଲି । ତା’ର ଅନୁପସ୍ଥିତ ସମୟରେ ତା’ ରୁମ ମଧ୍ୟରେ ପଶି ତମେ ଦେଇଥିବା ଚଠିଗୁଡ଼ାକ ପଢ଼ିବାକୁ ଚେଷ୍ଟା କରୁଛି । ହେଲେ ଆଖିର ଲୁହଗୁଡ଼ାକ ମୋ ଉପରେ ଛଳନା କରିଛନ୍ତି । ମୁଁ ସେ ଚିଠିକି ଲୁହର ବନ୍ୟାରେ ପଢ଼ି ପାରିନି । ତଥାପି ତମ ହାତ ଲେଖା ବୋଲି ବୁକୁ ଉପରେ ଚାପି ଧରି ମୁହୂର୍ତ୍ତକ ପାଇଁ ଶୂନ୍ୟର ଊର୍ଦ୍ଧ୍ୱକୁ ଚାଲି ଯାଇଛି ।

ମୁଁ ଯାଉଛି ଶିଖା । ମୋର ସମୟ ଶେଷ ହୋଇ ଆସୁଛି । ମୋର ଏତାଦୃଶ୍ୟ ଅଧପତନ ପାଇଁ ତମେ ଆଖିରୁ ଲୁହ ଝରାଇବ ନାହିଁ । ତମ ଆଖିରୁ ଲୁହ ଝରିଲେ ମୋ ଆତ୍ମା ଅବଶୋଷର ଅତ୍ମଗ୍ଲାନି ମଧ୍ୟରେ ଛଟପଟ ହୋଇ ମରିବ । ଏ ମୃତ୍ୟୁରେ ମୋର ନିସ୍ତାର ନାହିଁ । ଧର୍ମ, ପୁରାଣ ମଧ୍ୟରେ ମୋର ପାପଗ୍ରସ୍ତ ଜୀବନ ପାଇଁ ମୋତେ ପବିତ୍ର ବୈତରଣୀର ତତଲା ପାଣିକୁ ପାରି ହେବାକୁ ପଡ଼ିବ । ଯମପୁରରେ ମୋ’ କଳଙ୍କିତ ଜୀବନ ପାଇଁ ରାକ୍ଷସମାନଙ୍କ ଗହଣରେ ଶାସ୍ତି ପାଇବାକୁ ହେବ ।

କାଚ ପାତ୍ରରେ ନାଇଟ୍ରିକ୍ ଏସିଡ଼ ଚିକ୍ ଚିକ୍ କରି ଉଠୁଛି । ଆଖି ସାମ୍ନାରେ ଅତୀତର ସମସ୍ତ ସ୍ମୃତି ଭାସି ଯାଉଛି । ଯଦି ଭଗବାନଙ୍କ ସୃଷ୍ଟିରେ ପ୍ରେମ ଶାଶ୍ୱତ ବୋଲି ସ୍ଵୀକୃତି ପାଇଥାଏ, ତା’ ହେଲେ ପର ଜନ୍ମରେ ନିଶ୍ଚୟ ଭେଟ ହେବ । ରହିଲି ।

॥ ଇତି ॥

ତମର ଆଦରର

ପ୍ରଦୀପ ।

 

ଦୀପକ ଆଖିରୁ ଧାର ଧାର ତତଲା ଲୁହ ଝରି ଯାଉଥିଲା ଗଣ୍ଡଦେଶ ଦେଇ । ଲୁହର ବନ୍ୟାରେ ସେ ଯେମିତି କିଛି ଦେଖିପାରୁ ନ ଥିଲା । ତଥାପି ସମସ୍ତ କୋହକୁ ଚାପି ଧରି ବାପର ମୃତ୍ୟୁ ଦେହକୁ ଶେଷଥର ପାଇଁ ଚାହିଁ ଥିଲା । ମା’ ଅଚେତ ଅବସ୍ଥାରେ ପଡ଼ିଛି । ସେ ଆଗେଇ ଯାଇ ତା’ ବାପର ପାଦ ତଳେ ମୁଣ୍ଡିଆ ମାରି ଶେଷ ପ୍ରଣାମ କରିଥିଲା ।

 

ସେତେବେଳକୁ ଅନେକ ଲୋକ ଦୁଆର ମୁହଁରେ ରୁଣ୍ଡ ହୋଇ ଯାଇଥିଲେ । ଏତାଦୃଶ୍ୟ କରୁଣ ଛବି ଦେଖି ସେମାନଙ୍କ ଆଖିରେ ମଧ୍ୟ ଚୋପା ଟୋପା ଲୁହ ଜକେଇ ଆସୁଥିଲା । ସମସ୍ତେ କହୁଥିଲେ, ବିଚରା ଆସନ୍ତାକାଲି ଯାଇ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥାଆନ୍ତା । ସାରା ଖବର କାଗଜ ସୁନାମରେ ଭର୍ତ୍ତି ହୋଇ ଉଠିଥାନ୍ତା ସମସ୍ତେ ବାହା ବାହା କରିଥାଆନ୍ତେ । ଅଥଚ ଏ ଦୁଃଖ ସମ୍ବାଦକୁ ଶୁଣି ସମସ୍ତେ ମର୍ମାହିତ ହୋଇ ଉଠିବେ ।

 

ଖବର ପାଇ ସାମ୍ବାଦିକ ଏବଂ ଫଟୋଗ୍ରାଫରମାନେ ପହଞ୍ଚି ଯାଇଥିଲେ । ଫଟୋଗ୍ରାଫରମାନେ କାଳ ବିଳମ୍ବ ନ କରି ଫଟୋ ଉତ୍ତୋଳନ କରୁଥିଲେ ।

Image